ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟ

1
ବିଘ୍ନେଶ୍ୱର ସାହୁ

ବିଚ୍ଛିନ୍ନାଞ୍ଚଳ କହିଲେ ଆମେ ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଓ ଉତ୍ତରପଟକୁ ଲାଗିରହିଥିବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମୁଖ୍ୟତଃ ବୁଝିଥାଉ ।

ପ୍ରାକ୍ ସ୍ୱାଧୀନତା କାଳରୁ ଆମେ ଓଡ଼ିଶାକୁ ଅଥବା ଓଡ଼ିଶାର ମାନଚିତ୍ରକୁ ଯେପରି ଭାବରେ ଦେଖୁଛୁ, ପୂର୍ବରୁ ତାହାର ପରିସୀମା କାହିଁ କେତେଗୁଣରେ ଅଧିକା ଥିଲା ।

କୁହାଯାଉଥିଲା, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ତକ୍ରାଳୀନ କଳିଙ୍ଗର ସାମ୍ରାଜ୍ୟ ବିସ୍ତାରିଥିଲା । କାଳକ୍ରମେ ତାହା ଖଣ୍ଡବିଖଣ୍ଡିତ ହେବାକୁ ଲାଗିଲା ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବର ଅବସ୍ଥା ଏବଂ ପର ଅବସ୍ଥାକୁ ଅନୁଧ୍ୟାନ କଲେ ଉଭୟ ସମୟର ସ୍ଥିତିରେ ଅନେକ ପରିବର୍ତ୍ତନର ଆଭାସ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିନଠାରୁ ପର୍ଯ୍ୟାୟ କ୍ରମରେ ଦକ୍ଷିଣ ଓଡ଼ିଶାର ଅତିକମ୍ ରେ ୧୯୯ଖଣ୍ଡ ଗ୍ରାମଉପରେ ଆନ୍ଧ୍ର ସରକାର ମାଲିକାନା ଜାହିର କରିବା ଓ ଆମେ ଏହା ବିରୁଦ୍ଧରେ ଠିକ ଭାବେ ସ୍ଵର ଉତ୍ତୋଳନ କରି ଏହାର ସମାଧାନ ନ କରିବା ପରିସ୍ଥିତିର ଗମ୍ଭୀରତାକୁ ସୂଚାଇ ଦେଉଛି ।

ଆମ ରାଜ୍ୟର ଭୌଗୋଳିକ ସୀମା ସରହଦ୍ ନେଇ ରହିଆସିଥିବା ରେକର୍ଡ଼ପତ୍ର ଏହି ପରିସ୍ଥିତିରେ ଏକପ୍ରକାର ଅପ୍ରାସଙ୍ଗିକ ହୋଇପଡ଼ୁଛି ।

ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ବିଭିନ୍ନ ଆଡ଼ରୁ ଘେରି ରହିଛି ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର କିଛି ଅଞ୍ଚଳ । କେବେ ଭାଷା ତ ଆଉ କେବେ ଅଞ୍ଚଳକୁ କେନ୍ଦ୍ର କରି ଓଡ଼ିଶା ସହିତ ଏହି ଚାରିଟି ରାଜ୍ୟ ମଧ୍ୟରେ ସୃଷ୍ଟି ହେଉଛି ବିବାଦ ।

ଭାଷାକୁ ନେଇ ସବୁବେଳେ ଗର୍ବ କରିଆସୁଥିବା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗ୍ରାମରେ ବଙ୍ଗଳା ଭାଷାର ପ୍ରସାର ପାଇଁ ପ୍ରୟାସ ଜାରିରଖିଛି ।

ଅପରପଟେ ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳ ଗ୍ରାମଗୁଡ଼ିକରେ ରାସ୍ତାଘାଟ, ସ୍କୁଲ, ବିଦ୍ୟୁତ ସଂଯୋଗ ଆଦି ଲାଗି ଅବିରତ ପ୍ରଚେଷ୍ଟା କରାଯାଉଛି । ଏପରିକି ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳର କେତେକ ଓଡ଼ିଆ ମାଧ୍ୟମ ସ୍କୁଲରେ ତେଲୁଗୁ ପଢ଼ାଯିବା କଥା ବି ଶୁଣିବାକୁ ମିଳୁଛି ।

ଫଳରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ସୀମାନ୍ତବର୍ତ୍ତୀ ଗ୍ରାମର ଲୋକମାନେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟରେ ମିଶିଯିବାକୁ ଇଚ୍ଛା କରୁଛନ୍ତି ।

ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଜପତି, ଗଞ୍ଜାମର କିଛି ସୀମାନ୍ତବର୍ତ୍ତୀ ଗାଁ ଆଜି କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ଅନେକ ଉଦାହରଣ ଆମେ ପାଇପାରିବା ।

କୋରାପୁଟ:

ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ର ପାନ୍ଥଲୁଙ୍ଗ, ଚାଟୁଆ ଏବଂ ପଟାଙ୍ଗି ବ୍ଲକ୍ ର କୋଟିଆ, ସୁଙ୍କି, ଅମ୍ବାପାଲି ତଥା ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମର ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଭାବେ ରହିଛନ୍ତି ।

ଏହି ସୀମାନ୍ତ ପଞ୍ଚାୟତର କିଛି ଗ୍ରାମରେ ପିଇବା ପାଣିର ସମସ୍ୟା ରହିଛି ତ ଆଉ କେଉଁ ଗ୍ରାମକୁ ରାସ୍ତାଘାଟ, ବିଜୁଳି ଓ କର୍ମସଂସ୍ଥାନ ଭଳି କୌଣସି ମୌଳିକ ସୁବିଧା ମିଳିପାରୁ ନାହିଁ । ଏହି ସୀମାନ୍ତ ଗ୍ରାମବାସୀମାନେ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରି ଚଳିଆସୁଛନ୍ତି ।

ଉଦାହରଣଭାବେ ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବୁ ଗ୍ରାମକୁ ନିଆଯାଉ । ଏହି ଗ୍ରାମରେ ୩୩ଟି କନ୍ଧ ଓ ୮ଟି ପରଜା ପରିବାର ବାସ କରୁଛନ୍ତି ।

ଏଠାକାର ଗ୍ରାମବାସୀମାନେ କୃଷି ସହିତ ବନଜାତ ଦ୍ରବ୍ୟ ସଂଗ୍ରହ କରି ଓ ମଜୁରୀ ଲାଗି ଚଳନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନଥିବାରୁ ଏହି ଗ୍ରାମବାସୀ ଅସହାୟ ଓ ନିରୁପାୟ ହୋଇ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।

ଆନ୍ତର୍ଜାତିକ ସୀମାନ୍ତରେ ଯେମିତି କିଛି ‘ନୋ-ମ୍ୟାନ୍ସ ଲାଣ୍ଡ’ ଥାଏ, ସେହିଭଳି ଓଡ଼ିଶାର କୁଟିଆ ଅଞ୍ଚଳର ୨୨ଖଣ୍ଡ ଗ୍ରାମ (ବିବାଦୀ)ର ଲୋକମାନେ ୧୯୩୪ରୁ ନିଜ ଜନ୍ମଭୂମିର ପରିଚୟ ପାଇଁ ଅନବରତ ସଂଗ୍ରାମ ଚଳାଇ ଆସିଛନ୍ତି ।

ତାହା ବାଦ୍, ଓଡ଼ିଶାର ଗୁଡ଼ିକୁଡ଼ି ଗ୍ରାମରେ ଆନ୍ଧ୍ର ସରକାର ବଳପୂର୍ବକ କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ କରିବା ଦିନଠାରୁ ରାଜ୍ୟ ସୀମାବର୍ତ୍ତୀ ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ୩ଟି ଫରେଷ୍ଟବ୍ଲକ୍ ରେ ୭ହଜାର ଏକର ଜଙ୍ଗଲ ସମେତ ୧୬୦ଟି ଗ୍ରାମ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦ ଉଠାଇ ସାରିଲେଣି ।

ନାରାୟଣପାଟଣା ଥାନା ଅନ୍ତର୍ଗତ ଝଞ୍ଜାବତୀ ନଦୀ ପାଶ୍ୱର୍ ଜୟକୋଟାଠାରୁ ରେବତୀଗୁଡ଼ା, ହାତୀଗୁଡ଼ା, ଫରେଷ୍ଟ ସୀମାଖୁଣ୍ଟଠାରୁ ମୁଲାଗାସହ ସଂଯୁକ୍ତ କରୁଥିବା ଆନ୍ଧ୍ର ସୀମା ଏବଂ କାସପାବାଲସାଠାରୁ ଆରମ୍ଭ କରି ଦଳେଇପଟାରୁ ଆନ୍ଧ୍ରର ଡୋକାସିଲା, ସ୍ପେଇବାଲସା ସୀମା ଯାଏଁ ୩ଟି ଫରେଷ୍ଟ ବ୍ଲକ୍ ର ୨ହଜାରରୁ ଅଧିକ ଏକର ଅଞ୍ଚଳର ମାଲିକାନା ନେଇ ବିବାଦ ୧୯୭୫ରୁ ଆରମ୍ଭ ହୋଇଥିଲା ।

୧୯୭୮ରେ ପୁରୁଣା ସର୍ଭେର ତଥ୍ୟକୁ ଭିତ୍ତିକରି ବିବାଦର ସମାଧାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଉଭୟ ରାଜ୍ୟସଭାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ମାଡ଼୍ରାସ୍ ସର୍ଭେ କର୍ମଚାରୀମାନଙ୍କ ଦ୍ୱାରା ୧୯୩୪ସାଲରେ ପ୍ରସ୍ତୁତ ତଥ୍ୟକୁ ଉଭୟ ରାଜ୍ୟ ଗ୍ରହଣ କରିବା ଲାଗି ସ୍ପଷ୍ଟ ଇଙ୍ଗିତ ଥିଲା ।

ତେବେ ୧୯୭୮ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆପାତତଃ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ସୀମାବର୍ତ୍ତୀ ଏହି ବିବାଦୀୟ ଅଞ୍ଚଳ (ସୀମାଖଣ୍ଡ ୧୫୦୬ରୁ ୧୯୩୩ ପର୍ଯ୍ୟନ୍ତ)ର ତଥ୍ୟଗୁଡ଼ିକ ନିଜ ପାଖରେ ନଥିବା ଭଳି ଅଜବ ଯୁକ୍ତି ଦର୍ଶାଇଛନ୍ତି ।

ଏହି ଯୁକ୍ତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସନ୍ଦେହ ସୃଷ୍ଟି କରିଛି । ଏହି ବିବାଦର ସମାଧାନ ପାଇଁ ୧୯୮୪ ସାଲରୁ ଉଭୟ ରାଜ୍ୟ ଉଚ୍ଚ ଅଧିକାରୀସ୍ତରୀୟ ବୈଠକ ସାତରୁ ଅଧିକ ଥର ହୋଇସାରିଲାଣି । ମାତ୍ର ଆନ୍ଧ୍ର ସରକାର ପୁନରାୟ ବିବାଦୀୟ କ୍ଷେତ୍ରର ସର୍ଭେ ପାଇଁ ଜିଦ୍ ଧରିବସିଛନ୍ତି ।

ବଣପାହାଡ଼ ଘେରା, ଦୁର୍ଗମ ଇଲାକାରେ ଥିବା ଏହି ଗ୍ରାମର ଲୋକ କୌଣସି ରୋଗରେ ପୀଡ଼ିତ ହେଲେ ଲୋକେ ମାଛକୁଣ୍ଡ ନଦୀ ପାର କରି ଆନ୍ଧ୍ରର ପେଦାବାଇଲି କିମ୍ବା ପାଡ଼େରକୁ ନେଇ ଚିକିତ୍ସା କରିଥାନ୍ତି । ସୁଡୁବୁ ଭଳି ଅନେକ ସୀମାନ୍ତବର୍ତ୍ତୀ ଗ୍ରାମର ଅବସ୍ଥା ସମାନ ।

ଯାହାଫଳରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ରାଜ୍ୟରୁ ଦୂରେଇ ଯିବାରେ ଲାଗିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ହାଟବଜାର, କାମଧନ୍ଦା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଛନ୍ତି ।

ଜୋର ଯାର ମୂଲକ ତା’ର ନୀତିରେ ଏବେ ବିବାଦୀୟ କୁଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର କର୍ତ୍ତୃତ୍ୱ ବଢ଼ିଚାଲିଛି ।

ଦୀର୍ଘବର୍ଷ ଧରି କୁଟିଆ ଅଞ୍ଚଳର ୨୧ଖଣ୍ଡ ଗ୍ରାମକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ର ସରକାର ଏସବୁ ବିବାଦୀୟ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ।

ଗ୍ରାମବାସୀଙ୍କୁ ଖାଉଟି କାର୍ଡ଼, ସ୍ୱାସ୍ଥ୍ୟ କାର୍ଡ଼, ଭୋଟର କାର୍ଡ଼ ପ୍ରଦାନ କରି ନିଜର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

କେବଳ ଏତିକି ନୁହେଁ, ଆନ୍ଧ୍ର ପ୍ରଶାସନ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଏହି ବିବାଦୀୟ ଗ୍ରାମପୁଞ୍ଜ ଅଞ୍ଚଳର କେତେକ ଗ୍ରାମକୁ ରାସ୍ତା ତିଆରି କରିବା ସାଙ୍ଗକୁ ବିଦ୍ୟୁତ ଯୋଗାଣ, ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ୬୮କି.ମି. ଦୂର ତଥା ଜାତୀୟ ରାଜପଥ ନଂ ୨୬ରୁ ୩୦କି.ମି. ଦୂରରେ କୁଟିଆ ଗ୍ରାମ ପଞ୍ଚାୟତ ଅବସ୍ଥିତ ।

ପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୨୧ଖଣ୍ଡ ଗ୍ରାମ କୁଟିଆ, ଗଞ୍ଜେଇପଦର, ମାଡ଼କାର, ଫଗୁଣସିନେରୀ, ଫାଟୁସିନେରୀ, ମହିପାଣି, ଉପରସେମ୍ବି, ତଳସେମ୍ବି, ଧୂଳିପଦର, ଆର୍ଜୁବାଲସା, ତାଡ଼ିବାଲସା, ନାରେଡ଼ିବାଲ, ରଣାସିଂ, ପନକାର, ସିଡ଼ିବାଲସା, ବାର୍ଣ୍ଣାପାଡ଼ୁ, ସିମାଗାଡ଼ା, ହରମାଣ୍ଡିଙ୍ଗ, ସଲପଗୁଡ଼ା, ତୁଲିସା, ପଣାଦୋରାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୪ ମସିହାରୁ ଆଇନଗତ ବିବାଦ ଲାଗି ରହିଛି ।

୧୯୬୮ମସିହାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ଉକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ବିବାଦୀୟ ୨୧ଖଣ୍ଡ ଗ୍ରାମରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସମୟରେ ନାନା ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି । କିଛି ଗାଁରେ ରାସ୍ତା ନିର୍ମାଣ ଓ ଆଉ କିଛି ଗାଁରେ ବିଦ୍ୟୁତଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି ।

କେବଳ ସେତିକି ନୁହେଁ ଏହି ବିବାଦୀୟ ଗ୍ରାମଗୁଡ଼ିକ ମଧ୍ୟରୁ ଦୁଇଟି ଗାଁରେ ସ୍କୁଲ ଗୃହ ନିର୍ମାଣ କରିବା ସହିତ ତେଲୁଗୁଭାଷାରେ ଶିକ୍ଷାଦାନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଆନ୍ଧ୍ର । କେତେକାଂଶରେ ସଫଳ ମଧ୍ୟ ହେଉଛି ।

ଏହି ବିବାଦୀୟ ପଞ୍ଚାୟତରେ ମୋଟ ଜନସଂଖ୍ୟା ୬୩୦୪ ହୋଇଥିବା ବେଳେ ୭୭୮ଘର ଆଦିବାସୀ, ୧୨୩ ଘର ହରିଜନ ପରିବାର ରହୁଛନ୍ତି । ଓଡ଼ିଶା ପକ୍ଷରୁ କୁଟିଆରେ ପଞ୍ଚାୟତ ରହିଥିବାବେଳେ ଆନ୍ଧ୍ର ପ୍ରଶାସନ ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀ ତିନିଟି ପଞ୍ଚାୟତ ସୃଷ୍ଟି କରିଛି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତର ରାଇପଡ଼ା ଗାଁ । ଗାଁଟି ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିବା ପରେ ଗତ କିଛିବର୍ଷ ତଳେ ହିଁ ରାଜ୍ୟ ସରକାରଙ୍କ କିଛି ଯୋଜନା ଏଠାରେ ଆରମ୍ଭ ହୋଇଛି । କିନ୍ତୁ ଯୋଜନାଗୁଡ଼ିକ ଧିମା ଗତିରେ ଚାଲିଥିବାବେଳେ ଗାଁର ସମସ୍ତ ୧୪ଟି ପରିବାର କାର୍ଯ୍ୟକାରୀ ଯୋଜନାଗୁଡ଼ିକରେ ସମ୍ପୂର୍ଣ୍ଣ ଉପକୃତ ହୋଇପାରି ନାହାନ୍ତି ।

ଅନ୍ୟପକ୍ଷରେ ଆନ୍ଧ୍ର ସରକାର ସୀମାନ୍ତ ଏହି ଗାଁକୁ ନିଜ କବଜାକୁ ନେବାକୁ ଗୋଟିଏବି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ପଡ଼ୋଶୀ ସରକାରଙ୍କ ପକ୍ଷରୁ ଗାଁର ପ୍ରତ୍ୟେକ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରାଯାଇଛି ।

ଅନ୍ୟପକ୍ଷରେ ଅଳ୍ପ କିଛିଦିନ ତଳେ ଓଡ଼ିଶା ସରକାର ଗାଁକୁ ବିଦ୍ୟୁତ ସଂଯୋଗ କରିଛନ୍ତି ଯେଉଁଥିରେ କି ସମସ୍ତ ପରିବାର ବି ସାମିଲ ହୋଇପାରି ନାହାନ୍ତି ।

ଏପରିକି ଅଧିକାଂଶ ସମୟରେ ବିଦ୍ୟୁତ ରହୁନଥିବାରୁ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ବିଦ୍ୟୁତ ସଂଯୋଗ ନକରାଇବାକୁ ସଫା ସଫା ମନା କରିଦେଇଛନ୍ତି । ଇନ୍ଦିରା ଆବାସ ଯୋଜନାରେ ବି ସମାନ ସ୍ଥିତି ।

ଆନ୍ଧ୍ର ସରକାରଙ୍କ ଦ୍ୱାରା ବହୁ ଇନ୍ଦିରା ଆବାସ ଘର ସମ୍ପୂର୍ଣ୍ଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ନଚେତ କାର୍ଯ୍ୟାଦେଶ ପ୍ରଦାନ ହୋଇସାରିଥିବାରୁ ଭିତ୍ତିଭୂମି କାମ ସରିଛି । ଯେଉଁଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅଳ୍ପ କିଛି ପରିବାର ହିଁ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି ।

ଆନ୍ଧ୍ରସରକାର ସମସ୍ତ ପରିବାରଙ୍କୁ ବିପିଏଲ କାର୍ଡ଼ ଯୋଗାଇ ଯୋଗାଣ ସାମଗ୍ରୀ ନିୟମିତ ତଥା ବିଧି ପ୍ରଦାନ କରୁଛନ୍ତି । ଗତ ଜନଗଣନାରେ ଗ୍ରାମକୁ ନିଜ ରାଜ୍ୟ ସୀମାରେ ରହିଥିବା ଦର୍ଶାଇ ଆନ୍ଧ୍ର ସରକାର ଜନଗଣନା ବି କରାଇଛନ୍ତି ।

ନିର୍ବାଚନ ସମୟରେ ଗ୍ରାମବାସୀ ଓଡ଼ିଶାର ପଟାଙ୍ଗି ଏବଂ ଆନ୍ଧ୍ରର ଆର୍କୁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଦେଉଛନ୍ତି । ଶିକ୍ଷାବ୍ୟବସ୍ଥା ନିମନ୍ତେ ଏଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଉଣା କରାଯାଇ ନାହିଁ । ଅସ୍ଥାୟୀ ଘରେ ପିଲାଙ୍କୁ ଶିକ୍ଷକ ତେଲୁଗୁ ଭାଷା ସହ ଅନ୍ୟ ବିଷୟରେ ଶିକ୍ଷାଦାନ କରୁଛନ୍ତି ।

ଦୀର୍ଘବର୍ଷ ଅବହେଳିତ ଅବସ୍ଥାରେ ରହିବାପରେ ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଲୋକେ ଏତେମାତ୍ରାରେ ଉତ୍ସାହିତ ହୋଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ମିଶିବାରେ କୌଣସି ପ୍ରକାର ଦ୍ୱିଧା ନଥିବା କହିଛନ୍ତି । ଏ ତ’ ଥିଲା ଓଡ଼ିଶାର ସୀମାନ୍ତ ଗ୍ରାମରେ ଆନ୍ଧ୍ରର ଏକତରଫା ପତିଆରା ।

ଗଜପତି:

କୋରାପୁଟ ପରି ଆନ୍ଧ୍ରର ନଜର ପଡ଼ିଛି ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ କିଛି ଗ୍ରାମ ଉପରେ । ପାରଳାଖେମୁଣ୍ଡି ତହସିଲ ଅଧିନ ପୂର୍ବ ଓ ଦକ୍ଷିଣ ସୀମା ଆନ୍ଧ୍ରପ୍ରଦେଶକୁ ଲାଗି ରହିଛି ।

ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶ ଏପର୍ଯ୍ୟନ୍ତ ଏହି ଇଲାକା ବିସ୍ତୃତ । ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଗୁଣପୁର ସୀମାଯାଏଁ କାଶୀନଗର ବ୍ଲକ୍ର ବାଡ଼ିଗାଁ, ପାଲସିଂ ଏବଂ ଗୋଷାଣୀ ବ୍ଲକ୍ର କେତେକ ଅଞ୍ଚଳ ଆନ୍ଧ୍ରକୁ ଲାଗିଛି ।

ଏହି ସୀମାନ୍ତ ଇଲାକାର ଖଣ୍ଡାସା ଓ କୌଶଲ୍ୟାପୁର ଅଞ୍ଚଳ ଉପରେ ଆନ୍ଧ୍ର ଏକପ୍ରକାର ନିଜର ମାଲିକାନା ଜାହିର କରିଥିବା ବେଳେ କାଶୀନଗର ବ୍ଲକ୍ ଅଧିନ ହାଡ଼ୁଭାଙ୍ଗିରେ ଏକ ଘରୋଇ ତେଲୁଗୁ ପ୍ରାଥମିକ ବିଦ୍ୟାଳୟ ଖୋଲିଛି ।

ଓଡ଼ିଶା ମଧ୍ୟରେ ଆନ୍ଧ୍ର ଏଭଳି ଶିକ୍ଷାନୁଷ୍ଠାନ କିଭଳି ଖୋଲିଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି କାଶୀନଗର ବ୍ଲକ୍ ଅନ୍ତର୍ଗତ ନଳାବନ୍ତୁ (ନାଲାବାନ୍ତୁ) ମୌଜାର ଆଦିବାସୀ ବାସିନ୍ଦାଙ୍କୁ ଆନ୍ଧ୍ରର ସମନ୍ୱିତ ଆଦିବାସୀ ସଂସ୍ଥା ସହାୟତା ଯୋଗାଇ ଦେବାସହ ଖଜଣା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ପାରଳାଖେମୁଣ୍ଡିର ସୀତାସାଗର ଓ ଦକ୍ଷିଣ ପଟକୁ ଥିବା ଚୋରାଗୁଡ଼ି ଖସପା ମୌଜାର କେତେକ ଜମି ମଧ୍ୟ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି । ଏହି ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦେୱାନୀ ବିବାଦ ଲାଗି ରହିଥିଲା ।

ପରବର୍ତ୍ତୀ ସମୟରେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଥିଲା, ହେଲେ ଆନ୍ଧ୍ର ଦଖଲଦାର -ମାନଙ୍କୁ ଏଯାଏଁ ସେଠାରୁ ଉଚ୍ଛେଦ କରାଯାଇ ପାରି ନାହିଁ ।

କାଶୀନଗର ସୀମାରେ ପ୍ରବାହିତ ବଂଶଧାରା ନଦୀର ଅପରପାଶ୍ୱର୍ରେ ଓଡ଼ିଶାର ଅଭିଲିମା ମୌଜାର ଶତାଧିକ ଏକର ସରକାରୀ ଜମି ଆନ୍ଧ୍ର ଚାଷୀଙ୍କ ଜବରଦଖଲରେ ରହିଛି । ଏହାକୁ ନେଇ ଯେତେ ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ ।

ରାୟଗଡ଼ ବ୍ଲକ୍ ର ଗୁଡ଼ିଖୁଡ଼ି ମୌଜାକୁ ନେଇ ଆନ୍ଧ୍ରପକ୍ଷରୁ କଳିଙ୍ଗଦଳା ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ।

ଫଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି କି ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍.ଟି ରାମାରାଓଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ସମ୍ପୃକ୍ତ ଅଞ୍ଚଳ ଓଡ଼ିଶାର ବୋଲି ଆନ୍ଧ୍ର ସରକାର ଆପାତତଃ ସ୍ୱୀକାର କରିଥିଲେ ।

ସେତେବେଳେ ଡ୍ୟାମ୍ ନିର୍ମାଣପାଇଁ ଓଡ଼ିଶା ସରକାରଙ୍କୁ ବୁଡ଼ି ଅଞ୍ଚଳ ବାବଦକୁ କ୍ଷତିପୂରଣ ଦେବା ସକାଶେ ଚୁକ୍ତି ହୋଇଥିଲା । ହେଲେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ପଇସାଟିଏ କ୍ଷତିପୂରଣ ଆଦାୟ କରିବାକୁ ସକ୍ଷମ ହୋଇପାରିନାହାନ୍ତି ।

ଜମିଦାରି ଅମଳରୁ ପାରଳାଖେମୁଣ୍ଡିର ସୀତାସାଗର ଓ ରାମସାଗର ଭଳି କେତେକ ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ରର ଚାଷୀ ଜଳ ନେଉଥିଲେ ହେଁ ଟଙ୍କାଟିଏ ଜଳକର ଦେଉନାହାନ୍ତି ।

ବାରମ୍ବାର ଦାବି କରାଯିବା ପରେ ଆନ୍ଧ୍ର ସରକାର କିଛିଦିନ ଜଳକର ପୈଠକରି ଏହାକୁ ବନ୍ଦ କରିଦେଇଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଜଳକର ବାବଦରେ ଗୋଟିଏ ଟଙ୍କା ଓଡ଼ିଶାକୁ ମିଳିନାହିଁ ।

ସେହିପରି ଗଙ୍ଗାବାଡ଼, ଲାବଣ୍ୟଗଡ଼, ଜଙ୍ଗଲପାଡ଼ୁ, ହାଡ଼ୁଭାଙ୍ଗି, ସୀତାପୁର, ବ୍ରାହ୍ମଣୀ ଗାଁ, ଚୋରଗୁଡ଼ି, ଖସପା, ଅଭିଲିମା, ଗୁଡ଼ିଖୁଡ଼ି ଆଦି ଗ୍ରାମର ସୀମା ନିର୍ଦ୍ଧାରଣ ହୋଇପାରି ନଥିବାରୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ଏହି ଅଞ୍ଚଳଉପରେ ନିଜ ଅଧିକାର ଦାବି କରୁଛନ୍ତି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ୧୨ଟି ଗ୍ରାମ ଉପରେ ଆନ୍ଧ୍ରର ଏକତରଫା କର୍ତ୍ତୃତ୍ୱ ହେଉଛି ସବୁଠାରୁ ତାଜା ପ୍ରମାଣ ।

୧୯୭୮ରେ ଆନ୍ଧ୍ର-ଓଡ଼ିଶା ମିଳିତ ସର୍ଭେରେ ବିବାଦୀୟ ଗ୍ରାମରୂପେ ଚିହ୍ନଟ ହୋଇଥିବା ପାରଳା ତହସିଲର ବାବନା ସାହି, ବାଡ଼ିଗାଁ, ଚାବୁଡ଼ିଆ, କହ୍ନାଇମାଲ, ସିଲିସିଙ୍ଗି, ଅର୍ଜୁବା, ରାସଙ୍କ, ଲଇଡ଼ା, ସରଡ଼ା, ଅଚଣ୍ଡିଆ, ଗୁଡ଼ିକୁଡ଼ି ପ୍ରଭୃତି ବିବାଦୀୟ ଗ୍ରାମ ଗୁଡ଼ିକରୁ ବର୍ତ୍ତମାନର ଆନ୍ଧ୍ର ସରକାର ବଳପୂର୍ବକ ହକ୍ ପଇସା (ରାଜରାଜୁଡ଼ାରୁ ପ୍ରଚଳିତ ରାଜସ୍ୱ) ଆଦାୟ କରୁଥିବା ଦେଖାଯାଉଛି ।

ବୁଡ଼ାସିଙ୍ଗି ଇଷ୍ଟେଟ୍ ସୀମାକୁ ଲାଗି କରିଥିବା ଏହି ବାରଖଣ୍ଡ ଗ୍ରାମ ବ୍ୟତୀତ ଏହା ପୂର୍ବରୁ ୧୯୭୮ରେ ବିବାଦୀୟ ଥିବା ଗୌଡ଼ ଗୁରୁନ୍ଥି, ଆମୁଟିକାମୁରମୁ, କୌଶଲ୍ୟା ପେଟା ଓ ପଟ୍ଟାକୋଡ଼ା ପ୍ରଭୃତି ଗ୍ରାମକୁ ଆନ୍ଧ୍ରପ୍ରଦେଶ ଦଖଲ କରି ନେଇଥିବା ଜଣାଯାଇଛି ।

ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା ଓଡ଼ିଶାର ଏହି ଜିଲ୍ଲାଟି ୭ଟି ବ୍ଲକ୍ ଏବଂ ୧୨୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ଜିଲ୍ଲାର ସଦର ମହକୁମା ସମେତ ଗୋଷାଣୀ ଏବଂ କାଶୀନଗର ବ୍ଲକ୍ ସମ୍ପୂର୍ଣ୍ଣଭାବେ ଆନ୍ଧ୍ର ସୀମାନ୍ତରେ ରହିଛି ।

ଏହିସବୁ ଅଞ୍ଚଳମାନଙ୍କରେ ଆନ୍ଧ୍ରର ଛାପ ଏମିତି ଭାବେ ପଡ଼ିଛି ଯେ, ଏଠାକାର ତେଲୁଗୁ ଭାଷାଭାଷୀ ଲୋକେ ଛାଡ଼ନ୍ତୁ, ଓଡ଼ିଆ ଭାଷାଭାଷୀ ଲୋକେ ମଧ୍ୟ ସେମାନଙ୍କ ପର୍ବପର୍ବାଣୀ, ଚାଲିଚଳଣି, କଥାବାର୍ତ୍ତା ଏପରିକି ସଂସ୍କୃତିକୁ ମଧ୍ୟ ଆପଣେଇ ନେଇଛନ୍ତି ।

ପରିସ୍ଥିତିରେ ପଡ଼ି ହେଉ କି ଇଚ୍ଛା ଅନୁସାରେ ହେଉ ପୂର୍ବପୁରୁଷମାନେ ଆପଣେଇ ନେଇଥିବା ସଂସ୍କୃତିକୁ ବର୍ତ୍ତମାନର ପିଢ଼ି ସେଗୁଡ଼ିକୁ ନିଜର ସଂସ୍କୃତି ବୋଲି ଧରିନେଇଛନ୍ତି ।

କେବଳ ସେତିକି ନୁହେଁ ଏହି ସବୁ ଅଞ୍ଚଳରେ ବିନା ତେଲୁଗୁ ଭାଷାରେ ଚଳିବା ଖୁବ୍ କଷ୍ଟକର । ତେଣୁ ବାହାରୁ ଆସିଥିବା ଲୋକେ ଏହି ସବୁ ଅଞ୍ଚଳ ଓଡ଼ିଶାରେ ଅଛି କି ଆନ୍ଧ୍ରରେ ଅଛି ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ ।

ଏହି ଅଞ୍ଚଳର ଲୋକମାନଙ୍କୁ ବଜାର ଠାରୁ ଆରମ୍ଭ କରି ଚିକିତ୍ସାପାଇଁ ସବୁ କ୍ଷେତ୍ରରେ ଆନ୍ଧ୍ର ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ । ସାମାନ୍ୟତମ ଦେହ ଖରାପ ହେଲେ ମଧ୍ୟ ଏଠାରେ କାମ କରୁଥିବା ଡାକ୍ତରମାନେ ରୋଗୀଙ୍କୁ ବିଶାଖାପାଟଣା ପଠାଇ ଥାଆନ୍ତି ।

ବର୍ତ୍ତମାନ ଲୋକେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ, କୌଣସି ଜଟିଳ ରୋଗ ହୋଇଥିଲେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ରକୁ ନେବାକୁ ପଡ଼ିବବୋଲି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଉଛନ୍ତି ।

ବିଶେଷ କରି ଗୋଷାଣୀ ଏବଂ କାଶୀନଗର ବ୍ଲକ୍ର ଅଧିକାଂଶ ଲୋକେ ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖାପାଟଣା, ବିଜୟନଗରମ ଆଦି ଅଞ୍ଚଳ ଉପରେ ବିଭିନ୍ନ ପ୍ରକାର କାମ ପାଇଁ ନିର୍ଭର କରିଥାନ୍ତି ।

ଜିଲ୍ଲାର ଏମିତି କିଛି ଗାଁ ଅଛି ଯେଉଁଠିକି ଜଣେ ଲୋକର ଘରର ପଛ ପଟ ଆନ୍ଧ୍ରରେ ଥିବାବେଳେ, ବାହାରପଟ ବା ଦାଣ୍ଡପଟ ରହିଛି ଓଡ଼ିଶାରେ । ଫଳରେ ଏଭଳି ପରିସ୍ଥିତିରେ ଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସେଭଳି ଗାଁଗୁଡ଼ିକ ହେଉଛି ଗୋଷାଣୀ ବ୍ଲକ୍ର ରାଟିଣୀ, କାଶୀନଗର ବ୍ଲକ୍ ର କେ.ସୀତାପୁର ଆଦି । ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୮ ପୂର୍ବରୁ ଏହି ବିବାଦୀୟ ଗ୍ରାମପୁଞ୍ଜର ସବିଶେଷ ତଥ୍ୟ ଓ ମ୍ୟାପ୍ ନଥିବା ଦର୍ଶାଇ ସମ୍ପୂର୍ଣ୍ଣ ସର୍ଭେ ପରେ ଗ୍ରାମଗୁଡ଼ିକର ମାଲିକାନା ନିର୍ଦ୍ଧାରଣ ପାଇଁ ଓଡ଼ିଶା ଓ ଆନ୍ଧ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ ।

ଇତିମଧ୍ୟରେ ବିବାଦୀୟ ଗ୍ରାମଗୁଡ଼ିକରେ ସହଜ ଦଖଲ କରି ବର୍ତ୍ତମାନ ଆନ୍ଧ୍ର ସରକାର କୁଆଡ଼େ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ଓ ମହେନ୍ଦ୍ରତନୟା ନଦୀକୁ ନିଜ ପ୍ରଦେଶର ବୋଲି ସ୍ୱର ଉଠାଉଛନ୍ତି ।

ଏହି ପରିସ୍ଥିତିରେ ସରକାର ଚୁପ୍ ରହିଲେ ଓଡ଼ିଶା ସୀମା ତଥା ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଆତ୍ମପରିଚୟ ଅଚିରେ ଲୋପ ପାଇଯିବ ।

ମାଲକାନଗିରି:

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପୂର୍ବପାଶ୍ୱର୍ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାବେଳେ ଚିତ୍ରକୋଣ୍ଡା ତହସିଲ ଅଧିନସ୍ଥ କୁଡ଼ୁମୁଲୁଗୁମ୍ମା ବ୍ଲକ୍ର ୮ଟି ଗ୍ରାମ ପଞ୍ଚାୟତ ବାଲିମେଳା ଜଳଭଣ୍ଡାର ଅପରପାଶ୍ୱର୍ରେ ଅବସ୍ଥିତ ।

ଏହି କାରଣରୁ ଏହି ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଛି । ଏଠାକୁ ଗମନାଗମନର ସୁବ୍ୟବସ୍ଥା ନଥିବାରୁ ଜଳଭଣ୍ଡାର ମଧ୍ୟରେ ଦୀର୍ଘ ୬୦କି.ମି. ଡଙ୍ଗା କିମ୍ବା ଲଞ୍ଚ୍ ରେ ବିପଦପୂର୍ଣ୍ଣ ଜଳଯାତ୍ରା କରିବାକୁ ପଡ଼ିଥାଏ ।

ଫଳରେ ବିଚ୍ଛିନ୍ନାଞ୍ଚଳରେ ଥିବା ଗ୍ରାମଗୁଡ଼ିକ ମଧ୍ୟରୁ ୧୫୧ଟି ଗ୍ରାମର ଲୋକେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଛନ୍ତି ।

ଏହିସବୁ ସୀମାନ୍ତବର୍ତ୍ତୀ ଗ୍ରାମ ଓ ଜଙ୍ଗଲଗୁଡ଼ିକୁ ଜବରଦଖଲ କରିନେଇ ଆନ୍ଧ୍ର ନିଜରାଜ୍ୟରେ ସାମିଲ କରିଦେଉଥିବା ବେଳେ ମାଓବାଦୀମାନେ ଏହି ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଏସବୁ ମଧ୍ୟରେ ନୀରିହ ଗ୍ରାମବାସୀମାନେ ହିଁ କେବଳ ଶୋଷିତ ହେଉଛନ୍ତି ।

୧୯୭୨ ମସିହାରେ ଓଡ଼ିଶା ଓ ଆନ୍ଧ୍ରସରକାରଙ୍କ ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡାଠାରେ ବୃହତ୍ ମାଟିବନ୍ଧ ଯୋଜନା କରାଯାଇ ବାଲିମେଳା ଜଳଭଣ୍ଡାରକୁ ୬୫କି.ମି. ପରିବ୍ୟାପ୍ତ କରାଯାଇଥିଲା ।

ଏହି ଜଳଭଣ୍ଡାର ପ୍ରତିଷ୍ଠା ହେବା ଦ୍ୱାରା ୧୧ଟି ଗ୍ରାମର ଲୋକମାନେ ଭିଟାମାଟି ହରାଇ ଜଳଭଣ୍ଡାରର ଅପରପାଶ୍ୱର୍ରେ ବିଚ୍ଛିନ୍ନ ହୋଇ ଦୀର୍ଘ ୪୦ବର୍ଷ ଧରି ରହିଛନ୍ତି ।

ସେମାନଙ୍କ ନିକଟରେ ବଞ୍ଚି ରହିବାର ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ଜଳବନ୍ଦୀ ଜୀବନ ବିତାଉଥିବା ବିଚ୍ଛିନ୍ନାଞ୍ଚଳର ଏହି ଗ୍ରାମବାସୀମାନେ ପ୍ରତିଟି କ୍ଷେତ୍ରରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଆନ୍ଧ୍ର ସରକାରଙ୍କ ପରି ଛତିଶଗଡ଼ ସରକାର ମଧ୍ୟ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକ ଉପରେ ଆଖି ପକାଇଛନ୍ତି ।

ସୀମାନ୍ତ ସାବେରୀ ନଦୀ ପାର ହୋଇ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ଓଡ଼ିଶା ସୀମାନ୍ତବର୍ତ୍ତୀ ଜଙ୍ଗଲରେ କୁଡ଼ିଆ କରି ରହୁଥିବାରୁ ସେମାନଙ୍କର ଯାତାୟତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ରାସ୍ତାଘାଟ ନିର୍ମାଣ ସହିତ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ଏଭଳି ଉନ୍ନୟନମୂଳକ କାର୍ଯ୍ୟ କରିବା ଆଳରେ ଓଡ଼ିଶାର କିଛି କିଛି ସୀମାନ୍ତବର୍ତ୍ତୀ ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଚେଷ୍ଟା କରୁଛନ୍ତି ଛତିଶଗଡ଼ ସରକାର ।

ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଗୋଟିଏ ପଟେ ଆନ୍ଧ୍ର ଓ ଅନ୍ୟପଟେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ନିଜ ରାଜ୍ୟରେ ମିଶାଇ ଦେବାକୁ ଅଧିକ ଦିନ ଲାଗିବ ନାହିଁ ।

ଶିକ୍ଷାକ୍ଷେତ୍ରର ଅବସ୍ଥା:

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ସେକେଣ୍ଡାରୀ ସ୍କୁଲସ୍ତରରେ ପାଠପଢ଼ୁଥିବା ଓଡ଼ିଶା ଛାତ୍ରଛାତ୍ରୀମାନେ ଦୁର୍ଦ୍ଦଶା ମଧ୍ୟରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତ୍ରିଭାଷା ଶିକ୍ଷାନୀତିରେ ଦ୍ୱିତୀୟ ଭାଷାଭାବେ ହିନ୍ଦୀଭାଷା ପରିବର୍ତ୍ତେ ତେଲୁଗୁ ପଢ଼ିବାକୁ ବାଧ୍ୟ କରାଯାଉଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ଆନ୍ଧ୍ରରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁବିଧାପାଇଁ ଏପରି ତ୍ରିଭାଷା ଫର୍ମୁଲାର ପରିବର୍ତ୍ତନ କରାଯାଇ ହିନ୍ଦୀକୁ ଦ୍ୱିତୀୟ ଭାଷାରୂପେ ରଖାଯିବାକୁ ଦାବିକରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉତ୍ତର ଆନ୍ଧ୍ର ଓଡ଼ିଆ ସଂଖ୍ୟାଲଘୁ ସଙ୍ଗଠନ ପକ୍ଷରୁ ସ୍ମାରକପତ୍ର ଦିଆଯିବା ସହିତ ଏ ସମ୍ପର୍କରେ ଆନ୍ଧ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ଅନୁରୋଧ କରାଯାଇଛି ।

ଆନ୍ଧ୍ର ସରକାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ନିବେଦନ କରାଯାଇଛି, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଶ୍ରୀକାକୁଲମ, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟେକ ସ୍ତରରେ ୨୦୬ଟି ବିଦ୍ୟାଳୟ ରହିଥିବାବେଳେ ଏହି ବିଦ୍ୟାଳୟଗୁଡ଼ିକରେ ୩୦ ହଜାରରୁ ଊଦ୍ଧ୍ୱର୍ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଏମାନେ ୨ୟ ଭାଷାଭାବେ ହିନ୍ଦୀ ପଢ଼ି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାରଙ୍କ ପ୍ରବର୍ତ୍ତିତ ଶିକ୍ଷାନୀତି (୨୦୦୩) ପ୍ରକାରେ କିଛି ପରିବର୍ତ୍ତନ ଅଣାଯାଇ ୨ୟ ଭାଷାଭାବେ ଚଳିଆସୁଥିବା ହିନ୍ଦୀକୁ ଉଠାଇ ଦିଆଯିବାରୁ ୨୦୦୭ ପରୀକ୍ଷାରେ କେହି ଜଣେ ହେଲେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ ।

ପରବର୍ତ୍ତୀ ପଦକ୍ଷେପସ୍ୱରୂପ ଆନ୍ଧ୍ର ସରକାରଙ୍କ ସରକାରୀ ଆଦେଶନାମା (୮୬) ପ୍ରକାରେ ପୁନର୍ବାର ହିନ୍ଦୀ ପଢ଼ିବାପାଇଁ ଅନୁମତି ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ ।

ମାତ୍ର ଦୁର୍ଭାଗ୍ୟବଶତଃ ସରକାର ପୁନର୍ବାର ୨୦୦୯ରେ ଅନ୍ୟଗୋଟିଏ ସରକାରୀ ନିର୍ଦ୍ଦେଶନାମା (ଜି.ଓ)-୩୯ର ପ୍ରଣୟନ କରିବା ପୂର୍ବକ ଜିଓ-୮୬ରେ କିଛିଟା ପରିବର୍ତ୍ତନ ଆଣି ଆଦେଶନାମା (୬୩)ରୁ ପ୍ରତ୍ୟାହାର କରିନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ହିନ୍ଦୀଶିକ୍ଷାକୁ ସମ୍ପୂର୍ଣ୍ଣ ବାଦ୍ ଦେଇଥିଲେ ।

ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରୁ ହିନ୍ଦୀ ଶିକ୍ଷା ବାଦ୍ ପଡ଼ିଯିବା ଫଳରେ ଛାତ୍ରଛାତ୍ରୀ ହିନ୍ଦୀ ଶିକ୍ଷା ପାଇବାରୁ ବଞ୍ଚିତ  ହୋଇଯିବା ଫଳରେ କେନ୍ଦ୍ର ପ୍ରାୟୋଜିତ ନିଯୁକ୍ତି ସୁଯୋଗ ମିଳିବ ନାହିଁ । ଏହା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ପଢ଼ୁଥିବା ପିଲାଙ୍କ ପ୍ରତି ଅବିଚାର ବୋଲି ବିବେଚିତ ହେଉଛି ।

(ପ୍ରକାଶିତ ବିଚାର ଲେଖକଙ୍କ ନିଜସ୍ଵ )

ଓଡିଶା ଡଟ କମ :

This website uses cookies.