ସମଦୃଷ୍ଟି

ରାମ ଲାଲାଙ୍କ ପାଇଁ ରାସ୍ତା ସଫା?

ସେପ୍ଟେମ୍ବର ୩୦, ୨୦୧୦ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନø ଖଣ୍ଡପୀଠ ବାବ୍ରୀ ମସଜିଦ୍ ରାମ ଜନ୍ମଭୂମି ମାମଲାରେ ନିଶ୍ଚିତ ହେବାଭଳି ରାୟଟିଏ ଦେଇ କହିଥିଲେ ଯେ ହିନ୍ଦୁ ମୌଳବାଦୀମାନେ ଯେଉଁସବୁ ବିଶ୍ୱାସ ରଖି ଆସିଛନ୍ତି, ତାହା ହିଁ ତଥ୍ୟ ।

ସେସବୁ ବିଶ୍ୱାସଗୁଡ଼ିକ ସେହି ଲୋକମାନଙ୍କ ମନରେ ସତ୍ୟ ଭଳି ରହିଆସିଛି, ଅଯୋଧ୍ୟା ମାମଲାର ତଦନ୍ତ କରୁଥିବା ସରକାରୀ ଲିବରହାନ୍ କମିଶନଙ୍କ ଭାଷାରେ, ଯେଉଁମାନେ ଡିସେମ୍ବର ୬, ୧୯୯୨ରେ ବାବ୍ରୀ ମସଜିଦ୍ ଧ୍ୱଂସ କରିବା ପାଇଁ ବୃହତ୍ତ୍ତକଷ୍ଟ ସ୍ୱୀକାର କରି ପ୍ରସ୍ତୁତି କରିଥିଲେ ଓ ଯୋଜନାର ପୂର୍ବ ପ୍ରସ୍ତୁତିରେ’ ସମ୍ପୃକ୍ତ ଥିଲେ ।

ଏହି ବିଶ୍ୱାସ ସବୁ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନେତାମାନଙ୍କର ଥିଲା ଯେଉଁମାନେ ସେହିଦିନ ବିଶୃଙ୍ଖଳିତ ଜନସମୁଦାୟଙ୍କୁ ଉଦ୍ବୋଧନ ଦେଇ ବାବ୍ରୀ ମସଜିଦ୍ ଭାଙ୍ଗିବା ପାଇଁ ଆହ୍ୱାନ ଦେଇଥିଲେ ।

ତେଣୁକରି ଆମେ ସମସ୍ତେ, ଆମର ଧାର୍ମିକ ଅସ୍ମିତା ନିର୍ବିଶେଷରେ ଏବଂ ନାସ୍ତିକ ହିସାବରେ ବି ଯେଉଁମାନେ ଭାବୁଛେ ଯେ ଆମେ ଭାରତର ସମାନ ନାଗରିକ, ଆମର ବିଶ୍ୱାସ ଥିଲା ଯେ ଭାରତୀୟ ରାଷ୍ଟ୍ର ଆମ ନାଗରିକତ୍ୱ ସହ ଯୋଡ଼ିହୋଇ ରହିଥିବା ଅଧିକାରଗୁଡ଼ିକର ସୁରକ୍ଷା କରିବ ।

ଆମେ ଆଶା ରଖିଥିଲୁ ଯେ ଉଚ୍ଚତମ ନ୍ୟାୟାଳୟ ବାବ୍ରି ମସଜିଦ୍ – ରାମ ଜନ୍ମଭୂମି ମାମଲାରେ ସମ୍ବିଧାନକୁ ସମ୍ମାନର ସହ ତୋଳି ଧରିବ ଏବଂ ଆଇନର ଶାସନକୁ ବଳବତ୍ତର ରଖିବ ।

କିନ୍ତୁ ଅଦାଲତର ପ୍ରାଥମିକ ଦାୟିତ୍ୱ ନ୍ୟାୟ ଦେବା କଥାଟିକୁ କାର୍ଯ୍ୟକାରୀ କରିବା ପରିବର୍ତେ, ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ନ୍ୟାୟାଧିଶ ଜେ.ଏସ୍. ଖେହାର, ମାମଲାରେ ସମ୍ପୃକ୍ତ ପକ୍ଷମାନଙ୍କୁ ଅଦାଲତ ବାହାର ମୂଲଚାଲ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । ଏମିତିକି ସେ ନିଜେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

‘ଟିକିଏ ଦିଅ, ଟିକିଏ ନିଅ’ ଢାଂଚାରେ ସମାଧାନ ପାଇଁ ଉଦ୍ୟମ କର । ଯଦି ଉଭୟ ପକ୍ଷର ମଧ୍ୟସ୍ଥିମାନଙ୍କ ସହ ମୂଲଚାଲରେ ବସିବା ପାଇଁ ପକ୍ଷଗୁଡ଼ିକ ଚାହାନ୍ତି, ତେବେ ସେ ଏଭଳି ଏକ କାମ ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି ନ୍ୟାୟମୂର୍ତି ଖେହାର ଏଭଳି କହିଛନ୍ତି ବୋଲି କୁହାଯାଉଛି ।

ତାଙ୍କ ମତରେ ଏହି ପ୍ରସଙ୍ଗଟି ଲୋକଙ୍କ ଭାବନା ଓ ଧର୍ମ ସହ ସମ୍ପୃକ୍ତ । ଅଦାଲତ ସେତେବେଳେ ଆସିବା କଥା ଯଦି ସେମାନେ ବୁଝାମଣା ମାଧ୍ୟମରେ କଥାଟିର ସମାଧାନ କରିପାରନ୍ତି ନାହିଁ ।

କିନ୍ତୁ ଦୁଇଟି ବିଷମ ପକ୍ଷ ଭିତରେ ଆପୋଷ ଆଲୋଚନା ମାଧ୍ୟମରେ ଝାମେଲାର ପରିସମାପ୍ତି କରିବାଟା ନ୍ୟାୟପୂର୍ଣ୍ଣଭାବେ ହୋଇପାରିବ କି , ଯେତେବେଳେ ଗୋଟିଏ ପକ୍ଷରେ ହିନ୍ଦୁତ୍ୱବାଦୀମାନେ ଯେଉଁମାନେ ଏବେ କେନ୍ଦ୍ରରେ ଏବଂ ବେଆଇନ ଭାବେ ଭଙ୍ଗା ଯାଇଥିବା ବାବ୍ରୀ ମସଜିଦ ଥିବା ଉତରପ୍ରଦେଶରେ କ୍ଷମତାରେ ଅଛନ୍ତି?

ଏଭଳି ଏକ ପରିସ୍ଥିତିରେ ଜଣେ ଭାବିବ ଯେ, ଭାରତର ମୁଖ୍ୟ ବିଚାରପତି ସମ୍ପୃକ୍ତ ପକ୍ଷମାନଙ୍କ ପଛରେ ଥିବା ରାଜନୈତିକ ଶକ୍ତିମାନଙ୍କୁ ଝାମେଲା ତୁଟାଇବା ପାଇଁ ଛାଡ଼ି ନଦେଇ, ବରଂ ମାମଲାକୁ ନେଇଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ସେସବୁର ସଠିକ ବ୍ୟାଖ୍ୟାୟନ କରି ଏବଂ ପ୍ରାସଙ୍ଗିକ ଆଇନଗୁଡ଼ିକ ଭିତିରେ ନ୍ୟାୟ ଦେବା କଥାଟିକୁ ପ୍ରାଥମିକତା ଦିଅନ୍ତୁ ।

ମସଜିଦ୍ର କେନ୍ଦ୍ରରେ ଥିବା ସମାଧିତଳେ ରାମ ଜନ୍ମ ନେଇଥିଲେ ବୋଲି ଯେଉଁ ବିଶ୍ୱାସ ଅଛି ଯାହାକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ମଧ୍ୟ ଠିକ୍ ବୋଲି ଦର୍ଶାଇଛନ୍ତି, ତାହା କ’ଣ ସତରେ ଏହି ମାମଲାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଯଦି ବି ଜଣେ ଏହି କଥାଟିକୁ ମାନିନେବ ତେବେ କ’ଣ ୧୫୨୮ରେ ନିର୍ମିତ ଏହି ମସଜିଦ୍ ନିର୍ମିତ ହୋଇଥିବା ଜମି ଉପରେ ମାଲିକାନା ସତ୍ୱଟି ରାମଙ୍କୁ ଦିଆଯାଇପାରିବ ।

ଗୋଟିଏ ମନ୍ଦିରକୁ ଭାଙ୍ଗି କ’ଣ ମସଜିଦ୍ ନିର୍ମାଣ କରାଯାଇଥିଲା କି? ଏଭଳି ଏକ କଥାକୁ ସାବ୍ୟସ୍ତ କରିବା ପାଇଁ କୌଣସି ତଥ୍ୟ-ପ୍ରମାଣ ନଥିବା ବେଳେ ଲିମିଟେସନ୍ ଆକ୍ଟଟି ଏଠି ଲାଗୁ କରି ଜମି ଉପରେ ପ୍ରତିପକ୍ଷର ଦାବୀକୁ ନାକଚ କରାଯାଇ ପାରିବନି କି?

ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାଜପା ରାଜ୍ୟସଭାରେ ଆବଶ୍ୟକୀୟ ସଂଖ୍ୟାର ଆସନ ଦଖଲ କରିବା ଯାଏଁ ଅପେକ୍ଷା କରିଛନ୍ତି, ଯାହାଫଳରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତିରେ କୁହାଯାଇଥିବା ବାବ୍ରୀ ମସଜିଦ୍ ଭୂମିରେ ରାମମନ୍ଦିର ନିର୍ମାଣ ପାଇଁ ଆଇନ ଅଣାଯାଇପାରିବ ।

କିନ୍ତୁ ତା ପୂର୍ବରୁ ସେମାନଙ୍କୁ ନ୍ୟାୟପାଳିକାକୁ ଏହି ରାସ୍ତାରୁ ହଟାଇବାକୁ ପଡ଼ିବ ।

ଭାଜପା ଓ ଆର୍.ଏସ୍.ଏସ୍.ର ପ୍ରତିନିଧି ସୁବ୍ରମନିୟମ୍ ସ୍ୱାମୀ ଯେ, କୌଣସି ପକ୍ଷ ତରଫରୁ କେବେ ଏହି ମାମଲାରେ ସମ୍ପୃକ୍ତ ନଥିଲେ ହଠାତ୍ ଦୃଶ୍ୟପଟ୍ଟରେ ପ୍ରବେଶ କରି ଧ୍ୱଂସ କରାଯାଇଥିବା ମସଜିଦ୍ ଅବଶେଷ ଉପରେ ରାମମନ୍ଦିର ନିର୍ମାଣ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିବା ଏବଂ ନ୍ୟାୟାଳୟ ଆବେଦନ ପାଇଁ ସୁଯୋଗ ଦେବା ଏହି କଥାଟିକୁ ବୁଝାଇ ଦେଉ ନାହିଁ କି?

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହି ମହାଶୟଙ୍କୁ ଅହେତୁକ ଧ୍ୟାନ ଦେବା କଥାଟିକୁ କେମିତି ବୁଝାଇ ହେବ?

ଡିସେମ୍ବର ୨୨-୨୩, ୧୯୪୯ ମସିହା ଠାରୁ ଯେଉଁଦିନ ତିନିଜଣଙ୍କ ନେତୃତ୍ୱରେ ୫୦ଜଣ ମସଜିଦ୍ର କେନ୍ଦ୍ରୀୟ କକ୍ଷରେ ଥିବା ସମାଧିରେ ତିନୋଟି ମୂର୍ତି ସ୍ଥାପନ କରିଥିଲେ, ସେପ୍ଟେମ୍ବର ୩୦, ୨୦୧୦ ଯାଏଁ ଯେଉଁଦିନ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଲକ୍ଷେ୍ନø ଖଣ୍ଡପୀଠ ଭଙ୍ଗାଯାଇଥିବା ମସଜିଦ୍ ଥିବା ଜମିଟିକୁ ରାମ ଲାଲା, କାର୍ଯ୍ୟପାଳିକା ବିଧାନ ବ୍ୟବସ୍ଥାକୁ ହସ୍ତାନ୍ତର କରିଦେଲେ ଏବଂ ଭାରତୀୟ ରାଷ୍ଟ୍ରର ଅଯୋଧ୍ୟା କେତେକ ଅଂଚଳ ଅଧିଗ୍ରହଣ ଆଇନ ୧୯୯୩ ପାରିତ ହୋଇଗଲା ।

ରାମଲାଲା ଜାଣିଶୁଣି ବାବ୍ରୀ ମସଜିଦ୍ ଜମିକୁ ଉଦରସ୍ତ କରିବାରେ ଲାଗିଛନ୍ତି । ନ୍ୟାୟପାଳିକା, ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଲକ୍ଷେ୍ନø ଖଣ୍ଡପୀଠ ଜାଣିଶୁଣି ରାମଲାଲାଙ୍କୁ ମସଜିଦ୍ ଭୂମି ଅଧିଗ୍ରହଣ ପାଇଁ ଆଇନଗତ ଅଧିକାର ଦେଇଦେଲେ ।

ଆଉ ଏବେ ଉଚ୍ଚତମ ନ୍ୟାୟାଳୟ, ମାମଲାର ତଥ୍ୟ/ ପ୍ରମାଣକୁ ହିସାବକୁ ନନେଇ, ସଠିକ ବ୍ୟାଖ୍ୟାୟନ ନକରି ଏବଂ ପ୍ରାସଙ୍ଗିକତା ଥିବା ଆଇନ କାନୁନ୍ର ପ୍ରୟୋଗ ନକରି ଦୁଇଟି ପକ୍ଷ (ଗୋଟିଏ ସଶକ୍ତ ଓ ଅନ୍ୟ ଗୋଟିଏ ଦୁର୍ବଳ)କୁ ଅଦାଲତ ବାହାରେ ଆଲୋଚନା ବା ମୂଲଚାଲ କରି ମାମଲାର ସମାଧାନ କରିବା ପାଇଁ ରାୟ ଦେଲେ ।

ରାମମନ୍ଦିର-ବାବ୍ରୀ ମସଜିଦ୍ର ଧ୍ୱଂସାବଶେଷ ଉପରେ ଠିଆ ହେବ କିନ୍ତୁ ଧର୍ମନିରପେକ୍ଷତାକୁ ବଳିଦେଇ, କାରଣ ଭାରତୀୟ ରାଷ୍ଟ୍ର ତା’ର ବୈଧତା ଆଇନରେ ନୁହଁ ବରଂ ବିଶ୍ୱାସ, ଠାକୁର ବିଶେଷକରି ରାମଲାଲାଙ୍କଠୁ ହିଁ ପାଇବ ।

ରାମ ମନ୍ଦିର ଠିଆ ହେବ ଗଣତାନ୍ତ୍ରିକ କାର୍ଯ୍ୟବିଧିକୁ ବଳି ଦେଇ । ଯେହେତୁ ଧର୍ମନିରପେକ୍ଷତା ଗଣତନ୍ତ୍ରର ଏକ ଆବଶ୍ୟକୀୟ ସର୍ତ, ତେଣୁ ଗଣତନ୍ତ୍ର ମନ୍ଦିର ତିଆରି ହେବା ପ୍ରକ୍ରିୟାର ଶିକାର ହୋଇଯିବ ।

April 1, 2017     VOL L 11  NO 13   (Paving the Way for Ram Lalla?)

Leave a Reply

This site uses Akismet to reduce spam. Learn how your comment data is processed.