ସମଦୃଷ୍ଟି

ସେମାନେ ଏକାଠି ଆସିପାରିବେ କି?

ଏହା ସମ୍ଭବ ଯେ ଭାଜପା ବିରୁଦ୍ଧରେ ରାଜନୈତିକ ଦଳମାନେ ଗୋଷ୍ଠୀ ଗଠନ କରି ଜୁଲାଇ ୨୫ରେ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ପୁରିବା ପୂର୍ବରୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏକ ସହମତିଭିତ୍ତିକ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନରେ ଦେଇପାରିବେ । କିନ୍ତୁ ବିହାର ଢାଞ୍ଚାରେ ମହାଗଠବନ୍ଧନର ସୁଯୋଗ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ।

ସବୁ ଭାଜପାବିରୋଧୀ ଭୋଟଗୁଡ଼ିକୁ ଏକାଠି କଲେ ଶାସକଦଳକୁ ପରାଜିତ କରାଯାଇପାରିବ ବୋଲି ମନେ କରାଯାଉଛି । କିନ୍ତୁ ରାଜନୀତିଟି ନିର୍ବାଚନୀ ପାଟୀଗଣିତରେ ସୀମିତ ନୁହଁ । ବିରୋଧୀ ଦଳମାନଙ୍କ ଭିତରେ ଏବଂ ମଧ୍ୟରେ ଅନ୍ତଃଦ୍ୱନ୍ଦ୍ୱ ରହିଛି ଏବଂ ଆଂଚଳିକ ସ୍ୱାର୍ଥ ସହ ଖାପ ଖୁଆଇ ଚାଲିବାରେ ସେମାନଙ୍କର ଅକ୍ଷମତା ରହିଆସିଛି । ତାକୁ ଏକ ଜାତୀୟ ବାଧ୍ୟବାଧକତା ବୋଲି କୁହାଯାଏ ।

ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଅନ୍ତତଃ ନିକଟ ଭବିଷ୍ୟତରେ ବିବ୍ରତ ହେଲାଭଳି କିଛି ନାହିଁ । ଉଦାହରଣସ୍ୱରୂପ, ଉତରପ୍ରଦେଶ(ୟୁପି)ରେ ବହୁଜନ ସମାଜ ପାର୍ଟି (ବି.ଏସ୍.ପି)ର ନେତ୍ରୀ ମାୟାବତୀ ଇଙ୍ଗିତ କରିଛନ୍ତି ଯେ ଯଦି ସମାଜବାଦୀ ପାର୍ଟି (ଏସ୍.ପି.) ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ହୁଏ, ତେବେ ସେହି ଦଳ ସହ ସେତୁ ବାନ୍ଧିବା ପାଇଁ ସେ ମନ ଊଣା କରିବେ ନାହିଁ ।

କିନ୍ତୁ ବାପା ମୁଲାୟମ ସିଂ ଯାଦବ ଏବଂ କକା ଶିବପାଲ ଯାଦବଙ୍କ ତାଙ୍କରି ଉପରେ ଆକ୍ରମଣ ଚାଲିଥିବା ବେଳେ ଅଖିଲେଶ ଏହି ପଦବୀରେ ରହିବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ଏବେ ଦେଖାଯାଉଛି ଯେ ୧୯୯୩ରେ ବି.ଏସ୍.ପି. ସହ କ୍ଷମତାକୁ ଆସିଥିବା ସମାଜବାଦୀ ପାର୍ଟି ଆଜି ୟୁପିରେ ଯେତିକି ଦୁର୍ବଳ ସ୍ଥିତିରେ ଅଛି, ପୂର୍ବରୁ କେବେ ଏଭଳି ସ୍ଥିତି ଆସି ନଥିଲା ।

ଆହୁରି ମଧ୍ୟ ଦେଖିବାକୁ ବାକି ଅଛି ଯେ ୧୯୯୫ ଜୁନ ୨ ତାରିଖରେ ମୁଲାୟମ ଓ ଶିବପାଲଙ୍କ ପ୍ରତି ଆନୁଗତ୍ୟ ଥିବା ଗୁଣ୍ଡାମାନଙ୍କ ଦ୍ୱାରା ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାକୁ ମାୟାବତୀ ଭୁଳିପାରୁଛନ୍ତି କି ନାର୍ହିଁ ।

ମାୟାବତୀଙ୍କ ଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସି.ପି.ଆଇ(ଏମ୍)ନେତୃତ୍ୱରେ ଚାଲିଥିବା ବାମ ସାମ୍ମୁଖ୍ୟ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ରହିଆସିଛି । ୧୯୯୧ରେ ସି.ପି.ଏମ୍. ସମର୍ଥିତ ଲଫଙ୍ଗାମାନଙ୍କର ତାଙ୍କ ଉପରେ ହେଇଥିବା ଆକ୍ରମଣକୁ ସେ ଭୁଲି ପାରିବେନି, ଯେଉଁଥିରେ ତାଙ୍କ ମୁଣ୍ଡକୁ ଆଘାତ କରାଯାଇଥିଲା ।

ତଥାପି ଆଜି ରାଜ୍ୟରେ ଏବଂ କେନ୍ଦ୍ରରେ ଉଭୟ ସ୍ଥାନରେ ସି.ପି.ଏମ୍. ଏବଂ ତୃଣମୂଳ କଂଗ୍ରେସର ପ୍ରମୁଖ ବିରୋଧୀ ହେଉଛି ଭାଜପା । ଯଦିବି କେନ୍ଦ୍ରୀୟ ସ୍ତରରେ ଗୋଟିଏ ଗଠବନ୍ଧନ ତିଆରି ହୁଏ, ତେବେ ୨୦୧୯ ଲୋକସଭା ନିର୍ବାଚନରେ ସି.ପି.ଏମ୍. ଓ ତୃଣମୂଳ କଂଗ୍ରେସ ପରସ୍ପର ବିରୁଦ୍ଧରେ ପାର୍ଥୀ ଦେବେ ନାହିଁ କି? ତାହା ଏକ ମୁକ୍ତ ପ୍ରଶ୍ନ ବୋଲି କୁହାଯାଇପାରେ ।

ତାମିଲନାଡ଼ୁରେ ଯେତେବେଳେ ଏ.ଆଇ.ଡି.ଏମ୍.କେ ଏକ ଅବ୍ୟବସ୍ଥା ଦେଇ ଗତି କରୁଛି, ଭାଜପା ସେଠି ନିଜର ବାଟ ଖୋଲିବା ପାଇଁ ପ୍ରୟାସ କରୁଛି । ଏ.ଆଇ.ଡି.ଏମ୍.କେ. ନିଜର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଡି.ଏମ୍.କେ. ସହ ଦୂରତାକୁ ହ୍ରାସ କରିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ ।

ଓଡ଼ିଶାରେ ଚତୁର୍ଥଥର ପାଇଁ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ପଛରେ ପଡ଼ିଛି ଭାରତୀୟ ଜନତା ପାର୍ଟି । ନବୀନଙ୍କ ପାଇଁ କଂଗ୍ରେସ ସହ ଗଠବନ୍ଧନର ଅର୍ଥ କିଛି ନାହିଁ (ଯେଉଁମାନେ ଯେମିତି ହେଲେ ବି ଯେକୌଣସି ଭାଜପାବିରୋଧୀ ଗଠବନ୍ଧନରେ ରହିବେ) ଯେହେତୁ ସେଭଳି ଏକ ପଦକ୍ଷେପ ଭାଜପା ସପକ୍ଷରେ ଭୋଟ ସବୁ ଏକାଠି କରିବ ।

କେରଳରେ ମଧ୍ୟ କଂଗ୍ରେସ ଓ ବାମ ଦଳ ନିଜର ‘ବଡ଼ ଶତ୍ରୁ’ ବିରୁଦ୍ଧରେ ଏକାଠି ହୋଇପାରିବେ ନାହିଁ । ୧୯୬୭, ୧୯୭୭ ଏବଂ ୧୯୮୯ରେ ଜାତୀୟ ସ୍ତରରେ କଂଗ୍ରେସ ବିରୁଦ୍ଧରେ ବଳିଷ୍ଠ ଗଠବନ୍ଧନ ସବୁ ଥିଲା । ସମାଜବାଦୀ ରାମ ମନୋହର ଲୋହିଆ ଏବଂ ମଧୁ ଲିମାୟେଙ୍କ ନେତୃତ୍ୱରେ, ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀ (ଯାହାର ପ୍ରତିନିଧିତ୍ୱ ଜନସଂଘ କରୁଥିଲେ) ଏକାଠି ହେଇ ୧୯୬୭ରେ ଉତରଭାରତରେ ପରାଜିତ କରିଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ୧୯୭୫ରେ ଥୋପାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପରେ, କଂଗ୍ରେସ ବିରୋଧୀ ଶକ୍ତିମାନେ ମେଳି ବାନ୍ଧି ମାର୍ଚ୍ଚ ୧୯୭୭ରେ ତାଙ୍କ ସରକାରକୁ ପରାଜିତ କରିଥିଲେ । ସେହିଭଳି ବିଶ୍ୱନାଥ ପ୍ରତାପ ସିଂ ବାମ ଓ ଦକ୍ଷିଣପନ୍ଥୀଙ୍କୁ ଏକାଠି କରି ୧୯୮୯ ମସିହାରେ ରାଜିବ ଗାନ୍ଧୀ ସରକାରଙ୍କୁ ପରାଜିତ କରିଥିଲେ । କିନ୍ତୁ ସେତେବେଳର ପରିସ୍ଥିତି ଏବଂ ଏବକାର ପରିସ୍ଥିତିରେ ଭିତରେ ପ୍ରଭେଦ ଅଛି ।

ଇତିହାସ ଆମକୁ କହେ ଯେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନଥାଇ ବ୍ୟକ୍ତିତ୍ୱ ଉପରେ ମାତ୍ରାଧିକ ଗୁରୁତ୍ୱ ଆରୋପ କରିବା କେବଳ କ୍ଷଣସ୍ଥାୟୀ ନୁହେଁ, ବରଂ ଓଲଟାଫଳ ମଧ୍ୟ ଦେଇପାରେ । ଉଦାହରଣସ୍ୱରୂପ ୨୦୦୪ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ୟୁ.ପି.ଏ. ଗଠବନ୍ଧନ କ୍ଷମତାକୁ ଆସିଥିଲା ଯଦିଓ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱକୁ ଉତମଭାବେ ଏବଂ ବ୍ୟାପକ ଅଂଚଳରେ ଗ୍ରହଣ କରାଯାଇଥିଲା ।

ବିଫଳତା ଆସିଥିଲା, ସମ୍ଭବତଃ ଏଇଥିପାଇଁ କି ଯେ ନିଜର ‘ଭାରତ ଉଦୟ’ ଅଭିଯାନକୁ ନେଇ ଶାସକ ଗଠବନ୍ଧନ ଏକ ଭ୍ରମରେ ରହୁଥିଲେ । କଂଗ୍ରେସମୁକ୍ତ ଭାରତ ନିର୍ମାଣ ପାଇଁ ମୋଦୀଙ୍କ ପ୍ରିୟ ସ୍ୱପ୍ନ ସମ୍ପୂର୍ଣ୍ଣ ଭାବେ କାମ କରିପାରି ନାହିଁ । ଯଦିବି କଂଗ୍ରେସ ୨୦୧୮ ମସିହା ନିର୍ବାଚନରେ କର୍ଣ୍ଣାଟକରେ ପରାଜୟ ବରଣ କରେ, ଏହି ଦଳର ସ୍ଥିତି ରାଜସ୍ଥାନ ଏବଂ ବୋଧହୁଏ ଛତିଶଗଡ଼ରେ ମଧ୍ୟ ଭଲ ଅବସ୍ଥାକୁ ଆସିପାରେ ।

ଭାରତର ସବୁଠାରୁ ପୁରୁଣା ଓ ବଡ଼ ଦଳଟି ନୈରାଶ୍ୟଜନକ ସ୍ଥିତିରେ ଅଛି ଏବଂ ସେଥିପାଇଁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପାବିରୋଧୀ ଗଠବନ୍ଧନ ପାଇଁ ସେମାନଙ୍କର ଆଗ୍ରହ ରହିବ । କିନ୍ତୁ କଂଗ୍ରେସ ବେପରୱା ଚିନ୍ତାରେ ନିମଗ୍ନ ରହିପାରେ । ଯଦି କଂଗ୍ରେସ କୌଣସି ଭାଜପା ବିରୋଧୀ ଗଠବନ୍ଧନରେ ନରହେ, ତେବେ ଏମିତି କିଏ ଅଛି ଯିଏ ଅଣ-ଭାଜପା ଓ ଅଣ-ୟୁପିଏ ‘ତୃତୀୟ ସାମ୍ମୁଖ୍ୟ’ ସମ୍ଭବ ବୋଲି ଭାବିପାରିବ?

ପୁଣି ଆମେ ଦେଖୁଛୁ, ଉତର ଅପେକ୍ଷା ପ୍ରଶ୍ନଗୁଡ଼ିକର ସଂଖ୍ୟା ଅଧିକ ।

ଏହା ସହଜ ଲାଗୁନାହିଁ ଯେ ବିହାର ଭଳି ମହାଗଠବନ୍ଧନ ଅନ୍ୟ ରାଜ୍ୟରେ ଦୋହରାଇ ହେବ । କିନ୍ତୁ ଏହାର ଅର୍ଥ ନହେଉ ଯେ ଭାଜପାର ସଂଖ୍ୟାଗରିଷ୍ଠ ଏବଂ ସାମ୍ପ୍ରଦାୟିକ ରାଜନୀତିକୁ ବିରୋଧ କରୁଥିବା ବହୁରଙ୍ଗୀ ଦଳଗୁଡ଼ିକ ନିଜକୁ ନିରାଶା ଭିତରକୁ ଠେଲି ଦେବେ ଏବଂ ମୋଦୀଙ୍କ ରଥର ଗତିରୋଧ କରିବା ପାଇଁ ନୀତି ବା କାର୍ଯ୍ୟକ୍ରମ ତିଆରି କରିବେ ନାହିଁ ।

ପ୍ରଥମଥର ପାଇଁ ଭାରତରେ ଗୋଟିଏ ବିଚାରରେ ସଂହତି ଥିବା ବିରାଟ ଦଳ ଆଗକୁ ଆସିଛି ଯାହାର ନିଜସ୍ୱ ସଦସ୍ୟ ସଂଖ୍ୟା ଲୋକସଭାରେ ସର୍ବାଧିକ । ଯଦିଓ ବ୍ୟକ୍ତିତ୍ୱମାନଙ୍କର ଗୁରୁତ୍ୱ ରହିଛି ତେବେ ରାଜନୀତି ସେମାନଙ୍କୁ ଅତିକ୍ରମ କରି ଆଗକୁ ଯିବାକୁ ହେବ ।

ଭାଜପାକୁ ଫଳପ୍ରଦ ଭାବେ ମୁକାବିଲା କରିବାକୁ ହେଲେ, ବିରୋଧୀମାନଙ୍କୁ ଭାରତ ପାଇଁ ଏକ ବିକଳ୍ପ ଦର୍ଶନର ଚିନ୍ତନ କରିବାକୁ ପଡ଼ିବ ଏବଂ ତା’ ସହିତ ଭିନ୍ନ ନୀତି ଓ କାର୍ଯ୍ୟକ୍ରମର ପରିକଳ୍ପନା କରିବାକୁ ପଡ଼ିବ ।

Can They Come Together? EPW May 13, 2017 Vol LII No 19

Leave a Reply