କୃଷି ନୀତି ଓ ବିପନ୍ନ ସଂସ୍କୃତି

କୃଷି ପରମ୍ପରା ଓ ଉତ୍ପାଦ ଆମ ସଂସ୍କୃତିକୁ ଅନେକାଂଶରେ ଆଛନ୍ନ କରି ରଖିଛି । କୃଷି ଏକ ଏକକ ପ୍ରକ୍ରିୟା ନୁହେଁ । ଘର- ପରିବାର, ସହି-ପଡିଶା ଓ ଗାଁର ଅନେକ ବର୍ଗର ଲୋକଙ୍କ ପ୍ରତ୍ୟକ୍ଷ ଅବା ପରୋକ୍ଷ ସହଯୋଗରେ ଏହା ସମ୍ପନ୍ନ ହୁଏ । କୃଷି ଭିତ୍ତିକ ପର୍ବ, ପର୍ବାଣି ସମସ୍ତଙ୍କୁ ସାମିଲ କରିବା, କୃତଜ୍ଞ ହେବାର ସୁଯୋଗ ସୃଷ୍ଟି କରେ, ଯାହାକି ପରବର୍ତ୍ତି ସମୟରେ ସୁଃଖ, ସମୃଦ୍ଧି ଓ ସଂହତିରେ ସହାୟକ ହୁଏ ।

ନୂଆଁଖାଇ, ପୋଙ୍ଗଲ, ଓନାମ, ବିହୁ, ମକର ସଂକ୍ରାନ୍ତି, ବୈଶାଖି ପରି ଦେଶର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବା ଏହିପରି ଅନେକ କୃଷି ଭିତ୍ତିକ ପର୍ବ ଧର୍ମ ମତ ନିର୍ବିଶେଷରେ ପ୍ରକୃତିକୁ ଏକ ଭକ୍ତିପୁତ ସମର୍ପଣ । ଏହା ମଣିଷକୁ ପ୍ରକୃତିର ଅବଦାନ ପ୍ରତି କୃତଜ୍ଞ ହେବା ଶିଖାଏ ।
ସବୁଜ ବିପ୍ଲବ ନାଁରେ ବର୍ତ୍ତମାନ ପ୍ରଚଳିତ କୃଷି ନୀତି, କୃଷି ପ୍ରକ୍ରୟାରେ ବ୍ୟାପକ ପରିବର୍ତ୍ତନ ଆଣିଛି ।

ଏହା କୃଷି ପ୍ରତି ଆଭିମୂଖ୍ୟରେ ପରିବର୍ତ୍ତନ ଆଣିବା ସହ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ପ୍ରଭାବିତ କରୁଛି । ସବୁଜ ବିପ୍ଲବ ଦେଶରେ ଧାନ ଓ ଗହମ ଉତ୍ପାଦକତା ବୃଦ୍ଧିରେ ସହାୟକ ହୋଇଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହାର ଅପର ଦିଗ ପ୍ରତି ଅଣଦେଖା କରାଯାଇ ପାରିବ ନାହିଁ । ଏହା ଖାଦ୍ୟ ସୁରକ୍ଷା ବଦଳରେ ବଜାର ଭିତ୍ତିକ ଚାଷ ଓ ପ୍ରକୃତି ବଦଳରେ କମ୍ପାନି ଉପରେ ନିର୍ଭରଶୀଳ କୃଷିକୁ ପ୍ରୋତ୍ସାହିତ କରୁଛି ।

ବୀହନ ହେଉ ବା ଖତ ଆଉ କୃଷକର ନିୟନ୍ତ୍ରଣରେ କିଛି ନାହିଁ । ଅଧିକ ଉତ୍ପାଦନ କ୍ଷମ ବିହନର ପ୍ରସାର ଫଳରେ ଦେଶୀ ବିହନର ବିଲୋପ ହେଉ ବା ରାସୟନିକ ସାର ଓ ଯନ୍ତ୍ରପାତିର ପ୍ରସାର ହେତୁ ଗୋ-ସମ୍ପଦର ବିଲୋପ ଆମ ସଂସ୍କୃତିକୁ ମଧ୍ୟ ବିପନ୍ନ କରୁଛି । ସମୟ ଥିଲା ଉଶୁନା, ଅରୁଆ, ଖଇ, ମୁଢି, ଖିରୀ ପ୍ରଭୃତି ପାଇଁ ଅଲଗା ଅଲଗା କିଷମ ଧାନ ଚାଷ ହେଉଥିଲା ।

କୁହାଯାଏ ଆଗରୁ ପ୍ରାୟ ପନ୍ଦର ହଜାରରୁ ଅଧିକ କିଶମର ଦେଶି ଧାନ ଆମ ଚାଷି ମାନେ ଚାଷ କରୁଥିଲେ । ହେଲେ ସରକାରଙ୍କ ପ୍ରୋତ୍ସାହନରେ ଅଧିକ ଉତ୍ପାଦନ କ୍ଷମ ବିହନର ପ୍ରସାର ଦେଶି ଧାନର ସର୍ବନାଶ କରିସାରିଛି । ମୁନାଫା ଆଶାରେ ବିହନ କମ୍ପାନୀମାନେ ଭିଆଇଥିବା ଚକ୍ରାନ୍ତରେ ଆମ ନେତା, ବାବୁ, କୃଷି ବିଷାରଦ ମାନେ ଦେଶି ଧାନର ଉପକାରିତା ଓ ଆବଶ୍ୟକତାକୁ ଭୁଲିଗଲେ ।

ଦେଶି ଧାନ ଉତ୍ପାଦନ କ୍ଷମ ନୁହେଁ ଭଳି କିଛି ଭ୍ରମାତ୍ମକ ତଥ୍ୟର ନିରନ୍ତର ପ୍ରଚାର, ସତ ଉପରେ ମିଛର ଅବରଣ ତିଆରି କରିଦେଇଛି । ହାତ ଗଣତି କିଛି ସରକାରୀ ବିହନର ଅତ‎୍ୟଧିକ ବ୍ୟବହାର ଧିରେ ଧିରେ ଦେଶି ଧାନ ବିଲୋପର କାରଣ ସାଜିଛି । ଏହା ଚାଷି ହାତରୁ ବିହନକୁ ଛଡାଇ ନେଇଛି । ଧାନ ସର୍ବଶ୍ୱ ଚାଷର ପ୍ରସାର ଯୋଗୁଁ ଡାଲି ଓ ତୈଳବିଜ ଉତ୍ପାଦନରେ ବିଶେଷ ହ୍ରାସ ଘଟିଛି ।

ଏହା ଫସଲ ବିବିଧତା ଓ ବିହନ ଉପରେ କୃଷକର ସର୍ବଭୌମତ୍ୱକୁ ପ୍ରଭାବିତ କରିଛି । ବିହନ ପାଇଁ ପରଷ୍ପର ଉପରେ ନିର୍ଭର କରୁଥିବା ଚାଷି ଏବେ ବିହନ ଗଣ୍ଡାଏ ପାଇଁ ସରକାରୀ ଅଫିସରେ ଧାଡିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ଚାଷର ମୂଳ ହେଲା ବିହନ । ବିହନ ଯଦି ଅନ‎୍ୟର ନିୟନ୍ତ୍ରଣକୁ ଚାଲିଯାଏ ତାହେଲେ ଚାଷର ଉପ୍ତାଦ ଓ ପ୍ରଣାଳୀ ଉପରେ ମଧ୍ୟ ଚାଷିର ନୟନ୍ତ୍ରଣ ରହିବ ନାହିଁ ।

ଏଣୁ ଦେଶି ବିହନର ବିଲୁପ୍ତି ସହିତ ବିଲୋପ ହେଉଛି ପାରମ୍ପାରିକ କୃଷି ବ‎୍ୟବସ୍ଥା । ମୃତ୍ତିକା ଓ କୀଟ ପରିଚାଳନାର ପ୍ରକୃତିକ ଉପଚାର ପରବର୍ତ୍ତେ କୃଷକ ରସାୟନୀକ ସାର ଓ କୀଟ ନାଷକ ପାଇଁ ଏବେ ବଜାର ଉପରେ ନିର୍ଭରଶୀଳ । ଏହା କୃଷି ଖର୍ଚକୁ ବୃଦ୍ଧି କରୁଛି । ଫଳରେ କୃଷକ ଚାଷ ଖର୍ଚ ତୁଳେଇବାକୁ ଯାଇ ଋଣଗ୍ରସ୍ତ ହେଉଛି । ପରେ ଅମଳ ଫସଲର ଆଶାନୁରୂପକ ଦର ନମିଳିବା ହେତୁ ଋଣଗସ୍ତତାର ବୋଝ ସହିନପାରି ସ୍ୱାଭିମାନୀ ଚାଷି ଆତ୍ମହତ୍ୟା କରୁଛି ।

ଅତ୍ୟଧିକ ରସାୟନୀକ ସାର ଓ କୀଟ ନାଷକର ବହୁଳ ବ୍ୟବହାର ହେତୁ ସ୍ଥାନୀୟ ଜୈବ ବିବିଧତାରେ ମଧ୍ୟ ପରିବର୍ତ୍ତନ ଘଟିଛି । ବିଲରେ ମିଳୁଥିବା ଅନେକ ପ୍ରଜାତିର ମାଛ, ଜିଆ ସମେତ ସୁନୁସୁନିଆ ଭଳି ବିଭିନ୍ନ କିଷମର ଶାଗ ଯାହା କୃଷକ ଓ କୃଷି ଶ୍ରମୀକଙ୍କୁ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ମାଗଣାରେ ଯୋଗାଉଥିଲା, ଏବେ ସ୍ୱପ୍ନ । କଥା ଏତିକିରେ ସରି ନାହିଁ ।

ଶଙ୍କର ଓ ଜୀନ ପରିବର୍ତ୍ତିତ ବିହନର ପ୍ରସାର ଓ ପ୍ରୋତ୍ସାହନ ପାଇଁ ଏବେ ସରକାର ପ୍ରସ୍ତୁତ ହେଉଛନ୍ତି । ଏହି ବିହନ କେବଳ ବଡ କମ୍ପାନୀମାନଙ୍କର ପରକ୍ଷାଗାରରେ ପ୍ରସ୍ତୁତ ହେଉଥିବାରୁ ଏପରି ଘଟିଲେ ବିଶ୍ୱ ବଜାରର ମାତ୍ର କିଛି କମ୍ପାନୀ ଆମ ଚାଷକୁ ନିୟନ୍ତଣ କରିବେ ।

ଏହି ବିଷମ ସ୍ଥିତି ଚାଷକୁ ବଜାର ନିର୍ଭରଶୀଳ କରେଇବା ସହିତ ଆମ ପ୍ରକୃତି ଓ ସଂସ୍କୃତିକୁ ସମ୍ପୁର୍ଣ୍ଣ କବଳିତ କରିଯିବ । ଏବେଠୁ ଚାଷି ସତର୍କ ନହେଲେ ହୁଏତ ସମୟ ଆସିବ ଆମର ଅନେକ କୃଷି କୈନ୍ଦିକ ପର୍ବ ପର୍ବାଣୀ ଲୋକକଥାର ବିଷୟ ହୋଇଯିବ ।
କୁହାଯାଏ ଗୋଟିଏ ଜାତିକୁ ନିଶ୍ଚିହ୍ନ କରିବାକୁ ହେଲେ ତାଙ୍କର ସଂସ୍କୃତିକୁ ପ୍ରଥମେ ଆକ୍ରମଣକର । ସଂସ୍କୃତି ସହ ନଷ୍ଟ ହୋଇଯିବ ସେମାନଙ୍କର ପରିଚିତି ଓ ଏକତା । ଅର୍ଥନୈତିକ ଉପନିବେଶିକତାର ଉଦ୍ଦେଶ୍ୟ ପୂରଣ ପାଇଁ ଏପରି ଏକ କୁଟନିତୀର ପ୍ରୟୋଗ ଆରମ୍ଭ ହୋଇସାରିଛି ।

ପରିତାପର କଥା ଏଥିରେ ଆମଦ୍ୱାରା ନିର୍ବାଚିତ ଲୋକପ୍ରତିନିଧି ଓ ଆମର ସେବା ପାଇଁ ନିଯୁକ୍ତ (?) ପ୍ରଶାସନିକ ଅଧିକାରିମାନେ ବି ସମ୍ପୃକ୍ତ । ସରକାରୀ ଆଭିମୂଖ୍ୟରେ ପରିବର୍ତ୍ତନ ସହ ବିଷ ମୁକ୍ତ ଚାଷ ଓ ଆତ୍ମ ନିର୍ଭରଶୀଳ କୃଷି ପାଇଁ ସଚେତନତାହିଁ ଆମକୁ ଏଥିରୁ ତ୍ରାହି କରିପାରିବ ।

ଘାସିରାମ ପଣ୍ଡା :

This website uses cookies.