ସମଦୃଷ୍ଟି

ନୂତନ ସିଲକ୍ ପଥ

ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଆଖ୍ୟା ପାଇବା ପରେ, କମ ସମୟରେ ଶୀର୍ଷରେ ପହଞ୍ôଚବା ପାଇଁ ଚୀନ୍ ଯେମିତି ବଦ୍ଧ ପରିକର । ଏକ ବଡ଼ ଧରଣର ରଣକୌଶଳର ଅଂଶ ସ୍ୱରୂପ ନିଜର ସମୃଦ୍ଧିର ପଥକୁ ବିନିଯୋଗ କରି ଚୀନ୍ ଏହି ସ୍ଥାନରେ ପହଞ୍ôଚବା ପାଇଁ ଚାହୁଁଛି, ଯେଉଁ ରଣକୌଶଳରେ ଅଛି ଭୌଗୋଳିକ ରାଜନୀତି ଏବଂ ପ୍ରତିଯୋଗିତାମୂଳକ ଅର୍ଥନୀତିରେ ଆଗୁଆ ରହିବାର ଲକ୍ଷ୍ୟ ।

ମେ ୧୪-୧୫ ଦୁଇଦିନ ଧରି ବେଜିଂ ଠାରେ ‘ବେଲ୍ଟ ଏବଂ ରୋଡ଼ ଫୋରମ ଫର ଇଣ୍ଟରନ୍ୟାସନାଲ କୋଅପରେସନ୍’ ସମ୍ମିଳନୀରେ ୧୦୦ଟି ଦେଶର ପ୍ରତିନିଧିଙ୍କ ସହ ୨୮ଟି ରାଷ୍ଟ୍ର ବା ସରକାରର ମୁଖ୍ୟ ଏବଂ ଅନେକ ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନ ଭାଗ ନେଇଥିଲେ ।

ସେହି ସମ୍ମିଳନୀରେ ସିଲକ ରୋଡ଼ ଇକୋନୋମିକ ବେଲଟ ଏବଂ ଏକବିଂଶ ଶତାବ୍ଦୀର ସାମୁଦ୍ରିକ ସିଲକ ରୋଡ଼ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା ଯାହାର ଅନ୍ୟ ଏକ ନାମ ଥିଲା ବେଲଟ ଏଣ୍ଡ ରୋଡ଼ ଇନିସିଏଟିଭ୍ (ବି.ଆର୍.ଆଇ) ବା ଗୋଟିଏ ବେଲ୍ଟ, ଗୋଟିଏ ପଥ ।

ବି.ଆର.ଆଇ ହେଉଛି ଗୋଟିଏ ବିଶାଳ ଅନ୍ତଃରାଷ୍ଟ୍ରୀୟ ବିକାଶ ପ୍ରକଳ୍ପ ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି, ଅନେକ ସଡ଼କ ପଥ, ରେଲ ପଥ ଏବଂ ବନ୍ଦର ଯାହା ଚୀନ୍ର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ବିଭିନ୍ନ ବାଟ ଦେଇ ୟୁରୋପ ସହ ସଂଯୋଗ କରାଇବ । ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଜାପାନ ଓ ତୃତୀୟ ବୃହତ୍ତମ ଅର୍ଥନୀତି ଭାରତ କିନ୍ତୁ ଏହି ମଞ୍ଚଟିକୁ ବାସନ୍ଦ କରିଥିଲେ ।

ନିଜର ‘ସାର୍ବଭୌମତା ଓ ଭୌଗୋଳିକ ଅଖଣ୍ଡତା’କୁ ନେଇ ଭାରତ ଆତୁର ଥିଲା । ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ, ଅବଶ୍ୟ ସିଲକ ପଥକୁ ନେଇଥିବା ଐତିହାସିକ ସ୍ମୃତିର ରୋମନ୍ଥନ କରିଥିଲେ । ଖ୍ରୀଷ୍ଟପୂର୍ବ ୧୫୦ବର୍ଷରୁ ଖ୍ରୀଷ୍ଟଜନ୍ମ ପର ୧୪୫୦ ମସିହା ଯାଏଁ ଏହି ସିଲକ ପଥ ଏସିଆ ମହାଦେଶର ପୂର୍ବରୁ ପଶ୍ଚିମ, ଜାପାନ ଓ କୋରିଆ ଅନ୍ତରୀପ ଠାରୁ ଭୂମଧ୍ୟ ସାଗର ଯାଏଁ ସଂଯୋଗ ସ୍ଥାପନ କରିଥିଲା ।

ଲୋଭନୀୟ ସିଲକ୍ର ବାଣିଜ୍ୟରୁ ହିଁ ଏହି ସଡ଼କର ଏପରି ନାମକରଣ ହୋଇଥିଲା । ଏହି ବାଣିଜ୍ୟର ଅନ୍ୟ ଏକ ପରିଣତି ଥିଲା ସାଂସ୍କୃତିକ ଓ ବୈଷୟିକ ଜ୍ଞାନର ପ୍ରସାର । ସିଲକ୍ ପଥକୁ ଅଧିକ ଆଦୃତ କରାଇବା ପାଇଁ ଯାଇ ହିଁ ଯେଉଁ ଉପକାରଗୁଡ଼ିକ ଜି’ କହିଥିଲେ ତାହା ଥିଲା, ‘ପରସ୍ପରଠୁ ଶିଖିବା ଓ ପରସ୍ପରକୁ ଉପକୃତ କରାଇବା’, ‘ନିଜକୁ ଉନ୍ମୁକ୍ତ କରିବା ଏବଂ ସମସ୍ତଙ୍କୁ ସମ୍ପୃକ୍ତ କରାଇବା ।’

ସେ ନୂତନ ସିଲକ୍ ପଥ ବା ବି.ଆର.ଆଇକୁ ‘ଶତାବ୍ଦୀର ପ୍ରକଳ୍ପ’ ଘୋଷଣା କରିଥିଲେ । ତେବେ ଏହି ପ୍ରକଳ୍ପର ବଜାର ଦିଗଟିକୁ ଛାଡ଼ିଦେଲେ, ଏଥିରେ ଅନ୍ତର୍ନିହିତ ଥିବା ଭୌଗୋଳିକ ରାଜନୀତି ଏବଂ ରାଜନୈତିକ ଅର୍ଥନୀତିକୁ ବୁଝିବାକୁ ପଡ଼ିବ । ଗୋଟିଏ ସମୁଦ୍ର ପଥ ଓ ଛଅଟି କରିଡ଼ରକୁ ନେଇ ବି.ଆର.ଆଇ.ର ଭୌଗୋଳିକ ଢାଞ୍ଚାଟି ପ୍ରସ୍ତୁତ କରାଯାଇଛି ।

ଏହି ଛଅଟି କରିଡ଼ର ଭିତରେ ଅଛି, ପଶ୍ଚିମ ଚୀନ୍ରୁ ପଶ୍ଚିମ ରୁଷଯାଏଁ ପଥ; ଉତ୍ତର ଚୀନରୁ କେନ୍ଦ୍ରୀୟ ଓ ପଶ୍ଚିମ ଏସିଆ ଦେଇ ତୁର୍କୀ ଯାଏଁ ପଥ, ଦକ୍ଷିଣ ଚୀନ୍ରୁ ଇଣ୍ଡୋ ଚୀନ୍ ଦେଇ ସିଙ୍ଗାପୁର ଯାଏଁ ପଥ ଏବଂ ଦକ୍ଷିଣ ଚୀନ୍ରୁ ବାଙ୍ଗଲାଦେଶ ଓ ମିୟାଁମାର ଦେଇ ଭାରତ ଯାଏଁ ଏକପଥ । ସାମୁଦ୍ରିକ ସିଲକ ପଥଟି ଚୀନ୍ ଉପକୂଳରୁ ବାହାରି ଭୂମଧ୍ୟ ସାଗର ଯାଏଁ ଯିବ ଏବଂ ତା’ର ଗତିପଥରେ ପଡ଼ିବ ସିଙ୍ଗାପୁର, ମାଲେସିଆ, ଭାରତ ମହାସାଗର, ଆରବ ସାଗର, ହରମୁଜ୍ ପ୍ରଣାଳୀ ଇତ୍ୟାଦି ।

ବି.ଆର.ଆଇର ଭୌଗୋଳିକ ରାଜନୀତି ଏବଂ ରାଜନୈତିକ ଅର୍ଥନୀତି ତା ହେଲେ କଣ ରହିଛି? ବି.ଆର୍.ଆଇ.କୁ ବିଶ୍ୱ ଅର୍ଥନୀତିରେ ଆମେରିକାର ଥିବା ସ୍ଥାନ ପ୍ରତି ଏକ ବଡ଼ ଆହ୍ୱାନ ରୂପରେ ଆମେରିକା ଦେଖୁଛି, ଯେହେତୁ ବିଶ୍ୱ ଅର୍ଥନୀତିର ନେତୃତ୍ୱ ଆସନ ଚୀନ୍ ଆମେରିକା ଠାରୁ ନେବାପାଇଁ ପ୍ରୟାସ କରୁଛି ।

ଆମେରିକାର କନିଷ୍ଠ ସାଥି ଦ୍ୱୟ ଜାପାନ ଓ ଭାରତ ଯେଉଁମାନେ ଏହି କାର୍ଯ୍ୟକ୍ରମଟିରେ ଯୋଗ ଦେଇନାହାଁନ୍ତି, ଚୀନ୍ର ଆଞ୍ଚଳିକ ଶକ୍ତି ହିସାବରେ ଆବିର୍ଭାବ ହେବା କଥାକୁ ହଜମ କରିପାରୁ ନାହାଁନ୍ତି । ଅଧିକନ୍ତୁ, ଭାରତ ଏହି କଥାଟିର ତୀବ୍ର ବିରୋଧ କରିଆସିଛି ଯେ ଗୋଟିଏ ସିଲକ୍ କରିଡ଼ର ତଥା ଚୀନ୍ – ପାକିସ୍ଥାନ ଅର୍ଥନୈତିକ କରିଡ଼ର ପାକ ଅଧିକୃତ କାଶ୍ମିର ଦେଇ ଗତି କରୁଛି ଯାହା ଉପରେ ଭାରତ ନିଜର ଦାବୀ ଜାହିର କରିଆସିଛି ।

ଶୀତଳ ଯୁଦ୍ଧର ପରବର୍ତ୍ତୀ କାଳରେ, ଦେଶ, ଅଞ୍ଚଳ, ସମ୍ବଳ (ମୁଖ୍ୟତଃ ତେଲ ଓ ଗ୍ୟାସ) ଏବଂ ସମୁଦ୍ର, ବନ୍ଦର, ପୋତାଶ୍ରୟ ଇତ୍ୟାଦି ବିଶ୍ୱର ପ୍ରମୁଖ ଭୌଗୋଳିକ ସ୍ଥାନଗୁଡ଼ିକୁ ନିଜ ଦଖଲକୁ ନେବା ପାଇଁ ଆମେରିକା ନିରବଚ୍ଛିନ୍ନ ଭାବେ ନିଜର ଛଳ ଓ ଖେଳ ଚାଲୁ ରଖିଛି । ଆମେରିକା ନିଜର ମୁଖ୍ୟ ପ୍ରତିଦ୍ୱନ୍ଦି ଭାବରେ ରୁଷିଆ, ଚୀନ୍ ଏବଂ ଜର୍ମାନୀ ନେତୃତ୍ୱରେ ପରିଚାଳିତ କିଛି ୟୁରୋପୀୟ ରାଷ୍ଟ୍ରକୁ ଦେଖୁଛି ।

ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଯେତିକି ଅର୍ଥ ଖର୍ଚ୍ଚ କରୁଛି କୌଣସି ବି ପ୍ରତିଦ୍ୱନ୍ଦ୍ୱୀ ଏକା ବା ମିଳିତ ଭାବେ ନିକଟ ଭବିଷ୍ୟତରେ, ତା’ର ସମକକ୍ଷ ହେଇପାରିବେ ନାହିଁ । ୨୦୦୩ର ଇରାକ ଯୁଦ୍ଧ ଏବଂ ତା’ର ପରବର୍ତ୍ତୀ ଘଟଣାକ୍ରମ ସୂଚୀତ କରୁଛି କେମିତି ଆମେରିକା ୟୁରୋସିଆ
(ୟୁରୋପ ଓ ଏସିଆ ଭିତରେ କିଛି ପ୍ରାଚୀର ନଥାଇ ଥିବା ସମଗ୍ର ଭୂମି)ର ମାନଚିତ୍ରକୁ ବଦଳାଇବା ପାଇଁ ସାମରିକ ପ୍ରକ୍ରିୟାରେ ବ୍ୟସ୍ତ ରହିଆସିଛି ।

ବିଶେଷ ଆଗ୍ରହର ବିଷୟ ରହିଆସିଛି ଦକ୍ଷିଣ-ମଧ୍ୟ ୟୁରୋସିଆ ଯାହା ଭିତରେ ଅଛି, ପାରସ୍ୟ ଉପସାଗର, କାସ୍ପିଆନ୍ ସାଗର ଅଞ୍ଚଳ ଏବଂ କେନ୍ଦ୍ର ଏସିଆ ଚାରିପଟେ ଥିବା ଦେଶଗୁଡ଼ିକ । ପୂର୍ବ ସୋଭିଏତ ସଂଘର ଶୀତଳ ଯୁଦ୍ଧରେ ପରାଜୟ ପରେ ଦକ୍ଷିଣ-କେନ୍ଦ୍ରୀୟ ଏସିଆରେ ଆମେରିକା ପ୍ରତିଷ୍ଠା କରିଥିବା ସାମରିକ ଘାଟିଗୁଡ଼ିକୁ ଜଣେ କେବଳ ଗଣିବା କଥା ।

ଆମେରିକୀୟ ସାମ୍ରାଜ୍ୟବାଦ ଦକ୍ଷିଣ-ମଧ୍ୟ ୟୁରୋସିଆ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବା ସହ, ଚୀନ୍ର ଅର୍ଥନୈତିକ ଅଭ୍ୟୁଦୟ ଏବଂ ଏସିଆର ଆଞ୍ଚଳିକ ଶକ୍ତି ହିସାବରେ ଉପରକୁ ଉଠିବାର ପ୍ରୟାସ ଉପରେ ଆଙ୍କୁଶ ଲଗାଇବା ପାଇଁ ମଧ୍ୟ ଆମେରିକା ଚେଷ୍ଟିତ । ୨୦୧୧ ମସିହାରେ ନିଜର ‘ଏସିଆର ପ୍ରମୁଖ ଆଧାର’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକା ନିଜ ରଣକୌଶଳ ଭିତରେ ଯେଉଁମାନଙ୍କୁ ଛନ୍ଦି ଦେଲା ସେ ଭିତରେ ରହିଲେ ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ।

ଉଦ୍ଦେଶ୍ୟ ରହିଲା ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ସାମରିକ ପହଞ୍ଚକୁ ସୁଦୃଢ଼ କରାଇବା । ଆମେରିକାର ପ୍ରତିରକ୍ଷା ଖର୍ଚ୍ଚର ପାଞ୍ଚ ଭାଗରୁ ଏକ ଭାଗ ସହ ମଧ୍ୟ ଚୀନ୍ ସମତୁଲ ହେଇପାରିବ ନାହିଁ । ସର୍ବୋପରେ ଅଛନ୍ତି ଆମେରିକା ମିତ୍ରମାନେ ଯଥା ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ସମେତ ଦକ୍ଷିଣ କୋରିଆ ଓ ତାଇୱାନ । ଏଥିସହିତ ଅଛି ବିଶ୍ୱବ୍ୟାପୀ ଆମେରିକୀୟ ସାମରିକ ଘାଟି ସମୁହ (ଚୀନ୍ର ଗୋଟିଏ ବି ନାହିଁ) ।

ସେଥିପାଇଁ ଅନ୍ତଃରାଷ୍ଟ୍ରୀୟ ଆର୍ଥିକ ସହଯୋଗ ମାଧ୍ୟମରେ ସମଗ୍ର ୟୁରୋସିଆକୁ ଚୀନ୍ ବିଜୟ କରିବା ପାଇଁ ଚାହୁଁଛି ଯାହାକୁ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟବାଦୀ ଶକ୍ତି ବହୁଧା ବିଭକ୍ତ ଓ ନିଜ ଉପରେ ନିର୍ଭରଶୀଳ କରାଇ ଆସିଛି । ଏତଦ୍ ବ୍ୟତୀତ ବି.ଆର୍.ଆଇ. ପ୍ରକଳ୍ପ ପାଇଁ ଚାହିଦା ବଢ଼ିବା ବେଳେ ଚୀନ୍ ନିଜର ଇସ୍ପାତ କ୍ଷେତ୍ର ଭଳି ଘରୋଇ କ୍ଷେତ୍ରର ମାତ୍ରାଧିକ ଉତ୍ପାଦନ ଜନିତ ସମସ୍ୟାକୁ ସମାଧାନ କରିବା ପାଇଁ ସୁଯୋଗ ମଧ୍ୟ ପାଇବ ।

ଗୋଟିଏ କଥା ଗୁରୁତ୍ୱାରୋପ କରିବା କଥା ଯେ, ଚୀନ୍ର ରାଜନୈତିକ ନେତୃତ୍ୱ ରାଷ୍ଟ୍ରକୁ ନିୟନ୍ତ୍ରଣ କରିବା ପାଇଁ ପୁଞ୍ଜିକୁ ଅବସର ଦେଇନଥାଏ ଏବଂ ତଥାପି ସମ୍ପଦର ଉତ୍ପାଦନ ପାଇଁ ବଜାରକୁ ବ୍ୟବହାର କରିଥାଏ । ଚୀନ୍ର ଅଭ୍ୟୁଦୟକୁ ସଙ୍କୁଚିତ କରିବା ପାଇଁ ଆମେରିକାର ପ୍ରୟାସ ସାମ୍ନାରେ ଚୀନ୍ର ନେତୃତ୍ୱ ଅତୁଳନୀୟ ।

ବି.ଆର.ଆଇ ହେଉଛି ଭୌଗୋଳିକ ରାଜନୀତି ଦୃଷ୍ଟିରୁ ଏକ ବଡ଼ ଧରଣର ଚତୁର ପ୍ରୟାସ ଏବଂ ଏହାର ଅନ୍ତର୍ନିହିତ ରାଜନୈତିକ ଅର୍ଥନୀତିକୁ ଯଦି ଦେଖାଯାଏ, ଆଡ଼ାମ୍ ସ୍ମିଥ୍ ଏବଂ ଜନ୍ କିନସଙ୍କର ମୂଳ ବିଚାରଗୁଡ଼ିକ ସତେ ଯେମିତି ବେଜିଂରେ ବଞ୍ôଚ ରହିଛନ୍ତି ଏବଂ ଭଲରେ ଅଛନ୍ତି ଏଭଳି ମନେ ହେବ ।

The New Silk Road EPW May 20, 2017 Vol LII No 20

Leave a Reply

This site uses Akismet to reduce spam. Learn how your comment data is processed.