ନୁଆଁଖାଇ ତିହାର: ଦଶଟି ଜାଣିବା କଥା

12003962_138725199808774_7737679283316698216_n
କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି ।

ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ । ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ । ନୁଆଁଖାଇକୁ ନେଇ କିଛି ମୌଳିକ କଥା –

୧. ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ର ଶୁକ୍ଲପକ୍ଷରେ ପଶ୍ଚିମ ଓଡିଶାର ଜନସାଧାରଣ ନୁଆଁଖାଇ ପର୍ବ ପାଳନ କରନ୍ତି ।

ଏହା ମୂଳତଃ ଏକ କୃଷି ଭିତ୍ତିକ ପର୍ବ ।କ୍ଷେତର ପ୍ରଥମ ଅନ୍ନ କଣା କୁ ନିଜର କୁଳଦେବୀ, ଇଷ୍ଟଦେବୀ ଓ ଗ୍ରାମ ଦେବୀଂକୁ ଅର୍ପଣ କରିବା ସହିତ ପ୍ରଥମ ଅନ୍ନ ଉତ୍ପାଦନ ର ଉଲ୍ଲାସ କୁ ପାର୍ବଣ ରୂପେ ପାଳନ କରିବା ଏହି ଉତ୍ସବର ଏକମାତ୍ର ଉଦ୍ଦେଶ୍ୟ।

୨. ଏହା ଏମିତି ଏକ ଗଣପର୍ବ ଯେଉଁଥିରେ ଜାତି, ବର୍ଣ, ଲିଂଗ, ଏପରିକି ଧର୍ମର ମଧ୍ୟ ବିଭେଦ ନଥାଏ। ଗ୍ରାମ ଠୁଁ ସହର, ଗରୀବ ଠୁଁ ଧନୀ, ରାଜା ଠୁଁ ପ୍ରଜା, ସମସ୍ତେ ଗୋଟିଏ ଦିନରେ, ଗୋଟିଏ ନିର୍ଦ୍ଧାରିତ ଲଗ୍ନରେ, ଗୋଟିଏ ବିଧି ବିଧାନରେ ଓ ଗୋଟିଏ ପ୍ରଥାରେ ନୁଆଁ ଖାଇଥାନ୍ତି ।

୩. ହିନ୍ଦୁ ପରମ୍ପରା ରେ ଏହା ଅନ୍ନ ବ୍ରହ୍ମର ପୂଜା ପାଇଁ ନବାନ୍ନ ଉତ୍ସବ ହୋଇଥିବା ବେଳେ ଆଦିବାସୀ ଜୀବନରେ ଏହା ନବାଖାନୀ,ହୋରୋ ନବାଇ,ନବାଖାଇ ଇତ୍ୟାଦି। ସମାଜଶାସ୍ତ୍ରୀ ମାନେ ଏହାକୁ ମୂଳତଃ ଆଦିବାସୀ ପରମ୍ପରା ର ପର୍ବ ବୋଲି ସ୍ଵୀକାର କରୁଥିଲେ ମଧ୍ୟ ଏଥିରେ ହିନ୍ଦୁ ବ୍ରାହ୍ମଣ ପରମ୍ପରା ର ପ୍ରଭାବ ସମାହିତ ହୋଇଛି ।

୪. ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ଗଡଜାତ ରାଜ୍ୟରେ ଭିନ୍ନ ଭିନ୍ନ ଇଷ୍ଟ ଦେବୀ ଯଥା- ସମ୍ବଲପୁର ରେ ସମଲେଶ୍ବରୀ, ସୋନପୁରରେ ସୁରେଶ୍ଵରୀ, ବଲାଂଗୀରରେ ପାଟଣେଶ୍ଵରୀ, କଳାହାଣ୍ଡିରେ ମାଣିକେଶ୍ଵରୀ ଙ୍କ ନାମରେ ଭାଦ୍ରବ ଶୁକ୍ଲପକ୍ଷ ର ବିଭିନ୍ନ ଦିନରେ ନୁଆଁଖାଇ ପାଳନ କରାଯାଉଥିଲା

୧୯୯୧ ରୁ ପଶ୍ଚିମ ଓଡିଶାର ସମସ୍ତେ ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥି କୁ ନୁଆଁଖାଇ ଭାବେ ପାଳନ କରି ଆସୁଛନ୍ତି ।

nua
୫. ଭାଦ୍ରବ ମାସ ସାରା ନୁଆଁଖାଇକୁ ନେଇ ସାଜସଜ୍ଜା ଜାରି ରହିଥାଏ। ପ୍ରଥମ କାର୍ୟ ଭାବରେ ଜନ୍ମାଷ୍ଟମୀ ପରଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଓ ଗଣକ ମାନେ ଏକାଠି ହୋଇ ନୁଆଁଖାଇର ଲଗ୍ନ ନିର୍ଣୟ କରିଥାନ୍ତି ।

୬. ତାପରେ ଆରମ୍ଭ ହୁଏ କିଣା ବିକା, ସଜବାଜ, ଲିପାପୋଛା ଓ ଘର ଫେରନ୍ତା ପର୍ବ । ବର୍ଷରେ ଥରେ ନୁଆଁଖାଇ ତିହାର ଲାଗି ପରିବାରର ଯିଏ ଯେଉଁଠି ଥାଆନ୍ତୁ ଘରକୁ ଫେରି ଆସନ୍ତି ଓ ପରିବାର ଏକତ୍ର ନୁଆଁ ଧାନ କୁ ପ୍ରସାଦ ଭାବେ ସେବନ କରିଥାନ୍ତି।

୭. କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ । ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ । ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ଏହି ଶୋଭା ଯାତ୍ରା କୁ ପାହୁର୍ ଯାତ୍ରା ବୋଲି କୁହାଯାଏ ।

୮. ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି । ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

୯. ନୁଆଁଖାଇରେ ରକମ ରକମ ର ପିଠା ମଣ୍ଡା, କାକରା, ମିଠା ଓ ତରକାରୀ ପ୍ରସ୍ତୁତ କରାଯାଏ। ବର୍ଷର ସବୁଠୁ ଭଲ ଖାଦ୍ୟ ଏହି ଦିନ ଘରେ ପ୍ରସ୍ତୁତ ହୋଇଥାଏ। ନୁଆଁଖାଇ ହେଉଛି ସବୁ ପ୍ରକାର ସାଂସ୍କୃତିକ ଓ ସାମାଜିକ ସୌନ୍ଦର୍ଯ୍ୟ ର ମିଳନ ପର୍ବ ।

୧୦. ଖାଇ ସାରିବା ପରେ ଛୁର୍, କବାଡି ଇତ୍ୟାଦି ଖେଳରେ ସମସ୍ତେ ଏକତ୍ରିତ ହୁଅନ୍ତି। ସଂଧ୍ୟାରେ ନାଚ ଗୀତ ଓ ପାରମ୍ପରିକ ଲୋକ କଳା ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ପଶ୍ଚିମ ଓଡିଶାର ଜୀବନବୋଧ ହେଉଛି ଗୋଟେ ନୁଆଁଖାଇ ରୁ ଆଉ ଗୋଟେ ନୁଆଁଖାଇ ପର୍ଯନ୍ତ ଗୋଟିଏ ବର୍ଷ ।

ତେଣୁ କଥାରେ ଅଛି ଜିଇଂ ଜାଗି ଥିଲେ ବଛରେ- ନୁଆଁଖାଇ ଜୁହାର୍ ।
ଓଡିଶା ଡଟ କମ