ସାହିତ୍ୟ

ଆଦି ନାଟ୍ୟକାର ଜଗନ୍ମୋହନ ଲାଲ୍ ଙ୍କ ସମ୍ପର୍କରେ ୧୦ଟି ଜାଣିବା କଥା

ସତୀପ୍ରଥା ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରି ସେ ନିଜର ବିଧବା ଝିଅ ଲାବଣ୍ୟର ପୁନର୍ବିବାହ କରାଇଥିଲେ ଓ ତତ୍କାଳୀନ ସମାଜରେ ତାହା ହିଁ ସୃଷ୍ଟି କରିଥିଲା ଗୁଞ୍ଜରଣ ।

ବିଘ୍ନେଶ୍ୱର ସାହୁ

‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ ପରି ଅଯୌକ୍ତିକ ସ୍ଲୋଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ ତେଜି ଉଠିଥିଲା ଭାଷା ଆନ୍ଦୋଳନର ଅଗ୍ନିଶିଖା । ସେହି ଅନନ୍ୟ ଆନ୍ଦୋଳନର ଅନ୍ୟ ଜଣେ ସାରଥି ଥିଲେ ଜଗନ୍ମୋହନ ଲାଲ । ଓଡ଼ିଆ ନାଟ୍ୟ ସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” ।

ସତୀପ୍ରଥା ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରି ସେ ନିଜର ବିଧବା ଝିଅ ଲାବଣ୍ୟର ପୁନର୍ବିବାହ କରାଇଥିଲେ ଓ ତତ୍କାଳୀନ ସମାଜରେ ତାହା ହିଁ ସୃଷ୍ଟି କରିଥିଲା ଗୁଞ୍ଜରଣ ।

ସେ ଥିଲେ ସମାଜସେବୀ, ନାଟକର ନାୟକ, ନିର୍ଦ୍ଦେଶକ, ମଞ୍ଚ ପ୍ରସ୍ତୁତକାରୀ- ବହୁ ନାଟକର ଲେଖକ, ବହୁ ବିନିଦ୍ର ରଜନୀର ଅଭିନେତା-ନିଜ ନାଟକରେ ନିଜେ । ଜଣେ ସଚ୍ଚୋଟ ସରକାରୀ କର୍ମଚାରୀ ଓ ସର୍ବୋପରି କବି । ତାଙ୍କ ସମ୍ପର୍କରେ କେତୋଟି ଜାଣିବା କଥା ।

୧)  ସମୟର କ୍ଷୀପ୍ର ସୂଅରେ ବିସ୍ମୃତ ସେହି ବିରଳ ବ୍ୟକ୍ତିତ୍ୱ ଜଗନ୍ମୋହନ ଲାଲଙ୍କ ଜନ୍ମ ୧୮୩୮ ମସିହା ନଭେମ୍ବର ପଚିଶ ତାରିଖରେ ।

ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରଠାରୁ ପଚିଶ ମାଇଲ ଦୂର ମାହାଙ୍ଗାରେ ପିତା ନାରାୟଣ ପ୍ରସାଦ ଏବଂ ମାତା ୟୋନା ଦେବୀଙ୍କ ପ୍ରେରଣାରେ ଜଗନ୍ମୋହନ ଗାଁ ଚାଟଶାଳୀ ପାଠ ପରେ, କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରୁ ୧୮୬୦ରେ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ ପାଶ୍ କଲେ ।

ସେ ସମୟରେ କେହି ଛାତ୍ର ମାଟ୍ରିକ୍ ପାଶ୍ କରିବାକୁ ଗୌରବ ବୋଲି ବିଚାର କରାଯିବା ସଙ୍ଗେ ସଙ୍ଗେ ସରକାରୀ ଅଫିସ୍ ରେ ଚର୍ଚାର  ବିଷୟ ହୋଇଥିଲା ।

ମାଟ୍ରିକ୍ ପାଶ୍ ପରେ ପରେ ଜଗନ୍ମୋହନ କଟକ କଲେକ୍ଟରଙ୍କ ଅଫିସରେ ଶିରସ୍ତାଦାର ଭାବେ ଯୋଗ ଦେଲେ । ସେଇଠୁ ଆରମ୍ଭ ହୁଏ ତାଙ୍କ ନିଷ୍ଠାପର ଚାକିରି ଜୀବନକାଳ ।

ଚାକିରିକାଳ ଭିତରେ ନିଜର କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା ଯୋଗୁଁ ତାଙ୍କ ଅବସର ପରେ ବି ବଙ୍ଗଳାର ବଡ଼ଲାଟ୍ ତାଙ୍କୁ ଏକ ନୈଶ୍ୟ ଭୋଜିକୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ ବାରିଷ୍ଟର ମଧୁସୂଦନ ଦାସ । ଏପରି ସମ୍ମାନ ଖୁବ୍ କମ ବ୍ୟକ୍ତିଙ୍କୁ ମିଳୁଥିଲା ।

ସମାଜର କଟୁ ସମାଲୋଚନାକୁ ଭ୍ରୂକ୍ଷେପ ନକରି ନିଜର ବିଧବା କନ୍ୟା ଲାବଣ୍ୟକୁ ପୁନର୍ବିବାହ ଦେବାଫଳରେ ସୃଷ୍ଟି ହେଲା ଏକ ଯୁଗାନ୍ତର ।

ସତୀଦାହ ପ୍ରଥାର ବିରୋଧ କରି ପରବର୍ତ୍ତୀ ଜୀବନରେ ସେ ଲେଖିଥିଲେ “ସତୀ” ଶୀର୍ଷକ ନାଟକ । ଏହି ନାଟକର ସାମାଜିକ ପ୍ରଭାବକୁ ‘ସମ୍ବାଦ ବାହିକା’ ଓ ‘ନବସମ୍ବାଦ’ ଭୂୟସୀ ପ୍ରଶଂସା କରିଥିଲେ ।

୨) ଜଗନ୍ମୋହନଙ୍କ ସାହିତ୍ୟିକ ଜୀବନର ଉନ୍ମେଷ କାଳ ଓ ପ୍ରେରଣା ଅଜ୍ଞାତ ଥିଲେ ହେଁ ୧୮୬୮ ମସିହାରେ ତାଙ୍କ ରଚିତ ‘ଭ୍ରମଭଞ୍ଜନ’ ଥିବା ତାଙ୍କ କାବ୍ୟ ପ୍ରୟାସର ପ୍ରଥମ ପାଦଟୀକା ।

ସେ ସମୟରେ ଓଡ଼ିଆ ସ୍କୁଲ ଗୁଡ଼ିକରେ ଇଂରାଜୀ ଓ ବଙ୍ଗଳା ପାଠର ପ୍ରାଦୁର୍ଭାବକୁ ଭାଙ୍ଗିବା ପାଇଁ ଜଗନ୍ମୋହନ ଲାଲ୍ ସାର୍ ଟଏନ୍ବିଙ୍କ ‘ଓଡ଼ିଶା ଇତିହାସ’ର ପ୍ରଥମ ପରିଚ୍ଛଦ ଅନୁବାଦ କରି ‘ଓଡ଼ିଶା ବିଜୟ’ ନାମକ ଐତିହାସିକ ତଥ୍ୟସମ୍ବଳିତ ଏକ ପୁସ୍ତକ ରଚନା କରିଥିଲେ ।

୩) ୧୮୬୦ମସିହା ବେଳକୁ ଓଡ଼ିଆ ଭାଷାରେ ସୃଷ୍ଟି ହୋଇନଥାଏ ନାଟକ ରଚନାର କ୍ଷେତ୍ର । ପାରଳାଖେମୁଣ୍ଡି (ଅଧୁନା ଗଜପତି ଜିଲ୍ଳା)ର ରଘୁନାଥ ପରିଚ୍ଛାଙ୍କ ନାଟକ “ଗୋପୀନାଥ ବଲ୍ଲଭ” ୧୮୬୮ରେ ପ୍ରକାଶିତ ହେବା ପରେ ‘ନା-ଟକ’, ‘ନା-ମିଷ୍ଟ’ ପରି ବ୍ୟଙ୍ଗ ଓ ସମାଲୋଚନାର ଶରବ୍ୟ ହୋଇ ସାରିଥାଏ ।

ନାଟକର ଏହି ସନ୍ଧିକ୍ଷଣ ସମୟରେ ଜଗନ୍ମୋହନ ପ୍ରତିଷ୍ଠା କଲେ “ରାଧାକାନ୍ତ ରଙ୍ଗମଞ୍ଚ” ଓ ତା’ ସହିତ ସୂତ୍ରପାତ ହେଲା ନାଟକ ଅଭିନୟର ଆଦ୍ୟ ସଂକଳ୍ପ ।

୧୮୭୭ରେ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶିତ ହେଲା “ବାବାଜୀ” ନାଟକ । ଏହାକୁ ଓଡ଼ିଶାରେ ପ୍ରକାଶିତ ପ୍ରଥମ ନାଟକର ମାନ୍ୟତା କେବଳ ଦିଆଯାଏ ନାହିଁ- ଏହା ତକ୍ରାଳୀନ ସମାଜର ସାମାଜିକ ଜୀବନ ଓ ଅର୍ଥନୈତିକ ଅବସ୍ଥାର ଦର୍ପଣ ।

୪)ଜମିଦାରମାନଙ୍କର ଅତ୍ୟାଚାର, ଶୋଷଣ, ମଠ ମହନ୍ତଙ୍କର ବ୍ୟଭିଚାର, ଅର୍ଦ୍ଧଶିକ୍ଷିତ ଯୁବକମାନଙ୍କର ଉତ୍ସୃଙ୍ଖଳତା, ଚାରିତ୍ରିକ ଅଧୋଃଗତି, ମଦ୍ୟପାନ ଏବଂ ଗୁଣିଗାରେଡ଼ି ପରି କୁସଂସ୍କାର ସମ୍ପର୍କରେ ଜଗନ୍ମୋହନ ଲାଲ୍ ନିର୍ଭୀକତାର ସହ ‘ବାବାଜୀ’ ନାଟକରେ ଉଲ୍ଲେଖ କରିଛନ୍ତି ।

ଏହାର ପାତ୍ରୋଚିତ ସଂଳାପ, ଯୁଗୋପଯୋଗୀ ଭାବବସ୍ତୁ ତଥା ସାବଲୀଳ ଶୈଳୀ ନାଟ୍ୟକାରଙ୍କ ମୌଳିକ କଳ୍ପନା ଶକ୍ତିର ପରିଚୟ । ସେଥିରେ ଲାଲ୍ ମହାଶୟ ପରିବେଷଣ କରିଛନ୍ତି ନିଶା ନିବାରଣ ସମ୍ପର୍କରେ ଏକ ବାର୍ତ୍ତା ।

୫) ସତ୍ୟନିଷ୍ଠ ଓ ସତ୍ଚରିତ୍ରର ଲୋକ ନହେଲେ ପରିସ୍ଥିତିର ସଂଘାତରେ ତିଷ୍ଠି ରହିପାରିବ ନାହିଁ, ଏହା ହିଁ ‘ବାବାଜୀ’ ନାଟକରେ ଲାଲ୍ ମହାଶୟଙ୍କ ବୈପ୍ଳବିକ ମନୋବୃତ୍ତି ପ୍ରତିଫଳିତ ।

ସିଧାସଳଖ ବିଷୟବସ୍ତୁର ଅବତାରଣା ମଧ୍ୟରେ ଜଗନ୍ମୋହନଙ୍କ ଆଧୁନିକତା ସେ ସମୟର ସମାଜର ଚିତ୍ରକୁ ପ୍ରତିନିୟତ ଧରି ରଖିବାରେ ସଫଳ ହୋଇଛି ।

୬) ‘ବାବାଜୀ’ ନାଟକର ନାୟକ ଓ ନିର୍ଦ୍ଦେଶକ ଥିଲେ ନିଜେ ଲାଲ୍ ମହାଶୟ । ଏକାଧାରରେ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଓ ମଞ୍ଚସ୍ରଷ୍ଟାର ସଫଳ ରୂପକାର ।

‘ବାବାଜୀ’ ନାଟକର ଦଶବର୍ଷ ପରେ ଜଗନ୍ମୋହନଙ୍କ କଲମରୁ ସୃଷ୍ଟି ହୁଏ “ସତୀ”, ଅନ୍ୟ ଏକ ବିତର୍କିତ ନାଟକ । ଗଡ଼ଜାତ ମୂଲକର ଅନ୍ଧାରୀ ଶାସନର ସନ୍ତ୍ରାସ ତଳେ ନିରୀହ ପ୍ରଜାଙ୍କ ଉତ୍ପୀଡ଼ନ, ନାରୀ ନିର୍ଯାତନାର ସକଳ ଚିତ୍ର ‘ସତୀ’ ନାଟକରେ ଜୀବନ୍ତ ।

ନାଟକର ନାୟିକା ଲାବଣ୍ୟ ହିନ୍ଦୁନାରୀର ସତୀତ୍ୱର ଗୌରବ ରକ୍ଷା କରିବାକୁ ଯାଇ ଯେଉଁ ପରିସ୍ଥିତିରେ ମୃତ୍ୟୁବରଣ କରିଛି ତା’ର ଏକ କରୁଣ ଦୃଶ୍ୟ ‘ସତୀ’ ନାଟକର ଯବନିକା ।

୭) ‘ସତୀ’ ନାଟକରେ ସନ୍ନିବେଶିତ ହୋଇରହିଛି ଗଡ଼ଜାତର ନରବଳି, ତକ୍ରାଳୀନ ସମାଜରେ ମାଦକ ଦ୍ରବ୍ୟର ପ୍ରଭାବ ଏବଂ ସାମାଜିକ ତଥା ଅର୍ଥନୈତିକ ସମସ୍ୟାର ଚିତ୍ର ।

୧୮୯୬ ଦୁର୍ଗାପୂଜା ସମୟରେ ‘ସତୀ’ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୁଏ ଜଗନ୍ମୋହନଙ୍କ ଗ୍ରାମ ମାହାଙ୍ଗାର ‘ରାଧାକାନ୍ତ ରଙ୍ଗମଞ୍ଚ’ରେ ଓ ଦୃଷ୍ଟି ଆକର୍ଷଣକରେ ସାଧାରଣ ଜନତାଙ୍କଠାରୁ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ।

୮) ଜଗନ୍ମୋହନ ଲାଲ୍ ଙ୍କ  ତୃତୀୟ ନାଟକ “ପ୍ରୀତି” । ତିନିଅଙ୍କ ବିଶିଷ୍ଟ ଏହି ନାଟକରେ ଚାରୋଟି ଦୃଶ୍ୟ ସନ୍ନିବେଶିତ ।

ଏହି ନାଟକରେ ଅମିତ୍ରାକ୍ଷର ଛନ୍ଦର ବ୍ୟବହାର ସହିତ ପ୍ରବଚନର ବ୍ୟବହାର ମଧ୍ୟ ଅଭିନବ । ଏହି ନାଟକଟି ଲାଲ୍ ମହାଶୟଙ୍କ ପରିପକ୍ୱ ବୟସରେ ଲେଖା ହୋଇଥିବାରୁ ବିଷୟବସ୍ତୁ ଅଧିକ ଉନ୍ନତ ଓ ସମାଜ ସଚେତନତାଶୀଳ ।

ଜାତି-ଧର୍ମର ପ୍ରାଚୀର ଠିଆ କରି ହୃଦୟର ବନ୍ଧନକୁ ନିର୍ମମ ଭାବରେ ଛିନ୍ନ କରିବାର ଦୃଷ୍ଟାନ୍ତ ରହିଛି ‘ପ୍ରୀତି’ ନାଟକ ଛତ୍ରେ ଛତ୍ରେ ।

ସମାଲୋଚକମାନେ ‘ପ୍ରୀତି’ ନାଟକର ଅଭିନୟ ସମ୍ପର୍କରେ ନୀରବ ଥିବାବେଳେ ଜଗନ୍ମୋହନଙ୍କ ନାତି ସ୍ୱର୍ଗତଃ ଦାଶରଥିପ୍ରସାଦ ଲାଲ ସମସ୍ତ ନାଟକ ଅଭିନୀତ ହେବା କଥା ଦାବି କରିଥିଲେ । ଜଗନ୍ମୋହନଙ୍କ ଅନ୍ୟ ଏକ ନାଟକ “ବୃଦ୍ଧବିବାହ” ।

ତକ୍ରାଳୀନ ସମାଜରେ କନ୍ୟା ପିତାମାତା ଋଣଦାଉରୁ ରକ୍ଷା ପାଇବା ପାଇଁ ନିଜର ତରୁଣୀ କନ୍ୟାଙ୍କୁ ବୃଦ୍ଧ ଜମିଦାରଙ୍କୁ ବିବାହ ଦେଉଥିଲେ । ଏହି ପ୍ରକାର ଏକ କୁତ୍ସିତ ସମାଜର ଚିତ୍ର ବହନ କରେ ‘ବୃଦ୍ଧ ବିବାହ’ ।

ପ୍ରକୃତରେ ଦେଖିବାକୁ ଗଲେ ଲାଲ୍ ମହାଶୟ ଜଣେ ସମାଜ ସଚେତନ ସତର୍କ ପ୍ରହରୀ । ତାଙ୍କ ସୃଜନଶିଳ୍ପରେ ସମାଜର ସମସ୍ତ ଦୋଷ, ଦୁର୍ବଳତା ନାଟକର ରୂପନେଇ ପରିସ୍ଫୁଟ ।

ସମାଜର ସମସ୍ତ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଜଡ଼ତା ବିରୁଦ୍ଧରେ ତାଙ୍କ ସଂଗ୍ରାମ ଥିଲା ତାଙ୍କ ସୃଜନ ନାଟକମାନଙ୍କର ଏକକ ସଂକଳ୍ପ ।

ପ୍ରଥମ ସାମାଜିକ ନାଟକ ‘ବାବାଜୀ’ର ବାଷଠୀ (୬୨)ବର୍ଷ ପରେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଲେଖିଥିଲେ ଦ୍ୱିତୀୟ ସାମାଜିକ ନାଟକ “ଗାର୍ଲ ସ୍କୁଲ” । “ବଳୀନ୍ଦ୍ର” ଓ “ଜେନାମଣି” ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଖୋଦ୍ ଜଗନ୍ମୋହନ୍ ।

୯) ଏପରିକି ୧୯୧୧ରେ ନିଜ ଗ୍ରାମ ମାହାଙ୍ଗା ଅଞ୍ଚଳରେ ୭୦ଜଣ ଜମିଦାରଙ୍କୁ ସମବେତ କରି ‘ପ୍ରଜାସ୍ୱତ୍ତ୍ୱ ଆଇନ’ ସମ୍ପର୍କରେ ଦିଗ୍ଦର୍ଶନ ଦେଇଥିଲେ ଓ ପରେ ୧୯୩୮ରେ ବିଶ୍ୱନାଥ ଦାଶ ଏହି ଆଦର୍ଶର ପ୍ରବର୍ତ୍ତନ କଲେ ।

ଅନେକ ମୌଳିକ ଚିନ୍ତାଧାରାରେ ପ୍ରଥମ, ସୃଜନ-ସଂକଳ୍ପର ଆଦର୍ଶ, ରାଜନୀତି ଓ ସମାଜ ସେବାରେ ଅଗ୍ରଣୀ, ଅନେକ ନାଟକର ନାୟକ, ସମୟ ସୂଅରେ ଆଜି ବିସ୍ମୃତ । କିନ୍ତୁ ବିରଳ ତାଙ୍କ ନାଟକ ଓ ଜୀବନାଦର୍ଶର ଦସ୍ତାବିଜ୍ ।

୧୦) ଆଧୁନିକ ଜୀବନର ଫାଙ୍କା ଆଦର୍ଶ ଭିତରେ ତଥାପି ଲୁପ୍ତ ବିସ୍ମୃତ ନୁହନ୍ତି ସେ । ୧୯୧୩ ଡିସେମ୍ବର ୨୬ ତାରିଖରେ ଏହି ମହାନ ଯୁଗପୁରୁଷଙ୍କ ଜୀବନର ଅବସାନ ଘଟିଥିଲା ।

ଏହି ଦୃଷ୍ଟିରୁ ଜନ୍ମୋହନଙ୍କୁ ସାମାଜିକ ନାଟକର ଆଦ୍ୟ ପ୍ରବର୍ତ୍ତକ ହିସାବରେ ଆଦି ନାଟ୍ୟକାର ବୋଲି ଅନେକେ ଅଭିହିତ କରନ୍ତି ।

ଓଡିଶା ଡଟ କମ

Leave a Reply