ଅକ୍ଷୟ ମହାଂତିଙ୍କ ଗୀତ ଓ ଓଡିଶାର ସାମାଜିକ ଇତିହାସ

2016-12-10-11-42-39କେଦାର ମିଶ୍ର

ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି।

ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।

କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନୀ ପରି ଆତୁର କରୁଥିବା ଏକ ସ୍ଵର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ।

ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ ।

ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି। ଅକ୍ଷୟ ମହାନ୍ତି କେବଳ ଗାୟକ ବା ଗୀତିକାର ନଥିଲେ, ସେଥିଲେ ତାଂକ ସମୟର ପ୍ରତିନିଧି । ନିଜ ସମୟର ସମାଜ ଓ ତାର ବିଭାବକୁ ଗୀତ କରି ଗାଇ ପାରିବାର କୌଶଳ ତାଂକୁ ଜଣାଥିଲା ।

ତେଣୁ ସେ ବୋଧେ ଓଡିଶାର ଏକ ମାତ୍ର ଗାୟକ ଯାହାଂକ ଗୀତରେ ଓଡିଶାର ଚାହାଣୀ,ଚଳନୀ,ଚମକ,ଛଇ,ଛଟା ସମେତ ଓଡିଶାର ଇତିହାସ ଓ ଐତିହ୍ୟ ର ସ୍ପଷ୍ଟ ପ୍ରତିଫଳନ ବାରୀ ହୋଇପଡେ ।

ଓଡିଶାରେ ବହୁ ବଡ ବଡ ଗାୟକ ଆସିଛନ୍ତି ଓ ଏବେବି ଅଛନ୍ତି, ହେଲେ ଜଣେ ଗାୟକର ଗୀତକୁ ନେଇ ଇତିହାସ ରଚନା ହେବାର ସମ୍ଭାବନା, କେବଳ ଜଣକ ପାଖରେ- ସେ ଆଉ କେହି ନୁହନ୍ତି, ସେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ।

ତାଂକ ଗୀତକୁ ନେଇ ସମକାଳୀନ ଓଡିଶାର ସମାଜକୁ ଖୋଜିବା ଆସନ୍ତୁ-

୧. ଅକ୍ଷୟ ମହାନ୍ତି, ଜନ୍ମ କଟକ ସହର ରେ ୧୨ ଅକ୍ଟୋବର ୧୯୩୭ ଓ ଦେହାବସାନ ୧୭ ନଭେମ୍ବର ୨୦୦୨ । ୬୬ ବର୍ଷର ଜୀବନକାଳରେ ଓଡିଶାର ସବୁ ହୃଦୟକୁ ଆନ୍ଦୋଳିତ କରିଥିବା ଅକ୍ଷୟ ମହାନ୍ତି, ଓଡିଶାର ଇତିହାସକୁ ନିଜ ସର୍ତ୍ତରେ ରଚନା କରିଛନ୍ତି ।

ସେ ଇତିହାସ ତାରିଖ, ତାଳପତ୍ର ପୋଥି, ଗୁମ୍ଫା ଚିତ୍ର କି ଶିଳାଲିପି ର ଇତିହାସ ନୁହଁ । ତାଂକ ଗୀତରେ ସାଧାରଣ ଓଡିଆ ର ଜୀବନ ଜୀବିକା ଓ ଜୀଜୀବିଷାର କମ୍ପନ ରହିଛି ।

୨. ମହାନଦୀ କଥା କହିଲେ “ଯା ରେ ଭାସି ଯା, ନୌକା ମୋର ଭାସିଯା’ ଗୀତଟି ମାନେ ପଡିବାକୁ ବାଧ୍ୟ ।

ଶିବବ୍ରତ ଦାଶଂକ ରଚିତ ଏଇ ଗୀତ ଅକ୍ଷୟ ମହାଂତିଂକ କଣ୍ଠରେ ଗୋଟେ ଇତିହାସ ରଚନା କରିଛି।

ମହାନଦୀ କେବଳ ସାରା ଓଡିଶାକୁ ଗୋଟିଏ ସୂତାରେ ଗୁନ୍ଥିନାହିଁ, ଏହା ଓଡିଶାର ବିବିଧ ସାଂସ୍କୃତିକ ଜୀବନବୋଧକୁ ନିଜ ପ୍ରବାହରେ ଏକାଠି କରିଛି ।

ସମ୍ବଲପୁରୀ ନୁନୀ ର ମହାନଦୀ ଓ କଟକିଆଣୀ ର ମହାନଦୀକୁ ଗୋଟିଏ ସୁରରେ ବାନ୍ଧି ରଖିଥିବା ଏ ଗୀତ ମହାନଦୀ ପାଇଁ ସବୁଠୁ ବଡ କୃତଜ୍ଞତା ।

ଅକ୍ଷୟ ମହାନ୍ତିଙ୍କୁ ଶୁଣନ୍ତୁ

୩. କଟକ ସହର ଓ ଅକ୍ଷୟ ମହାନ୍ତି- ଗୋଟିଏ ଅସ୍ତିତ୍ଵ । କଟକର ପାନ ଦୋକାନ, ଗଳି, ଘାଟ,ବଜାର,ଛକ, କଟକ ସହରର ଦାଦା ଟୋକା, ମାଇଚିଆ, ସୁଖଭୋଗୀ ମଧ୍ୟବିତ୍ତ,ଫୁଲେଇ ସୁନ୍ଦରୀ ଝିଅ ଓ ରସିକତା ର ଗୋଟି ଗୋଟି ଉଦାହରଣ ତାଂକ ଗୀତରେ ଆସିଛି ।

୪. ଲେଇ ଲେଇକା ଲଚକମଣୀ ଲବଂଗ ଦିଆ ପାନ….. ତହୁଁ କାଂଜୀ ଗଲା ଖରେ…ଏ ଗୀତ ସବୁ ହୁଏତ ହାଲକା ଫୁଲକା ଲାଗି ପାରନ୍ତି, ହେଲେ ସବୁ ଗୀତରେ କଟକୀ ଜୀବନର ଛନ୍ଦ ଓ ଉନ୍ମାଦନା ଭାରୀ ରହିଛି ।

ଷଣ୍ଢ ଟି ଖାଲି କଟକରେ ବାଇଆ ହୋଇ ବୁଲୁନାହିଁ, ସେ ମାଲ ଗୋଦାମ, ଛତ୍ର ବଜାର, କଲେଜ ଛକ, ଚୌଧୁରୀ ବଜାର ଦେଇ ପୁରା କଟକୀ ଜୀବନ କୁ ବୟାନ୍ କରୁଛି । ଷଣ୍ଢ  ଏଠି ଗୋଟେ ପ୍ରତୀକ ପାଲଟି ଯାଉଚି ଓ ସାରା କଟକ ସହରର ଜୀବନ କାହାଣୀ କୁ କହିଦେଉଛି ।

୫. ଗାଥା କବିତା କୁ ଗୀତ କରି ଅକ୍ଷୟ ମହାନ୍ତି ଓଡିଶାର ଇତିହାସକୁ ଜୀବନ୍ତ କରିଛନ୍ତି । ଓଡିଆ ପରିଚୟ ଓ ଅସ୍ମିତା କୁ ଗଢିବାରେ ଏ ଗାଥା ସବୁର ଅତୁଳନୀୟ ଅବଦାନ ରହିଛି । କାଂଚୀ ଅଭିଯାନ, କୋଣାର୍କ ଗାଥା ଓ ମହାନଦୀ ତାର ଏକ ଏକ ଉଦାହରଣ ।

୬. ଫକୀର ମୋହନଂକ “ରାଣ୍ଡି ପୁଅ ଅନନ୍ତା” ଓ “ପେଟେଣ୍ଟ ମେଡିସିନ୍” ଗୀତି କାବ୍ୟ ର ରୂପ ନେଇ ଆମ ସାମାଜିକ ଜୀବନର ଅନେକ ସତ୍ୟ କୁ ଆବିଷ୍କାର କରନ୍ତି ।

୭. କଟକ ଯେତେବେଳେ ତାର ରାଜଧାନୀ ପରିଚୟ ହରାଉଛି ଓ ୨୫ କିଲୋମିଟର ଦୂରରେ ନୁଆ ରାଜଧାନୀ ଭୁବନେଶ୍ଵର ଗଢି ଉଠୁଛି, ଏ ଦୁଇ ସହର ର ନାଗରିକଂକ ମାନସିକ ସଂଘାତ ତଥା ଭାବ-ଅଭାବ ର କଥା ଅକ୍ଷୟ ଯେମିତି କହିଛନ୍ତି, ସେ ଐତିହାସିକ ଦୃଷ୍ଟିରୁ ବେଶୀ ଗୁରୁତ୍ଵପୁର୍ଣ୍ଣ ।

ରାଜା ଝିଅ ସଂଗେ କରିଥିଲି ଭାବ….ବା..ବା..ରେ କାପିଟାଲ୍…କୁ ହାଲକା ରେ ନ ନେଇ ଟିକେ ଗଭୀର ଭାବେ ଶୁଣିଲେ, ନୁଆ କିଛି ଆବିଷ୍କାର କରାଯାଇ ପାରିବ ।

୮. ଅଧା ଗଢା ଦିଅ ର ଚକା ଚକା ଆଖିକୁ……ଏମିତି ଏକ ଗୀତ ଯେଉଁଠି ସମଗ୍ର ଜଗନାଥ ମଂଦିର ଓ ତାର ପ୍ରଥା ଓ ପରମ୍ପରା ର ବର୍ଣ୍ଣନା ରହିଛି । ଏପରିକି ସାଲାବେଗଙ୍କ  ରଚନାରୁ କେଣେ ଘେନି ଯାଉଚ୍ଛ ଜଗନାଥଂକୁ ..ଗାଇଲା ବେଳେ ଇତିହାସର ଏକ ଅନ୍ଧାର ଅଧ୍ୟାୟ ର ବିଫଳତା କୁ ସେ ଅତି ଚମତ୍କାର ଭାବେ ଗାଇ ପାରନ୍ତି ।

୯. ଭୀମ ଭୋଇ, ସାଲବେଗ, ଜଗନ୍ନାଥ ଦାସଂକୁ ଗାଇଲା ବେଳେ ସେ ଯେତିକି ଗମ୍ଭୀର ନୁଆ ଜମାନା ର ଗୀତରେ ସେତିକି ସହଜିଆ । ଗୀତ ରଚନା କଲାବେଳେ ଓଡିଶାର ଜନଜୀବନ ଓ ପାଣିପାଗ ତାଂକୁ କେବେବି ଛାଡ଼ି ନାହିଁ । କାଲି ଯଦି କଟକର ନୁଆ ଇତିହାସ ଲେଖାହେବ, ସେଠି ଅକ୍ଷୟ ମହାଂତିଂକ ଗୀତ ଗୋଟେ ବଡ ଉତ୍ସ ନିଶ୍ଚୟ ।

୧୦. ବହୁ ଗାୟକଂକ ଗଳା ସୁନ୍ଦର, ସେମାନଂକ ପରିବେଷଣ ମଧୁର, ହୁଏତ ସଂଗୀତ ଶାସ୍ତ୍ରରେ ସେମାନେ ବେଶ୍ ଧୁରୀଣ- ହେଲେ ଅକ୍ଷୟ ନିଆରା । ତାଂକ ଗୀତ ଓଡିଆ ଜୀବନର ଦଲିଲ୍, ଆଉ ସେ ଦଲିଲ୍ ଅକ୍ଷୟ ଓ ଅମର ।

 

ଓଡିଶା ଡଟ କମ