Site icon Odisha.com

ବିଜେପୁର ଉପନିର୍ବାଚନ: ସବୁଦଳରେ ଅନ୍ତର୍ଦ୍ଵନ୍ଦ

ଦେବଦତ୍ତ ରଥ

ଚଳିତ ମାସ ୨୪ରେ ହେବାକୁ ଥିବା  ବିଜେପୁର ଉପ ନିର୍ବାଚନରେ ଜିତିବା ପାଇଁ  ତିନୋଟି ଯାକ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପୂରା ମନ ପ୍ରାଣରେ ଲାଗି ପଡ଼ିଛନ୍ତି।

ଏହି ନିର୍ବାଚନ ଫଳାଫଳ ତିନୋଟି ଯାକ ଦଳ ପାଇଁ ଗୁରୁତ୍ୱ ବହନ କରୁଛି।ଏମିତିରେ ଅନ୍ୟ ସ୍ଥାନରେ ଉପ ନିର୍ବାଚନ ହେବା ଏବଂ ବିଜେପୁର ଭିତରେ ବହୁ ଫରକ ରହିଛି।

କୁନ୍ଦୁଲି ଆଦି ଘଟଣା ଭିତରେ ଶାସକ ବିଜେଡ଼ି ଦଳ ଏହି ଆସନଟିକୁ ଦଖଲ କରିବାରେ ନବୀନଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇ ରହିଛି।

ତେଣେ କଂଗ୍ରେସ ସୁପ୍ତ,ନିଷ୍କ୍ରିୟ କୁହା ଯାଉଥିଲେ ମଧ୍ୟ ଏହି ଆସନଟି ପୂର୍ବରୁ କଂଗ୍ରେସ ହାତରେ ଥିବାରୁ ତାହା କଂଗ୍ରେସ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି ।

କିନ୍ତୁ ଏ ଭିତରେ ମୃତ ବିଧାୟକଙ୍କ ପତ୍ନୀ ରୀତା ସାହୁଙ୍କୁ ଟିକେଟ ଦେଇ ବିଜେଡି ରାଜନୈତିକ କୌଶଳରେ ପରିପକ୍ଵତା ପ୍ରଦର୍ଶନ କରିଛି ।

୨୦୧୪ ବିଧାନ ସଭା ନିର୍ବାଚନରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୪୫୮ ଭୋଟ ବ୍ଯବଧାନ ରେ ହାରିଥିଲେ। ତେବେ ହେବାକୁ ଥିବା ଉପନିର୍ବାଚନରେ ନବୀନଙ୍କ ଲୋକ ପ୍ରିୟତା ଏବଂ ସହାନୁଭୁତି ଆଧାରରେ ଭୋଟ ଅକ୍ତିଆର କରିବାର ବିଜେଡି ଯୋଜନା ରଖିଛି।

ଅନ୍ୟ ପକ୍ଷରେ କଂଗ୍ରେସ ବିଳମ୍ବରେ ପ୍ରାର୍ଥୀ ଚୟନ କରି ସମାଲୋଚିତ ହୋଇଥିବା ବେଳେ, ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି ଏବେ ପାରମ୍ପରିକ ଭୋଟ ଆଧାରରେ ଜିତିବାର ଆଶା ରଖି କସରତ ଆରମ୍ଭ କରି ଦେଇଛି।

ଏଣେ ମୋଦୀ ହାୱା ଭିତରେ ଏବଂ ଅମିତ ଶାହାଙ୍କ ରାଜ୍ୟରେ ମିଶନ-୧୨୦ ଯୋଜନାରେ ବିଜେପି, ତାହା ବିଜେପୁରରୁ ଆରମ୍ଭ କରିବା ପାଇଁ ଲାଗି ପଡ଼ିଛି। ବିଜେପି ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ।

ତେବେ ସବୁ ଦଳରେ କିଛି ନା କିଛି ଅନ୍ତର୍ଦ୍ଵନ୍ଦ ଥିବା ପରିଲକ୍ଷିତ ହୋଇଛି ।ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଦଳର ସବୁ କର୍ମୀ ପୂର୍ଣ ମାତ୍ରାରେ ସମର୍ଥନ କରୁନଥିବା ବେଳେ, କଂଗ୍ରେସର ଗୋଟିଏ ଗୋଷ୍ଠୀ ସାହୁଙ୍କ ପ୍ରାର୍ଥିତ୍ଵ କୁ ଭିତରେ ଭିତରେ ବିରୋଧ କରୁଛନ୍ତି।

ଠିକ ସେହି ପରି ବାହାରକୁ ବିଜେପି ଜୋରଦାର ଲଢ଼େଇ କରିବ ବୋଲି ଜଣା ପଡୁଥିଲେ ମଧ୍ୟ ଭିତରେ ଭିତରେ ବିଜେପି ଭିତରେ ଅନ୍ତର୍ଦ୍ଵନ୍ଦ ବଢିଥିବା ପରିଲକ୍ଷିତ ହୋଇଛି ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଉପେନ୍ଦ୍ର ଖେତି, କୌସ୍ତୁଭ ସାହୁ, ଶରତ ଦାସ, ବୀରସେନ ସାହୁ ଏବଂ କୈଳାସ ବେହେରା ଏହିପରି ପାଞ୍ଚ ଜଣଙ୍କୁ ଦଳରୁ ବହିଷ୍କାର କରିଥିବାରୁ ଏହା ସ୍ପଷ୍ଟ ହୋଇଛି ।

ଦଳରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରି ଆସୁଥିବା ପ୍ରକୃତ ସଙ୍ଗଠକ ମାନଙ୍କୁ ଅଣ ଦେଖା କରାଯାଇଥିବା ଅଭିଯୋଗ ହୋଇଛି ।

ଉପନିର୍ବାଚନର ଫଳାଫଳ ଫେବ୍ରୁଆରୀ ୨୮ରେ ପ୍ରକାଶ ପାଇବ ।

Exit mobile version