ଆମ ଜଙ୍ଗଲ ଆମର


ଦେଓମାଳି ପାହାଡର ଉପରକୁ ଉଠିଲା ବେଳେ ଆଖିରେ ପଡିଲା ସିମେଣ୍ଟ ତିଆରି ଏକ ବୋର୍ଡ ଉପରେ ହାତ ଲେଖା ଏକ ସୂଚନା ଫଳକ । ଲେଖା ଥିଲା ମାତାଲ ଆମ୍ବା, ତଳ କାଟି, କାଟ୍ରାଗାଡା,ସୁଲିଆ ମାରି ଗ୍ରାମସଭା ଏହି ସୀମା ଭିତରେ ଥିବା ଜଙ୍ଗଲ ଅଂଚଳ ଉପରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସାମୁହିକ ଅଧିକାର ଦାବୀ ଦାଖଲ କରିଛନ୍ତି ।

ଏହି ଆଇନର ଧାରା ୪ (୫) ଅନୁଯାୟୀ ଜଙ୍ଗଲ ଅଧିକାର ସ୍ୱୀକୃତି ଓ ଯାଂଚ ପ୍ରକ୍ରିୟା ଶେଷ ନହେବା ଯାଏ ଆଦିବାସୀ ବା ଅନ୍ୟାନ ପାରମ୍ପାରିକ ବନବାସୀ ସେମାନେ ଭୋଗଦଖଲ କରୁଥିବା ଜଙ୍ଗଲ ଜମୀରୁ ଉଚ୍ଛେଦ କିମ୍ବା ବିତାଡିତ ହେବେ ନାହିଁ ।

ଏଣୁ ଏହି ପାରମ୍ପାରିକ ସୀମା ଭିତରକୁ ପ୍ରବେଶ ଓ ବ୍ୟବହାର ପୂର୍ବରୁ ମାତାଲ ଆମ୍ବା, ତଳ କାଟି, କାଟ୍ରାଗାଡା, ସୁଲିଆ ମାରି ଗ୍ରାମସଭାର ଅନୁମତି ନିଅନ୍ତୁ । ନିବେଦକ ଭାବେ ଏହି ସବୁ ଗ୍ରାମସଭାର ନାମ ଉଲ୍ଲେଖ ଥିଲା । ଏମିତି ଏକ ଘୋଷଣା ନାମା ଲୋକଙ୍କୁ ଅଧିକାର ପ୍ରଦାନରେ ସରକାରୀ ଅବହେଳା ଓ ଏହା ବିରୁଦ୍ଧରେ ପ୍ରତିବାଦର ସ୍ୱରକୁ ଉପସ୍ଥାପିତ କରୁଛି ।

ଜଙ୍ଗଲ ଅଧିକାର ଆଇନରେ ଆଦିବାସୀ ଓ ପାରମ୍ପାରିକ ବନବାସୀଙ୍କୁ ବଂଶାନୁକ୍ରମରେ ନିର୍ଭର କରି ଆସୁଥିବା ଜଙ୍ଗଲ ସୀମା ଉପରେ ସାମୁହିକ ଅଧିକାରକୁ ସ୍ୱିକୃତି ଦିଆଯାଇଛି । ଏହାରି ଆଧାରରେ ସେମାନେ ବ୍ୟବହାର କରିଆସୁଥିବା ଓ ଜଗାରଖା କରୁଥିବା ଜଙ୍ଗଲର ସୀମା ନିର୍ଦ୍ଧାରଣ କରିବେ । ଜଙ୍ଗଲ ଭିତରେ ଥିବା ରାସ୍ତା, ଜଳ ଉତ୍ସ, ଦେବାଦେବୀ ପିଠ ସମେତ ଲଘୁ ବନଜାତ ଦ୍ରବ୍ୟ ଉପରେ ମାଲିକାନାର ହକ ଦାବୀ କରିପାରିବେ ।

ଏଥିପାଇଁ ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି । ଏହି କମିଟି ଗ୍ରାମସଭାର ସହାୟତାରେ ଦାବୀ ଆକଳନ କରିବା ପୂର୍ବ ଦାବୀ ପତ୍ର ପ୍ରସ୍ତୁତ କରିବେ ଓ ଉପଖଣ୍ଡ ସ୍ତରୀୟ କମିଟି ପାଖରେ ଦାଖଲ କରିବେ । ପ୍ରତ୍ୟେକ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଉପଯୁକ୍ତ ଯାଂଚ ପରେ ଜିଲ୍ଲା ସ୍ତରୀୟ କମିଟିକୁ ଦାବୀ ସ୍ୱିକୃତି ହେବାକୁ ନେଇ ସୁପାରିଶ କରିବେ ଓ ସେହି ଅନୁଯାୟୀ ଜିଲ୍ଲା ସ୍ତରୀୟ କମିଟି ଅନୁମୋଦନ କରିବେ ।

ହେଲେ ପ୍ରକୃତ ପକ୍ଷେ ହଜାର ହଜାର ଗ୍ରାମ ନିଜର ଦାବୀ ଆକଳନ ପୂର୍ବକ ସ୍ୱିକୃତି ପାଇଁ ଆବେଦନ କରିଥିଲେ ହେଁ ଉପଖଣ୍ଡ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କମିଟି ଏହାକୁ ଅଣଦେଖା କରିଛନ୍ତି । ସରକାରଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୫୯୬୪ ଟି ଗାଁକୁ ଜଙ୍ଗଲ ସୀମା ଉପରେ ସାମୁହିକ ଅଧିକାର ପ୍ରଦାନ କରାଯାଇଛି ଓ ୭୫୪୯ ଟି ଦାବୀ ଜିଲ୍ଲା ସ୍ତରିୟ କମିଟି ଦ୍ୱାରା ଅନୁମୋଦିତ ହୋଇ ରହିଛି ହେଲେ ଗ୍ରାମବାସୀଙ୍କ ପାଖକୁ ପହଂଚି ନାହିଁ ।

ଅନୁଧ୍ୟାନର ବିଷୟ ଯେ, ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ସଠିକ କାର୍ଯ୍ୟକାରିତା ପାଇଁ ୪୮୪୫୯ ଟି ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି । ଏହା ଭିତରୁ ୧୩୪୯୫ ଟି କମିଟି ଦାବୀ ଆବେଦନ ପ୍ରର୍କିୟା ଆରମ୍ଭ କରିଥିଲେ ହେଁ ଏଯାଏଁ ଗ୍ରାମସଭା ଅତିକ୍ରମ କରିପାରି ନାହିିଁ । ୮୩୦୫ ଗୋଟି ଦାବୀ ଗ୍ରାମସଭା ଦ୍ୱାରା ଅନୁମୋଦିତ ହୋଇ ଉପଖଣ୍ଡ ସ୍ତରୀୟ କମିଟ ପାଖରେ ପଡି ରହିଛି ।

୬୭୧୦ଦାବୀ ଉପରେ ଉପଖଣ୍ଡ ସ୍ତରୀୟ କମିଟ ବିଚାର କରି ମତ ଦେଇ ସାରିଥରଲେ ବି ଜିଲ୍ଲା ସ୍ତରୀୟ କମିଟିର ଅନୁମୋଦନ ଅପେକ୍ଷାରେ ଅଛି । ଏହି ସ୍ଥତି ଏବର ନୁହେଁ । ଡିସେମ୍ବର ୨୦୧୬ରେ କେବଳ ୫୮୯୧ ସାମୁହିକ ଅଧିକାର ସ୍ୱିକୃତୀ ଦିଆଯାଇଥିବା ବେଳେ, ଡିସେମ୍ବର ୨୦୧୫ ରେ ୫୦୦୪ଟି ଦାବୀ ଆବେଦନକୁ ସ୍ୱିକୃତୀ ପ୍ରଦାନ କାରାଯାଇଥିଲା । ଏହା ଦର୍ଶାଉଛି ଯେ, ଗତ ତିନି ବର୍ଷ ଭିତରେ ଆମେ ଏଦିଗରେ କୌଣସି ଆଖିଦୃଶିଆ ପ୍ରଗତି କରିନାହୁ ।

କେବଳ ଏତିକି ନୁହେଁ, ଆଇନ କାର୍ଯ୍ୟକାରୀ ହେବାର ଏହା ଭିତରେ ଦଶ ବର୍ଷ ବିତିଯାଇଥିଲେ ବି ଗୋଟିଏ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇ ପରିଲା ନାହିଁ କି ଅତ୍ୟନ୍ତ ବିପଦସଂକୁଳ ଜନଜାତୀଙ୍କ ବାସ ଓ ବସତୀର ଅଧିକାର ସୁନିଶ୍ଚିତ କରାଯାଇ ପାରିଲା ନାହିଁ । ବାଉଁଶ ଓ କେନ୍ଦୁପତ୍ର ଉପରେ ମାଲିକାନାସତ୍ୱ ଦେବା ଉଦାହରଣରେ ହିଁ ସୀମିତ ହୋଇ ରହିଛି । ଏହାକୁ ଅନିଚ୍ଛାକୃତ ବୋଲି କୁହାଯାଇ ପାରିବ ନାହିଁ ।

ଜନମତର ଚାପରେ ରଜନୈତିକ ଇଚ୍ଛାଶକ୍ତି ବଳରେ ସଂସଦରେ ଗୃହିତ ହୋଇଥିବା ଏକ ଜନହିତକାରୀ ଆଇନକୁ ପ୍ରଶାସନ ଜାଣିଶୁଣି ଅକାମୀ କରିଦେବାର ଏହା ଏକ ବଳିଷ୍ଠ ଉଦାହରଣ । ଗଣତାନ୍ତ୍ରୀକ ଦେଶରେ ଏହାଠାରୁ ଲଜ୍ଜା ଆଉ କଣ ହୋଇପାରେ ! ଜଙ୍ଗଲ, ଜଙ୍ଗଲ ଜମୀ ଓ ଜମୀ ତଳେ ଥିବା ଖଣି ହାତରୁ ଖସିଯିବାର ଭୟରେ ଜଙ୍ଗଲ ବିଭାଗ ଏହି ପ୍ରକ୍ରୟାରେ ବିଲକୁଲ ସହଯୋଗ କରୁନାହାନ୍ତି ।

ଆଇନକୁ କାର୍ଯ୍ୟକାରୀ କରିବାକୁ ଦାୟୀତ୍ୱରେ ଥିବା ଆଦିବାସୀ ଉନ୍ନୟନ ବିଭାଗର ନିଜସ୍ୱ ଶକ୍ତି କିଛି ନାହିଁ । ବିଭାଗ ତରଫରୁ ବାରମ୍ବାର ଦିଶା ନିର୍ଦ୍ଦେଶ ଜାରି କଲେବି ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ । ଆଇନର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଛି । ଯେଉଁ ଜିଲ୍ଲାରେ ଜିଲ୍ଲାପାଳମାନେ ଆଗ୍ରହ ଦେଖାଇଛନ୍ତି ସେଠି ଗ୍ରାମବସୀଙ୍କୁ ଯତକିଂଚିତ ଅଧିକାରର ସ୍ୱିକୃତି ମିଳିଛି ।

ହେଲେ ଅଧିକାଂଶ ଜିଲ୍ଲାରେ ଏମାନେ ଲୋକଙ୍କ ସପକ୍ଷରେ ଛିଡା ହେବା ବଦଳରେ ଜଙ୍ଗଲ ବିଭାଗର ହଁ ରେ ହଁ ମିଶାଇ ଜନଅଧିକାରକୁ ଅବହେଳା କରୁଛନ୍ତି । କ୍ରମାଗତ ଭାବରେ ଚାଲିଥିବା ଅବହେଳା ଓ ନିର୍ଯ୍ୟାତନ କ୍ରମଶଃ ଜନ ଆକ୍ରୋଶରେ ପରିଣତ ହେଉଛି ।

ଦେଓମାଳି ପର୍ବତ ଶିଖରରେ ଲେଖାଯାଇଥିବା ସୂଚନା ଫଳକ କେବଳ ଏକ ପ୍ରାରମ୍ଭିକ ସଂକେତ ମାତ୍ର । ସ୍ୱଘୋଷଣାର ଏହି ଧାରା କ୍ରମଶଃ ବରଗଡ, ସୁନ୍ଦରଗଡ, ରାୟଗଡା, ବଲାଙ୍ଗିର ପ୍ରଭୃତି ଜିଲ୍ଲାକୁ ପରିବ୍ୟାପ୍ତ ହେଲାଣି । ସଙ୍କେତକୁ ବୁଝିପାରି ଜାଣିଶୁଣି କରୁଥିବା ଅବହେଳାରୁ ପ୍ରଶାସନ କ୍ଷାନ୍ତ ନହେଲେ ଆମ ଜଙ୍ଗଲ ଆମର ଦାବୀରେ ଚାଲିଥିବା ଏ ଅଧିକାରର ଲଢେଇ ବ୍ୟାପକ ହୋଇପାରେ ।
ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
ghasirampanda@gmail.com

ଘାସିରାମ ପଣ୍ଡା :

This website uses cookies.