ଓଡିଶା ନ୍ୟୁଜ/ Odisha News
ମନୋରଞ୍ଜନ

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି 

2
କେଦାର ମିଶ୍ର

ତାଂକୁ ନେଇ ଆଜି ହୁଏତ ଖବର କାଗଜ ଅବା ସୋସିଆଲ୍ ମିଡିଆ ରେ ଅନେକ କଥା କୁହାଯାଉଛି, ଶ୍ରଦ୍ଧାଂଜଳିର ଭାଷାରେ ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତି ନାୟିକା, ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ବିନମ୍ର ପ୍ରତୀକ ।

ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା। ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ ବିଡମ୍ବନା।ସାରା ଜୀବନର ସାଧନା ପରେ ବି ସ୍ଵୀକୃତି ସହଜରେ ମିଳେ ନାହିଁ ।

ଜୀବନ ଓ ନୃତ୍ୟ ର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।ରହିବା ଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ ।

ଢୋଲ୍ ରେ ପାର୍ ବାଜିଲେ ପାଦ ଉଛନ୍ନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡି ହୋଇଯାଏ।ସବୁ ଅଭାବ ସତ୍ତ୍ଵେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ।

ଗୁରୁବାରୀ ମିର୍ଧା ପ୍ରାଣହୀନ ହୋଇ ପଡିରହିଥିବା ବେଳେ, ସେ ମୁହଁ ରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ !! ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା ? କଣ ତାଂକର ପରିଚୟ ? ତାଂକ ଜୀବନ କାହାଣୀ ଗୋଟେ ଅଧଲେଖା ଉପନ୍ୟାସ ପରି।ଆସନ୍ତୁ ତାଂକୁ ଚିହ୍ନିବା ଓ ଚିହ୍ନୁ ଚିହ୍ନୁତାଂକୁ ସମ୍ମାନ ର ସହ ଭଲ ପାଇବା –

୧. ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ବରୂପ ନାହିଁ।ପଶ୍ଚିମ ଓଡିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହଛି। ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା……ଏମିତି କେତେ ପ୍ରକାର ଓ କେତେ ପ୍ରଜାତି।ଗୁରୁବାରୀ ମିର୍ଦ୍ଧା ଏହି ସବୁ ଗୀତ ଓ ନୃତ୍ୟ ର କଳାକାର ।

4୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।

୩. ୧୯୬9 ମସିହା ଜାନୁଆରୀ ୨୬ ରେ ସମ୍ବଲପୁରୀ –ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ।

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

୪. ୧୯୬୮ ରେ ଗୁରୁବାରୀଂକ ବୟସ ଥିଲା ୧୬।ତାପରେ ସେ ବିଭିନ୍ନ କାର୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି।ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚ କୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି ।

୫. ଏହି ସମାନ ସମୟରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି ।

ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ ।

ଆଜିଯାଏ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି।ବୟସ ଗଡିଗଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ ।ସେଇ ବିଡମ୍ବନା ଗୁରୁବାରୀଂକ ଜୀବନରେ ବି ଆସିଛି ।

୬. ଘର ସଂସାର ଓ ଅଭାବୀ ଜୀବନର ଦହନ ତାଂକୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଂକୁ ଛାଡିଲା ନାହିଁ ।

ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି।ସମ୍ବଲପୁରୀ ର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଂକ ନୃତ୍ୟ ରେ ଉତ୍କର୍ଷ ହାସଲ କରିଥିଲା ।

3୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।

୮. ତେବେ ଜୀବନ ସଂଘର୍ଷରେ ତାଂକ ଲାଗି ଘର ଖଣ୍ଡେ ବି ନଥିଲା।ମୁଢି ଭାଜି ସେ ଜୀବିକ ନିର୍ବାହ କରୁଥିଲେ ।ବଡ କଷ୍ଟରେ ପରିଣତ ବୟସରେ ତାଂକୁ ରହିବା ଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ୍ କୁହା ବୋଲା ପରେ ।

୯. ଜୀବନର ଅନ୍ତିମ ଭାଗରେ ତାଂକ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ବୀକୃତି ତାଂକୁ ମିଳିଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଂକୁ ସମ୍ବର୍ଦ୍ଧିତ କରିଥିଲେ ।

୧୦. ୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତି ନାୟିକାଂକ ଜୀବନ ଦୀପ ଲିଭିଗଲା ।

ବରଗଡ ଜିଲ୍ଲା ବିଜେପୁର ପାଖ ଏମ ଗଣ୍ଡପାଲି ଗାଁ ରେ ୭୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ।

ଗୁରୁବାରୀଂକ ବିଷୟରେ ଆଜି ଯାହା ଲେଖା ହେଲେବି ଆମକୁ ଗୋଟିଏ କଥା ମାନିବାକୁ ପଡିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭା ମାନଂକୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ର ଜୀବନ ଟିଏ ଦେଇ ପାରି ନାହୁଁ ।

ଓଡିଶା ଡଟ କମ

5 Comments

  • Excellent emotional Presentation on Artist late GURUBARI, Thanks Sir we hope more such writing on comming Days.

  • I had the great privilege of witnessing Gurubari along with her troupe performing ‘Dalkhai Re’ at the school ground in Gosala Square near Ambasadha Kantapalli in Sambalpur district during 1968 when I was a student of Class VII in Govt. High School Burla and residing at SLB Farm Chipilima nearby where my father late Raghunath Patnaik was working as the Manager Dairy Farm. Gurubari was very young then. I am now 62 years and still remember how she enthralled the spectators with the magical drum beats.
    Sunil Patnaik
    The Telegraph.

Leave a Reply

This site uses Akismet to reduce spam. Learn how your comment data is processed.