ଜଙ୍ଗଲ ଅଧିକାରକୁ ସରକାରଙ୍କ ଉଲଂଘନ


ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଆମ ରାଜ୍ୟ ସରକାର ଏକ ନୂତନ କାର୍ଯ୍ୟକ୍ରମ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୩୦ଟି ବନଖଣ୍ଡରେ ୧୧୭୦.୨ କୋଟି ବ୍ୟୟରେ ୨ ଲକ୍ଷ ୬୦ ହଜାର ହେକ୍ଟର ଜଙ୍ଗଲର ପୁନରୁଦ୍ଧାର କାରାଯିବ । ଏଥିପାଇଁ ୭ ହଜାର ବନ ସଂରକ୍ଷଣ ସମିତିଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ।

ରାଜ୍ୟରେ ଜଙ୍ଗଲ ବୃଦ୍ଧି ଓ ତଦ୍ ଜନିତ ଜୀବନ ଜୀବିକାର ସୁଯୋଗ ସୃଷ୍ଟି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଯୋଜନା ଆରମ୍ଭରୁ ବନ ବିଭାଗର ଆଚରଣ ଚିନ୍ତାର କାରଣ ହୋଇଛି । ଯୋଜନା ଆରମ୍ଭ କରିବାକୁ ଯାଇ ବନ ବିଭାଗ ନଂ ୨୫୨୫/ଉୠଚଗଚ – ୦୪/ ୨୦୧୪ ତା୨୬.୮.୨୦୧୪ ମାଧ୍ୟମରେ ବେସରକାରୀ ସଂଗଠନର ଭାଗିଦାରୀତା ହେତୁ ଆଗ୍ରହ ପ୍ରକାଶ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

କହିବାକୁ ଗଲେ ଏହି ଦିନଠାରୁ ବିଭାଗ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ଏବେ ପ୍ରାୟ ଦେଢ ବର୍ଷ ପରେ ଏଥିପାଇଁ କ୍ୟାବିନେଟର ଅନୁମୋଦନ ଆବଶ୍ୟକ ହେଲା କାହିଁକି ? ଅନ୍ୟ ଅର୍ଥରେ ବିନା କ୍ୟାବିନେଟ ଅନୁମୋଦନରେ ବିଭାଗ ସର୍ବସାଧାରଣରେ ବିଜ୍ଞପ୍ତି ପ୍ରକାଶ କରିଥିଲେ କେମିତି?
ଆମ ଜଙ୍ଗଲ ଯୋଜନାର ବିଜ୍ଞପ୍ତି ପ୍ରକାଶିତ ହେଲାପରେ ଏହାକୁ ନେଇ ଜଙ୍ଗଲ ଅଧିକାର ପାଇଁ କାର୍ଯ୍ୟକରୁଥିବା କର୍ମକର୍ତ୍ତାଙ୍କ ଠାରୁ ପ୍ରତିବାଦର ସ୍ୱର ଶୁଣିବାକୁ ମିଳିଥିଲା । ବିଶେଷ କରି ବନ ସଂରକ୍ଷଣ ସମିତି ମାଧ୍ୟମରେ ଜଙ୍ଗଲର ପୁନରୁଦ୍ଧାର ବାହାନାରେ ଜଙ୍ଗଲ ଉପରେ ବନବାସୀଙ୍କ ଅଧିକାର ବଦଳରେ ବନ ବିଭାଗର କତୃତ୍ୱକୁ ପୁନଃ-ଅବସ୍ଥାପିତ କରିବାରେ ସହାୟକ ହେବାର ଆଶଙ୍କା ବ୍ୟକ୍ତ କରାଯାଇଥିଲା ।

ଏକଥା ଉଲ୍ଲେଖ ଯୋଗ୍ୟ ଯେ, ତଫସିଲ ଭୂକ୍ତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ଓ ଜଙ୍ଗଲ ଉପରେ ଥିବା ସେମାନଙ୍କର ପାରମ୍ପାରିକ ଅଧିକାରକୁ ସ୍ୱୀକୃତୀ ଦେବାପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ କରାଯାଇଛି । ଏହି ଆଇନର ଧାରା ୩-୧ (ଠ) ବନବାସୀଙ୍କୁ ନିଜର ପାରମ୍ପାରିକ ଜଙ୍ଗଲ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ସଂରକ୍ଷଣ , ପୁନଃଜନନ ଓ ପରିଚାଳନାର ଅଧିକାର ପ୍ରଦାନ କରିଛି ।

ଧାରା ୫ ଗାମସଭାକୁ ବନ୍ୟଜୀବ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ପତ୍ତି ନେବାକୁ କ୍ଷମତାଶାଳୀ କରିଛି । ଧାରା ୪ (୧) ଅନୁଯାୟୀ ଗ୍ରାମସଭା ଏ ସବୁର ପରିଚାଳନା ପାଇଁ ଗ୍ରାମବାସୀଙ୍କୁ ନେଇ କମିଟି ତିଆରି କରିପାରିବ । ଜଙ୍ଗଲ ଅଧିକାର ନୀୟମାବଳୀ (ସଂଶୋଧିତ) ୨୦୧୨ର ଧାରା ୫ (ଞ) ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠିତ ହୋଇଥିବା ଏହି କମିଟି ଗ୍ରାମସଭା ଅଧିନରେ ଥିବା ଜଙ୍ଗଲ ସମ୍ବଳର ପରିଚାଳନା ଯୋଜନା ପ୍ରସ୍ତୁତ କରିବ ଯାହାକି ପୂର୍ବରୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ସମନ୍ୱୀତ ହେବ ।

ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତାବିତ ‘ଆମ ଜଙ୍ଗଲ ଯୋଜନା’ ଯୁଗ୍ମ ଜଙ୍ଗଲ ପରିଚାଳନା ଅନୁଯାୟୀ ଗଠିତ ବନ ସଂରକ୍ଷଣ ସମିତି ମାଧ୍ୟମରେ ପରିଚାଳିତ ହେବ । ଏହି ସମିତି ଗ୍ରାମସଭା ଦ୍ୱାରା ଗଠିତ ହେଉଥିଲେ ହେଁ ଏଥିରେ ବନପାଳ ସଂପାଦକ ଭାବରେ କାର୍ଯ୍ୟକରନ୍ତି ଓ ତାଙ୍କ ଇଙ୍ଗିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୁଏ । ଏହି ବ୍ୟବସ୍ଥା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମସଭାକୁ ମିଳିଥିବା ଅଧିକାରର ସଂପୂର୍ଣ୍ଣ ଉଲଂଘନ କରୁଛି ।

୧୪ ଜୁଲାଇ ୨୦୧୫ରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରମୁଖ ସଚୀବଙ୍କ ମଧ୍ୟରେ ଏକ ଭିଡିଓ ବାର୍ତ୍ତାଳାପ କରିଥିଲେ । ଏଥିରେ ଓଡିଶା ସରକାରଙ୍କ ତଫସିଲଭୂକ୍ତ ଜାତି, ଜନଜାତି ବିଭାଗ ସଚିବଙ୍କ ଯୁଗ୍ମ ଜଙ୍ଗଲ ପରିଚାଳନା ଅନୁଯାୟୀ ପରିଚାଳିତ ବନ ସଂରକ୍ଷଣ ସମିତିର ଭୂମୀକାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ନିର୍ଦ୍ଧାରିତ ହୋଇଥିବା ପାରମ୍ପାରିକ ଜଙ୍ଗଲ ସୀମାର ପରିଚାଳନାରେ ଗ୍ରାମସଭାର କ୍ଷମତାକୁ ସ୍ପଷ୍ଟତା ପ୍ରଦାନ କରିଛନ୍ତି । ଏହାସତ୍ତେ୍ୱ ଆମ ଜଙ୍ଗଲ ଯୋଜନାର ପ୍ରଣୟନ ଜାଣିଶୁଣି ବନବାସିଙ୍କ ପାରମ୍ପାରିକ ଅଧିକାର ଉପରେ ଏକ ଅନଧିକାର ପ୍ରବେଶ, ଯାହା ସରକାରଙ୍କ ଇଚ୍ଛାକୃତ ।

ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କଲାପରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ତଫସିଲ ଭୂକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ପତ୍ର ସଂଖ୍ୟା ୨୩୦୧୧/୯/୨୦୧୩ ତା ୨୮.୧୦.୨୦୧୪ ଅନ୍ୟୁାୟୀ ଜବାବ ତଲବ କରିଥିଲେ । ଏଥିରେ ସେ ଏହି ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାଣିବାକୁ ଚାହିଁଥିଲେ ହେଁ, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ କିଛି ଜଣାଯାଇ ନଥିଲା ।

ପରେ ସୂଚନା ଅଧିକାର ଆଇନ ବ୍ୟବହାର କରି ଏ ସଂକ୍ରାନ୍ତରେ ବିଭାଗର ସ୍ଥତି ଜାଣିବାକୁ ଚେଷ୍ଠା କଲାପରେ, ଏହାର ପ୍ରଭାବରେ ୩୧ ଡିସେମ୍ବର, ୨୦୧୫ ଦିନ ପତ୍ର ସଂଖ୍ୟା ୨୫୧୩୯/ଝଝଊ/ଝଞଝଉଊ – ୠଜଇ –ଜଞଓ – ୦୦୦୬ – ୨୦୧୫ ଯୋଗେ ପ୍ରତ୍ୟୁତ୍ତର ରଖିଛନ୍ତି । ହେଲେ ଏଥରେ ମଧ୍ୟ ତଫସିଲ ଭୂକ୍ତ ଜାତି, ଜନଜାତି ଉନ୍ନୟନ ବିଭାଗ ନିଜେ ନେଇଥିବା କାର୍ଯ୍ୟାନୁଷ୍ଠାନର କୌଣସି ବିବରଣୀ ନଦେଇ ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକାରୀ କରୁଥିବା ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ବିବରଣୀକୁ କେବଳ ଉପସ୍ଥାପିତ କରିଛନ୍ତି ।

ଜଙ୍ଗଲ ଅଧରକାରକୁ କାର୍ଯ୍ୟକାରୀ କରିବା ସମୟରେ ଯେଉଁ ବିଭାଗମାନଙ୍କ ଭିତରେ ସମନ୍ୱୟ ଏକ ସମସ୍ୟା ହୁଏ, ଏହାକୁ କାର୍ଯ୍ୟକାରୀ କରେଇ ନଦେବାରେ ସେମାନେ ବେଶି ସମନ୍ୱିତ ହୁଅନ୍ତି ଏହା ତାହାର ଏକ ବଳିଷ୍ଠ ଉଦାହରଣ ।ଜଙ୍ଗଲ ପୁନରୁଦ୍ଧାର ର ଆବଶ୍ୟକତା ରହିଛି । ଓଡିଶାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ମାଧ୍ୟମରେ ଗ୍ରାମବାସୀଙ୍କ ଦ୍ୱାରା ଜଙ୍ଗଲ ଓ ଜୈବବିବିଧତାର ସଂରକ୍ଷଣ ଏବଂ ପରିଚାଳନାର ଯଥେଷ୍ଟ ବଳିଷ୍ଠ ଉଦାହରଣ ରହିଛି ।

ସରକାରୀ ବିଭାଗ ଓ ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କ ଅପେକ୍ଷା ଗ୍ରାମସଭା ମଧ୍ୟମରେ ସିଧାସଳଖ ଲୋକଙ୍କ ଉପରେ ଆସ୍ଥାରଖି କାର୍ଯ୍ୟକଲେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଅନ୍ୟଥା ଜଙ୍ଗଲ ଅଧିକାର ଆଇନ ଉଲଂଘନ କରି ଆଉ ଏକ ଐତିହାସିକ ଅନ୍ୟାୟର କାରଣ ସାଜିବେ ।

ଘାସିରାମ ପଣ୍ଡା :

This website uses cookies.