ଓଡିଶା ନ୍ୟୁଜ/ Odisha News
ସମଦୃଷ୍ଟି

ଏକ ଉଦାହରଣ ପ୍ରତିଷ୍ଠା କରିବା ଦିଗରେ

୨୦୧୨ ମସିହାରେ ଠିକା ଶ୍ରମିକ ନିଯୁକ୍ତିକୁ ନେଇ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼୍ କର୍ମଚାରୀ ଏବଂ ଜଣେ ସୁପରଭାଇଜରଙ୍କ ଭିତରେ ଘଟିଥିବା ସଂଘର୍ଷରେ କମ୍ପାନୀର ମାନବସମ୍ବଳ ମୁଖ୍ୟ ପରିଚାଳକଙ୍କର ମୃତ୍ୟୁ ଘଟିଥିଲା ।

ଶ୍ରମିକମାନଙ୍କର ଦୟନୀୟ ଅବସ୍ଥା, ଯାହା ବିରୁଦ୍ଧରେ ସେମାନେ ପ୍ରତିବାଦ ଜାରି ରଖିଛନ୍ତି ଏବଂ ସେମାନଙ୍କର ପସନ୍ଦର ଶ୍ରମିକ ସଂଘ ଗଢ଼ିବା ପାଇଁ ଥିବା ମୌଳିକ ଅଧିକାର ଉପରୁ ଧ୍ୟାନ ହଟାଇବା ପାଇଁ ଉପରୋକ୍ତ ସଂଘର୍ଷକୁ ନେଇ ହେଇଥିବା ଅଦାଲତୀ ମାମଲାଟି ବେଶ୍ କାମ କରିଛି ।

ମାର୍ଚ୍ଚ ୧୦ତାରିଖ ଦିନ ଗୁଡ଼୍ଗାଓଁର ଜିଲ୍ଲା ଅଦାଲତ ଭାରତର ସବୁଠାରୁ ବଡ଼ କାର୍ କମ୍ପାନୀର ୧୧୭ଜଣ କର୍ମଚାରୀଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିବା ବେଳେ ମାରୁତି ସୁଜୁକିର ଅନ୍ୟ ୩୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ବିଭିନ୍ନ ମାମଲାରେ ।

ସେହି ମାମଲା ଭିତରେ ଅଛି ହତ୍ୟା, ହତ୍ୟା ପାଇଁ ଉଦ୍ୟମ, ଦଙ୍ଗା କରିବା ଓ ଘରୋଇ ସମ୍ପତିକୁ କ୍ଷତି ପହଂଚାଇବା । ଏହି ଲେଖାଟି ଲେଖିବା ବେଳକୁ ଅର୍ଥାତ୍ ମାର୍ଚ୍ଚ ୧୮ଦିନ ଦୋଷୀ ସାବ୍ୟସ୍ତ ହୋଇଥିବା ଶ୍ରମିକମାନଙ୍କ ପାଇଁ ଦଣ୍ଡ ଘୋଷଣା କରିବାର ସମ୍ଭାବନା ରହିଛି ।

ଯେଉଁମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେମାନେ ସମସ୍ତେ ମାରୁତି ସୁଜୁକି କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ । ଯେଉଁ ସଂଘଟି ଏକ ଭୟଙ୍କର ସମୟରେ ଶ୍ରମିକମାନଙ୍କୁ ନେତୃତ୍ୱ ଦେଇ ଆସିଥିଲା ଏବଂ ଯାହା ବିରୁଦ୍ଧରେ ଥିଲା ସର୍ବଶକ୍ତିମାନ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଓ ତାକୁ ଖୋଲାଖୋଲି ସମର୍ଥନ କରିଆସିଥିବା ଗୋଟିଏ ରାଷ୍ଟ୍ର ।

ଦୁଇଟି ପକ୍ଷ ଭିତରେ ୨୦୧୧ ମସିହାରୁ ସଂଘର୍ଷ ଜାରି ରହିଛି ଯେତେବେଳେ କି ଶ୍ରମିକମାନେ ଗୋଟିଏ ଶ୍ରମିକ ସଂଘ ଗଢ଼ିବା ପାଇଁ ଉଦ୍ୟମ କରି କର୍ତୃପକ୍ଷଙ୍କ ଦମନର ଶିକାର ହେଲେ ଓ ଚାକିରି ହରାଇଲେ । ନିଜର ଅଧିକାର ଥିବା ଶ୍ରମିକ ହିସାବରେ ସେମାନଙ୍କୁ ବିଚାର ନକରି କମ୍ପାନୀକୁ ଭାଙ୍ଗି ଦେବା ପାଇଁ ଉଦ୍ୟମ କରୁଥିବା ଶତ୍ରୁ ହିସାବରେ ସେମାନଙ୍କୁ ଦେଖାଗଲା ।

ସେହିବର୍ଷ ହିଁ କର୍ମଚାରୀମାନେ କମ୍ପାନୀ ଭିତରେ ଥିବା ଭୟଙ୍କର କାର୍ଯ୍ୟାବସ୍ଥାକୁ ବିରୋଧ କରି ତିନିଥର ପ୍ରତିବାଦ କରିଥିଲେ ।

କାରଖାନା କର୍ତୃପକ୍ଷ ଦାବୀ କଲେ ଯେ କୌଣସି ଆଲୋଚନା ଏବଂ ବୁଝାମଣା ହେବା ପୂର୍ବରୁ, ଶ୍ରମିକସଂଘ ପ୍ରଥମେ ଏକ କଲ୍ୟାଣକାରୀ ଓ ଅଭିଯୋଗ ଶୁଣାଣୀ କମିଟି ଗଠନ କରୁ (ମୁଖ୍ୟ ସଂଘର ଭୂମିକାକୁ ନ୍ୟୁନ କରିବା ପାଇଁ ଏହା ଏକ ଉଦ୍ୟମବୋଲି ଶ୍ରମିକମାନେ ବିଚାର କଲେ) ।

ଶ୍ରମିକନେତାମାନଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ କମ୍ପାନୀ କର୍ତୃପକ୍ଷ କରିଥିବା ମକଦ୍ଦମାଗୁଡ଼ିକ ସେମାନଙ୍କ ନଜରକୁ ଆସିଥିଲା ।

ପ୍ରତ୍ୟେକ ୫୦ସେକେଣ୍ଡରେ କମ୍ପାନୀ ଗୋଟିଏ ନୂଆ କାର ବାହାରକୁ ଛାଡ଼ୁଥିଲାବେଳେ ସ୍ଥାୟୀ ଶ୍ରମିକମାନଙ୍କ ତୁଳନାରେ ଏବଂ ସେହି ସମାନ କାମ ପାଇଁ ଠିକାଶ୍ରମିକମାନଙ୍କୁ ବହୁତ ଖରାପ ମୂଲ ଦିଆଯାଉଥିଲା (ଶ୍ରମିକ ସଂଘର ଦାବୀଭିତରେ ଥିଲା ଠିକା ଶ୍ରମିକମାନଙ୍କୁ ନିୟମିତ କରିବା) ।

ଉତ୍ପାଦନ ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ସୀମା ଭିତରେ କାମ କରିବା ପାଇଁ ଶ୍ରମିକମାନେ ଶାରୀରିକ ଓ ମାନସିକ ସ୍ତରରେ ରଗଡ଼ି ହେଇ ଯାଉଥିଲେ । ନିରପେକ୍ଷତାର ଛଳନା କରିବା କାମଟି ମଧ୍ୟ ରାଷ୍ଟ୍ର
ଛାଡ଼ି ଦେଇଥିଲା ।

ବିଶେଷକରି କମ୍ପାନୀ କର୍ତୃପକ୍ଷଙ୍କ ସାଥିରେ ସ୍ଥାନୀୟ ପୋଲିସ ରହିଆସିଥିଲା । ଜିଲ୍ଲାକୋର୍ଟରେ ଚାଲିଥିବା ସମଗ୍ର ବିଚାର ସମୟରେ ଶ୍ରମିକମାନଙ୍କ ଓକିଲମାନେ ପ୍ରମାଣ ଦେଖାଉଥିଲେ ଯେ କେମିତି ଶ୍ରମିକମାନଙ୍କୁ ସାକ୍ଷୀମାନଙ୍କ ଦ୍ୱାରା ଚିହ୍ନଟ କରିବା ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିଲା, ଯେଉଁମାନେ ଜୁଲାଇ ୧୮, ୨୦୧୨ର ଝଗଡ଼ାଟିକୁ ଦେଖିଛନ୍ତି ବୋଲି କୁହାଯାଉଥିଲା ।

‘ଅସ୍ତ୍ର’ ଗୁଡ଼ିକ ଯୋଗାଡ଼କରି ରଖାଯାଉଥିଲା, ପ୍ରମାଣଗୁଡ଼ିକୁ ପୋଲିସ ତିଆରି କରିଥିଲା ଏବଂ ଅନୁସନ୍ଧାନ କରୁଥିବା ଅଧିକାରୀମାନେ ମୌଖିକ ତଥ୍ୟ ଉପରେ ଗୁରୁତ୍ୱ ଦେଉଥିଲେ କିନ୍ତୁ ତଥ୍ୟକୁ ସମର୍ଥନ କଲାଭଳି ଆନୁଷଙ୍ଗିକ ତଥ୍ୟକିଛି ଖୋଜୁନଥିଲେ ।

କୌତୁହଳର କଥା ଯେ ୨୦୧୩ରେ ଶ୍ରମିକମାନଙ୍କ ଜାମିନ୍ ଆବେଦନ ନାମଞ୍ଜୁର କଲାବେଳେ, ପଞ୍ଜାବ ଓ ହରିୟାନାର ଉଚ୍ଚ ନ୍ୟାୟାଳୟ ଯେଉଁ କଥାଟି କହିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଅନୁସାରେ, ଶ୍ରମିକ ଅଶାନ୍ତି ଭୟରେ ଅର୍ଥ ଲଗାଣକାରୀମାନେ ଆମ ଦେଶରେ ପୁଞ୍ଜି ବିନିଯୋଗ କରିବେ ନାହିଁ ।

ଅଧିକ ଉଲ୍ଲେଖନୀୟ ଥିଲା କମ୍ପାନୀର ଅଧ୍ୟକ୍ଷଙ୍କ ବକ୍ତବ୍ୟ ଯାହା ଶ୍ରମିକ ସଂଘ ନିର୍ମାଣ ପାଇଁ କରାଯାଇଥିବା ଉଦ୍ୟମର ଏକ ପ୍ରତିକ୍ରିୟା ଥିଲା । ସେ କହିଥିଲେ ଯେ ଶ୍ରମିକମାନଙ୍କର ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ଦାବୀ ନଥିଲା ଏବଂ ସେମାନଙ୍କ ସହ କୌଣସି ସାଲିସ କରାଯିବ ନାହିଁ ।

ମାରୁତି ସୁଜୁକି ଶ୍ରମିକ ସଂଘର ସଂଘର୍ଷ ଭାରତର ଏଭଳି ଏକ ସମୟରେ ହେଇଛି ଯେତେବେଳେ କି ଶ୍ରମିକ ଆନ୍ଦୋଳନ ସବୁଠାରୁ ନିମ୍ନସ୍ତରରେ ଅଛି ।

ଏହି ଦୃଷ୍ଟିରୁ ମଧ୍ୟ କଥାଟି ଗୁରୁତ୍ୱପୂର୍ଣ୍ଣ ଯେ ପୂର୍ବ ସରକାରଙ୍କ ଅପେକ୍ଷା ଏବକାର ଏନ୍.ଡି.ଏ. ସରକାର ‘ଶ୍ରମ ସଂସ୍କାର’ ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି ଏମିତି ଏକ ଆଶା ରଖି ଯେ ଏହି ସଂସ୍କାର ଘରୋଇ ଓ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପ୍ରେରଣା ଦେବ ।

ଭାରତର ବ୍ୟବସାୟିକ ସମ୍ଭ୍ରାନ୍ତମାନେ ମଧ୍ୟ ଦୋହରାଇ ଆସିଛନ୍ତି ଯେ, ଦେଶର ଶ୍ରମ ଆଇନଗୁଡ଼ିକ ଅଭିବୃଦ୍ଧିର ପ୍ରତିବନ୍ଧକ ସାଜିଛନ୍ତି । ସେମାନେ ଏହି ବାସ୍ତବତାଟିକୁ ଅଣଦେଖା କରୁଛନ୍ତି ଯେ ଏହି ଆଇନଗୁଡ଼ିକ କାମରେ ରୂପାୟନ ହେବା ଅପେକ୍ଷା ଅଧିକ ଉଚ୍ଚାରଣ କରାଯାଇଥାଏ ।

ଆଜିର ଦିନରେ ଠିକାନିଯୁକ୍ତି ଅଧିକ ବ୍ୟବସ୍ଥିତ ହୋଇଯାଇଛି । ରାଷ୍ଟ୍ର ଏବଂ ଶିଳ୍ପର ଏହି ଆଭିମୁଖ୍ୟ ପରିପ୍ରେକ୍ଷୀରେ ମାରୁତି ସୁଜୁକି ଶ୍ରମିକମାନଙ୍କର ଦାବୀ ଓ ଆନ୍ଦୋଳନକୁ ଅଧିକ ଗୁରୁତ୍ୱର ସହ ଆମକୁ ନେବାକୁ ପଡ଼ିବ ।

ଉଚିତ କାର୍ଯ୍ୟ ନିର୍ଘଂଟ ଓ ଉପଯୁକ୍ତ ମୂଲ୍ୟ ଦାବୀ କରୁଥିବା ଶ୍ରମିକମାନଙ୍କୁ ପୁଞ୍ଜିନିବେଶକୁ ଭୟଭୀତ କରାଉଛନ୍ତି ବୋଲି ଦୋଷୀ କରାଯାଇ ପାରିବନି । ତଥାପି, ଶ୍ରମ ଆଇନରେ ସଂସ୍କାରଭିତିକ ସଂଶୋଧନଗୁଡ଼ିକ ପୁରାପୁରି ଏକପାଖିଆ ଏବଂ ଶ୍ରମିକମାନଙ୍କର ଅଧିକାର ତଥା କଲ୍ୟାଣକାରୀ ପଦକ୍ଷେପଗୁଡ଼ିକୁ ସଙ୍କୁଚିତ କରିବା ପାଇଁ ଉଦ୍ଦିଷ୍ଟ ।
ଏହାର ଏଭଳି ଅର୍ଥ ନକରାଯାଉ ଯେ, ପରିବର୍ତିତ ଧାରା ଓ ପ୍ରକ୍ରିୟାକୁ ନେଇ କୌଣସି ପରିବର୍ତନ ନଆସୁ ଆମେ ଏଭଳି କଥା କହୁଛୁ । କିନ୍ତୁ ସହଜ ଉତ୍ପାଦନର ସବୁ ବୋଝଗୁଡ଼ିକ ଅଣସଙ୍ଗଠିତ, ଅଧିକ ଶ୍ରମ ଦେଉଥିବା ଏବଂ ଅତି ନିମ୍ନ ପାରିଶ୍ରମିକ ପାଉଥିବା ଶ୍ରମିକମାନଙ୍କ କାନ୍ଧ ଉପରେ ଲଦି ଦେବାର ଉଦ୍ୟମ କରାନଯାଉ ।

ଏତିକିବେଳେ, ବ୍ଲୁମ୍ବର୍ଗ ରିପୋର୍ଟ କହୁଛି ଯେ ମାରୁତି ସୁଜୁକି କମ୍ପାନୀ ୨୦୧୬ରେ ୧୦,୬୨୬ଅସ୍ଥାୟୀ ଶ୍ରମିକ ନିଯୁକ୍ତି କରିଛନ୍ତି ଯାହା ୨୦୧୩-୧୪ରେ ୬,୫୭୮ ଥିଲା । ଏହି ସବୁ ପ୍ରସଙ୍ଗଗୁଡ଼ିକୁ ଭାରତର ଶ୍ରମିକ ଆନ୍ଦୋଳନ ଉଠାଇବାକୁ ପଡ଼ିବ ।

ଶ୍ରମିକମାନେ ସାମ୍ନା କରୁଥିବା ଅନ୍ୟାୟର ଇତିହାସରେ ଯୋଡ଼ି ହୋଇଯାଇଛି ନିର୍ଦ୍ଦୋଷରେ ଖଲାସ ହୋଇଥିବା ୧୧୭ଟି ଶ୍ରମିକମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନର କଥା । ଏମାନେ ଅକାରଣରେ ୪ବର୍ଷ ଜେଲରେ ରହିଲେ ।

ଯେହେତୁ ସେମାନଙ୍କ ବିରୁଦ୍ଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇପାରି ନାହିଁ; ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଶ୍ରମିକମାନେ ତାଙ୍କ ବିରୁଦ୍ଧରେ ମିଛ ଅପରାଧିକ ମୋକଦ୍ଦମା କରାଯାଇ ହଇରାଣ କରାଯାଉଛି ବୋଲି ଯେଉଁ ଅଭିଯୋଗ କରିଆସିଥିଲେ ତାହା ସତ୍ୟ ।

୨୦୧୧ ମସିହାରୁ ବିଶେଷକରି ଅନେକ ଉତ୍ଥାନ-ପତନ ଭିତରେ ମାରୁତି ସୁଜୁକି ଶ୍ରମିକ ସଂଘର ନେତୃତ୍ୱରେ ଆସିଥିବା ଶ୍ରମିକମାନେ ଅଦ୍ଭୁତପୂର୍ବ ଏକତା ଦେଖାଇଛନ୍ତି ଏବଂ ଅଲୌକିକ ଦକ୍ଷତାର ପ୍ରଦର୍ଶନ କରି କେବଳ ଯେ ଓଖ୍ଲା – ଫରିଦାବାଦ – ନୋଇଡ଼ା – ଗୁରଗାଓଁ – ମାନେଶ୍ୱର ଶିଳ୍ପାଂଚଳର ଶ୍ରମିକମାନଙ୍କ ପାଖକୁ ପହଂଚି ପାରିଛନ୍ତି ତାହା ନୁହେଁ; ସେମାନେ ଚାରିପଟେ ଥିବା ବଡ଼ ବଡ଼ ଗ୍ରାମ୍ୟଗୋଷ୍ଠୀ, ନାଗରିକ ସଙ୍ଗଠନ ଏବଂ ଗଣମାଧ୍ୟମର ଗୋଟିଏ ବର୍ଗ ପାଖରେ ପହଂଚି ପାରିଛନ୍ତି ଯେଉଁମାନେ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଏକ ବିରାଟ ସମୂହର ଅଂଶ ହୋଇପାରିଛନ୍ତି ।

ମାରୁତି-ସୁଜୁକି ଶ୍ରମିକ ସଂଘର ସାହସୀ ସଂଘର୍ଷ ଏବଂ ଅନ୍ୟ ବର୍ଗମାନଙ୍କ ନିକଟରେ ପହଂଚିବାର ଦକ୍ଷତା ଗୋଟିଏ ଉଦାହରଣ ସୃଷ୍ଟି କରିପାରିଛି, କେମିତି ଶ୍ରମିକମାନଙ୍କ ଏକତା ଓ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଯୋଗୁଁ କ’ଣ ସବୁ ହାସଲ କରାଯାଇପାରେ ।

ଆମେ ଏଭଳି ଏକ ଭବିଷ୍ୟତ ଆଡ଼କୁ ଯାଉଛନ୍ତି, ଯେଉଁଠି ଶ୍ରମିକମାନଙ୍କ ଅଧିକାରକୁ ଦମନ କରିବା ପାଇଁ ରାଷ୍ଟ୍ର ଓ ବ୍ୟବସାୟୀକ ଗୋଷ୍ଠୀ ହାତରେ ହାତ ମିଳାଇବେ । ସେହି ଦୃଷ୍ଟିରୁ ମାରୁତି ସୁଜୁକି ଶ୍ରମିକ ସଂଘ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳତମ ଉଦାହରଣ ସୃଷ୍ଟି କରିପାରିଛି ।

March 18 ,2017 VOL L 11 NO 11 EPW -3 (Setting an Example)

Leave a Reply

This site uses Akismet to reduce spam. Learn how your comment data is processed.