ଓଡିଶା ନ୍ୟୁଜ/ Odisha News
ରୋକ ଠୋକ

ଗ୍ରୀଷ୍ମର ତାତି ଓ ସରକାରଙ୍କ ନୀତି

ଗ୍ରୀଷ୍ମର ତାତି ଓ ସରକାରଙ୍କ ନୀତି


ପ୍ରଚଣ୍ଡ ରୌଦ୍ର ତାପରେ ଏବେ ଡହକ ବିକଳ ହେଉଛନ୍ତି ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଜନସାଧାରଣ । ସଧାରଣତଃ ଏପ୍ରିଲରୁ ଜୁନ ଭିତରେ ୪୫ଂ ରୁ ଅଧିକ ତାପମାତ୍ରା ଲଗାତାର ଭାବରେ ରହିଲେ ଗ୍ରୀଷ୍ମ ପ୍ରବାହ ଜନୀତ ସତର୍କତା ଜାରି ହୋଇଥାଏ । ହେଲେ ଏଥରର ମାର୍ଚ ମାସରୁ ପରିସ୍ଥିତି ଅସମ୍ଭାଳ ହେଲାଣି ।

ଅଂଶୁଘାତର ମୁକାବିଲା ପାଇଁ ସକାଳୁଆ ବିଦ୍ୟାଳୟ ହେବା, ଶାରୀରିକ ଶ୍ରମକୁ ଦ୍ୱୀପହର ସମୟରେ ବନ୍ଦ ରଖିବା, ଯାନବାହନ, ବିଦ୍ୟାଳୟ, କର୍ମସ୍ଥଳୀ ସବୁଠି ପର୍ଯ୍ୟାପ୍ତ ପିଇବା ପାଣି, ଓ.ଅର.ଏସ. ପୁଡିଆ, ଛାଇର ବନ୍ଦୋବସ୍ଥ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୯୯୮ ମସିହାରେ ଅଂଶୁଘାତ ଯୋଗୁଁ ଆମ ରାଜ୍ୟରେ ୨୦୪୨ ଜଣଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା ।

ସ୍ଥାନୀୟ ସ୍ତରରେ ପୂର୍ବ ପ୍ରସ୍ତୁତି ଓ ସୂଚନାର ପ୍ରସାର ଦ୍ୱାରା ସଚେତନତା ବୃଦ୍ଧି ପାଇଁ ସରକାରଙ୍କ ଲଗାତାର ପ୍ରୟାସ ଫଳରେ ଅଂଶୁଘାତ ଜନୀତ ମୃତ୍ୟୁକୁ ତାପରଠାରୁ ନିୟନ୍ତ୍ରଣ କରାଯାଇ ପାରିଛି । ୨୦୦୫ ମସିହାରେ ମୃତ୍ୟୁ ସଂଖ୍ୟା ୨୩୭ ଥିବାବେଳେ ୨୦୧୦ରେ ୧୦୯ ଓ ୨୦୧୫ ରେ ଏହା ୬୭ ରେ ପହଞ୍ôଚ ଥିଲା । ସଚେତନତା ସୃଷ୍ଟି ପାଇଁ ସରକାରୀ ତତ୍ପରତା ବଢିଛି ।

ଏହା ସହିତ ସମାନୁପାତିକ ଭାବରେ ବଢିଛି ଅଂଶୁଘାତ ଜନିତ ମୃତ୍ୟୁକୁ ସ୍ୱୀକାର କରିବାରେ ପ୍ରଶାସନର କୁଣ୍ଠା । ନୀତିଗତ କ୍ଲିଷ୍ଟତା ଯୋଗୁଁ ମୃତ୍ୟୁ ପରବର୍ତ୍ତି ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ଓ ଅନେକାଂଶରେ ପ୍ରଶାସନିକ ବିଫଳତା ପରିଲକ୍ଷିତ ହୋଇଛି । ଦୀନ ମଜୁରିଆ ଭାବେ ଜୀବିକା ନିର୍ବାହ କରୁଥିବା ନୂଆପଡା ଜିଲ୍ଲା ଅନ୍ତର୍ଗତ ଖର୍ଲାକୋଟ ଗାଁର ଧନୀରାମ ୨୦୧୪ ମସିହା ଜୁନମାସର ଗୋଟିଏ ଦିନରେ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇ ଆଉ ଫେରିନଥିଲେ ।

ଗୋଟିଏ ଆଡିବନ୍ଧ ଉପରେ ଥିବା ଗଛମୂଳେ ସେ ମରିପଡିଥିବା ଦେଖାଯାଇଥିଲା । ପରେ ପରିବାର ଲୋକେ ଶବକୁ ପୋତି ଦେଇଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରଚାରିତ ହେବାପରେ ଶବକୁ ପୁଣିଥରେ କଢାଯାଇ ବ୍ୟବଚ୍ଛେଦ କରାଗଲା । ହେଲେ ଅଂଶୁଘାତ ଜନୀତ ମୃତ୍ୟୁ ବୋଲି ସ୍ୱୀକାର କରାଗଲା ନାହିଁ । ଅପର ପକ୍ଷରେ ଧନୀରାମର ସ୍ତ୍ରୀଙ୍କ କଥା ଅନୁଯାୟୀ ସେଦିନ ପ୍ରକୃତରେ ବହୁତ ଗରମ ଅନୁଭୂତ ହେଉଥିଲା ।

ମୃତ୍ୟୁ ସମୟର ପାରିପାଶ୍ୱର୍ୀକ ପରିସ୍ଥିତି ଆଧାରରେ ପାଣି ପିଇବାକୁ ବନ୍ଧକୁ ଯିବା ବେଳେ ହିଁ ଧନୀରାମଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ସେହିପରି ସମ୍ବଲପୁର ଜିଲ୍ଲାର ମନେଶ୍ୱର ବ୍ଲକ ଅନ୍ତର୍ଗତ ରସନପୁର ଗାଁର କୁନ୍ଦୁରୁ ମିର୍ଦ୍ଧା ମଇ ମାସର ଖରାରେ କାମ ପାଇଁ ବାହାରକୁ ଯାଇଥିବା ଅବସ୍ଥାରେ ମୃତ୍ୟୁ ବରଣ କଲେ । ଖବର ପାଇ ପରିବାର ଲୋକେ ଡାକ୍ତରଖାନାକୁ ନେଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ କଲେ ।

ଡାକ୍ତରଙ୍କ ଠାରୁ ଅଂଶୁଘାତ ମୃତ୍ୟୁର ପ୍ରମାଣ ଜନିତ ଶବ ବ୍ୟବଚ୍ଚେଦ ରିପୋର୍ଟ ଓ ମୃତ୍ୟୁ ପ୍ରମାଣ ପତ୍ର ଥିବା ସତ୍ୱେ ଅଢେଇ ବର୍ଷ ଲାଗିଲା ଦଶହଜାର ଟଙ୍କାର ସହାୟତା ରାଶି ପାଇବା ପାଇଁ । ଏମିତି ଆହୁରି ଅନେକ ଘଟଣା ଅଛି ଯାହା ଲୋକଲୋଚନକୁ ଆସି ପାରି ନାହିଁ । ପ୍ରଶ୍ନ ଉଠେ, ଅଂଶୁଘାତରେ ପ୍ରକୃତରେ କେଉଁ ବର୍ଗର ଲୋକମାନେ ବେଶି ପ୍ରଭାବିତ ହୁଅନ୍ତି ? ଏଥିପାଇଁ ଦିଆଯାଉ ଥିବା ସହାୟତା ରାଶିର ପାରିମାଣ ସ୍ୱଳ୍ପ ହେଲେବି ସେମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ?

ଏହି ସହାୟତା ଟିକକ ପାଇବା ପାଇଁ ପ୍ରଶାସନକୁ ପ୍ରଭାବିତ କରିପାରବା ଭଳି ସେମାନଙ୍କର କ୍ଷମତା ଅଛି କି? ଏକଥାରେ ଦ୍ୱିରୁକ୍ତି ହେବାର ନାହିଁ ଯେ, କାମ ନକଲେ ଯେଉଁମାନଙ୍କର ଖାଇବା ବନ୍ଦ, ସେହିମାନେ ହିଁ ଜୀବନକୁ ବାଜି ଲଗେଇ ପେଟ ପାଇଁ ବେଳ ଉବେଳ ନମାନି କାମକୁ ଯାଇ ଅଂଶୁଘାତର ଶିକାର ହୁଅନ୍ତି । ବୁଡିଯାଉଥିବା ଲୋକକୁ କୁଟାଖିଅ ଆଶ୍ରା ଭଳି ସାମାନ୍ୟ ଅର୍ଥରାଶି ବି ସେହି ସମୟରେ ପରିବାର ଲୋକଙ୍କ ପାଇଁ ଗୁରୁତ୍ୱ ରଖେ । ହେଲେ ପେଟ ପାଇଁ ପର ଘରେ ପାଉଟି ଖୋଜୁଥିବା ଲୋକେ କେତେଥର ବା ଧାଇଁପାରିବେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ।

ଅଂଶୁଘାତ ଜନୀତ ମୃତ୍ୟୁ କାଳିନ ସହାୟତା ୧ ଏପ୍ରିଲ, ୨୦୧୫ ଠାରୁ ଦଶ ହଜାରରୁ ପଚାଶ ହଜାର ଟଙ୍କାକୁୁ ବୃଦ୍ଧି କରାଯାଇଛି ଅଥଚ ଅନ୍ୟାନ୍ୟ ଦୁର୍ବିପାକ ଜନିତ ମୃତ୍ୟୁରେ ଚାରିଲକ୍ଷ ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ, ଅନ୍ୟାନ୍ୟ ଦୁର୍ବିପାକ କାରଣରୁ କୌଣସି ଅଙ୍ଗ ହାନୀ ହେଲେ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ । ହେଲେ ଅଂଶୁଘାତରେ ପ୍ରଭାବିତ ଅସୁସ୍ଥତା ବା ଭିନ୍ନକ୍ଷମତା ପାଇଁ କୌଣସି ସହାୟତା ବ୍ୟବସ୍ଥା ନାହିଁ ।

ଏବର୍ଷ ମାର୍ଚ ମାସରୁ ଅଂଶୁଘାତ ମୃତ୍ୟୁର ଅଭିଯୋଗ ଆରମ୍ଭ ହୋଇଗଲାଣି । ଆଗକୁ ଆହୁରି ସଙ୍କଟମୟ ସମୟ ଆସୁଛି । ତେବେ ଏ ସଂକ୍ରନ୍ତୀୟ ପ୍ରଚଳିତ ନୀତିକୁ ଅନୁଧ୍ୟାନ ପୂର୍ବକ ଲୋକଙ୍କୁ ସୁହାଇଲା ଭଳି ପରିବର୍ତ୍ତନ ଅଣାଯାଇ ପାରିଲେ ହିଁ ଗରୀବ ଲୋକଙ୍କ ପାଖରେ ପ୍ରକୃତ ସହାୟତା ପହଞ୍ôଚପାରିବ । ଅଂଶୁଘାତ ମୃତ୍ୟୁର ପ୍ରମାଣ ପାଇଁ ଶବ ବ୍ୟବଚ୍ଚେଦ ରିପୋର୍ଟ ଏକମାତ୍ର ଆଧାର ଭାବେ ବିବେଚନା କରାଯାଏ ।

ବିଭନ୍ନ ସମ୍ପ୍ରଦାୟରେ ଶବ ବ୍ୟବଚ୍ଚେଦକୁ ନେଇ ଗ୍ରହଣୀୟତା ନାହିଁ । କିଛି କ୍ଷେତ୍ରରେ ଶବ ବ୍ୟବଚ୍ଚେଦ କେନ୍ଦ୍ରକୁ ଆଣିବା ନେବା ଖର୍ଚ ବହୁଳ ଓ ସମୟ ସାପେକ୍ଷ ହେଉଥିବା କାରଣରୁ ଲୋକେ ସକ୍ଷମ ହେଉନାହନ୍ତି । ଶବ ବ୍ୟବଚ୍ଚେଦର ପ୍ରକ୍ରୟାରେ ଏକାଧିକ ବିଭାଗର ଉପରସ୍ଥ କର୍ମଚାରୀଙ୍କ ସମ୍ପୃକ୍ତି ମଧ୍ୟ ପ୍ରକ୍ରିୟାକୁ କି୍ଲଷ୍ଟ କରୁଛି । ଏପରି କ୍ଷେତ୍ରରେ ଗ୍ରାମ ପଞ୍ଚାୟତ, ଅଙ୍ଗନ ୱାଡି କର୍ମି ଓ ଆଶା କର୍ମିଙ୍କ ମିଳିତ ଉତ୍ତରଦାୟୀତ୍ୱ କଥା ବିକଳ୍ପ ଭାବରେ ଚିନ୍ତା କରାଯାଇପାରେ ।

ଦୃତ ସହରୀକରଣ, କଳକାରଖାନା ଓ ଖଣି ଖାଦନ ପାଇଁ ସବୁଜ ବାଷ୍ପର ମାତ୍ରା ବୃଦ୍ଧି ହେତୁ ତାପମାତ୍ରା ବଢୁଛି । ଏହା ରୋଗ ବୃଦ୍ଧି, ଫସଲର ଉତ୍ପାଦକତା ଓ ଜୈବ ବିବିଧତା ହ୍ରାସର କାରଣ ହୋଇଛିି । ଏଥି ଯୋଗୁଁ ଜୀବଜନ୍ତୁ ମାନେ ବି ସମପରିମାଣରେ ପ୍ରଭାବିତ ହେଉଛନ୍ତି । ଏଣୁ ଗ୍ରୀଷ୍ମ ପ୍ରବାହ ଜନୀତ ଦୁର୍ବିପାକ କ୍ଷତିଗ୍ରସ୍ତଙ୍କ ପୁର୍ନଃବାସ ସହିତ ଜଳବାୟୁ ସନ୍ତୁଳନ ଦିଗରେ ପ୍ରତିକାରାତ୍ମକ ପାଦକ୍ଷେପ ପାଇଁ ସରକାରଙ୍କୁ କଡା ଆଭିମୂଖ୍ୟ ଗ୍ରହଣ କରିବାକୁ ପଡିବ ।

Leave a Reply

This site uses Akismet to reduce spam. Learn how your comment data is processed.