ଓଡିଶା ନ୍ୟୁଜ/ Odisha News
ସମଦୃଷ୍ଟି

ଜନଗଣଙ୍କ ଖର୍ଚ୍ଚରେ

ଜନଗଣଙ୍କ ଖର୍ଚ୍ଚରେ

ଘରୋଇ କମ୍ପାନୀମାନଙ୍କର ଆର୍ଥିକ ଦୁଃସ୍ଥାବସ୍ଥାର ବୋଝ ସରକାରୀ କ୍ଷେତ୍ର କାହିଁକି ବହନ କରିବ?

ବ୍ୟାଙ୍କ ପରିଚାଳନା (ସଂଶୋଧନ) ଅଧ୍ୟାଦେଶ, ୨୦୧୭ଟି ମେ ୪, ୨୦୧୭ରେ ଲାଗୁ କରାଗଲା ଯାହାକି ୧୯୪୯ମସିହାରେ ବ୍ୟାଙ୍କ ପରିଚାଳନା ଆଇନକୁ ସଂଶୋଧନ କରି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଅର୍ପଣ କଲା ଯେ ୨୦୧୬ର ଇନ୍ସଲଭାନସି ଓ ବ୍ୟାଙ୍କରପ୍ଟ କୋଡ଼ ମୁତାବକ
ଋଣ ଖିଲାପକାରୀମାନଙ୍କ ବିରୁଦ୍ଧରେ ଦେବାଳିଆ ଘୋଷଣା କରିବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବ୍ୟାଙ୍କମାନଙ୍କୁ ଯେମିତି ନିର୍ଦ୍ଦେଶ ଦିଆଯିବ ।

ଏଥି ସହିତ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ କମ୍ପାନୀମାନଙ୍କୁ ସମୟ ସମୟରେ ନିର୍ଦ୍ଦେଶ ଦେବେ ଯେମିତି ଅସୁବିଧାରେ ଥିବା ସମ୍ପତିଗୁଡ଼ିକୁ ନେଇ ସମାଧାନର ରାସ୍ତା ବାହାର କରିବେ ଏବଂ ବ୍ୟାଙ୍କ କମ୍ପାନୀମାନଙ୍କୁ ପରାମର୍ଶ ଦେବା ପାଇଁ କମିଟି ଗଠନ କରିପାରିବେ । ସରକାର ଏବଂ ଏହାର
କାର୍ଯ୍ୟକର୍ତାମାନେ ତଥାପି ସଙ୍କଟରେ ଥିବା ସମ୍ପତିଗୁଡ଼ିକ ନେଇ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇ ଚାଲିଛନ୍ତି, ଯେମିତି କି ତୁରନ୍ତ ସେ ସବୁର ସମାଧାନ ହେଇଯିବ ।

ଏଭଳି ସମାଧାନର ରାସ୍ତା ଗୋଟିଏ କଥାକୁ ନିଶ୍ଚିତ କରିବାକୁ ଯାଉଛି ଯେ ଋଣ ଖିଲାପ କରିଥିବା ଘରୋଇ କମ୍ପାନୀମାନଙ୍କର ଋଣ ଭାର ଯେମିତି ରାଷ୍ଟ୍ର ବା ରାଷ୍ଟ୍ରାୟତ କ୍ଷେତ୍ରରେ ଉଦ୍ୟୋଗମାନେ ବହନ କରିବେ । ନିକଟ ଅତୀତରେ ଅନେକ ପ୍ରସ୍ତାବ ଦିଆଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ପାରା ବା ରାଷ୍ଟ୍ରାୟତ ଉଦ୍ୟୋଗର ସମ୍ପତ୍ତି ଥଇଥାନ ସଂସ୍ଥାଟିଏ ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଛି, ଯିଏକି ସରକାରୀ କ୍ଷେତ୍ରର ବ୍ୟାଙ୍କମାନଙ୍କ (ପି.ଏସ୍.ବି)ଠାରୁ ଅନାଦେୟ ଋଣଗୁଡ଼ିକୁ କିଣିବ ।

ଏହି ପାରା ସଂସ୍ଥାକୁ ତିନୋଟି ସୂତ୍ରର ଅର୍ଥ ଯୋଗାଇ ଦିଆଯିବ; ସରକାରଙ୍କ ପ୍ରତିଶ୍ରୁତିିକୁ ବିକ୍ରି କରି, ଘରୋଇ ପୁଞ୍ଜି ନିବେଶକାରୀଙ୍କ ଅଂଶଧନକୁ ପୁଞ୍ଜି କରି ଏବଂ ରିଜର୍ଭ ବ୍ୟାଙ୍କର ବଳକା ଟଙ୍କାକୁ ନେଇ । ସଙ୍କଟରେ ଥିବା ସମ୍ପତିକୁ ନେଇ ପାରା ଭଳି ଅନ୍ୟ ସବୁ ପ୍ରସ୍ତାବିତ ସମାଧାନଗୁଡ଼ିକ ମଧ୍ୟ ଦୁଃସ୍ଥ ଅବସ୍ଥାରେ ଥିବା ବ୍ୟାଙ୍କମାନଙ୍କର ହିସାବ ଖାତାକୁ ନିର୍ମଳ ରଖିବା ପାଇଁ ରାଷ୍ଟ୍ରର ଅର୍ଥ ଲଗାଣ ଉପରେ ନିର୍ଭରଶୀଳ ।

ସବୁଠୁ ଖରାପ କଥା ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଗୋଟିଏ ବୈଠକ ହୋଇଥିଲା ଯେଉଁଠି ପ୍ରସ୍ତାବ ଦିଆଗଲା ଯେ ଋଣ ଖିଲାପକାରୀ ଘରୋଇ କମ୍ପାନୀମାନଙ୍କର ନିଷ୍କ୍ରିୟ ବା ଅଚଳ ସମ୍ପତିକୁ ସରକାରୀ କ୍ଷେତ୍ରରେ ବ୍ୟାଙ୍କମାନେ ଏଭଳି ଦୁଃସ୍ଥାବସ୍ଥାରେ ଥିବା ସମ୍ପତିକୁ ଅଣବ୍ୟାଙ୍କିଙ୍ଗ ସରକାରୀ ଉଦ୍ୟୋଗକୁ ହସ୍ତାନ୍ତର କଲେ ସେଭଳି ତର୍ଜମାର ସମ୍ମୁଖୀନ ହେବାକୁ ପଡ଼ିବନି ।

ଋଣ ଖିଲାପକାରୀ ଘରୋଇ କମ୍ପାନୀମାନେ ନିଜର ଖରାପ ସ୍ଥିତିରେ ଥିବା ସମ୍ପତିକୁ ବିକ୍ରି କରିଦେବେ ଏବଂ ସେଥି ସହିତ ଜଡ଼ିତ ବୋଝଗୁଡ଼ିକୁ ସରକାରୀ କ୍ଷେତ୍ରରେ କମ୍ପାନୀମାନଙ୍କୁ ଦେଇଦେବେ । ଏହା ଫଳରେ ଭଲ ଅବସ୍ଥାରେ ଥିବା ସରକାରୀ କମ୍ପାନୀମାନେ ଆର୍ଥିକ ଦୃଷ୍ଟିରୁ ଦୁଃସ୍ଥାବସ୍ଥାକୁ ଆସିଯିବେ ।

ସେମିତି ନକରି ଆମେ କାହିଁକି ସରକାରୀ କ୍ଷେତ୍ରର ବ୍ୟାଙ୍କରେ ପୁନଃ ପୁଞ୍ଜିଲଗାଣ କରିବା ନାହିଁ ଏବଂ ଋଣ ଖିଲାପକାରୀ ଘରୋଇ କମ୍ପାନୀମାନଙ୍କୁ ଉତରଦାୟୀ କରାଇବା ନାହିଁ? ରାଷ୍ଟ୍ରାୟତ ବ୍ୟାଙ୍କରେ ପୁନଃ ପୁଞ୍ଜିଲଗାଣ କଥା ପଡ଼ିଲେ ଏଭଳି କଥା ସବୁ କୁହାଯାଏ ଯାହା କ୍ଷତି ସହୁଥିବା ସରକାରୀ ଉଦ୍ୟୋଗର କମ୍ପାନୀମାନଙ୍କୁ ବଜେଟ ମାଧ୍ୟମରେ ସାହାଯ୍ୟ କଲାବେଳେ କୁହାଯାଇଥାଏ । ସତ୍ୟକୁ ବିକୃତ କରି ଏଭଳି ଉପସ୍ଥାପନା କରାଯାଇଛି ।

ରାଷ୍ଟ୍ରାୟତତ୍ତବ୍ୟାଙ୍କଗୁଡ଼ିକ ଲାଭରେ ଚାଲିଛନ୍ତି, ଯେଉଁମାନେ ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହରେ ନିଜର ଅବଦାନ ରଖି ଆସିଛନ୍ତି । ୨୦୦୫-୦୬ରୁ ୨୦୧୬-୧୭ ଭିତରେ ସେମାନେ ରାଷ୍ଟ୍ରୀୟ ରାଜକୋଷକୁ ଯେତେ ଦେଇଆସିଛନ୍ତି ସେମାନଙ୍କୁ ବଜେଟ ମାଧ୍ୟମରେ ଦିଆଯାଇଥିବା ସାହାଯ୍ୟ ତୁଳନାରେ ତାହା ଢ଼େର ଅଧିକ ।

ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପୁଣିଥରେ ଘରୋଇକରଣ କରିବା ପାଇଁ ଗୋଟିଏ ମିଛ ଧାରଣାକୁ ଆଧାର କରି କୁହାଯାଉଛି ଯେ ସେମାନଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ସାମଗ୍ରିକ ଋଣ ପ୍ରଦାନ ଏବଂ ସେଥିରେ ବଡ଼ ଧରଣର ଅଚଳ ସମ୍ପତିର ଅନୁପାତର ବ୍ୟବଧାନଟି ବଢ଼ି ବଢ଼ି ଯାଉଛି । କୁହାଯାଉଛି ଯେ ଯଦି ଘରୋଇ ବ୍ୟାଙ୍କମାନଙ୍କ ପାଇଁ ଅଧିକ ସୁଯୋଗ ମିଳିଥାନ୍ତା ଏପରି ଅବସ୍ଥା ଉପୁଜି ନଥାନ୍ତା ।

ଗତ ଦଶନ୍ଧି ଧରି ଅର୍ଥ ବିନିଯୋଗ ଓ ଅଭିବୃଦ୍ଧିର ଯେଉଁ ଧାରାଟି ଚାଲିଛି, ତାକୁ ଏଭଳି ଏକ ମତ ଅଣଦେଖା କରୁଛି । ସବୁପ୍ରକାର ଉଦାର ଋଣ ଲଗାଣ ଯୋଗୁଁ ଭାରତର ଅଭିବୃଦ୍ଧି ଘଟିଥିଲା, କିନ୍ତୁ ୨୦୦୭ର ବିଶ୍ୱ ଆର୍ଥିକ ସଙ୍କଟଯୋଗୁଁ, ଅର୍ଥନୈତିକ କାରବାରରେ ମାନ୍ଦା ଅବସ୍ଥା ଉପୁଜିଲା । ଏହାର ଅର୍ଥ ହେଲା କମ ଲାଭ ଏବଂ ଅଧିକ ଋଣ ଖିଲାପ, ବିଶେଷକରି ଘରୋଇ କ୍ଷେତ୍ରର କମ୍ପାନୀମାନଙ୍କ ଦ୍ୱାରା ।

ଯଦିଓ କିି ଋଣପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରାୟତ ବ୍ୟାଙ୍କମାନେ ଖରାପ ନିଷ୍ପତି ନେଇଛନ୍ତି କିନ୍ତୁ ବ୍ୟାଙ୍କ କ୍ଷେତ୍ରରେ ସଙ୍କଟର ପ୍ରମୁଖ କାରଣଟି ବ୍ୟାଙ୍କର ପରିଚାଳନା ଓ ପରିସର ବାହାରେ ହିଁ ରହିଆସିଛି । ଘରୋଇ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ଯାହା ହୁଏନି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ତାହା କହିବା ପାଇଁ ବାଧ୍ୟ କରାଯାଇଛି ଯେମିତିକି ଶକ୍ତି, ଇସ୍ପାତ, ଟେଲିକମ ଏବଂ ବେସାମରିକ ବିମାନ ପରିଚାଳନା ଭଳି ଭିତିଭୂମି ସୃଷ୍ଟି କରିବା ପାଇଁ ଘରୋଇ କମ୍ପାନୀମାନଙ୍କୁ ଅଧିକ ଋଣ ପ୍ରଦାନ କରିବା ପାଇଁ ସରକାର ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି ।

ଘରୋଇ ବ୍ୟାଙ୍କମାନେ ଭିତିଭୂମି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବା ବିପଦପୂର୍ଣ୍ଣ ବୋଲି ବିଚାର କରୁଥିଲେ ଯେହେତୁ ଏହିସବୁ ପ୍ରକଳ୍ପ ପାଇଁ ବୃହତ ଧରଣର ପୁଞ୍ଜି ଲଗାଣ କରିବାକୁ ପଡ଼େ ଏବଂ ସେସବୁ କାର୍ଯ୍ୟକାରୀ ହେବା ପାଇଁ ବହୁତ ସମୟ ଲାଗିଥାଏ । ସ୍ପଷ୍ଟ ଭାବେ କହିଲେ ସରକାରଙ୍କ ନିକଟରେ ନିମ୍ନ ବାଟ ଟି ହିଁ ଅଛି : ହୁଏତ ରାଷ୍ଟ୍ରାୟତ ବ୍ୟାଙ୍କରେ ପୁନଶ୍ଚ ଅର୍ଥଲଗାଣ କରିବେ, ଋଣ ଆଦାୟ କାମଟି ତା ବାଟରେ ଚାଲିଥିବା ବେଳେ ଅବା ସେମାନଙ୍କ ହିସାବ ଖାତାରେ ଉନ୍ନତି ଆଣିବା ପାଇଁ ଅନାଦେୟ ଋଣଗୁଡ଼ିକୁ ହିସାବରୁ ବାହାର କରିଦେବେ ।

ଦୁଇଟି ବାଟ ଭିତରୁ, ଦ୍ୱିତୀୟ ବାଟ ତତ୍କ୍ଷଣାତ ଅଠା ଲଗାଇ କାମ କରିବା ଭଳି କଥାଟିଏ । ଏଠି ମଧ୍ୟ ସମୁଦାୟ ମୂଲ୍ୟଟି ରାଷ୍ଟ୍ର ନିଜେ ବହନ କରିବ । ଏହାଫଳରେ ଘରୋଇ ଋଣ ଖିଲାପକାରୀମାନେ କୌଣସି ସମୀକ୍ଷାର ସମ୍ମୁଖୀନ ହେବେ ନାହିଁ ଏବଂ ସମ୍ଭବତଃ ନିଜର ଗୁଣଗୁଡ଼ିକୁ ସଜାଡ଼ି ଦିଆଯିବ ଏବଂ କେତେ କ୍ଷେତ୍ରରେ ଋଣକୁ ମାଫ୍ ମଧ୍ୟ କରାଯିବ ।

ଅର୍ଥ ମନ୍ତ୍ରଣାଳୟ ନିଶ୍ଚିତ ଭାବେ ଆଶଙ୍କାରେ ଥିବ ଯେ, ଯଦି ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ଘରୋଇ କମ୍ପାନୀମାନଙ୍କ ଋଣ ଛାଡ଼ ପାଇଁ ଚାପ ଦିଆଯାଏ ତାହା ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିବ ଏବଂ ସରକାର ନିଜର ସ୍ଥାବକ କମ୍ପାନୀମାନଙ୍କୁ ଅନୁଗ୍ରହ ଦେଖାଇଛନ୍ତି ବୋଲି ଅଭିଯୋଗ ମଧ୍ୟ ଆସିବ ।

ସେଥିପାଇଁ ସରକାର ଏବଂ ସେମାନଙ୍କର ସାଥୀମାନଙ୍କ ସ୍ୱାର୍ଥକୁ ସୁହାଇଲା ଭଳି ବ୍ୟାଙ୍କ ବାହାରେ ଏବଂ ଲୋକଙ୍କ ଦୃଶ୍ୟ ଆଢ଼ୁଆଳରେ ରହି, ବ୍ୟାଙ୍କମାନଙ୍କୁ ମିଠା କଥା କହି ଯଦି ମନେଇ ଦିଆଯାଏ, ତେବେ ସୁବିଧା ହେବ ବ୍ୟାଙ୍କ ବାହାରେ ଋଣ ସମସ୍ୟାର ସମାଧାନ କରିବା ପାଇଁ ଏପରି କରାଯାଇ ପାରିବ ଯଦି ସରକାରୀ ଉଦ୍ୟୋଗର କମ୍ପାନୀମାନଙ୍କୁ, ଆର୍ଥିକ ଦୁରବସ୍ଥାରେ ଥିବା ଘରୋଇ କମ୍ପାନୀମାନଙ୍କର ଦୁଃସ୍ଥ ସମ୍ପତିଗୁଡ଼ିକୁ କିଣିବା ପାଇଁ ଏବଂ ସେମାନଙ୍କର ଋଣ ବୋଝ ଗୁଡ଼ିକୁ ନିଜ କାନ୍ଧରେ ବୋହିବା ପାଇଁ ବ୍ୟବସ୍ଥା ସୃଷ୍ଟି କରାଯାଏ ।

At the Public Expense EPW May 13, 2017 Vol LII No 19

Leave a Reply

This site uses Akismet to reduce spam. Learn how your comment data is processed.