Site icon Odisha.com

ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ପ୍ରିୟଲୋକ

ଦେବେନ୍ଦ୍ର ପୃଷ୍ଟି

ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାଂପ୍ରତିକ ଓଡ଼ିଶାର ସବୁଠୁଁ ଅଧିକ ଲୋକପ୍ରିୟ ନେତା । ଏଥିରେ ସନ୍ଦେହ ନାହିଁ ।

ସେ ୧୯୯୬ ମସିହାରେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପରଠୁଁ ଯେଉଁ ରାଜନୀତିକ ସଫଳତା ହାସଲ କରିଛନ୍ତି ତତ୍ତୁଲ୍ୟ ସଫଳତା ଅନ୍ୟ କୌଣସି ଓଡ଼ିଆ ରାଜନେତା ହାସଲ କରି ନାହାନ୍ତି ।

ଆସୁ ଆସୁ ସାଂସଦ । ବର୍ଷକ ଭିତରେ ଗୋଟିଏ ଆଞ୍ଚଳିକ ଦଳର ସଭାପତି । କେନ୍ଦ୍ର ମନ୍ତ୍ରୀ । ତା’ପରଠୁଁ ଚାରି ଚାରି ଥର ବିଧାନସଭା ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ । ଏଇ ପଦରେସେ ୧୮ ବର୍ଷ ହେଲା ଅଛନ୍ତି ।

ଏଇ ୨୨ ବର୍ଷ ଭିତରେ ତାଙ୍କ ନେତୃତ୍ୱରେ ତାଙ୍କ ମେଣ୍ଟ ଓ ଦଳ ୫ଟି ଲୋକସଭା ନିର୍ବାଚନ ଓ ୪ଟି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ।

ପ୍ରତି ନିର୍ବାଚନରେ ତାଙ୍କ ଦଳର ବିଧାୟକ ସଂଖ୍ୟା ବଢ଼ି ବଢ଼ି ଏବେ ୧୪୭ ଆସନରୁ ୧୧୭ ଆସନ ପାଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି । ଏଭଳି ସ୍ଥିର ଓ ନିରଙ୍କୁଶ ସରକାର ଓଡ଼ିଶା ଇତିହାସରେ ବିରଳ ।

ଏପରିକି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ୯ ବର୍ଷର ଶାସନରେ ମଧ୍ୟ ଏପରି ରାଜନୀତିକ ସ୍ଥିରତା ଦେଖିବାକୁ ମିଳି ନଥିଲା ।

ତଥାପି, ନବୀନବାବୁଙ୍କ ବିରୋଧରେ ଅନେକ ସମୟରେ ଅଭିଯୋଗ ହୁଏ ଯେ ସେ ରାଜ୍ୟ ରାଜନୀତିରେ ଏବେ ବି ଜଣେ ନାବାଳକ । ସେ ନିଜେ କିଛି ନବୁଝି ଅନ୍ୟମାନଙ୍କ ଜରିଆରେ ସବୁ କାମ କରାଇ ନିଅନ୍ତି ।

ଲୋକଙ୍କ ସମର୍ଥନରେ ସେ ସିନା ଲୋକପ୍ରିୟ, ମାତ୍ର ସେ ଶାସନ ଓ ରାଜନୀତି ପରିଚାଳନା କରିବା ପାଇଁ କେତେକ ପ୍ରିୟ ଲୋକଙ୍କୁ ବାଛିଛନ୍ତି । ଏହି ପ୍ରିୟ ଲୋକମାନଙ୍କ ଜରିଆରେ ହିଁ ସେ ଶାସନ ଓ ରାଜନୀତିକୁ ନିୟନ୍ତ୍ରଣ କରି ଆସିଛନ୍ତି ।

ଏକଥା ଅନ୍ୟ ଦଳର ନେତାଙ୍କ ଅପେକ୍ଷା ତାଙ୍କରି ଦଳର ଅନେକ ନେତା ମଝିରେ ମଝିରେ ଅଭିଯୋଗ କରିଥାନ୍ତି । ଏମିତି ଅଭିଯୋଗ ପ୍ରଥମେ କରୁଥିଲେ ରାମକୃଷ୍ଣ ପଟ୍ଟନାୟକ । ତାଙ୍କ ପରେ ‘ପ୍ୟାରୀ କିଏ’ ବୋଲି ପ୍ରଶ୍ନ ଉଠାଇ ଏହି ସଂକେତ ଦେଇଥିଲେ ପଂଚାନନ କାନୁନଗୋ ।

ତାଙ୍କ ପରେ ଡାକ୍ତର ଦାମୋଦର ରାଉତ ‘ନିଷ୍ପତ୍ତି କିଏ ନେଉଛି ମୁଁ ଜାଣେନାହିଁ’ ବୋଲି କହି ଏଇ ଇଙ୍ଗିତ ଦେଇଥିଲେ । ଦାମଙ୍କ ବାଣ ପରେ ନବୀନ ନିଜେ କହିବାକୁ ବାଧ୍ୟ ହୋଇଥିଲେ ଯେ ‘ମୁଁ ହିଁ ସବୁ ନିଷ୍ପତ୍ତି ନେଉଛି’ ।

ଏ ତିନି ଜଣ ନେତାଙ୍କ ପରେ ଏହି ପ୍ରଶ୍ନ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ତାଙ୍କରି ଦଳର କେତେକ ନେତା ବ୍ୟକ୍ତିଗତ ଆଲୋଚନାରେ ନବୀନ ଅନ୍ୟମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପ୍ରଭାବିତ ବୋଲି ଅଭିଯୋଗ କରିଥାନ୍ତି ।

ବିଜେଡି ନେତାଙ୍କ ପରେ କଂଗ୍ରେସ ଓ ବିଜେପି ନେତାମାନେ ମଧ୍ୟ ଏଭଳି ଅଭିଯୋଗ ଉଠାଇଛନ୍ତି । କଂଗ୍ରେସର ତାରା ପ୍ରସାଦ ବାହିନୀପତି ଏକାଧିକ ଥର ସ୍ପଷ୍ଟ ଭାଷାରେ ଏପରି ଅଭିଯୋଗ କରିଛନ୍ତି ।

ଏବେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ପରୋକ୍ଷରେ ଏଇ ପ୍ରଶ୍ନ ଉଠାଇଛନ୍ତି । ସେ ତୃତୀୟ ମହଲାର ଜଣେ ଅଣ ଓଡ଼ିଆ ଅଫିସରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ନବୀନଙ୍କ ୧୮ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ସମ୍ବିଧାନ ବହିର୍ଭୁତ କ୍ଷମତା କେନ୍ଦ୍ର, ଶହୀଦ ନଗର ମଠ, ମୁଖ୍ୟ ପରାମର୍ଶଦାତା, ଚାଣକ୍ୟ, ତୃତୀୟ ମହଲା, ଦିଲ୍ଳୀ ସିଣ୍ଡିକେଟ, କର୍ପୋରେଟ୍ କୋଟରି, ଗ୍ୟାଙ୍ଗ ଅଫ ଫୋର୍, ଯୁବ ବାହିନୀ ଆଦି ଉପଲକ୍ଷ୍ୟ ଶୁଣିବାକୁ ମିଳିଛି ।

ବିଭିନ୍ନ ପର୍ଯ୍ୟାୟରେ ଏସବୁ ବ୍ୟକ୍ତି ବା ବ୍ୟକ୍ତିଙ୍କ ସଂଗୋଷ୍ଠୀ ନବୀନଙ୍କୁ ମାଧ୍ୟମ କରି ଶାସନ ଓ ରାଜନୀତିର କ୍ଷମତା ଉପଭୋଗ କରିଥିବା ଅଭିଯୋଗ ହୁଏ ।

ଏପରିସବୁ ଅଭିଯୋଗ ଓ ଚର୍ଚ୍ଚା ଯଦି ସତ୍ୟ ହୋଇଥାଏ ତେବେ ନବୀନ ପ୍ରଥମେ ପ୍ରଥମେ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କଥା ଅଧିକ ଶୁଣୁଥିଲେ ।

କିନ୍ତୁ ୧୯୯୯ ମସିହା ଶେଷ ଭାଗରୁ ସେ ପୂର୍ବତନ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଅଧିକ ବିଶ୍ୱାସ କରିବା ଆରମ୍ଭ କରିଥିଲେ । ପ୍ୟାରୀ ପ୍ରଥମେ ତାଟି ତଳେ ଥାଇ ଗୁଳି ମାରୁଥିଲେ ।

ପରେ ସେ ବିଜେଡିର କାର୍ଯ୍ୟନିର୍ବାହୀ ସଦସ୍ୟ ହେଲେ ଓ ଲଗାତାର ଦୁଇ ଥର ରାଜ୍ୟସଭାକୁ ଗଲେ । ତାଙ୍କ ସମୟରେ ସେ ୨୦୦୦ ମସିହାରୁ ୨୦୧୨ ଯାଏଁ ଦୀର୍ଘ ୧୨ ବର୍ଷ କାଳ ନବୀନଙ୍କ ଆଖି, କାନ ଓ ନାକ ହୋଇ ରହିଥିଲେ ।

ତାଙ୍କ ସମୟରେ ଶହୀଦ ନଗର କ୍ଷମତା କେନ୍ଦ୍ର ଏକ ବହୁ ଚର୍ଚ୍ଚିତ ବିଷୟ ଥିଲା । କୁହାଯାଉଥିଲା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ବି ଶହୀଦ ନଗର ଅଙ୍କଲଙ୍କ ଘରକୁ ଯାଏ ଓ ସେଠାରୁ ନିଷ୍ପତ୍ତି ହୋଇ ଆସିଲା ପରେ ମୁଖ୍ୟମନ୍ତ୍ରୀ ସେଥିରେ ଦସ୍ତଖତ କରନ୍ତି ବା ଫାଇଲ ଫେରାଇ ଦିଅନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପାଇଁ ହେଉ ବା ସରକାରୀ କାର୍ଯ୍ୟ ହାସଲ କରିବା ପାଇଁ ମନ୍ତ୍ରୀ, ଅଫିସର ଓ ଶିଳ୍ପପତିମାନେ ୧୧୧, ଶହୀଦ ନଗରରେ ଧାଡ଼ି ବାନ୍ଧି ଅପେକ୍ଷା କରନ୍ତି ।

ତେବେ ପ୍ୟାରୀଙ୍କ ପ୍ରଭାବ ଅତ୍ୟଧିକ ବୃଦ୍ଧି ପାଇବା ପରେ ନବୀନ ତାଙ୍କଠାରୁ ଆଡ଼ ଆଡ଼ ହୋଇଥିଲେ ଓ ସେହି ସମୟରେ ଚାକିରିରେ ଥିବା ଜଣେ ଆଇଏଏସ ଅଫିସର ବିଜୟ କୁମାର ପଟ୍ଟନାୟକ ନବୀନଙ୍କ ପ୍ରିୟଲୋକ ହୋଇଯାଇଥିଲେ ।

ସେ ମହାଶୟ ଜଳସଂପଦ ବିଭଗର ସଚିବ ଥିଲାବେଳେ ସେହି ବିଭାଗର ଦୁର୍ନୀତି ବିରୋଧରେ ବିଜୁ ଜନତା ସିବିଆଇ ତଦନ୍ତ ଦାବି କରିଥିଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ପରେ ଜଳସଂପଦ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

ମାତ୍ର, ପରେ ସେହି ବିଜୟ ପଟ୍ଟନାୟକଙ୍କୁ ହିଁ ସେ ନିଜର ପ୍ରମୁଖ ସଚିବ ଏବଂ ପରେ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏପରିକି ସେ ଅବସର ନେବା ପରେ ମଧ୍ୟ ନବୀନବାବୁ ତାଙ୍କୁ ଦୁଇ ଦୁଇ ଥର ଦୁଇଟି ସରକାରୀ ସଂସ୍ଥାରେ ଥଇଥାନ କରିଥିଲେ ।

ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରେ ଯୋଗଦେଇ ନିଜର ଓ ନବୀନ ସରକାରଙ୍କ ବେଦାନ୍ତ ପ୍ରୀତିକୁ ପରୋକ୍ଷରେ ପଦାରେ ପକାଇଥିଲେ ।

ବିଜୟ ପଟ୍ଟନାୟକ ଚାକିରିରେ ଥିବା ସମୟରେ ବି ଦଳୀୟ ବ୍ୟାପାର ପରିଚାଳନା ପାଇଁ ନବୀନବାବୁ କଳ୍ପତରୁ ଦାସଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଯାଇଥିଲେ । ତାଙ୍କ ସୁବିଧା ପାଇଁ ସେ ପ୍ରଥମେ ତାଙ୍କୁ ମନ୍ତ୍ରୀ ଓ ପରେ ରାଜ୍ୟସଭା ସଦସ୍ୟ କରିଥିଲେ ।

ପରେ କଳ୍ପତରୁ ନାନାଦି ଦୁର୍ନୀତିରେ ଫଶି ବଦନାମ ହୋଇଥିଲେ । ପ୍ୟାରୀ ଓ ବିଜୟ ପଟ୍ଟନାୟକ ମଧ୍ୟ କମ ବଦନାମ ହୋଇନାହାନ୍ତି ।

କଳ୍ପତରୁଙ୍କ ଦେହାନ୍ତ ପରେ ତୃତୀୟ ମହଲା କଥାଟି ଲୋକପ୍ରିୟ ହୋଇଗଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଶାସନ ଓ ରାଜନୀତିର ମଙ୍ଗ ଧରିଛନ୍ତି ବୋଲି ଚର୍ଚ୍ଚା ବଢ଼ିଲା । ଏବେ ତାହା ହିଁ ଚାଲିଛି ।

ଏମାନଙ୍କ ବାଦ ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା, ବଡ଼ଭାଇ ପ୍ରେମ ପଟ୍ଟନାୟକ, ଦିଲ୍ଲୀ ଓ ଓଡ଼ିଶାର କେତେ ଜଣ ସାମ୍ବାଦିକ, ଆଇଏଏସ ଅଫିସର ସନ୍ତୋଷ ଶତପଥୀ ମଧ୍ୟ ନବୀନଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେଉଥିବା ଓ ସେମାନଙ୍କ କଥା ଅନୁସାରେ ନବୀନ ଶାସନ ଓ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଶୁଣାଯାଏ ।

ତେବେ, ନବୀନ କାହା କଥାକୁ ଅଧିକ ଗ୍ରହଣ କରନ୍ତି ଓ କାହା କଥା ଶୁଣନ୍ତି ନାହିଁ ତାହା ସେ ନିଜେ ହିଁ ଜାଣନ୍ତି । ଅବଶ୍ୟ ଏଇ ସମୟ ଭିତରେ ଓଡ଼ିଶାରେ ସର୍ବାଧିକ ଦୁର୍ନୀତି ହୋଇଥିବା ଅଭିଯୋଗ ବିଭିନ୍ନ ମଞ୍ଚରେ ଉଠିଛି ଓ ସାବ୍ୟସ୍ତ ହୋଇଛି ।

ଖଣି ଦୁର୍ନୀତି, ଚିଟ ଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ପାଣି ଦୁର୍ନୀତି, ଜମି ଦୁର୍ନୀତି, ଜଙ୍ଗଲ ଦୁର୍ନୀତି, ବିହନ ଦୁର୍ନୀତି, ସାର ଦୁର୍ନୀତି, ସମବାୟ ଋଣ ଦୁର୍ନୀତି, ପୋଲ ଓ ରାସ୍ତାଘାଟ ନିର୍ମାଣ ଦୁର୍ନୀତି- ଏପରି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ବିଜେଡି ସରକାରଙ୍କୁ ମୁଣ୍ଡେଇବାକୁ ପଡ଼ିଛି । ସବୁ ଦୁର୍ନୀତିରେ ଅନ୍ୟମାନେ ବଦନାମ ହୋଇଛନ୍ତି, ନବୀନବାବୁ ଖସି ଯାଇଛନ୍ତି ।

ଦଳ ଓ ଶାସନରେ ହୋଇଥିବା ତ୍ରୁଟିବିଚ୍ୟୁତ ପାଇଁ ଦଳୀୟ ନେତାମାନେ ପ୍ୟାରୀ, ପାଣ୍ଡିଆନ ଓଗେରଙ୍କୁ ଦୋଷ ଦେଇଛନ୍ତି । ବିରୋଧୀ ଦଳର ନେତାମାନେ ମଧ୍ୟ କିଛି ନବୁଝି ନବୀନଙ୍କ ଏଇ କୌଶଳରେ ଫଶିଛନ୍ତି । କେହି ବୋଧହୁଏ ଏଯାଏଁ ବୁଝି ନାହାନ୍ତି ଯେ ନବୀନ ହିଁ ସବୁ କରୁଛନ୍ତି ।

ସମସ୍ତ ଦୁର୍ନୀତି, ତ୍ରୁଟି, ଅବହେଳା ଓ ଅପାରଗତା ପାଇଁ କେବଳ ସେ ହିଁ ଦାୟୀ । କାରଣ ଲୋକେ ତାଙ୍କୁ ହିଁ ଭୋଟ ଦେଇଛନ୍ତି, ସେ ହିଁ ଉତ୍ତରଦାୟୀ । ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ, ଅଥଚ ଦୋଷ ମୁଣ୍ଡେଇବେ ଅନ୍ୟମାନେ!

ଏହା କି ପ୍ରକାର ଗଣତନ୍ତ୍ର? କି ପ୍ରକାର ରାଜନୀତି? ବିଜେଡି ଓ ବିପକ୍ଷ ନେତାମାନେ ବାରମ୍ବାର ନବୀନଙ୍କୁ ଛାଡ଼ି ଅନ୍ୟମାନଙ୍କୁ କ୍ଷମତା କେନ୍ଦ୍ର ଭାବେ ପ୍ରଚାରିତ କରିବା ଦ୍ୱାରା ନବୀନଙ୍କ ନିଷ୍କଳଙ୍କ ଭାବମୂର୍ତ୍ତି ଅତୁଟ ରହିଛି । ତାହା ହିଁ ତାଙ୍କର ରାଜନୀତିକ ପୁଂଜି । ତାହା ହିଁ ତାଙ୍କର ଶକ୍ତି ହୋଇଯାଇଛି ।

ଅବସ୍ଥା ଏବେ ଏପରି ହୋଇଛି ଯେ ନବୀନ ନିଜେ ସବୁ କିଛି କରୁଛନ୍ତି ବୋଲି ଦାବି କଲେ ମଧ୍ୟ କଂଗ୍ରେସ, ବିଜେଡି ଓ ବିଜେପି ନେତାମାନେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି ।

ନେତାମାନେ ଭାବୁଛନ୍ତି ଅଫିସରମାନେ ସବୁ କରୁଛନ୍ତି । ଲୋକମାନେ କିନ୍ତୁ ବୁଝିଛନ୍ତି, ନବୀନବାବୁ ହିଁ ସବୁ ଭଲ କାମ କରୁଛନ୍ତି, ଆଉ ଖରାପ କାମ ତକ ତାଙ୍କ ପାଖଲୋକମାନେ କରୁଛନ୍ତି ।

ତେବେ, ଏଇ ଖରାପ ଲୋକମାନଙ୍କୁ କିଏ ବାଛିଛି, କିଏ ଦାୟିତ୍ୱ ଦେଇଛି, ସେନେଇ କେହି ତର୍ଜମା କରନ୍ତି ନାହିଁ ।

ପ୍ୟାରୀଙ୍କୁ କିଏ ବାଛିଥିଲେ? ବିଜୟ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ କିଏ ବାଛିଥିଲେ? କଳ୍ପତରୁଙ୍କୁ କିଏ ଦାୟିତ୍ୱ ଦେଇଥିଲେ । ନବୀନଙ୍କ ବିନା ଅନୁମତି ଓ ପ୍ରୋତ୍ସାହନରେ ଏହି ଲୋକମାନେ କିଛି କରିପାରିଥାନ୍ତେ କି?

ଦେବେନ୍ଦ୍ର ପୃଷ୍ଟି

ଏହି ଲେଖା ପ୍ରଥମେ ସାମାନ୍ୟକଥନରେ ପ୍ରକାଶିତ  । ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ । ଫଟୋ:  ନବୀନ ପଟ୍ଟନାୟକଙ୍କ ଫେସବୁକ କାନ୍ଥ ।

 

Exit mobile version