ସମଦୃଷ୍ଟି

ଗାଈ ଗଣିବା, ମଣିଷ ମାରିବା

ଅଲୱରର ଦୁଗ୍ଧଚାଷୀ ୫୫ ବର୍ଷୀୟ ପେହଲୁ ଖାଁ’ଙ୍କୁ ଗୋରକ୍ଷକମାନଙ୍କ ଦ୍ୱାରା ଏପ୍ରିଲ ୧ଦିନ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରି ମାରିଦିଆଗଲା । ବରଂ ଏମାନଙ୍କୁ ବେଆଇନ ପ୍ରାଣଦଣ୍ଡ ପ୍ରଦାନକାରୀ ଜନସମୂହ କହିବା ଉଚିତ ହେବ । ଅକ୍ଟୋବର ୨୦୧୫ରେ ମହମ୍ମଦ ଅକଲାଖ୍ଙ୍କ ହତ୍ୟା ପରେ ଗାଈ ନାଁ’ରେ ଯେଉଁ ଅପରାଧର ତାଲିକାଟି ବଢ଼ି ବଢ଼ି ଚାଲିଛି, ପେହଲୁଙ୍କ ଉପରେ ଆକ୍ରମଣ ଓ ତା’ପରେ ପରେ ତାଙ୍କର ମୃତ୍ୟୁ ସେଥିରେ ଯୋଡ଼ି ହୋଇଗଲା ।

ସେହି ଦିନଠାରୁ ଭାରତର ଗାଈବହୁଳ ଅଂଚଳରେ ମଣିଷର ଅଧିକାର ଅପେକ୍ଷା ଗାଈର ଅଧିକାର ପ୍ରାଧାନ୍ୟତା ପାଇଆସିଛି, ଯେହେତୁ ଆକ୍ରମଣକାରୀ ଗୋଷ୍ଠୀମାନେ ଗାଈ ଓ ମଇଁଷିମାନଙ୍କର ପ୍ରଚଳନକୁ ଜଗି ରହିଛନ୍ତି ଏବଂ ସେସବୁକୁ ଅଟକାଇ ବାଛି ବାଛି ମୁସଲମାନ ଏବଂ ଦଳିତମାନଙ୍କୁ ମାରିଦେଉଛନ୍ତି ବା ଭୟଙ୍କର ଭାବେ କ୍ଷତବିକ୍ଷତ କରୁଛନ୍ତି ।

ଏପରି ସବୁ ଘଟି ଚାଲିଥିଲା ବେଳେ ଆଇନର ରକ୍ଷକମାନେ କେବଳ ଦେଖଣାହାରି ସାଜୁଛନ୍ତି । ଏଭଳି ଏକ ଜଘନ୍ୟ କାହାଣୀକୁ ଭୟଙ୍କର ମୋଡ଼ ଦିଆଯାଉଛି ଯେତେବେଳେ ଆକ୍ରମଣର ଶିକାର ହେଉଥିବା ଲୋକମାନଙ୍କୁ ଗିରଫ କରାଯାଉଛି ଏବଂ ଆକ୍ରମଣକାରୀଙ୍କୁ ଛାଡ଼ି ଦିଆଯାଉଛି ଅବା ‘ଅଜଣା ବ୍ୟକ୍ତି’ କରି ମାମଲା ରୁଜୁ କରାଯାଉଛି ।

ଅକ୍ଲାଖଙ୍କ ହତ୍ୟା ପରେ ଗୁଜୁରାଟ, ରାଜସ୍ଥାନ, ଉତରପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ ଅଧିକାଂଶ ରାଜ୍ୟରେ ଗାଈ ରାଜନୀତିଟି ଆକ୍ରମଣାତ୍ମକ ଭାବେ ଚାଲିଛି । ୧୯୭୬ର ମହାରାଷ୍ଟ୍ର ପଶୁସୁରକ୍ଷା ନିୟମ, ଯେଉଁଠି ଗୋରକ୍ଷକମାନଙ୍କୁ ଅପରାଧ ଘଟାଇ ଖସିଯିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି, ସେହିଭଳି ପଶୁ ସୁରକ୍ଷା ନିୟମରେ ପରିବର୍ତନ ଆଣିବା ପାଇଁ ହେଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ଏବେ ଉଚ୍ଚତମ ନ୍ୟାୟାଳୟ କରୁଛନ୍ତି ।
ମାମଲାଟିରେ ଉଲ୍ଲେଖ ଥିବା ୬ଟି ରାଜ୍ୟ ବ୍ୟତିରେକ ମଧ୍ୟପ୍ରଦେଶ ଏବଂ ହରିୟାଣାରେ ମଧ୍ୟ ଏଭଳି ଅପରାଧ ଘଟିଚାଲିଛି । ଏବର୍ଷ ଏପ୍ରିଲ ମାସରେ ଜାମ୍ମୁ- କାଶ୍ମୀର ଏବଂ ଦିଲ୍ଲୀରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଶେଷ ଦୁଇଟି ଘଟଣାର ଭିଡ଼ିଓ ମଧ୍ୟ ଅଛି । ଗୋଟିଏ ଭିଡ଼ିଓରେ ପେହେଲୁ ଖାଁ’ଙ୍କ ଉପରେ ଆକ୍ରମଣ ଏବଂ ହତ୍ୟାରେ ଭିଡ଼ ଜମାଇଥିବା ଲୋକମାନଙ୍କର ନିର୍ମମ କାଣ୍ଡ ଓ ପୋଲିସର ଉଦାସୀନତାର ବିଶ୍ୱାସନୀୟ ପ୍ରମାଣ ରହିଛି ।

ଜାମ୍ମୁ-କାଶ୍ମୀରର ରେସି ଜିଲ୍ଲାର ଯାଯାବର ଗାଈଚରାଳୀ ଗୋଷ୍ଠୀ ଉପରେ ହେଇଥିବା ଆକ୍ରମଣର ଭିଡ଼ିଓ ହୃଦୟ-ବିଦାରକ, ଯେତେବେଳେ ଆପଣ ଦେଖୁଛନ୍ତି କିଭଳି ଜଣେ ମା ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଚେଷ୍ଟା କରୁଛନ୍ତି ଭିଡ଼ ଜମାଇଥିବା ଲୋକେ ସେମାନେ ଭୟଭୀତ ଅବସ୍ଥାରେ ଥିବା ଦୁର୍ବଳ ଘର ଉପରେ ଆକ୍ରମଣ କରିଥିଲେ ।

ଯେକୌଣସି ସଭ୍ୟସମାଜରେ, ଏଭଳି ଘଟଣାଗୁଡ଼ିକ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିବା କଥା । ଯଦିଓ, ଭାରତରେ ଏଭଳି ଘଟଣା ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି, କିନ୍ତୁ ଗୋଟିଏ ପଟେ ବାକ୍ଶକ୍ତିବିହୀନ ସରକାରୀ ନିରବତା ଏବଂ ଅନ୍ୟପଟେ ଘଟଣାଗୁଡ଼ିକ ପ୍ରତି ନଗ୍ନ ସମର୍ଥନ ଯୋଗୁଁ ସେସବୁ ସ୍ୱର ନିଷ୍ପ୍ରଭ ହେଇଯାଉଛି ।

ଅଲ୍ୱାର ହତ୍ୟାକାଣ୍ଡ ପରେ ଭାଜପାର ରାଜସ୍ଥାନରେ ଥିବା ବିଧାୟକ ଜ୍ଞାନଦେବ୍ ଆହୁଜା କହିଥିଲେ ଯେ ଅଲ୍ୱାର ଘଟଣାକୁ ନେଇ ତାଙ୍କର କିଛି ଅନୁତାପ ନାହିଁ, ଯେତେବେଳେ ସେହି ରାଜ୍ୟର ଗୃହମନ୍ତ୍ରୀ ଖୁଲାବ୍ଚାନ୍ଦ କଟାରିଆ ବିଧାନସଭାରେ କହିଥିଲେ ଯେ, ପେହେଲୁ ଖାଁ ଜଣେ ଗୋରୁ ଚାଲାଣକାରୀ ଥିଲେ ।

ଏଭଳି ମିଛକୁ ସେଠାକାର ପୋଲିସ ମୁଖ୍ୟ ନିଜେ ଅସ୍ୱୀକାର କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ନୀରବତାକୁ ଭାଙ୍ଗିଥିଲେ କେବଳ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହେବା ପରେ ଏବଂ ୨୩ଜଣ ପୂର୍ବତନ ପ୍ରଶାସକ ତାଙ୍କୁ ଚିଠି ଲେଖିବା ପରେ । ଏଭଳି କଠୋରତା ଓ ଛଳନା ସାମ୍ନାରେ ଖାଁ’ଙ୍କ ଭଳି ସାଧାରଣ ମଣିଷମାନଙ୍କର ତିଷ୍ଠି ରହିବା ପାଇଁ କିଛି ସୁଯୋଗ ଅଛି କି?

ମୁଖ୍ୟ ପ୍ରସଙ୍ଗଟି କିନ୍ତୁ ଗାଈ ନୁହେଁ, ଯଦିଓ ହିନ୍ଦୁତ୍ୱ ରାଜନୀତିରେ ଗାଈଟି କେନ୍ଦ୍ରରେ ଅଛି । ବାସ୍ତବରେ ଗାଈଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସରକାର ପ୍ରତ୍ୟେକଟି ଗାଈ ପାଇଁ ଆଧାର ଭଳି ପରିଚୟ ପତ୍ର ଦେବା ପାଇଁ ନିଷ୍ପତି ନେଇଛନ୍ତି ।

କଥାଟି ବିଚିତ୍ର ଶୁଣାଯାଉଥିଲେ ବି ସରକାର ଜଣେ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କ ନେତୃତ୍ୱରେ କମିଟିଟିଏ ବସାଇଛନ୍ତି ସ୍ଥିର କରିବା ପାଇଁ କେମିତି ବାଂଲାଦେଶକୁ ଚାଲାଣ ହେଉଥିବା ଗାଈଗୋରୁଙ୍କୁ ରୋକିବା ପାଇଁ ପ୍ରତ୍ୟେକ ପଶୁଙ୍କୁ ଏପଟ ସେପଟ ନକରିପାରିବା ଭଳି ସଙ୍କେତ ଲଗାଇବେ ।

ଯଦି ଭାରତର ପ୍ରଧାନ ସରକାରୀ ଓକିଲ ଉଚ୍ଚତମ ନ୍ୟାୟାଳୟଙ୍କୁ ଏହି ସୂଚନାଟି ଦେଇନଥାନ୍ତେ, ଆମେ କଥାଟିକୁ ଗୋଟିଏ ମିଛ ପ୍ରଚାର ବା ‘ମିଛ ସମ୍ବାଦ’ବୋଲି ଭାବିଥାନ୍ତେ । ପଶୁମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା ନିଷ୍ପତିଟି ମନୋରଞ୍ଜନକାରୀ ଲାଗିଲେ ବି ଏଥିରେ ଆଇନ ରକ୍ଷା କରିବା, ନ୍ୟାୟଦେବାର ବାର୍ତା ଏବଂ ଅରାଜକତା ସୃଷ୍ଟି କରିବାର ବାର୍ତା ଅଛି ଯାହା ଏକ ନିର୍ଦ୍ଦିଷ୍ଟ ରାଜନୀତିକ କାର୍ଯ୍ୟସୂଚୀକୁ ସୁହାଇଥିବ ଏବଂ ପ୍ରକୃତରେ ଯାହା ଅମଙ୍ଗଳକାରୀ ।

ସେଥିପାଇଁ ଭାରତୀୟ ରାଷ୍ଟ୍ରଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିବା କାଶ୍ମୀର ଯୁବକମାନେ ଟେକା ଫୋପାଡ଼ି ନିଜର କ୍ରୋଧକୁ ଅଭିବ୍ୟକ୍ତ କଲାବେଳେ ସେମାନଙ୍କୁ ଅପରାଧି କୁହାଯାଉଛି, ଗିରଫ କରାଯାଉଛି, ଗୁଳି ମରାଯାଉଛି, ମାଡ଼ ଦିଆଯାଉଛି ଏବଂ ଏମିତିକି ହତ୍ୟା ବି କରାଯାଉଛି । କିନ୍ତୁ ଗୋ ରକ୍ଷକ ମୃତ୍ୟୁଦଣ୍ଡ ପ୍ରଦାନକାରୀ ବାହିନୀ ଆଇନକୁ ନିଜ ହାତକୁ ନେଇଯାଉଛନ୍ତି, ନିରୀହ ମୁସଲମାନ ପୁରୁଷମାନଙ୍କୁ ମାଡ଼ ମାରୁଛନ୍ତି ତଥାପି ତାଙ୍କୁ ଦେଶଭକ୍ତର ପରମ ଦାୟିତ୍ୱ ତୁଲାଇଛନ୍ତି ବୋଲି ବିବେଚନା କରାଯାଉଛି ।

ଏମିତିକି ରାଜସ୍ଥାନର ଜଣେ ଆଗଧାଡ଼ିର ଗୋରକ୍ଷକ ସାଧ୍ୱି କମଲ୍ ଦିଦି ଯେଉଁ ଗୋ ରକ୍ଷକମାନେ ପହେଲୁ ଖାଁ’ଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କୁ ଭଗତ୍ ସିଂ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ତୁଳନା କରିବା କଥାର ପ୍ରମାଣ ବି ଅଛି ।

ଏଭଳି ଘଟଣା ସରକାରଙ୍କର ପକ୍ଷପାତ ଆଚରଣ ନେଇ ସ୍ପଷ୍ଟ ବାର୍ତା ଦେଉଛି, କେମିତି ଗୋଟିଏ ସରକାର ସଂଖ୍ୟାଲଘୁମାନେ କ’ଣ ଭାବୁଛନ୍ତି ବା ଅନୁଭବ କରୁଛନ୍ତି ଆଦୌ ଖାତିର କରୁନାହାନ୍ତି । ଗୋଟିଏ ଦେଶର ଗଣତାନ୍ତ୍ରିକ ଶୃଙ୍ଖଳାର ଭବିଷ୍ୟତ ପ୍ରତି ଏହା ହିଁ ହେଉଛି ବାସ୍ତବରେ ଏକ ବିପଦ ।

ଫାଟ ଫାଟ ହେଇଥିବା ଗୋଟିଏ ସମାଜରେ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗାର ଆବଶ୍ୟକତା ନାହିଁ ତାକୁ ଭାଗ ଭାଗ କରିବା ପାଇଁ । ମୃତ୍ୟୁଦଣ୍ଡ ପ୍ରଦାନକାରୀ ଗୋରକ୍ଷକମାନଙ୍କ ଦ୍ୱାରା ଘଟୁଥିବା ପ୍ରତିଟି ଘଟଣା ଏବଂ ସେମାନଙ୍କ ନିଜ ଅପରାଧକୁ ନେଇ ଉତ୍ସାହ ଓ ଉନ୍ମାଦନା ଏହି ଫାଟଗୁଡ଼ିକୁ ଅଧିକ ବିସ୍ତାର କରିଚାଲିଛି । ଅଲୱାର, ଦିଲ୍ଲୀ, ବାବ୍ରି, ଲାଟେହର୍, ଉନ୍ନା, ସୋନେପଟ୍, ମଣ୍ଡସାଉର ବା ଅନ୍ୟ ଯେଉଁଠି ବି ଏଭଳି ଘଟଣା ଘଟିଛି, ତାହା ଆକସ୍ମିକ ନୁହେଁ ।

ସେହି ସମସ୍ତ ଘଟଣା ନରେନ୍ଦ୍ର ମୋଦୀ କହି ଚାଲଥିବା ‘ନବ ଭାରତ’ର ଏକ ଅଂଶବିଶେଷ, ଯେଉଁଠି ମଣିଷ ଜୀବନ ଅପେକ୍ଷା ପବିତ୍ର ଗାଈଟି ଅଧିକ ଗୁରୁତ୍ୱପୂର୍ଣ୍ଣ ।

 

April 29, 2017 vol L II no 17 Counting Cows, Killing Humans

Leave a Reply