ରକ୍ତ ଟାଣିବା

ଡାକ୍ତରମାନେ ନାଚାର; ରୋଗୀମାନେ ଅସନ୍ତୁଷ୍ଟ । ଏଭଳି କଥା ସରକାରୀ ଡାକ୍ତରଖାନାମାନଙ୍କରେ ଦେଖିବାକୁ ମିଳୁଛି ।

ଅତି ନିକଟରେ ଗତମାସ ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାମାନଙ୍କରେ ୫ଟି ଏଭଳି ଘଟଣା ଘଟିଛି ଯେଉଁଠି ରୋଗୀମାନଙ୍କର କ୍ରୋଧିତ ସମ୍ପର୍କୀୟମାନେ ଅବହେଳାର ଦ୍ୱାହି ଦେଇ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଗତ ଦୁଇବର୍ଷ ଭିତରେ ଏଭଳି ଘଟଣା ସମ୍ପର୍କରେ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ, ବୁଲନ୍ଦସର ଓ ଚେନ୍ନାଇରୁ ମଧ୍ୟ ଖବର ଆସି ପହଂଚିଛି । ଡାକ୍ତରମାନଙ୍କ ଉପରେ ହିଂସା କେବଳ ଭାରତରେ ଘଟୁନାହିଁ । ଲାନ୍ସେଟ୍ ଓ ବ୍ରିଟିଶ ମେଡ଼ିକାଲ ଜର୍ଣ୍ଣାଲ ରିପୋର୍ଟ ମୁତାବକ ଭାରତୀୟ ଉପମହାଦେଶ ଓ ଚୀନ୍ରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ିଚାଲିଛି ।

ଯେଉଁ ସୂତାଟି ସବୁ ଘଟଣାଗୁଡ଼ିକୁ ଏକାଠି ଗୁନ୍ଥି ରଖିଛି ତାହା ହେଲା ଯେ ସବୁ ଘଟଣାଗୁଡ଼ିକ ସରକାରୀ ଡାକ୍ତରଖାନାମାନଙ୍କରେ ହିଁ ଘଟୁଛି ଯେଉଁଠି ଅତି କ୍ଷୀଣ ସମ୍ବଳକୁ ନେଇ ବହୁତ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ଦେବାକୁ ପଡ଼ୁଛି ଏବଂ ସାଧାରଣତଃ ଅକ୍ଳାନ୍ତ ପରିଶ୍ରମ କରୁଥିବା କନିଷ୍ଠ ଡାକ୍ତରମାନଙ୍କୁ ରୋଗୀଙ୍କ ଉଦବେଗ ଓ ଆଶଙ୍କା ଭିତରେ ଥିବା ସମ୍ପର୍କୀୟମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି ।

ଭାରତୀୟ ମେଡ଼ିକାଲ ଆସୋସିଏସନ୍ ୨୦୧୫ରେ ୫୦୦ ଡାକ୍ତରଙ୍କୁ ନେଇ କରିଥିବା ଏକ ସର୍ବେକ୍ଷଣ କହୁଛି ଯେ ସେମାନଙ୍କ ଭିତରୁ ପାଖାପାଖି ଶତକଡ଼ା ୭୫ଭାଗ ଡାକ୍ତର ଆକ୍ରମଣ ବା ଧମକର ଶିକାର ହେଇଛନ୍ତି ।

ଯେତେବେଳେ ଡାକ୍ତରମାନେ ମାତ୍ରାଧିକ ପରିଶ୍ରମ କରୁଛନ୍ତି, ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କ ଅସୌଜନ୍ୟ ବ୍ୟବହାର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ଅସହଯୋଗକୁ ନେଇ ଅଧିକ ଅଭିଯୋଗ ଆଣୁଛନ୍ତି ।

ସେମାନେ ଏକଥା ମଧ୍ୟ ଅଭିଯୋଗ କରୁଛନ୍ତି ଯେ ସେଠି ଆବଶ୍ୟକୀୟ ଚିକିତ୍ସା ଉପକରଣ ନାହିଁ, ଜରୁରୀ ଔଷଧ ନାହିଁ ଏବଂ ରୋଗୀର ଅବସ୍ଥାକୁ ନେଇ ବା କ’ଣ ଚିକିତ୍ସା କରାଯାଉଛି; ସେ ବିଷୟରେ କିଛି ସୂଚନା ଦିଆଯାଉ ନାହିଁ । ସବୁ ମିଶି ସେମାନଙ୍କର ଉଦ୍ବେଗକୁ ବଢ଼ାଇ ଦେଉଛି ।

ହସ୍ପିଟାଲ ବାହାରୁ ଘରୋଇ ସଂସ୍ଥାମାନଙ୍କୁ ଔଷଧ ବା ସ୍ୱାସ୍ଥ୍ୟସେବା କିଣିବା ପାଇଁ ବାଧ୍ୟ କରିବା ଘଟଣା ତାଙ୍କୁ ବିବ୍ରତ କରୁଛି । ଡାକ୍ତରମାନଙ୍କ ଦୃଷ୍ଟିକୋଣରୁ ଦେଖିଲେ, ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଦେବା ପାଇଁ ପ୍ରବଳ ଚାପ । ରୋଗୀର ସହାୟକ ଓ ସମ୍ପର୍କୀୟମାନେ ଘେରି ରହିଥାନ୍ତି ଯେମିିତିକି ଡାକ୍ତର କିଛି ଯାଦୁ ଦେଖାଇବେ ।

ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ନେତାମାନେ ଆକ୍ରମଣର ନେତୃତ୍ୱ ନେଇଥାନ୍ତି ଯେଉଁମାନେ ‘ତାଙ୍କର’ ରୋଗୀମାନଙ୍କୁ ଧ୍ୟାନ ଦେବାପାଇଁ ଦାବୀ କରିଥାନ୍ତି ।

ନିରବଚ୍ଛିନ୍ନ ଭାବେ ଦୁଃସ୍ଥ ସମ୍ବଳ ଥିବା ଅବସ୍ଥାରେ କାମ କରିବା ପରେ ଯେମିତି ନିକଟରେ ଆକ୍ରମଣ କରାଯାଇଥିବା ମୁମ୍ବାଇର ଡାକ୍ତରଜଣଙ୍କ ଅବିରତ ୩୬ଘଂଟା କାମ କରି ସାରିଥିଲେ, ସେମାନଙ୍କୁ ଯେଉଁ ହଷ୍ଟେଲରେ ‘ବିଶ୍ରାମ’ ନେବାକୁ ପଡ଼େ ସେଠିକାର ଅବ୍ୟବସ୍ଥା ଅନେକ, ନାମକୁ ମାତ୍ର ସୁବିଧା କିଛି ଥାଏ ।

‘ଜୀବନଦାତା’ ହିସାବରେ ଦେଖାଯାଉଥିବା ଡାକ୍ତରମାନଙ୍କୁ ନେଇ ଜନସାଧାରଣଙ୍କର ଭାବନାରେ ବ୍ୟାପକ ପରିବର୍ତନ ଆସିଛି । ବିଶେଷକରି ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଓ ବ୍ୟବସାୟୀକରଣ ପରେ ଏବଂ ଉଚ୍ଚହାରରେ ଅର୍ଥ ଖର୍ଚ୍ଚ କରିବାର କ୍ଷମତା ନଥିବା ରୋଗୀମାନଙ୍କ ପ୍ରତି ଘରୋଇ ଡାକ୍ତରମାନଙ୍କର ସମ୍ବେଦନହୀନ ଆଚରଣ କାହାଣୀ ସାମ୍ନାକୁ ଆସିବା ପରେ ।

ଏହାଫଳରେ କଠିନ ସମୟରେ ନିଜର ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେଉଥିବା ଡାକ୍ତରମାନଙ୍କୁ ମଧ୍ୟ ଉଦାସୀନ ବୋଲି ଧରି ନିଆଯାଏ ।

ସରକାରୀ ଡାକ୍ତରଖାନାମାନଙ୍କୁ ଏଭଳି ଅବିଶ୍ୱାସର ଏକ ବୋଝକୁ ବହନ କରିବାକୁ ପଡ଼େ ଯେତେବେଳେ କି ରୋଗୀର ଅବସ୍ଥା ଘରୋଇ ଡାକ୍ତରଖାନାରେ ସଙ୍କଟାପନ୍ନ ହେବା ପରେ ଏବଂ ପରିବାରଟି ତା’ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କଲାପରେ ଠିକ୍ ସେବା ନପାଇ ପାରି କ୍ରୋଧିତ ଅବସ୍ଥାରେ ସରକାରୀ ଡାକ୍ତରଖାନା ଆସିଥାଏ ।

୧୪ଟି ରାଜ୍ୟ ଏଯାବତ୍ ଆଇନ ଆଣିସାରିଛନ୍ତି ଡାକ୍ତରମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ଉପରେ ହିଂସାକୁ ରୋକିବା ପାଇଁ, କିନ୍ତୁ ତାକୁ କେଉଁଠି ବି ଠିକ୍ରେ କାର୍ଯ୍ୟକାରୀ କରାଯାଉ ନାହିଁ ।

ଉଦାହରଣସ୍ୱରୂପ ମହାରାଷ୍ଟ୍ରରେ ଏଭଳି ଏକ ନିୟମ ୨୦୧୦ ମସିହାରୁ ଅଛି ଯାହାର ନାଁ ହେଉଛି ‘ମହାରାଷ୍ଟ୍ର ମେଡ଼ିକାଲ ସର୍ଭିସ ପରସନସ୍ ଏଣ୍ଡ୍ ମେଡ଼ିକାଲ ସର୍ଭିସ ଇଷ୍ଟିଚ୍ୟୁସନ୍ (ପ୍ରିଭେନସନ ଅଫ୍ ଭାଓଲେନସ ଏଣ୍ଡ୍ ଡ୍ୟାମେଜ ଅର ଲସ୍ ଟୁ ପ୍ରୋପର୍ଟି) ଆକ୍ଟ ୨୦୧୦ ।

ଏହି ଆଇନ ଦ୍ୱାରା ଡାକ୍ତରମାନଙ୍କ ବିରୁଦ୍ଧରେ କରାଯାଉଥିବା ଅପରାଧ ପାଇଁ ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ, ତିନିବର୍ଷ ଜେଲଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଅଭିଯୁକ୍ତଙ୍କୁ କ୍ଷତି ପହଂଚାଇବା ସମ୍ପତିର ୨ଗୁଣା ପୈଠ କରିବା ପାଇଁ ମଧ୍ୟ କୁହାଯାଇପାରିବ । ଗତ ତିନିବର୍ଷ ଭିତରେ ଡାକ୍ତରମାନଙ୍କୁ ମାଡ଼ ମାରିଥିବା ୫୩ଟି ଘଟଣା ଘଟିଛି କିନ୍ତୁ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ।

ଗଣମାଧ୍ୟମର ସୂଚନା ମୁତାବକ ନିକଟରେ ଯେଉଁ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଥିଲା ତାହାର ସମସ୍ତ ଅଭିଯୁକ୍ତ ଜାମିନ ପାଇସାରିଛନ୍ତି ।
ଆଇନ ବ୍ୟତିରେକ ଅଧିକାଂଶ ହସ୍ପିଟାଲ ନିଜର ନିରାପତ୍ତା ବଢ଼ାଇ ଦିଅନ୍ତୁ ଘଟଣା ଘଟିବାର ତୁରନ୍ତ ପରେ ପରେ ।

ଉଦାହରଣସ୍ୱରୂପ ଦିଲ୍ଲୀର ସବୁଠାରୁ ବଡ଼ ସରକାର ହସ୍ପିଟାଲ ଦୀନ୍ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ର ବାଉନ୍ସରସ୍ (ନିରାପତା ପାଇଁ) ଭଡ଼ାରେ ନିଯୁକ୍ତ କଲେ ଯେତେବେଳେ ଏଭଳି ଆକ୍ରମଣ ଘଟଣା ମାସକୁ ଗୋଟିଏ ଗୋଟିଏ ଘଟି ଚାଲିଲା ଏବଂ ଡାକ୍ତରଖାନା କର୍ମଚାରୀମାନେ ଗତ ୬ବର୍ଷ ଭିତରେ ୨୦ଥର କାର୍ଯ୍ୟ ବନ୍ଦ କରି ପ୍ରତିବାଦ କରିଥିଲେ ।

ତଥାପି ନିରାପତା ବଢ଼ାଇବାଟା ଏକ ଅଧପନ୍ତରା ବ୍ୟବସ୍ଥା । ଏହା ଓଲଟା କାମ କରିପାରେ ଏବଂ ଡାକ୍ତର ଏବଂ ଜନସମୁଦାୟ ଭିତରେ ଥିବା ସମ୍ପର୍କଟିକୁ ଅଧିକ ରିକ୍ତ କରାଇପାରେ ।

ବିଗିଡ଼ିଚାଲିଥିବା ପରିସ୍ଥିତିକୁ ଦେଖି ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କ ସହ କେମିତି ଭଲରେ କଥାବାର୍ତା କରାଯିବ ସେ ଦିଗରେ କନିଷ୍ଠ ଡାକ୍ତରମାନଙ୍କୁ ବୁଝାଇବା ପାଇଁ ପଦକ୍ଷେପ ନେଉଛନ୍ତି । କେତୋଟି ସରକାରୀ ଡାକ୍ତରଖାନା ଏ ଦିଗରେ ଆଗୁଆ ଅଛନ୍ତି ।

ଡାକ୍ତରୀ ଶିକ୍ଷାରେ ଏଭଳି ଏକ ଦିଗପ୍ରତି ଧ୍ୟାନ ଦିଆଯାଉ ନାହିଁ । ଯାହାବି ଦିଆଯାଉଛି ରୋଗୀମାନଙ୍କର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଡାକ୍ତରମାନେ ବୁଝିନପାରିବା ଯୋଗୁଁ ଗୋଟିଏ ଖରାପ ପରିସ୍ଥିତିଟି ଅଧିକ ଖରାପ ଆଡ଼କୁ ଯାଉଛି ।

ଯଦିଓ ସହାନୁଭୂତିସମ୍ପନ୍ନ ଓ ଭଲରେ କଥା ହେଇପାରୁଥିବା ଡାକ୍ତରମାନଙ୍କର ଆବଶ୍ୟକତା ଅଛି, ତେବେ କେବଳ ସେତିକି ହେଲେ ଚଳିବ ନାହିଁ ।

ଯେଉଁ ବିରାଟ ସଂଖ୍ୟାରେ ରୋଗୀମାନେ ଦେଶର ସରକାରୀ ଡାକ୍ତରଖାନାରେ ପହଂଚୁଛନ୍ତି ତାହା ଗଭୀର ଢାଂଚାଗତ ପରିବର୍ତନ ଆଣିବାର ଆବଶ୍ୟକତାକୁ ସୂଚାଉଛି ।

ଭାରତର ସ୍ୱାସ୍ଥ୍ୟସେବା ପାଇଁ ବଜେଟର ଅର୍ଥ ଆବଂଟନ ଅତି ଦୁଃସ୍ଥ । ପୁଣି ପ୍ରତି ୭ଜଣ ରୋଗୀ ପାଇଁ ୧ଡାକ୍ତର ବ୍ୟବସ୍ଥା ଯଥେଷ୍ଟ ହେବାଠାରୁ ଅନେକ ଦୂରରେ ।

ମହାରାଷ୍ଟ୍ର ଓ ବିହାରରେ ଦେଶର ସବୁଠାରୁ ଖରାପ ଡାକ୍ତର-ରୋଗୀ ଅନୁପାତ ରହିଆସିଛି । ନିକଟରେ ମହାରାଷ୍ଟ୍ରରେ ଡାକ୍ତର ଓ ରୋଗୀମାନଙ୍କୁ ନେଇ ହୋଇଥିବା ସଂଘର୍ଷ ପରି ଯେତେବେଳେ ଗୋଟିଏ ସଙ୍କଟ ଆସେ ସେତେବେଳେ ଧିରେ କିଛି କିଛି ପଦକ୍ଷେପ ନିଆଯାଏ ।

ତେବେ, ଯଦି ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ ବୃଦ୍ଧି କରିବା ଏବଂ ସରକାରୀ ଡାକ୍ତରଖାନାରେ ଫଳପ୍ରଦ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କ୍ଷମତା ବୃଦ୍ଧି କରିବା ଭଳି ବୃହତର ପ୍ରଶ୍ନଗୁଡ଼ିକୁ ଧ୍ୟାନ ଦିଆ ନଯାଏ, ଡାକ୍ତର ଓ ରୋଗୀମାନେ ପରସ୍ପରକୁ ନିଜର ଶତ୍ରୁ ହିସାବରେ ଦେଖି ଚାଲିଥିବେ ।

April 1, 2017     VOL L 11  NO 13  (Drawing Blood )

ଓଡିଶା ଡଟ କମ :

This website uses cookies.