କେଦାର ମିଶ୍ର
ଫଟୋ- ଡ. କୈଳାସ ଚନ୍ଦ୍ର ଦାଶ
ନାହମ୍ ତିଷ୍ଠାମି କଂଗ୍ରେସେ ନ ଚ ନେତୃଗଣାନ୍ତିକେ
ଅହିଂସା ସତ୍ୟ ତତ୍ତ୍ଵାନାମ୍ କର୍ମକ୍ଷେତ୍ରେ ବସାମ୍ୟହମ୍ ।
ମହାତ୍ମାଗାନ୍ଧୀଙ୍କ ଓଡିଶା ସହ ସମ୍ପର୍କର ଅନୁସନ୍ଧାନ କଲାବେଳେ ଐତିହାସିକ ତଥ୍ୟ ତୁଳନାରେ ସାହିତ୍ୟ ଓ ପ୍ରଚାର ଗୀତରୁ ଗାଂଧିଂକ ପ୍ରତି ଓଡିଆଂକର ଭାବପ୍ରବଣ ସମ୍ପର୍କକୁ ବେଶ୍ ଆକଳନ କରିହେବ ।
ଓଡିଶା ରାଜନୀତିରେ ଗାଂଧିଂକ ପ୍ରଭାବ ଓ ସାମାଜିକ ଜୀବନରେ ତାଂକ ବ୍ୟକ୍ତିତ୍ଵର ପ୍ରତିଷ୍ଠା ବିଷୟରେ କେତୋଟି ଚମତ୍କାର ତଥ୍ୟ ଉପସ୍ଥାପନ କରିଛନ୍ତି ଆମ ସମୟର ଜଣେ ଗୁଣୀ ଐତିହାସିକ ତଥା ଗବେଷକ ଡ. କୈଳାସ ଚନ୍ଦ୍ର ଦାଶ । ଗାନ୍ଧି ଓଡିଆ କବିଂକ କବିତାରେ କେଉଁଠି ଦେବତା, ପୁଣି କେଉଁଠି ନେତା ।
ତାଂକ ପ୍ରଶଂସାରେ ମହାପୁରାଣ ବି ଲେଖା ହୋଇଛି ଓଡିଆରେ । ଓଡିଆ ସଂସ୍କୃତ ପଣ୍ଡିତ ମାନେ ଲେଖିଛନ୍ତି ଗାନ୍ଧି ଗୀତା ଓ ଗାନ୍ଧି ଚାରିତାମୃତ । ଏହି ସବୁ ଅଳ୍ପ ଚର୍ଚିତ ଅଥଚ ମୂଲ୍ୟବାନ ତଥ୍ୟ କୁ ନେଇ ଦଶଟି କଥା –
୧. ଓଡିଶାରେ ଗାଂଧିଂକ ରହଣୀ ଖୁବ ବେଶୀ ଦିନର ନୁହଁ । ୧୯୨୧ ରୁ ୧୯୪୬, ୨୫ ବର୍ଷ ଭିତରେ ଗାନ୍ଧି ସାତ ଥର ଓଡିଶାକୁ ଆସିଛନ୍ତି । ସାତ ଥର ଯାତ୍ରା ରେ ତାଂକର ସମୁଦାୟ ଓଡିଶା ରହଣୀ ଦିବସ ହେଉଛି ୬୯ ଦିନ ।
୨. ତାପରେ ୧୯୨୫ ଡିସେମ୍ବର ମାସରେ ଓଡିଶା ଆସି ସେ ମଧୁସୁଦନ ଦାସଂକ ଉତ୍କଳ ଟାନେରୀ ପରିଦର୍ଶନ କରିଥିଲେ । ୧୯୨୭ ଡିସେମ୍ବର ମାସରେ ପୁଣିଥରେ ମଧୁ ବାବୁଂକ ଆତିଥ୍ୟ ସ୍ଵୀକାର କରିଥିଲେ ।
୧୯୩୪ ରେ ଓଡିଶାରେ ଗାନ୍ଧି ତାଂକର ପଦଯାତ୍ରା ଆରମ୍ଭ କରିବା ସହିତ ପୁରୀ ବଡଦାଣ୍ଡ ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଂକ ପ୍ରତମୂର୍ତୀ କୁ ମାର୍ଚ୍ଚ ୮ ତାରିଖ ଦିନ ଉନ୍ମୋଚନ କରିଥିଲେ । ପୁଣି ୧୯୩୮ ଓ ୧୯୪୬ ରେ ଗାନ୍ଧି ଓଡିଶା ଗସ୍ତ କରିଥିଲେ ।
୪. ଓଡିଶାର ଦାରିଦ୍ର୍ୟ ତାଂକୁ ବିଚଳିତ କରିଥିଲା ଓ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଓଡିଶା ସ୍ଵାବଲମ୍ବୀ ହୋଇପାରିବ ବୋଲି ସେ ଚିନ୍ତା କରୁଥିଲେ ଓ ଖଦି କୁ ଏକ ବିକାଶର ମାଧ୍ୟମ ବୋଲି କହିଥିଲେ । ଏ ସମ୍ପର୍କରେ ହରିଜନ ଓ ୟଂଗ ଇଣ୍ଡିଆ ରେ ସେ ଅନେକ ଲେଖା ମଧ୍ୟ ଲେଖିଥିଲେ ।
୫. ଗାନ୍ଧି ଓଡିଶା ଓ ଓଡିଆଂକ ବିଷୟରେ କଂ ଭାବୁଥିଲେ ତାର ଐତିହାସିକ ମୂଲ୍ୟ ନିହାତି ରହିଛି ।
ଗାଂଧିଂକ ରଚନା ଓଡିଆ ଭାଷାକୁ ତିରିଶ ଦଶକ ରୁ ଅନୁବାଦ ହେବା ଆରମ୍ଭ କଲାଣି । ତା ସହିତ ଗାନ୍ଧି ଦର୍ଶନ, ବିଚାର ଓ ତାଂକ ସହ ଦେଖା ହେବାର ଅନୁଭବ କୁ ନେଇ ମଧ୍ୟ ବହୁ ଲେଖା ପ୍ରକାଶିତ ହୋଇଛି ।
୬. ୧୯୩୬ ମସିହାରେ ପଣ୍ଡିତ ନୀଳକଣ୍ଠ ରଥ “ଗାନ୍ଧି ମହାପୁରାଣ” ନାମରେ ଏକ ଦୀର୍ଘ ଚରିତ କାବ୍ୟ ରଚନା କରିଥିଲେ । ପଣ୍ଡିତ ରଥ ଏହା ବ୍ୟତୀତ ଗାନ୍ଧି ପୁରାଣ, ଗାନ୍ଧି ସଂହିତା ଓ ଗାନ୍ଧି ଗୀତା ରଚନା କରିଥିବାର ଜଣାଯାଏ ।
ସେହିପରି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର “ଶ୍ରୀମଦ୍ ଗାନ୍ଧିଚରିତାମୃତମ୍” ନାମରେ ଏକ ସଂସ୍କୃତ ଖଣ୍ଡକାବ୍ୟ ଲେଖିଥିଲେ ।
୮. ତେବେ ଗାନ୍ଧି ଗୋଟେ ନିର୍ଦ୍ଦିଷ୍ଟ ବର୍ଗ ବା ରାଜନୈତିକ ଗୋଷ୍ଠୀ ର ପ୍ରିୟପାତ୍ର ନଥିଲେ । କେନ୍ଦ୍ର ରେ ସାମ୍ୟବାଦୀ ମାନଂକ ସହ ତାଂକର ମତଭେଦ ଥିବା ବେଳେ ଓଡିଶାର ବହୁ ସାମ୍ୟବାଦୀ କବି ଗାଂଧିଜିଂକ ସ୍ମୃତିରେ କବିତା ଲେଖିଛନ୍ତି ।
ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ ଓ ମୁରାରୀ ଜେନାଂକ ପରି ବିପ୍ଲବୀ ଲେଖକ ଗାଂଧିଜିଂକ ଜୀବନର ଜୟଗାନ କରିଛନ୍ତି ।
୯. ଚରିତ ଓ ସ୍ମୃତିଲେଖ ମାଧ୍ୟମରେ ଇତିହାସ ର ଅନେକ ତଥ୍ୟ ଲୋକ ଲୋଚନକୁ ଆସିଥାଏ । ଗାନ୍ଧି ଚରିତ କୁ ନେଇ ଲେଖା ଯାଇଥିବା ଅନେକ ଓଡିଆ କବିତାରେ ଆମ ସମାଜ ଓ ରାଜନୀତିର ଚିତ୍ର ଖୋଜା ଯାଇ ପାରିବ ।
୧୦. ତେବେ ଖାଲି ଯେ ଗାଂଧିଜିଂକ ପ୍ରଶଂସାରେ ବହି ବାହାରିଛି ତା ନୁହଁ, ତଂକୁ ବିରୋଧ କରି କାଁ ଭାଁ ବହି ଓ ପ୍ରଚାର ପତ୍ର ବାହାରିଥିଲା । ପୁରୀର କେତେଜଣ ରକ୍ଷଣଶୀଳ ମହନ୍ତ ଏମିତି ଏକ ପ୍ରଚାରପତ୍ର ଛାପି ବାଣ୍ଟିଥିଲେ, ଯାହାକି ଲୋକଂକ ଦ୍ଵାରା ଆଦୃତ ହୋଇ ନଥିଲା ।
ଓଡିଆଂକ ଗାନ୍ଧି ପ୍ରୀତିର ନିଦର୍ଶନ ପ୍ରସ୍ତୁତ କରିବାକୁ ଯାଇ ପ୍ରଖ୍ୟାତ କବି ମାୟାଧର ମାନସିଂହ ଲେଖିଥିଲେ- “ସେ ଯେଉଁ ଆଡେ ଯାଉଥିଲେ ସେଠି ମାଟିରେ ପଦ୍ମ ଫୁଟି ଯାଉଥିଲା। ଜଡ ଜୀବନ୍ତ ହେଉଥିଲା, ମୂକ କଥା କହୁଥିଲା । ତାଂକର ମୃତ୍ୟୁରେ କେବଳ ଏ ଦେଶ ନୁହଁ ସମଗ୍ର ପୃଥିବୀର ମାଟି ପଥର ବି କାଂଦିଛି । ”
ଓଡିଶା ଡଟ କମ