ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ


ଘାସିରାମ ପଣ୍ଡା

ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ ।

ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ ଭିତରୁ କେହି କେହି ବିଲକୁଲ ପଢି ନାହାନ୍ତି, ଆଉ କେହି କେହି ଅଧାରୁ ପାଠ ଛାଡିଛନ୍ତି ।

ନିଜ ସାହି ବସ୍ତି ବା ପାଖ ଗାଁର କେଉଁ ଏକ ପିଲାକୁ ଭଲ ପାଇ ଉଧୁଲିଆ ଯାଇଥିଲେ । ପରେ ସାମାଜିକ ସ୍ୱୀକୃତିରେ ବାହା ହୋଇ ଘରକୁ ଫେରିଛନ୍ତି । ଗତ ଦୁଇ ବର୍ଷ ଭିତରେ ଏମାନଙ୍କ ଭଳି କମ ବୟସରେ ବାହା ହୋଇଥିବା ଏହି ବସ୍ତିର ୬ ଜଣ ମହିଳଙ୍କ ଗର୍ଭାବସ୍ଥା ବା ପ୍ରସବ ସମୟରେ ମୃତ୍ୟୁ ଘଟି ସାରିଛି ।

ଏହି ସବୁ କଥା ସେମାନଙ୍କ ସହ ଆଲୋଚନା କଲାବେଳେ ସେଠି ବସିଥିବା ଜଣେ ମାଁ ଗୋଟେ ଛୋଟ ଝିଅ ଆଡକୁ ଆଙ୍ଗୁଠି ଦେଖେଇ କହିଲେ, ଝିଅ ମୋର ଏଥର ଅଷ୍ଟମ ଶ୍ରେଣୀ ପାସ କଲା, ଏବେ ନବମ ପଢିବାକୁ ଦୂର ଗାଁକୁ ଯିବାକୁ ପଡିବ । ତାର ପଢିବାର ବହୁତ ଇଚ୍ଛା ।

ହେଲେ ବାପା ତାର ମଦୁଆ – ରୋଜଗାର ବୋଲି କିଛି ନାହିଁ । ମୁ ଏକା ପାଇଟି କରି କେତେ ରୋଜଗାର କରି ପାରିବି? ଆମର ତ ଘର ନାହିଁ ଯେ, ଜରି ଘେରା କରି ରହୁଛୁ । ସେଥିରେ ନାଁ ଲେଖେଇବାକୁ ମୋ ପାଖରେ ପଇସା କାହିଁ ଯେ ସେ ପଢି ପାରିବ! ଆଇନଗତ ଆବଶ୍ୟକତା ଓ ଶିଶୁ ଅଧିକାରକୁ ସ୧ାନ ଦେଇ ପିଲାର ପରିଚୟକୁ ଗୋପନ ରଖୁଛି ।

କହିବା ବାହୁଲ୍ୟ ଏହା କେବଳ ଗୋଟିଏ ପିଲାର କଥା ନୁହେଁ । ଏମିତି ଅନେକ ଶିଶୁଙ୍କ ସ୍ୱପ୍ନ ଦଳି ମକଚି ହୋଇ ଯାଉଛି ଦାରିଦ୍ର୍ୟ ଓ ସୁଯୋଗ ଅଭାବ କାରଣରୁ । ପାଠରେ ଡୋରି ବନ୍ଧା ହେଲା ପରେ ବାହା ହେବାର ଏକମାତ୍ର ବାଟ ଯାହା ସେମାନଙ୍କ ପାଇଁ ଉନ୍ମୁକ୍ତ ଥାଏ ।

ଆମ ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲା ବାଲ୍ୟ ବିବାହ ପ୍ରବଣ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଏହିସବୁ ଜିଲ୍ଲାରେ ଯଥାକ୍ରମେ ୩୯.୩, ୩୭.୯, ୩୪.୭ ଓ ୩୪.୪ ଶତକଡା ରହିଛି । ଏହା ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ।

ଏହି ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରିରେ ୧୧.୮, ନବରଙ୍ଗପୁରରେ ୧୦.୭, କୋରାପୁଟରେ ୧୪.୫ ଓ ରାୟଗଡାରେ ୧୨.୭ ପ୍ରତିଶତ ମାତ୍ର ମହିଳା ଦଶମ ବା ତଦୁର୍ଦ୍ଧ ପାଠ ପଢି ପାରିଛନ୍ତି । ଅଧା ବାଟରେ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହର ସମ୍ପର୍କକୁ ଏହି ତଥ୍ୟ ପୁଷ୍ଟ କରୁଛି ।

୨୦୧୧ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୫ମ ଠାରୁ କମ ପାଠ ପଢିଥିବା ଝିଅ ପିଲା ମାନଙ୍କ ଭିତରୁ ୫୨.୧ ଭାଗ ୧୮ ବର୍ଷ ପୁର୍ବରୁ ବିବାହ କରୁଥିବା ବେଳେ ୫ମ ରୁ ୯ମ ଶ୍ରେଣୀ ପଢିଥିବା ଝିଅଙ୍କ କ୍ଷେତ୍ରରେ ଏହା ୨୯.୮ ପ୍ରତିଶତ ଓ ୧୦ମରୁ ତଦ୍ଦୁର୍ଦ୍ଧଙ୍କ କ୍ଷେତ୍ରରେ ଏହା ମାତ୍ର ୯.୩ ପ୍ରତିଶତ ହୋଇଥାଏ ।

ଏଣୁ ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ଦୃଢତାର ସହ କୁହାଯାଇ ପାରିବ । ହେଲେ ଏ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି ।

ପ୍ରଥମଟି ହେଲା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଲକ ଶିକ୍ଷା ବ୍ୟବସ୍ଥା ଥିଲେବି ଇଚ୍ଛା ଓ ଆଗ୍ରହ ଅଭାବରୁ ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରୁ ନାହିଁ ।

ଏପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଓ ଭିତରେ କେତେ ପିଲା ତାର ସଠିକ ହିସାବ ଶିକ୍ଷା ବିଭାଗ ଠଉରାଇ ପାରିନାହିଁ । ୨୦୧୪ – ୧୫ ରେ ସମଗ୍ର ରାଜ୍ୟରେ ୬ ରୁ ୧୪ ବର୍ଷର ମାତ୍ର ୫୧୫୨ ପିଲା ବିଦ୍ୟାଳୟ ବାହରେ ଥିବା ଓପେପା ୱେବସାଇଟରେ ଉଲ୍ଲେଖ ଅଛି । ଏବେ ଏହା ୪୧ ହଜାର ବୋଲି କୁହାଯାଇଛି ।

ତେବେ ଉଭୟ ତଥ୍ୟକୁ ବିଶ୍ୱାସକୁ ନେବା କଷ୍ଟ । ନିକଟରେ ମିଳିମିଳା ଓ ରୁବେଲା ଟିକା କରଣ ବେଳେ ନୂଆପଡା ଜିଲ୍ଲାରେ ୯୯୧୪ ପିଲାଙ୍କ ହିସାବ ମିଳି ନାହିଁ । ଜାପାନି ଜ୍ୱର ଟିକା କରଣ ସମୟରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ବ୍ୟତିକ୍ରମ ନଜରକୁ ଆସିଥିଲା ।

ୟୁଡାଇସ, ଏସଡିଏମଆଇଏସ, ଆଧାର ପଞୀକରଣରେ ପିଲାଙ୍କ ସଂଖ୍ୟାର ତାଳମେଳ ନାହିଁ । ୧୦ ବା ୧୦ରୁ କମ ଉପସ୍ଥାନ ଥିବା ଅନେକ ବିଦ୍ୟାଳୟ ଇତି ମଧ୍ୟରେ ବନ୍ଧ ହେବା ଯୋଗୁଁ ମଧ୍ୟ କିଛି ପିଲା ବିଦ୍ୟାଳୟ ବାହରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏ ପରିସ୍ଥିତିରେ ଆମେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷାର ପରିଧିକୁ ଆଣିବା କିପରି? ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଶୁ ବୋଲି ସଜ୍ଞା ନିରୁପିତ ହୋଇଥିଲେ ହେଁ ଶିକ୍ଷା ଅଧିକାର ଆଇନରେ ଶିଶୁ କହିଲେ ୧୪ ବର୍ଷ ଧରି ନିଆଯାଇଛି । ଫଳରେ ୧୪ ବର୍ଷ ପରେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରତି ସରକାରଙ୍କ ଅଇନଗତ ଉତ୍ତରଦାୟୀତ୍ୱ ନାହିଁ ।

ଏଣୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢୁଥିବା ଝିଅମାନେ ଅଷ୍ଟମ ଶ୍ରେଣୀ ପରେ ସୁଯୋଗ ଅଭାବରୁ ପ୍ରାୟ ଆଉ ପଢୁ ନାହାନ୍ତି । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ୫ -୭ କିମି ଦୂର ବଣ, ପାହାଡ, ଝରଣା ଡେଇଁ ଯିବାକୁ ପଡୁଛି ।

ଆଶ୍ରମ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ତଥା ଶିଶୁ ମାନଙ୍କ ପ୍ରତି ଶୋଷଣର ଖବର ଅଭିଭାବକମାନଙ୍କୁ ନିରୁତ୍ସାହିତ କରୁଛି । ଅତିକମରେ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିଲେ ପ୍ରତ୍ୟେକ ଶିଶୁ ମନରେ ଥିବା ସ୍ୱପ୍ନ ସବୁ ଅଙ୍କୁରିତ ହେବା ପାଇଁ ସୁଯୋଗ ପାଇବେ । ମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ଶିକ୍ଷା ସହାୟକ ହୁଏ ।

ଉପଯୁକ୍ତ ଶିକ୍ଷା ପାଇଥିଲେ ସ୍ୱାଧିନ ମତବ୍ୟକ୍ତ କରିବାର ସାହସ ଆସେ । ଏଣୁ ପିଲାଙ୍କ ଶିକ୍ଷା ସୁନି୧⁄୨ିତ କରାଯାଇ ପାରିଲେ ବାଲ୍ୟ ବିବାହ ବିରୁଦ୍ଧରେ ନିଜେ ନିଜ ପାଇଁ ସ୍ୱର ଉେ ।ଳନ କରି ପାରିବେ । ଏହା ସମାଜିକ ପରିବର୍ତ୍ତନର ଏକ ବଡ ମାଇଲଖୁ ସାବ୍ୟସ୍ତ ହେବ ।

ଛବି: ପ୍ରତୀକାତ୍ମକ

ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
ghasirampanda@gmail.com

ଓଡିଶା ଡଟ କମ :

This website uses cookies.