• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ରଘୁନାଥ ପାଣିଗ୍ରାହୀ ; ଗାୟନ ଓ ଜୀବନ କୁ ନେଇ କେତୋଟି କଥା

August 21, 2017 by ଓଡିଶା ଡଟ କମ 2 Comments

odi2

କେଦାର ମିଶ୍ର

ଫଟୋ- ସଂଜୟ କାନୁନଗୋ

କେବେ ସକାଳୁ ଉଠି ତାଂକ ସ୍ଵରରେ ଗୀତ ଗୋବିନ୍ଦ ଶୁଣିଛନ୍ତି ? କେବେ ଭାବିଛନ୍ତି ତାଂକ ଗୀତରେ କି ଭାବ ଥାଏ ଯାହା ଜାତି, ଧର୍ମ ଓ ଜାତୀୟତାର ସୀମାରେଖା ଲିଭେଇ ଦେଇ ଏକ ବିଶୁଦ୍ଧ ଭାବ ରାଜ୍ୟର ନିର୍ମାଣ କରେ ?

ସେ ଗାଉଥିବା ଗୀତ ହୁଏତ ହିନ୍ଦୁ ଧର୍ମର ଏକ ବହୁ ଚର୍ଚିତ ଶାସ୍ତ୍ରରୁ ଆସିଛି, ହେଲେ ସେ ଗୀତରେ ଯେଉଁ ପ୍ରେମର ଅନୁଭବ ତାର ଧର୍ମ ହେଉଛି ମାନବିକତା। ତାଂକ ଗୀତ ଶୁଣି ଓଡିଆ ଶ୍ରୋତା ଯେତିକି ମୁଗ୍ଧ ହୁଏ, ତାଂକ ସୁରର ଯାଦୁକରୀରେ ତେଲୁଗୁ ଓ ତାମିଲ୍ ଶ୍ରୋତା ମଧ୍ୟ ସେତିକି ମୋହିତ ହୁଅନ୍ତି।

ତାଂକ ଗୀତର ମୋହନ ଶକ୍ତି ପ୍ରାୟ ଗୋଟେ ଦଶନ୍ଧି ଧରି ଇଟାଲୀ ର ଖ୍ୟାତନାମା ନାଟ୍ୟଶିଳ୍ପୀ ଇଉଜିନିଓ ବାର୍ବା ଓ ତାଂକର ସାଥୀ ମାନଂକୁ ମଧ୍ୟ ପ୍ରଭାବିତ କରିଥିଲା ।

ସାରା ଭାରତର ଶ୍ରୋତା ତାଂକର ଗୀତ ଗୋବିନ୍ଦର ମଧୁର ପରିବେଷଣରେ ମୁଗ୍ଧ ଥିବା ବେଳେ, ଷାଠିଏ ଦଶକରେ ସେ ଥିଲେ ତାମିଲ୍ ଓ ତେଲୁଗୁ ସିନେମାର ଚର୍ଚିତ ଗାୟକ। ଓଡିଆ ସିନେମା ଓ ରେଡିଓରେ ତାଂକର ସ୍ଵର ଥିଲା ଏକ ପ୍ରକାର କୁହୁକ ପରି ।

“ସୁଷମା ଗୋ ତୁମ ଅଂଗେ ଅଂଗେ ଭରା ମଧୁ ଜୋଛନା”, “ନ ଯା ରାଧିକା ଏକା ଏକା” କିମ୍ବା “ପକା କମ୍ବଳ ପୋତ ଛତା “ ଭଳି ଲୋକପ୍ରିୟ ଓଡିଆ ଗୀତ ତାଂକୁ ଓଡିଶାର ଘରେ ଘରେ ପରିଚିତି ଦେଇଥିଲା ।

od1
ସେ ଗାୟକ ଭାବରେ ଓଡିଶାର ଏକମାତ୍ର ତାରକା, ଯାହାଂକୁ ଭାରତର ପ୍ରାୟ ସବୁ ମହାନ ସଂଗୀତଜ୍ଞ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ତାଂକ ସୁର ଓ ଲୟ ଆଗରେ ବହୁ ବହୁ ମହାନ ହସ୍ତୀ ନତ ମସ୍ତକ ହେବାର ଆମେ ଦେଖିଛୁ ଓ ତାଂକ ଓଡିଆ ପରିଚୟକୁ ଗର୍ବର ସହ ଛାତିରେ ଝୁଲେଇଛୁ ।

ସେ ଅନନ୍ୟ ଓ ଅତୁଳନୀୟ ସୁରଶିଳ୍ପୀ ଆଉ କେହି ନୁହନ୍ତି, ସେ ସୁରମଣି ରଘୁନାଥ ପାଣିଗ୍ରାହୀ । ତାଂକ ଗୀତ ଗୋବିନ୍ଦ ଗାୟନର ସ୍ଵତନ୍ତ ଶୈଳୀ ଓ ଶୁଦ୍ଧତା ପାଇଁ ମହାନ ଅଭିନେତା ପୃଥ୍ଵୀରାଜ କପୁର ରଘୁନାଥଂକୁ ଶ୍ରଦ୍ଧା ରେ ଡାକୁଥିଲେ ଗୀତ ଗୋବିନ୍ଦ ପାଣିଗ୍ରାହୀ।

ଓଡିଶୀ ଗାୟନ ପରମ୍ପରାରେ ସେ ଥିଲେ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ। ୧୯୮୨ ରେ ଫ୍ରାନ୍ସ୍ ସରକାର ତାଂକୁ ଗ୍ରାଂ ପ୍ରିକସ୍ ପୁରସ୍କାର ଦେବାର ପ୍ରାୟ ପଚିଶ ବର୍ଷ ପରେ ଭାରତ ସରକାର ତାଂକୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ , ଅଥଚ ସେ ଥିଲେ ସବୁ ସମ୍ମାନର ବହୁ ଉପରେ।

ଓଡିଆ ଓ ଓଡିଶୀ ଜୀବନର ଏହି ମହାନାୟକ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମ ଜୀବନ ଓ କଳା କୁ ନେଇ କେତୋଟି ମଂଜ କଥା-

୧. କୋରାପୁଟ୍ ଜିଲ୍ଲାର ଛୋଟିଆ ସହର ଗୁଣୁପୁର ରେ ରଘୁନାଥ ଜନ୍ମ ନେଇଥିଲେ ୧୦ ଅଗଷ୍ଟ ୧୯୩୨ ରେ । ବାପା ନୀଳମଣି ପାଣିଗ୍ରାହୀ ଥିଲେ ସୌଖିନ୍ ଗାୟକ। ଘରେ ସଂଗୀତର ଚର୍ଚା ଓ ସାଧନା ର ବାତାବରଣ ରହିଥିଲା ।

ଗୁଣପୁର ଓ ପୁରୀରେ ପ୍ରାଥମିକ ସଂଗୀତ ଶିକ୍ଷା ପରେ ସେ ମାଦ୍ରାସ ଯାଇଥିଲେ ସଂଗୀତରେ ଅଧିକ ତାଲିମ୍ ପାଇଁ।

odi3୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା ।

ତା ପୂର୍ବରୁ ସେ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଓଡିଶୀ, କର୍ନାଟକୀ ଓ ହିନ୍ଦୁସ୍ତାନୀ- ତିନୋଟି ଯାକ ସଂଗୀତ ଶୈଳୀର ସେ ଥିଲେ ଜ୍ଞାତା ।

୩. ମାଦ୍ରାସ୍ ରଘୁନାଥଂକୁ ଗୋଟେ ବଡ ସୁଯୋଗ ଦେଇଥିଲା ।ଷାଠିଏ ଦଶକରେ ଘଣ୍ଟଶାଳା ଓ ପି.ବି.ଶ୍ରୀନିବାସଂକ ପରି ମହାନ ସଂଗୀତ ନିର୍ଦେଶକଂକ ସହ ତାଂକୁ କାମ କରିବାର ସୁଯୋଗ ମିଳିଥିଲା। ତାମିଲ୍ ଓ ତେଲୁଗୁ ସିନେମା ରେ ଅଳ୍ପ କେତୋଟି ଗୀତ ଗାଇ ସେ ଲୋକପ୍ରିୟତାର ଶୀର୍ଷ ରେ ପହଂଚିଥିଲେ।

ଏସ. ଦକ୍ଷିଣମୂର୍ତିଂକ ପ୍ରସିଦ୍ଧ ସିନେମା “ଇଲାବେଲୁପୁ” ର “ଚଲାନୀ ରାଜା ଓ ଚନ୍ଦାମାମା” ଗୀତଟି ତାଂକୁ ଆଜିବି ଲୋକପ୍ରିୟ କରି ରଖିଛି।

୪. ତେବେ ମାଦ୍ରାସ ବାହାରେ ତାଂକୁ ଅପେକ୍ଷା କରିଥିଲା ଭିନ୍ନ ଏକ ଇତିହାସ ।ଦକ୍ଷିଣ ଭାରତୀୟ ସିନେମାର ପ୍ରତିଷ୍ଠା ଓ ପ୍ରତିପତ୍ତି କୁ ଠୋକର ମାରି ସେ ଫେରି ଆସିଲେ ଜନ୍ମଭୂମି ଓଡିଶାକୁ ।

ଏହି ସମୟରେ ମାଦ୍ରାସ କଳାକ୍ଷେତ୍ରରେ ତରୁଣ ରଘୁନାଥ ପ୍ରେମରେ ପଡନ୍ତି, ସେତେବେଳର ଭରତନାତ୍ୟମ ଶିଳ୍ପୀ ସଂଯୁକ୍ତା ମିଶ୍ର (ଯିଏ ପରେ ଓଡିଶୀ ନୃତ୍ୟର କିମ୍ବଦନ୍ତି ନାୟିକା ସଂଯୁକ୍ତା ପାଣିଗ୍ରାହୀ ) ସହିତ। ବମ୍ବେ ସହରରେ ସେମାନେ ବିବାହ କରନ୍ତି ଓ ସେଇଠୁ ଆରମ୍ଭ ହୁଏ ଓଡିଶା ଇତିହାସର ଏକ ନୁଆ ଅଧ୍ୟାୟ ।

୫. ଆକାଶବାଣୀ ଓ ଓଡିଆ ସିନେମା ରେ ରଘୁନାଥ ବେଶ୍ ପ୍ରସିଦ୍ଧି ପାଆନ୍ତି । ଶ୍ରୀ ପତିତପାବନ (୧୯୬୩) ରୁ “ଭାଇ ଭାଉଜ”, ମୁକ୍ତି, ଅଭିନେତ୍ରୀ, ଅହଲ୍ୟା ପର୍ଯନ୍ତ ଓଡିଆ ସିନେମାରେ ତାଂକର ପଦଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ।ଶହ ଶହ ଓଡିଆ ଗୀତ ସେ ଗାଇଛନ୍ତି ଓ ସବୁ ଗୀତରେ ନୁଆ ଏକ ଅନୁଭବ ବାଣ୍ଟିଛନ୍ତି।

୬. ତାଂକର ସବୁଠୁ ଚର୍ଚିତ ଗୀତ ସିନେମା ଅପେକ୍ଷା ଆକାଶବାଣୀ ଓ ଏଚ୍ଏମଭି ରେକର୍ଡ଼ ରେ ରହିଥିଲା ।

ଚକାନୟନକୁ ପତିତ କେହି…ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ …ମନସିଜ ମନମୋହନ …..ରୂପ ରେଖ ନାହିଁ ହେ ….ଜୀବନରେ ଥିବି ଯେବେ ଜୀବୀ ବୃନ୍ଦାବନ…..ସଂଗିନିରେ ରାସ ରଂଗୀନୀରେ …ଏମିତି ଅଗଣିତ କାଳଜୟୀ ଗୀତ ତାଂକର ଓଡିଶାର ଜଣ ଜୀବନରେ ଆଜିବି ବଂଚି ରହିଛି ଓ ରହିଥିବ ।

୭. ଗୋଟେ ସମୟ ପରେ ଗୀତ ଗୋବିନ୍ଦ ତାଂକ ପ୍ରାଣର ଅଂଶ ପାଲଟି ଗଲା।ସବୁ ଗୀତର ମାଧୁର୍ଯ୍ୟ ଓ ପ୍ରଭାବ ଗୀତ ଗୋବିନ୍ଦ ଆଗରେ ଫିକା ପଡିଗଲେ ।

ଅଷ୍ଟପଦୀ ଗାୟନର ଏକ ବଳିଷ୍ଠ ଓଡିଶୀ ଧାରା ର ସେ ଥିଲେ ସୂତ୍ରଧର।ଗୀତ ଗୋବିନ୍ଦର ସ୍ବର ନିର୍ମାଣ ଓ ବିନ୍ୟାସ କରିବାରେ ତାଂକ ସମକକ୍ଷ ଶିଳ୍ପୀ ବିରଳ।

odi4
୮. ଓଡିଶୀ ଓ ଓଡିଶା ପାଇଁ ରଘୁନାଥ ନିଜ ଜୀବନର ସବୁଠୁ ବଡ ତ୍ୟାଗ ସ୍ଵୀକାର କରିଛନ୍ତି । ଜାତୀୟ ସ୍ତରରେ ଜଣେ ପ୍ରଛଦ ଶିଳ୍ପୀ ହେବାର ମୋହ ପରିତ୍ୟାଗ କରିଥିଲେ।

ଜୀବନର ଶେଷ ତିନି ଦଶନ୍ଧି ସେ କେବଳ ଓଡିଶୀ ସଂଗୀତ ପାଇଁ ବିନିଯୋଗ କରିଥିଲେ। ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ ନଥିଲେ ଓଡିଶୀ ନୃତ୍ୟ ଆଜି ଯେଉଁ ସ୍ତରରେ ପହଂଚିଛି, ସେଠି ପହଂଚିବାର ସମ୍ଭାବନା ନଥିଲା ।

ରଘୁନାଥଂକ ସୁର ଓ ସଂଯୁକ୍ତାଂକ ଛନ୍ଦର ମାଧୁରୀ ଓଡିଶୀକୁ ବିଶ୍ଵ ରଂଗମଂଚ ରେ ପ୍ରତିଷ୍ଠା ଦେଇଥିଲା ।

୯. ସଂଗୀତ ଓ କଳା କ୍ଷେତ୍ରରେ ତାଂକର ଅବଦାନ ଯାହା, ତା’ର କୌଣସି ତୁଳନା ନାହିଁ । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ତାଂକୁ ମିଳିଥିଲା । ଅଥଚ ପଦ୍ମଶ୍ରୀ ଭଳି ସାମାନ୍ୟ ସମ୍ମାନ ତାଂକୁ ମିଳିଲା ମୃତ୍ୟୁ ର ମାତ୍ର ବର୍ଷେ ଆଗରୁ।

ଓଡିଆ ସିନେମାର ସବୁଠୁ ବଡ ସମ୍ମାନ ଦେବାରେ ତାଂକ ପ୍ରତି ଆମେ ଉଦାସୀନ ରହିଲେ।

୧୦. ୨୫ ଅଗଷ୍ଟ ୨୦୧୩ ରେ ଏହି ମହାନ ଶିଳ୍ପୀ ଅମରତ୍ଵ ଲାଭ କଲେ। ତାଂକ ସ୍ମୃତିକୁ ସାଇତି ରଖିବାରେ ଆମେ ଏତେ ବିଫଳ ଯେ ତାଂକ ସହ ଇତିହାସର ଏକ ବିରାଟ ଅଧ୍ୟାୟ ପୋଛି ହୋଇ ଯାଉଛି, ସେକଥା ଆମ ମୁଣ୍ଡରେ ପଶୁନାହିଁ ।

ଓଡିଶା ଡଟକମ

Filed Under: ମନୋରଞ୍ଜନ Tagged With: ଇତିହାସ, ଓଡିଆ, ଗାୟନ, ଗୀତ ଗୋବିନ୍ଦ, ଗୀତ ଗୋବିନ୍ଦ ପାଣିଗ୍ରାହୀ, ଜାତି, ଜାତୀୟତା, ଜୀବନ, ଧର୍ମ, ମାନବିକତା, ରଘୁନାଥ ପାଣିଗ୍ରାହୀ, ରାଜ୍ୟ, ରେଡିଓ, ସିନେମା, ହିନ୍ଦୁ ଧର୍ମ

Avatar

About ଓଡିଶା ଡଟ କମ

Reader Interactions

Comments

  1. AvatarDr.K.Dash says

    August 22, 2016 at 2:26 am

    Our apathy to respect such an artist is apparent through a “”Padmashree ” award just before his death !

    Reply
  2. AvatarDr.K.Dash says

    August 22, 2016 at 2:30 am

    thanks କେଦାର ମିଶ୍ର babu for this well researched article. Many of my Telugu friends fondly remember Pt. Raghunath Panigrahi while i discuss his Geet Govind, particularly “‘Dhira samire….”‘

    Reply

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା