ଓଡିଶା ନ୍ୟୁଜ/ Odisha News
ପରିବେଶ

କାମ୍ପା ଓ ଜଙ୍ଗଲ ଅଧିକାର ଆଇନ

କାମ୍ପା ଓ ଜଙ୍ଗଲ ଅଧିକାର ଆଇନ


ସରକାର ଗୋଟିଏ ହାତରେ ଯାହା ଦେଲେ ଆର ହାତରେ ତାହା ଛଡେଇ ନେଲେ । କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧ ଆଦିବାସୀଙ୍କର ଏହି ଅଭିମାନ ଭରା ଅଭିଯୋଗ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ଦୟନୀୟ ସ୍ଥିତିକୁ ଜାହିର କରୁଛି । ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ପାଇଁ ଆଜକୁ ନଅ ବର୍ଷ ତଳେ ଏହି ଆଇନ ଆସିଥିଲା ।

ଦେଶ ସ୍ୱାଧିନ ହେଲା ପରେ ବି ବନବାସୀଙ୍କ ପାଇଁ ବିଦେଶି ଶାସନ ନୀତି ବଦଳି ନଥିଲା । ପୁରୁଷାନୁକ୍ରମେ ରହି ଆସୁଥିବା ବନବାସୀଙ୍କର ଜଙ୍ଗଲ ପ୍ରବେଶ ଉପରେ କଟକଣା ଥିଲା । ଏଣୁ ଜୀବନଜିବୀକାରୁ ବଂଚିତ ଏହି ବନବାସୀମାନେ ଜମୀ, ଜଙ୍ଗଲ ଉପରେ ନିଜର ପାରମ୍ପାରିକ ଅଧିକାରର ସ୍ୱିକୃତୀ ପାଇଁ ଆନ୍ଦୋଳନ ଜାରି ରଖିଥିଲେ ।

ଜନମତକୁ ସମ୍ମାନ ଦେଇ ୨୦୦୬ ମସିହାରେ ଭାରତ ସରକାର ଏହାକୁ ଏକ ଐତିହାସିକ ଅନ୍ୟାୟ ବୋଲି ସ୍ୱିକାର କରିବା ସହ ଜଙ୍ଗଲ ଉପରେ ପାରମ୍ପାରିକ ଅଧିକାରର ସ୍ୱୀକୃତି ପାଇଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରିଥିଲେ । ପ୍ରାକୃତିକ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ଜନ ସହଭାଗିତାରେ ଜ÷÷ବ ବିବିଧତାର ସୁରକ୍ଷା ଓ ପରିସଂସ୍ଥାନ ପରିଚାଳନାର ସମୃଦ୍ଧ ପରମ୍ପରାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ଜଙ୍ଗଲ ଅଧିକାର ଆଇନ ଅନୁସାରେ ବନବାସୀମାନେ ନିଜର ଦୈନନ୍ଦିନ ଗୁଜୁରାଣ ପାଇଁ ପରମ୍ପରା କ୍ରମେ ବ୍ୟବହାର କରି ଆସୁଥିବା ଘରଡିହ, ଚାଷଜମୀ ଓ ସାମୁହିକ ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । କିଷମ ନିର୍ବିଶେଷରେ ସମସ୍ତ ପ୍ରକାରର ଜଙ୍ଗଲରୁ ମହୁଲ, ଚାର, ବାଉଁଶ, କେନ୍ଦୁପତ୍ର ପରି ସମସ୍ତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କରି ପାରିବେ ।

ଅଧିକାରର ପରସୀମା ଭିତରେ ଥିବା ଜଙ୍ଗଲର ପରିଚାଳନା ଦାୟୀତ୍ୱ ମଧ୍ୟ ଗ୍ରାମସଭା ମାଧ୍ୟମରେ ଲୋକଙ୍କୁ ଦିଆଯାଇଛି । ଲୋକେ ନିଜର ପାରମ୍ପାରିକ ଜ୍ଞାନ ଆଧାରରେ ଜଙ୍ଗଲର ପରିଚାଳନା କରିବେ । ଆବଶ୍ୟକ ହେଲେ ସେମାନେ ଜଙ୍ଗଲ ବିଭାଗର ସାହାଯ୍ୟ ନେଇ ପାରନ୍ତି । ଏହା ଜଙ୍ଗଲ ସମ୍ପଦ ଉପରେ ବିଭାଗର ଏକ ଚାଟିଆ ଅଧିକାରକୁ ପ୍ରତିହତ କରୁଛି ।

ଜଙ୍ଗଲ ଅଧିକାର ଆଇନର ପ୍ରଣୟନ ଦୁଇଟି ବିଶେଷ ପରିବର୍ତ୍ତନ ପାଇଁ ରାସ୍ତା ତିଆରି କରିଛି । ପ୍ରଥମଟି ହେଲା ଲୋକଙ୍କୁ ଗ୍ରାମସଭା ମାଧ୍ୟମରେ ନିଷ୍ପତ୍ତି ଗ୍ରହଣର କ୍ଷମତା । ପ୍ରଥମ ଥର ପାଇଁ ସମ୍ବଳର ବଂଟନରେ ଅମଲା ତନ୍ତ୍ରର ଭୂମୀକାକୁ ଗୌଣ କରାଯାଇ ଲୋକଙ୍କୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ବିଧି ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟଟି ହେଲା ସ୍ୱାଧିନୋତ୍ତର ଭାରତ ବର୍ଷରେ ଜମୀ ଓ ଜଙ୍ଗଲର ମାଲିକାନା ସତ୍ୱ ହାସ୍ତାନ୍ତରର ଏହା ସର୍ବ ବୃହତ କାର୍ଯ୍ୟକ୍ରମ ।

ଆଇନର ସଠିକ କାର୍ଯାନ୍ୱୟନ ହେଲେ ଆମ ରାଜ୍ୟର ପ୍ରାୟ ତିରିଶ ହଜାର ଗ୍ରାମବାସୀଙ୍କ ମାଲିକାନାକୁ ଜଙ୍ଗଲ ବିଭାଗ ନିୟନ୍ତ୍ରଣରେ ଥିବା ଚାଲିଶ ଭାଗ ଜଙ୍ଗଲର ଅଧିକାର ସତ୍ୱ ହସ୍ତାନ୍ତର ହେବାର ଆକଳନ କରାଯାଉଛି । ହେଲେ ସରକାରଙ୍କ ଅନିଚ୍ଛା ଭାବ ଓ ଜଙ୍ଗଲ ବିଭାଗର ଏହି କ୍ଷମତା ବିକେନ୍ଦ୍ରି କରଣରେ ଅସହଯୋଗ ଯୋଗୁଁ ଆଇନ ପ୍ରଣୟନର ଏକ ଦଶନ୍ଧି ପରେ ବି ଏହା ସମ୍ଭବ ହୋଇପାରୁ ନାହିଁ ।

ସରକାର ନିଜେ ଜାରି କରିଥିବା ତଥ୍ୟକୁ ବିଚାରକୁ ନେଲେ ଜୁଲାଇ, ୨୦୧୬ ଶେଷ ସୁଦ୍ଧା ମାତ୍ର ତିନି ହଜାର ଗ୍ରାମକୁ ସାମୁହିକ ଅଧିକାର ପ୍ରଦାନ କରାଯାଇ ପାରିଛି । ଅପର ପକ୍ଷରେ କାମ୍ପା ପାଣ୍ଠିର ବ୍ୟବହାର କରି ବ୍ୟାପକ ବୃକ୍ଷ ରୋପଣ ପାଇଁ ଲୋକଙ୍କ ଅଧିକାର ପରିସରକୁ ଅସିଥିବା ଜମୀ ଓ ଜଙ୍ଗଲ ଉପରେ ଜଙ୍ଗଲ ବିଭାଗର ପୁନଃ ଜବର ଦଖଲ ଏବେ ଐତିହାସିକ ଅନ୍ୟାୟର ପୁନରାବୃତ୍ତି କରୁଛି ।

ଖଣି ଖାଦାନ ନିମନ୍ତେ ଜଙ୍ଗଲ ଜମୀ ବ୍ୟବହାର ଜନିତ କ୍ଷତିର ଭରଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ବୟାଳିଶ ହଜାର କୋଟି ଟଙ୍କା ଗଚ୍ଛିତ ହୋଇଥିଲା । ଏହି ପାଣ୍ଠିର ପରିଚାଳନା ପାଇଁ ନିକଟରେ ଭାରତ ସରକାରଙ୍କ ଦ୍ୱାରା କାମ୍ପା ପାଣ୍ଠି ଅଧିନିୟମ, ୨୦୧୬ ଗୃହିତ ହୋଇଛି । ନୂତନ ଅଧିନିୟମ ଆଧାରରେ ଚଳିତ ବର୍ଷ ଆମ ରାଜ୍ୟ ଏହି ପାଣ୍ଠିର ଅଂଶ ସ୍ୱରୂପ ପ୍ରାୟ ଛଅ ହଜାର କୋଟି ଆର୍ଥିକ ଅନୁଦାନ ପାଇଛନ୍ତି ।

ଅବକ୍ଷୟୀଷ୍ନୁ ଜଙ୍ଗଲର ପୁନରୁଦ୍ଧାର ପାଇଁ ଏହା ହୁଏତ ସୁଯୋଗ ସୃଷ୍ଟି କରିବ, ଏଣୁ ସ୍ୱାଗତ କରିବା କଥା । ହେଲେ ସବୁକଥାରେ ଜନ ସହଭାଗିତାର ନାରା ଦେଉଥିବା ସରକାର ପ୍ରକୃତ ପକ୍ଷେ ଏକ ଚାଟିଆ ଭାବେ ଦେଶର ନୀତି ନିୟମକୁ ହେୟଗ୍ୟାନ କରି ଲୋକଙ୍କ ବ୍ୟବହାରରେ ଥିବା ଜଙ୍ଗଲ ଜମୀରେ ବୃକ୍ଷ ରୋପଣ କରୁଥିବାରୁ ଫଳ ଓଲଟା ହେଉଛି ।

ଜଙ୍ଗଲ ଅଧିକାର ଆଇନର ଧାରା ୩-୧ (ଠ) ବନବାସୀଙ୍କୁ ନିଜର ପାରମ୍ପାରିକ ଜଙ୍ଗଲ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ସଂରକ୍ଷଣ , ପୁନଃଜନନ ଓ ପରିଚାଳନାର ଅଧିକାର ପ୍ରଦାନ କରିଛି । ଧାରା ୫ ଗାମସଭାକୁ ବନ୍ୟଜୀବ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ପତ୍ତି ନେବାକୁ କ୍ଷମତାଶାଳୀ କରିଛି । ଧାରା ୪ (୧) ଅନୁଯାୟୀ ଗ୍ରାମସଭା ଏ ସବୁର ପରିଚାଳନା ପାଇଁ ଗ୍ରାମବାସୀଙ୍କୁ ନେଇ କମିଟି ତିଆରି କରିପାରିବ ।

ଜଙ୍ଗଲ ଅଧିକାର ନୀୟମାବଳୀ (ସଂଶୋଧିତ) ୨୦୧୨ର ଧାରା ୫ (ଞ) ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠିତ ହୋଇଥିବା ଏହି କମିଟି ଗ୍ରାମସଭା ଅଧିନରେ ଥିବା ଜଙ୍ଗଲ ସମ୍ବଳର ପରିଚାଳନା ଯୋଜନା ପ୍ରସ୍ତୁତ କରିବ ଯାହାକି ପୂର୍ବରୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ସମନ୍ୱୀତ ହେବ ।

ବୃକ୍ଷ ରୋପଣ ଓ ଜଙ୍ଗଲ ପରିଚାଳନା ପାଇଁ କାମ୍ପା ପାଣ୍ଠିର ବିନିଯୋଗ ଏହି ନୀୟମାନୁଯାୟୀ ହେବା ବଦଳରେ ବଳପୂର୍ବକ ଲୋକଙ୍କ ଅଧିକାରରେ ଥିବା ଜଙ୍ଗଲ ଜମୀରେ ଗଛ ଲଗାଇବା ପାଇଁ ଅନଧିକାର ଅନୁପ୍ରବେଶ କରାଯାଉଛି । ଶାଳ, ମହୁଲ, ପିଆଶାଳ ଭଳି ଗଛକୁ ସଫାକରି ଶାଗୁଆନ, ୟୁକାଲିପ୍ଟସ, ଆକାଶିଆ ଭଳି ଅଣ ଲଘୁ ବନଜାତ ଉଭ୍ୱିଦର ଅନୁପ୍ରବେଶ ପ୍ରାକୃତିକ ଜୈବ ବିବିଧତାକୁ ନଷ୍ଟ କରିବା ସହିତ ବନ୍ୟ ପ୍ରାଣୀ, ପକ୍ଷୀ ଓ ବନବାସୀଙ୍କ ଖାଦ୍ୟ ସୁରକ୍ଷା ଉପରେ ଆଂଚ ଆଣୁଛି।

ଅଣ ଜଙ୍ଗଲ କାମରେ ନଷ୍ଟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ଉଦ୍ଦେଶ୍ୟରେ ବିନିଯୋଗ ହେଉଥିବା କାମ୍ପା ପାଣ୍ଠି ଏହା ଦ୍ୱାରା ଲକ୍ଷ୍ୟଚ୍ୟୁତ ହେଉଛି । ବନ ବିଭାଗ ନିଜର ଜମିଦାରିଆ ମନୋଭାବରେ ପରିବର୍ତ୍ତନ ଅଣି ଗ୍ରାମସଭାର କ୍ଷମତା ପ୍ରତି ସମ୍ମାନ ପ୍ରଦର୍ଶନ କଲେ ଜନସହଭାଗିତରେ ଜଙ୍ଗଲ ସମ୍ପଦର ପ୍ରକୃତ ଅଭିବୃଦ୍ଧି ଘଟିବ । ସେହିପରି ଲୋକଙ୍କୁ ମାଗଣାରେ ଛତା, କମ୍ବଳ ଯୋଗାଇବକୁ ତତ୍ପର ସରକାର ଜମୀ, ଜଙ୍ଗଲ ଉପରେ ଲୋକଙ୍କୁ ଅଧିକାର ଦେବାପାଇଁ ଚେଷ୍ଟିତ ହେଲେ ଚିରସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ ।

Leave a Reply

This site uses Akismet to reduce spam. Learn how your comment data is processed.