ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ ଦ୍ୱାରା ବିଶ୍ୱ ନିଯୁକ୍ତି ଓ ସାମାଜିକ ଦୃଶ୍ୟପଟ୍ଟର ଭବିଷ୍ୟ ଧାରା ଶୀର୍ଷକ ରିପୋର୍ଟରେ ବିଶ୍ୱର ନିଯୁକ୍ତି ସ୍ଥିତିର ଅସୁରକ୍ଷିତ ଦିଗ ଉପରେ ଟିପ୍ପଣୀ ଦେଇ କୁହାଯାଇଛି ଯେ, ଭାରତରେ ବେରୋଜଗାରମାନଙ୍କ ସଂଖ୍ୟା ଯାହା ୨୦୧୬ରେ ୧କୋଟି ୭୭ଲକ୍ଷ ଥିଲା, ତାହା ୨୦୧୮ ବେଳକୁ ୧ କୋଟି ୮୦ଲକ୍ଷରେ ପହଂଚିବ, ଯଦିଓ ନିଯୁୁକ୍ତିର ହାର ୨୦୧୭ରେ ଶତକଡ଼ା ୩.୫ରୁ ଖସି ଆସି ୩.୪ରେ ପହଂଚିବ ।
ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ ଅସୁରକ୍ଷିତ ନିଯୁକ୍ତି ଭିତରେ ସେମାନଙ୍କୁ ସାମିଲ କରନ୍ତି, ଯେଉଁମାନେ ଆତ୍ମନିଯୁକ୍ତ ଏବଂ ଘରେ ନିଜ ଶ୍ରମପାଇଁ ମଜୁରୀ ପାଆନ୍ତ ନାହିଁ, ଯେଉଁମାନଙ୍କର କାମ କରିବାର ପରିବେଶ ବା ଅବସ୍ଥା ଭଲ ନଥାଏ, ଉଚିତ ସାମାଜିକ ସୁରକ୍ଷା ନଥାଏ ଏବଂ ଯେଉଁମାନଙ୍କର ଶ୍ରମିକ ସଂଘ ବା ସଂଗଠନ ମାଧ୍ୟମରେ ଫଳପ୍ରଦ ପ୍ରତିନିଧିତ୍ୱ ନଥାଏ ।
ରିପୋର୍ଟ ପୂର୍ବାନୁମାନ କରେ ଯେ ସମଗ୍ର ବିଶ୍ୱରେ ଅସୁରକ୍ଷିତ ନିଯୁକ୍ତି କ୍ଷେତ୍ରରେ ନାମକୁ ମାତ୍ର ଉନ୍ନତି ଆସିପାରେ । ଆଗାମୀ ଦୁଇବର୍ଷ ଯାଏ ପ୍ରତ୍ୟେକବର୍ଷ ନିଯୁକ୍ତି ହାର ୦.୨ ପ୍ରତିଶତ ପଏଂଟରେ ହ୍ରାସ ପାଇବ । ୨୦୧୭ ମସିହାରେ ଅସୁରକ୍ଷିତ ନିଯୁକ୍ତି ସମଗ୍ର ନିଯୁକ୍ତିର ଶତକଡ଼ା ୪୨ଭାଗରୁ ଊଦ୍ଧ୍ୱର୍ରେ ରହିବ ।
ଯେଉଁମାନଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୧୪୦ କୋଟିରୁ ଅଧିକ ହେବ । ମୁଣ୍ଡଟେକି ଉଠୁଥିବା ରାଷ୍ଟ୍ରମାନଙ୍କ ଭିତରେ ଭାରତକୁ ସେଭଳି ଏକ ଶ୍ରେଣୀରେ ସ୍ଥାନିତ କରାଯାଇଛି ଯେଉଠି ଦୁଇଟି ଶ୍ରମିକ ଭିତରୁ ଜଣେ ଅସୁରକ୍ଷିତ, ଯେତେବେଳେ କି ଅନୁନ୍ନତ ଦେଶମାନଙ୍କରେ ପାଂଚଟି ଶ୍ରମିକ ଭିତରୁ ଚାରିଜଣ ଅସୁରକ୍ଷିତ ବର୍ଗର ହେବେ ।
ଅସୁରକ୍ଷିତ ନିଯୁକ୍ତି ଯେଉଁ ଅଂଚଳକୁ ବିଶ୍ୱରେ ବେଶି ପ୍ରଭାବିତ କରିବ ସେ ଭିତରେ ଅଛନ୍ତି ଦକ୍ଷିଣ ଏସିଆ ଏବଂ ଆଫ୍ରିକାର ଉପ-ସାହାରା ଅଂଚଳ । ବିଶ୍ୱରେ ଅସୁରକ୍ଷିତ ନିଯୁକ୍ତିରେ ନିୟୋଜିତ ଶ୍ରମିକମାନଙ୍କ ସଂଖ୍ୟା ପ୍ରତ୍ୟେକ ବର୍ଷ ୧୧ ଲକ୍ଷ ବଢ଼ିବ ।
ଆନ୍ତଃରାଷ୍ଟ୍ରୀୟ ଶ୍ରମ ସଙ୍ଗଠନର ଭାରତ ସମ୍ପର୍କରେ ଦିଆଯାଇଥିବା ପରିସଂଖ୍ୟାନ ଅପ୍ରତ୍ୟାଶିତ ନୁହଁ । ଭାରତର ଶ୍ରମ ବିନିଯୋଗ କ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କ ଭିତରୁ
ଶତକଡ଼ା ୯୨ଭାଗ ହେଉଛନ୍ତି ଅସୁରକ୍ଷିତଭାବେ ନିଯୁକ୍ତ ଶ୍ରମିକ । କୃଷିକ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ଭୂମିହୀନ କ୍ଷେତମଜଦୂର ଓ ଛୋଟଚାଷୀମାନେ ନିର୍ମାଣ କ୍ଷେତ୍ରଭଳି ଅସୁରକ୍ଷିତ ନିଯୁକ୍ତି କ୍ଷେତ୍ରକୁ ଠେଲି ହୋଇଯାଉଛନ୍ତି ।
ଅଧିକ ଉଦ୍ବେଗର ବିଷୟ ହେଉଛି ସୁରକ୍ଷିତ କ୍ଷେତ୍ରରେ ଯେଉଁ ନୂତନ ନିଯୁକ୍ତି ସୃଷ୍ଟି ହେଉଛି ସେସବୁ ବି ଅସୁରକ୍ଷିତ ସ୍ୱଭାବର, ଯେହେତୁ ନିଯୁକ୍ତିର ଅନ୍ୟସବୁ ସୁବିଧା ଏବଂ ସାମାଜିକ ନିରାପତା ସେଭଳି ନିଯୁକ୍ତିରେ ରହୁନାହିଁ ।
ସରକାରଙ୍କ ଦ୍ୱାରା କ୍ୱଚିତ୍ ନିୟନ୍ତ୍ରଣରେ ଥିବା ଏହି ଅସୁରକ୍ଷିତ କ୍ଷେତ୍ରର, ଅର୍ଥନୀତି ପ୍ରତି ଯେ କେବଳ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ନୁହଁ; ବରଂ ସରକାର ନିଯୁକ୍ତି ଦେଇପାରୁନଥିବା ଲୋକଙ୍କୁ ଏଠି ନିଯୁକ୍ତି ମିଳିପାରୁଛି । ଏହି ଶ୍ରମିକମାନଙ୍କୁ ଜିନିଷ ଉତ୍ପାଦନ, ନିର୍ମାଣ, ପରିବହନ, ସଂରକ୍ଷଣ ଏବଂ ସାମଗ୍ରିକ ତଥା ଖୁଚୁରା ବଜାରରେ ଦେଖିବାକୁ ମିଳେ ।
ଏକଥା ବି ଅଜଣା ନୁହଁ ଯେ ମହିଳାମାନେ ବିଶେଷ ସଂଖ୍ୟାରେ ଏଠି ନିଯୁକ୍ତି ପାଇଥାନ୍ତି, ପୁରୁଷମାନଙ୍କ ଅପେକ୍ଷା ସେମାନଙ୍କର ଦୁଃସ୍ଥତା ବେଶି, ଲିଙ୍ଗଗତ ଭେଦଭାବ ସେମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ କର୍ମ କ୍ଷେତ୍ରରେ ସେମାନେ ବିଭିନ୍ନ ନିର୍ଯାତନା ପାଇଥାନ୍ତି ।
ଆମେ ଆଶା କରିବା କଥା ଯେ ନୀତି ନିର୍ଦ୍ଧାରକ ଏବଂ ଯେଉଁମାନେ ସରକାର ଚଳାଉଛନ୍ତି କେବଳ ଏହି ଶ୍ରମିକଶ୍ରେଣୀର ଅସୁରକ୍ଷିତ ସ୍ଥିତିକୁ ସୁଧାରିବାପାଇଁ ଉଦ୍ୟମ କରିବେ ଏବଂ ସେମାନେ ଏହା ମଧ୍ୟ ନିଶ୍ଚିତ କରାଇବେ ଯେ ଯେମିତି ଏହି ଶ୍ରମିକମାନେ ସୁରକ୍ଷିତ ଓ ନିୟମିତ ନିଯୁକ୍ତି କ୍ଷେତ୍ରରେ ସଂସ୍ଥାପିତ ହେବେ ।
ଏପରି କରିବାକୁ ହେଲେ ସେମାନଙ୍କର କାମ କରିବାର ଅବସ୍ଥା, ମଜୁରୀ ଓ ଉତମ ଭିତିଭୂମି ତଥା ଗମନାଗମନର ସୁବ୍ୟବସ୍ଥା ପାଇଁ କାନୁନୀ ବ୍ୟବସ୍ଥା ଆଣିବାକୁ ପଡ଼ିବ । ଏଥିସହିତ କ୍ଷୁଦ୍ର ଉଦ୍ୟୋଗୀ ଓ ବ୍ୟବସାୟୀମାନେ ସାମ୍ନା କରୁଥିବା ଜଟିଳ ନାଲିଫିତା ଓ ଦୁର୍ନୀତି ଭଳି ବଡ଼ ବଡ଼ ପ୍ରତିବନ୍ଧକ ଗୁଡ଼ିକୁ କେମିତି ମୁକାବିଲା କରାଯିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ।
ତଥାପି କେନ୍ଦ୍ରରେ ଥିବା ଜାତୀୟ ଗଣତାନ୍ତ୍ରିକ ଗଠବନ୍ଧନ(ଏନ୍.ଡ଼ି.ଏ) ସରକାର ଓ ରାଜସ୍ଥାନ, ମହାରାଷ୍ଟ୍ର ଭଳି ରାଜ୍ୟରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ସରକାର ବାଡ଼ିଟିର ଭୂଲ୍ ପଟଟିକୁ ଧରିବସିଛନ୍ତି ।
ଏଠି ଉଲ୍ଲେଖ କରାଯାଇପାରେ ଏନ୍.ଡ଼ି.ଏ ସରକାରର ବିପୁଳ ପ୍ରଚାରିତ ବିମୁଦ୍ରୀକରଣ ଅଭିଯାନ ଅସୁକ୍ଷିତ କ୍ଷେତ୍ରରେ ସଂଖ୍ୟାଧିକ ଶ୍ରମିକମାନଙ୍କୁ ନିଷ୍ଠୁରଭାବେ ପ୍ରଭାବିତ କରିଛି । ସେମାନେ ନିଯୁକ୍ତି ହରାଇବା ସହ ସେମାନଙ୍କ ପରିବାର ଅକଥନୀୟ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।
ନିକଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟଟି କେବଳ ଯେ ସେମାନଙ୍କ ଯନ୍ତ୍ରଣା ଏବଂ ନୋଟବନ୍ଦୀ ଯୋଗୁଁ ବନ୍ଦ ହୋଇଥିବା ନିଯୁକ୍ତି କ୍ଷେତ୍ରର କଥାଟିକୁ ଅଣଦେଖା କରିଛି ତାହାନୁହଁ; ବରଂ ଅର୍ଥମନ୍ତ୍ରୀ ପ୍ରଚଳିତ ଶ୍ରମ ଆଇନରେ ସଂସ୍କାର ଆଣି ତାକୁ ଚାରୋଟି ପର୍ଯ୍ୟାୟଭୁକ୍ତ କରିବାପାଇଁ ଯଥା ମଜୁରୀ, ଶିଳ୍ପ ସମ୍ପର୍କ, ସାମାଜିକ ନିରାପତା ଏବଂ କଲ୍ୟାଣ ଇତ୍ୟାଦି ଚାରୋଟି କୋର୍ଡ଼ରେ ବିଭକ୍ତ କରିବାର ପ୍ରସ୍ତାବ ରଖିଛନ୍ତି ।
ଯଦିଓ ସଂଗଠିତ କ୍ଷେତ୍ରରେ ଶ୍ରମିକ ସଂଖ୍ୟା ଅତି କ୍ଷୁଦ୍ର; ଯେଉଁମାନେ ପ୍ରଚଳିତ ଶ୍ରମ ଆଇନର ହିତାଧିକାରୀ ବୋଲି ମନେକରାଯାଏ, ଶ୍ରମ ଆଇନର ଦୁର୍ବଳ ରୂପାୟନ ସତ୍ୱେ ସେମାନଙ୍କ ଯୋଗୁଁ ପୁଞ୍ଜିନିବେଶ ହୋଇପାରୁ ନାହିଁ ବୋଲି ଅଭିଯୋଗ ଆସିବା ବିଡ଼ମ୍ବନାର କଥା ।
ଶ୍ରମ ଆଇନକୁ ବାରମ୍ବାର ‘ପୁରୁଣାକାଳିଆ କୁହାଯାଉଛି । ଶିଳ୍ପ ସମ୍ପର୍କର କୋର୍ଡ଼ ସମ୍ପର୍କିତ ବିଲ୍ ୨୦୧୬ ଏବଂ ମଜୁରୀ ବିଲ୍ ୨୦୧୬ ଯଦି ଆଗତ ହୋଇଯାଏ ତେବେ ଏହି ପୁରୁଣାକାଳିଆ ଆଇନର ଯତ୍ନ ନିଆଯାଇପାରିବ ବୋଲି କୁହାଯାଇଛି ।
ଆନ୍ତର୍ଜାତୀୟ ଶ୍ରମ ସଂଗଠନର ବିବରଣୀ ମୁତାବକ ଅସୁରକ୍ଷିତ ନିଯୁକ୍ତି ସଂଖ୍ୟାଟି ଏସିଆ ତଥା ପ୍ରଶାନ୍ତ ମହାସାଗରୀୟ ଅଂଚଳଗୁଡ଼ିକରେ ବୃଦ୍ଧିପାଇବ ।
ଏହି ରିପୋର୍ଟରେ ଜଣାଶୁଣା ପ୍ରତିକାରର ବାଟଗୁଡ଼ିକ ଦେଖାଇ ଦିଆଯାଇଛି ଯଥା; ଢ଼ାଂଚାଗତ ପରିବର୍ତନ, ଗଣତାନ୍ତ୍ରିକ ପ୍ରକ୍ରିୟାରୁ ମିଳୁଥିବା ଲାଭଗୁଡ଼ିକୁ ଉପଲବ୍ଧ କରିବାପାଇଁ ଅଧିକ ଅସୁରକ୍ଷିତ ଗୋଷ୍ଠୀମାନଙ୍କ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ବୃଦ୍ଧିପାଇଁ ପୁଞ୍ଜି ବିନିଯୋଗ, କପଡ଼ା, ଚମଡ଼ା, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କରିବା କ୍ଷେତ୍ରରେ ପ୍ରୋତ୍ସାହନ ଦେବା ସହ ଭାରତର ଜଘନ୍ୟ ରତ୍ପାନୀ ଶୁଳ୍କ ଢ଼ାଂଚାଟି ପ୍ରତି ଧ୍ୟାନ ଦେବା ଇତ୍ୟାଦି ।
ଏହି ପରାମର୍ଶଗୁଡ଼ିକୁ ଯଦି ଭାରତ ସରକାର ଗ୍ରହଣ କରନ୍ତି ତେବେ ଭାରତରେ ଅସୁରକ୍ଷିତ ଶ୍ରମିକଶ୍ରେଣୀ ନିଯୁକ୍ତିର ସୁରକ୍ଷା ପାଇପାରିବା ସହ ବୃଦ୍ଧକାଳରେ ସମ୍ମାନର ସହ ବଂଚିପାରିବେ ।
FEBRUARY 11 ,2017 VOL L11 NO 6 EPW -1 ( Vulnerable Majority)
Leave a Reply