ଓଡିଶା ନ୍ୟୁଜ/ Odisha News
ସମଦୃଷ୍ଟି

ଦମ୍ ଅପେକ୍ଷା ପ୍ରଚାର ଅଧିକ, ବିମୁଦ୍ରୀକରଣର ଦୀର୍ଘ ଛାଇଟି ବଜେଟରେ ଦୃଶ୍ୟମାନ

budget
ଏ ଭିତରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୪ର୍ଥ ଥର ପାଇଁ ୨୦୧୭-୧୮ ମସିହାରେ ବାର୍ଷିକ ବଜେଟ୍ଟି ଉପସ୍ଥାପନ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ବର୍ଷ କାର୍ଯ୍ୟକାଳ ସରିବା ପୂର୍ବରୁ ଆଉ ମାତ୍ର ଥରୁଟିଏ ଏଭଳି ବଜେଟ ଉପସ୍ଥାପନ ଦେଖିବାକୁ ପଡ଼ିବ ।

ଏଥରର ବଜେଟ୍ଟିକୁ ନେଇ ଯେମିତି ଗଣମାଧ୍ୟମ ଆଶାନୁରୂପକ ପ୍ରଶଂସାମୁଖର ହେଇଯାଇଛି । ସେମାନଙ୍କ ଭାଷାରେ ‘ମାତ୍ରାଧିକ ଲୋକପ୍ରିୟତା’ଠୁ ଦୂରରେ ରହି ‘ଆର୍ଥିକ ସତର୍କତା’କୁ ଏଥର ବଜେଟ୍ ରେ  ପ୍ରାଧାନ୍ୟ ଦିଆଯାଇଛି ।

ଆହୁରି କୁହାଯାଇଛି ଯେ ବଜେଟ୍ଟି ମୋଦୀ ଶାସନର ଲୋକାଭିମୁଖୀ ଚରିତ୍ରକୁ ପୁନଃ ପ୍ରତିଷ୍ଠିତ କରିଛି । କୃଷକମାନଙ୍କୁ ସୁବିଧା ଦେବା ସହ କଳାଧନର ଠୁଳୀକରଣକୁ ହ୍ରାସ କରିବା ଏବଂ ଟିକସର ଢାଂଚାଟିକୁ ଅଧିକ ‘ପ୍ରଗତିଶୀଳ’ କରିପାରିଛି ବୋଲି ମଧ୍ୟ କୁହାଯାଉଛି ।

ସମସ୍ତ ବଜେଟ୍ ଦସ୍ତାବିଜଗୁଡ଼ିକୁ ଯଦି ଭଲକରି ଦେଖାଯାଏ ତେବେ ଉପରୋକ୍ତ ଯେକୌଣସି ଦାବୀର ସତ୍ୟାସତ୍ୟ ନେଇ ଆଶଙ୍କା ଉପୁଜିବ ନିଶ୍ଚୟ । ବଜେଟ୍ଟିରେ ଦମ୍ କମ୍, ପ୍ରଚାର ଅଧିକ ଅଛି ।

ନଭେମ୍ବର ୮, ୨୦୧୬ଦିନ ଦେଶରେ ପ୍ରଚଳିତ ଥିବା ଶତକଡ଼ା ୮୬ଭାଗ ମୁଦ୍ରାକୁ ଅକସ୍ମାତ ଓ ଅପ୍ରତ୍ୟାଶିତ ଭାବେ ଅକାମୀ କରିଦେବାର ନିଷ୍ପତିଟିଏ ନେଇ ଯେଉଁ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି କରାଗଲା, ତାହା ସାଧାରଣ ଭାରତୀୟ ବିଶେଷ କରି ଗରିବ ଲୋକମାନଙ୍କୁ ଗଭୀର କଷ୍ଟ ଓ ଯନ୍ତ୍ରଣା ଦେଇଥିଲା ।

ଏଥରର ବଜେଟ୍ଟି ସେହି ଯନ୍ତ୍ରଣାକୁ ଉପଶମ କରିବା ପାଇଁ ଉପକ୍ରମଟିଏ କରିଛି । ଭାରତରେ ବଜେଟ୍ଟି ସରକାରଙ୍କର ହିସାବ ଖାତା ଉପରେ ଏକ ବୈଶିଷ୍ଟ୍ୟବିହୀନ ବକ୍ତବ୍ୟ ନୁହେଁ । ବଜେଟ ଗୁଡ଼ିକ ପ୍ରାୟତଃ ରାଜନୈତିକ ଘୋଷଣାନାମା ହୋଇଥାଏ ।

ନିର୍ବାଚନ ଦୃଷ୍ଟିକୋଣରୁ ଏହି ବଜେଟ୍ ଭାରତୀୟ ଜନତା ପାର୍ଟିକୁ ଆଗାମୀ ବିଧାନସଭା ନିର୍ବାଚନ ଗୁଡ଼ିକରେ, ମୁଖ୍ୟତଃ ସବୁଠାରୁ ଜନବହୁଳ ରାଜ୍ୟ ଉତରପ୍ରଦେଶ ନିର୍ବାଚନରେ କ୍ଷମତାଶୀନ ହେବା ପାଇଁ ସକ୍ଷମ କରାଇବ କି ନାହିଁ ତାହା ଆସନ୍ତା ମାର୍ଚ୍ଚ ୧୧ଦିନ ଜଣାପଡ଼ିବ ।

କିନ୍ତୁ ଅସୁବିଧାରେ ଥିବା ଲୋକଙ୍କର ଅବସ୍ଥାରେ ପରିବର୍ତନ ଆଣିବା, ବିଷମତା ହ୍ରାସ କରିବା, ନିଯୁକ୍ତି ସୃଷ୍ଟି କରିବା, ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁ ଆଦାୟ ହୋଇପାରୁନଥିବା ଋଣ ଦେଇଚାଲିଛନ୍ତି ତାକୁ ହ୍ରାସ କରିବା ଏବଂ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଇତ୍ୟାଦି କ୍ଷେତ୍ରରେ ବଜେଟ୍ ସଫଳ ହେବାର ସମ୍ଭାବନା ଅତି କ୍ଷୀଣ ଦେଖାଯାଉଛି ।

ଯଦିଓ ‘ଜାତିର ପିତା’ଙ୍କର ନାମ ଜେଟଲିଙ୍କ ବଜେଟ୍ ଭାଷଣରେ ତୁହାକୁ ତୁହା ନିଆଯାଉଥିଲା, ତାଙ୍କ ନାମରେ ନାମିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନା ଆଇନ (ଏମ୍ନରେଗା) କ୍ଷେତ୍ରରେ ମାତ୍ର ଶତକଡ଼ା ୧ଭାଗ ଅର୍ଥ ଅଟକଳ ବୃଦ୍ଧି କରାଯାଇଛି – ତାକୁ ବି ‘ଏଯାବତ୍ ସବୁଠାରୁ ଅଧିକ’ ବୋଲି ଚିତ୍ରିତ କରାଯାଇଛି ।

ଯେମିତି ଜେଟଲି ନିଜେ ବକ୍ତବ୍ୟ ଉପସ୍ଥାପନ କ୍ରମରେ ଉଲ୍ଲେଖ କରିଥିଲେ, ଯଦି ଜଣେ ଚଳିତ ଆର୍ଥିକବର୍ଷରେ ଏମ୍.ଜି.ଏନ୍.ଆରଇ.ଜି.ଏ. ପାଇଁ କରାଯାଇଥିବା ସଂଶୋଧିତ ଅଟକଳ ସହ ୨୦୧୭-୧୮ରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟ ଅଟକଳଟିକୁ ତୁଳନା କରେ ଏଇ କଥାଟି ସ୍ପଷ୍ଟ ହେବ ଯେ ମାତ୍ର ୫୦୦କୋଟି ଟଙ୍କାର ବୃଦ୍ଧି ଘଟିଛି । ଯାହା ୪୭,୫୦୦କୋଟି ଥିଲା ତାହା ଏବେ ୪୮,୦୦୦ କୋଟି ରଖାଯାଇଛି ।

ପୁଣି ଏହି କାର୍ଯ୍ୟକ୍ରମରେ ଅଧିକ ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବା ପାଇଁ ଅର୍ଥମନ୍ତ୍ରୀ ନିଜେ ବାରମ୍ବାର ଗୁରୁତ୍ୱ ଦେଇ ଆସିଥିବାବେଳେ ୧୦ଲକ୍ଷ ପୋଖରୀ ନିର୍ମାଣର ଯେଉଁ ପ୍ରାବଧାନ ରଖାଯାଇଛି ତାହା କେତେ ଦୀର୍ଘସ୍ଥାୟୀ ହେବ! ସେମିତି ୧୦ଲକ୍ଷ ‘ଖତ ପାଇଁ ଗାତ’ ତିଆରି କରିବା (ଦେଶର ପ୍ରତିଟି ଗାଁ ପିଛା ଗୋଟିଏ) କିଭଳି ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବ!

ଏହି କାର୍ଯ୍ୟକ୍ରମଗୁଡ଼ିକୁ ହିଁ ଏକଦା ମୋଦୀ ନିଜେ କଂଗ୍ରେସର ବିଫଳତାର ଜୀବନ୍ତ ସ୍ମାରକୀ ବୋଲି ବର୍ଣ୍ଣନା କରିଥିଲେ । ଏବେ ତାଙ୍କ ସରକାର ସେହି କାମଗୁଡ଼ିକର ପ୍ରଶଂସାରେ ବ୍ୟସ୍ତ । ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା ଯେ, ବିମୁଦ୍ରୀକରଣ ଯୋଗୁଁ ନିକଟରେ ସହରାଂଚଳରେ ରୋଜଗାର ହରାଇଥିବା ଲୋକମାନେ ଗ୍ରାମାଭିମୁଖୀ ହେବା ଯୋଗୁଁ ଗ୍ରାମାଂଚଳରେ ଏମଜିଏନ୍ଆର୍ଜିଏ କାମ ପାଇଁ ଚାହିଦାର ବୃଦ୍ଧି ଘଟିଛି ।

ଏକଦା ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା ଗ୍ରାମାଂଚଳରୁ ସହରାଭିମୁଖୀ ହେଉଥିବା ଦାଦନକୁ ରୋକିବା ପାଇଁ । ଏବେ ଠିକ୍ ତା’ର ବିପରୀତ ଘଟିଚାଲିଛି ।

ରାଜନୈତିକ ଦଳମାନଙ୍କର ଅନୁଦାନ ଗ୍ରହଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ କରିବା କଥାକୁ ନେଇ ଅନେକ ଆଲୋଚନା ହୋଇଆସିଛି । ଅର୍ଥମନ୍ତ୍ରୀ ଯାହା ପ୍ରସ୍ତାବ ରଖିଛନ୍ତି ତାହା ନିର୍ବାଚନ କମିଶନଙ୍କ ସୁପାରିଶ ଉପରେ ଆଧାରିତ ।

କୌଣସି ବେନାମୀ ବ୍ୟକ୍ତିଙ୍କଠାରୁ ପାଣ୍ଠି ଗ୍ରହଣ ପରିମାଣକୁ ସର୍ବାଧିକ ୨୦,୦୦୦ଟଙ୍କାରୁ ୨୦୦୦ ଟଙ୍କାକୁ କମେଇ ଦିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମକୁ ସଂଶୋଧନ କରି ନିର୍ବାଚନୀ ବଣ୍ଡ୍ ଜାରି କରିବା ଓ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ସମୟ ଭିତରେ ଆୟର ହିସାବ ଦାଖଲ କରିବା ଇତ୍ୟାଦି ପରିବର୍ତନ ଆଣିବା ପାଇଁ ପ୍ରସ୍ତାବ ରଖାଯାଇଛି ।

ଏଇଥିପାଇଁ ଏହିସବୁ ପଦକ୍ଷେପଗୁଡ଼ିକ ଉପର ଠାଉରିଆ ଭଳି ଲାଗୁଛି ଏବଂ ନିର୍ବାଚନରେ କଳାଧନର ବ୍ୟବହାର ଉପରେ ଏହାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବ ନାହିଁ । ପ୍ରଥମ ଓ ସର୍ବୋପରି କଥାଟି ହେଲା ଯେ, ରାଜନୈତିକ ଦଳମାନେ ଯେଉଁ ଆୟଟିକୁ ବିଧିବଦ୍ଧ ଭାବେ ଘୋଷଣା କରିଥାନ୍ତି ତାହା ସେମାନଙ୍କ ସାମଗ୍ରିକ ଆୟର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର ।

ହିସାବ ନଥିବା ବିପୁଳ ଆୟରୁ ହିଁ ସେମାନେ ନିର୍ବାଚନ ଖର୍ଚ୍ଚ କରିଥାନ୍ତି । ଦ୍ୱିତୀୟରେ, ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରାଇଟ୍ସ୍ ଯେମିତି ଟିପ୍ପଣୀ ଦେଇଛନ୍ତି, ରାଜନୈତିକ ଦଳମାନଙ୍କର ଆୟ-ବ୍ୟୟର ହିସାବ ଦେଖିବା ପାଇଁ କୌଣସି ସ୍ୱାଧୀନ ଭାବେ ନିଯୁକ୍ତ ଅଡ଼ିଟରର ପ୍ରସ୍ତାବ ନାହିଁ । ଅବମାନନା କଲେ ଦଣ୍ଡବିଧାନର ବି କିଛି ବ୍ୟବସ୍ଥା ନାହିଁ ।

ତୃତୀୟରେ, ଠିକଣା ସମୟରେ ଆୟର ହିସାବ ଦାଖଲ କରିବାକଥାକୁ ନେଇ ଏହି ଆସୋସିଏସନ୍ କହିଛି ଯେ, ୨୦୧୦-୧୧ ଓ ୨୦୧୪-୧୫ ଭିତରେ ହିସାବ ଦାଖଲରେ ଯେଉଁ ବିଳମ୍ବ ହେଇଥିଲା ତାହା ବି.ଜେ.ପି. କ୍ଷେତ୍ରରେ ୧୮୨ଦିନ ଥିଲାବେଳେ, କଂଗ୍ରେସ ଦଳ ୧୬୬ଦିନ ବିଳମ୍ବରେ ହିସାବ ଦାଖଲ କରିଥିଲେ ।

ଶେଷରେ, ବଜେଟ ଉପସ୍ଥାପନର ପରବର୍ତୀ ସମୟରେ ଗଣମାଧ୍ୟମ ସହ କଥାବାର୍ତା ବେଳେ ଅର୍ଥମନ୍ତ୍ରୀ ଜେଟଲି ଯେଉଁସବୁ କଥା କହିଛନ୍ତି, ଯେମିତି ନିର୍ବାଚନୀ ବଣ୍ଡ୍ କିଣୁଥିବା ଲୋକମାନଙ୍କର ନାମ ଗୋପନୀୟ ରଖିବାର ପ୍ରତିଶ୍ରୁତି, ଏସବୁ ଏଭଳି ଆଶା ସୃଷ୍ଟି କରିପାରୁ ନାହିଁ ଯେ ଭାରତରେ ରାଜନୈତିକ ଦଳମାନଙ୍କ ପାଣ୍ଠି ସଂଗ୍ରହ ପ୍ରକ୍ରିୟାଟି ତରବରିଆ ଭାବେ ସ୍ୱଚ୍ଛ କରାଯାଇପାରିବ ।

ରାଜସ୍ୱ ସଂଗ୍ରହ ବିଶେଷକରି ପରୋକ୍ଷ ଟିକସ ସଂଗ୍ରହ ଉପରେ ଯେଉଁ ଆକଳନ କରାଯାଇଛି ତାହା କେତେ ବାସ୍ତବବାଦୀ ଓ କେତେ ସଠିକ୍, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବଜେଟ୍ ଉପସ୍ଥାପନାକୁ ଗୋଟିଏ ମାସ ଆଗକୁ ନେଇ ଆସିଥିବା ଅର୍ଥମନ୍ତ୍ରୀ ‘ସଂଶୋଧିତ ଆକଳନ’ ଓ ‘ବଜେଟ୍ ଆକଳନ’କୁ ନେଇ ଯେଉଁ ଅନୁମାନଭିତିକ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି, ତାହା ଯଥେଷ୍ଟ ନୁହେଁ; ବିଶେଷକରି ଯଦି ଅତୀତରେ ଯାହା ଘଟିଛି ତାକୁ ହିସାବକୁ ନିଆଯାଏ ।

ଯଦିଓ ଏଥର ବଜେଟଟି ବିମୁଦ୍ରୀକରଣର କୁପ୍ରଭାବକୁ ନ୍ୟୁନ କରାଇଦେଇ ବି.ଜେ.ପି.ର ରାଜନୈତିକ ଉଦ୍ଦେଶ୍ୟ ସାଧନରେ ସହାୟକ ହୋଇପାରେ, ତେବେ ଏଠି ଆଉ ଗୋଟିଏ ଅସୁବିଧା ରହିଯାଇଛି ।

ସରକାର ଦାବୀ କରୁଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ସମଗ୍ର ଦେଶଟି ‘ଦ୍ରବ୍ୟ ଓ ସେବା ଟିକସ’ ବ୍ୟବସ୍ଥା (ଜିଏସ୍ଟି) ଆଡ଼କୁ ଗତି କରିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ଅବକାରୀ ଶୁଳ୍କ ଓ ସେବା ସଂଗ୍ରହ କ୍ଷେତ୍ରରେ ଏହି ନୂଆ ଏବଂ ସମ୍ପୂର୍ଣ୍ଣ ଭିନ୍ନ ପରୋକ୍ଷ ଟିକସ ସଂଗ୍ରହ ବ୍ୟବସ୍ଥା ଆଡ଼କୁ ରୂପାନ୍ତରିତ ହେବା ପ୍ରକ୍ରିୟାଟି କିଭଳି ପ୍ରଭାବ ପକାଇବ ତାହାର ସ୍ପଷ୍ଟ ଚିତ୍ର କିଛି ଜଣାପଡ଼ୁନାହିଁ ।

ଅନିଶ୍ଚିତତାର ଅନ୍ୟ ଏକ ଉପାଦାନ ହେଉଛି ବିଶ୍ୱ ତୈଳଦରରେ ଆଶା କରାଯାଉଥିବା ବୃଦ୍ଧି ଯାହାକି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ ।

ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟନ୍ ସାବଧାନ କରିଦେଇଛନ୍ତି ଯେ, ୨୦୧୫-୧୬ରେ ତୈଳବୀଜର ଦରବୃଦ୍ଧି ଘଟିଲା ଭଳି, ଏବେ ମଧ୍ୟ କ୍ଷୀର, ଚିନି, ଆଳୁ ଏବଂ ପିଆଜର ଦର ବୃଦ୍ଧି ଘଟିପାରେ ।

ଅନ୍ୟ ପ୍ରକାରେ କହିବାକୁ ଗଲେ ଯାହା କୁହାଯାଉଛି ଯେ, ଖାଉଟି ମୂଲ୍ୟ ସୂଚକାଙ୍କ ୨୦୧୭-୧୮ର ଯେଉଁଭଳି ୪.୨୫%ରୁ ୫% ଭିତରେ ସୀମିତ ରହିବ ବୋଲି ଯେଉଁ ଆକଳନ କରାଯାଇଛି, ତାହା ଅବାସ୍ତବ – ଯଦିଓ ଉଚ୍ଚତର ମୁଦ୍ରାସ୍ଫୀତି ହାରଟି ଗରିବ ଲୋକମାନଙ୍କୁ ବ୍ୟାପକ ଭାବେ ପ୍ରଭାବିତ କଲେ ବି ସରକାରଙ୍କ ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ହାସଲ କରିବାରେ ସହାୟକ ହେବ ।

ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଏବଂ ପଶ୍ଚିମ ଦେଶମାନଙ୍କର ନିଜ ବାଣିଜ୍ୟକୁ ସୁରକ୍ଷା ଦେବାର ପ୍ରବଣତା ଭାରତ ପାଇଁ ଭଲ ପରିସ୍ଥିତି ସୃଷ୍ଟି କରିବ ନାହିଁ ।

ସୁବ୍ରମନିୟନ୍୍ ଆହୁରି ମଧ୍ୟ କହିଛନ୍ତି ଯେ, ପୁଞ୍ଜି ବିନିଯୋଗ ଏବଂ ରାଷ୍ଟ୍ରାୟତ ସଂସ୍ଥାମାନଙ୍କର କୌଶଳଭିତିକ ବିକ୍ରି ପାଇଁ (ଘରୋଇକରଣର ଅନ୍ୟ ନାମ) ରାଜନୈତିକ ସହମତି ହାସଲ କରିବା ସହଜ ହେବ ନାହିଁ ।

ତଥାପି, ବର୍ଷ ପରେ ବର୍ଷ ପୁଞ୍ଜି ବିନିଯୋଗ ଏବଂ ଘରୋଇକରଣ ଯୋଗୁଁ ମିଳିବାକୁ ଥିବା ଆୟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବା ସତ୍ୱେ, ସରକାର ଏଭଳି ଏକ ପ୍ରକ୍ରିୟାରୁ ଏକାବେଳକେ ଅଧିକ ଆୟ ବୃଦ୍ଧିର ଆଶା ରଖିଛନ୍ତି; ୨୦୧୬-୧୭ର ସଂଶୋଧିତ ଅଟକଳ ଠାରୁ ୬୦ ପ୍ରତିଶତ ବୃଦ୍ଧି ୨୦୧୭-୧୮ବଜେଟ୍ ଅଟକଳରେ ରଖାଯାଇଛି ।

ବ୍ୟକ୍ତିଗତ ଟିକସ ସଂଗ୍ରହ ଉଲ୍ଲେଖନୀୟ ରହିଥିବା ସତ୍ୱେ ସରକାର ପୁଣି ଶତକଡ଼ା ୨୫ଭାଗ ବୃଦ୍ଧି ବ୍ୟକ୍ତିଗତ ଆୟ କରରେ ଆଶା ରଖି ରାଜସ୍ୱ ବୃଦ୍ଧିରେ ଆଶା ରଖିଛନ୍ତି ।

ଆମଦେଶରେ ଆୟ କରଦାତାମାନେ, ଜେଟଲିଙ୍କ ନିଜ ଶବ୍ଦରେ, ‘ଟିକସ ପୈଠ ନକରିବା ପ୍ରବଣତା ଥିବା ଏକ ସମାଜ’ର ଆଖ୍ୟା ପାଇଥିବା ବେଳେ ଅଚାନକ, ‘ଭଲପିଲା ପାଲଟି’ ଯିବେ ନାଁ ‘ଇନ୍ସପେକ୍ଟର ରାଜ୍’ ଓ ‘ଟିକସ ଆତଙ୍କବାଦ’ (ବି.ଜେ.ପି, କ୍ଷମତାରେ ନଥିବାବେଳେ ଏହି ଶବ୍ଦ ପଂକ୍ତିର ବ୍ୟାପକ ବ୍ୟବହାର କରୁଥିଲା) ଫେରିଆସିବ, ତାହା ବର୍ତମାନ ପରିସ୍ଥିତିରେ ସ୍ପଷ୍ଟ ହେଉନାହିଁ ।

ତଥାପି, ଅର୍ଥମନ୍ତ୍ରୀ ଠିକ୍ କହୁଛନ୍ତି ଯେତେବେଳେ ସେ କହୁଛନ୍ତି ଯେ ବ୍ୟାପକ ଟିକସ ଫାଙ୍କିଯୋଗୁଁ ସାଧୁଲୋକମାନଙ୍କ ଉପରେ ଟିକସର ବୋଝ ଅଣଆନୁପାତିକ ଭାବେ ଅଧିକ ପଡ଼ିଯାଉଛି ।

ବଜେଟ ରେ  ଅନେକ ବିଭ୍ରାଟିଆ ଦିଗ ରହିଛି । ସେଂଟର ଫର୍ ବଜେଟ୍ ଆଣ୍ଡ୍ ଗଭର୍ଣ୍ଣନ୍ାସ୍ ଆକାଉଂଟିବିଲିଟି ନିଜ ବିଶ୍ଲେଷଣରେ ଦେଖାଇ ଦେଇଛନ୍ତି ଯେ, କେନ୍ଦ୍ରୀୟ କିଟସର ଆବଂଟନ ଭଣ୍ଡାରରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଅଧିକ ହେଲେ ବି ରାଜ୍ୟମାନଙ୍କୁ ଦିଆଯାଉଥିବା ସାମଗ୍ରିକ ସମ୍ବଳ କ୍ଷେତ୍ରରେ କିଛି ବୃଦ୍ଧି ହେଉନାହିଁ ।

ଏହା ଏକ ଚିନ୍ତାର କାରଣ, ଯେହେତୁ ରାଜ୍ୟମାନେ ସାମାଜିକ କଲ୍ୟାଣ ଯୋଜନାର ରୂପାୟନ କରିବା ପାଇଁ ଆଶା କରାଯାଏ । ଯେମିତିକି କେନ୍ଦ୍ର ଯେତେବେଳେ ସ୍ୱଚ୍ଛ ଭାରତ ସେସ୍ ଓ କୃଷି କଲ୍ୟାଣ ସେସ୍ ନାଁ’ରେ ଅଧିକ ଟିକସ ବା ଶୁଳ୍କ ସଂଗ୍ରହ କରେ ତାହା ରାଜ୍ୟମାନଙ୍କୁ ଦିଆଯାଇଥିବା କେନ୍ଦ୍ରୀୟ ଆବଂଟନ ଭଣ୍ଡାରକୁ ଆସେ ନାହିଁ ।

ଯେମିତି ଅନୁସୂଚିତ ଜନଜାତି, ଜାତି ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଅର୍ଥ ଉପଲବ୍ôଧରେ କୌଣସି ବୃଦ୍ଧି ହେଉନାହିଁ, ସେଭଳି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କିଛି ହେଉନାହିଁ ।

ଯେଉଁଠି ପୁଞ୍ଜି ବିନିଯୋଗ କଥା ପଡ଼ିଛି, ସରକାର ହୁଏତ ଏକଥା ଧରିନେଇଛନ୍ତି ଯେ ଯେହେତୁ ସଙ୍ଗଠିତ କ୍ଷେତ୍ରରୁ ଘରୋଇ ପୁଞ୍ଜି ଆସିବ ନାହିଁ, ରାଜ୍ୟମାନଙ୍କୁ ଏହି ଅଭାବଟିକୁ ପୂରଣ କରିବାକୁ ପଡ଼ିବ ।

ବଜେଟ୍ ରେ  କୌଣସି ସ୍ଥାନରେ ଏକଥାଟିକୁ ସ୍ପଷ୍ଟ କୁହାଯାଇ ନାହିଁ ଯେ, ଅର୍ଥନୀତିରେ ଅଭିବୃଦ୍ଧିର ହାର କମି କମି ଚାଲିଛି ଏବଂ ଏହା ନିଶ୍ଚିତଭାବେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗଗୁଡ଼ିକୁ ବ୍ୟାପକଭାବେ ପ୍ରଭାବିତ କରିବ ।

ସାରାଂଶରେ କହିବାକୁ ଗଲେ, ବଜେଟ୍କୁ ‘ଗରିବ ପ୍ରିୟ-ଧନୀ ବିରୋଧୀ’ ଆଖ୍ୟା ଦେଇ (ଯାହା ପ୍ରତିଥର ପ୍ରତିଟି ଅର୍ଥମନ୍ତ୍ରୀ ଅତୀତରେ କହି ଆସିଛନ୍ତି) ପ୍ରଚାର କଲେ ଓ ପ୍ରଭାବଶାଳୀ ଭାଷାର ପ୍ରୟୋଗ କଲେ ବି, ସେଥିରେ ଗୁରୁତ୍ୱ ଦେଲାଭଳି କଥା କିଛି ନାହିଁ ।

ବଜେଟି ବିଷମତା ଦୂର କରିବାର ସମ୍ଭାବନା କିଛି ନାହିଁ । ଦେଶର ଅବହେଳିତ ବର୍ଗର ଲୋକମାନଙ୍କର ଜୀବନରେ ଏହି ବଜେଟ କୌଣସି ବଡ଼ ଧରଣର ଭିନ୍ନତା ଆଣିପାରିବ ନାହିଁ ।

FEBRUARY 4,2017     VOL L 11  NO 5  EPW EDITORIAL-1

Leave a Reply

This site uses Akismet to reduce spam. Learn how your comment data is processed.