ରୋକ ଠୋକ

ଧାରା ୩୭୫ ଓ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ

ଧାରା ୩୭୫ ଓ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ

 


ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ରେ ଧର୍ଷଣ ଓ ଏ ସଂକ୍ରାନ୍ତିୟ ଦଣ୍ଡ ବିଧିର ବ୍ୟାଖ୍ୟା କରାଯାଇଛି । ଏଥିରେ ଥିବା ଅନେକ ପ୍ରାବଧାନ ଭିତରୁ ୧୮ ବର୍ଷରୁ କମ ବାଳିକାଙ୍କ ସହ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରାଯିବା ଗୁରୁତ୍ୱପୂର୍ଣ୍ଣ ।

ହେଲେ ନାବାଳିକା ବିବାହିତ ହୋଇଥିବେ ଓ ସ୍ୱାମୀ ସହ ସହବାସ କଲେ ଅପରାଧ ଭାବେ ଗ୍ରହଣ କରା ନଯିବାର ଏକ ବ୍ୟତିକ୍ରମ ମଧ୍ୟ ରହିଛି । ଏହା ବୈବାହିକ ସ୍ଥିତି ଆଧାରରେ ଅପରାଧକୁ ଆଇନଗତ ମାନ୍ୟତା ଦେଇ ସ୍ୱାମୀକୁ ସୁରକ୍ଷା ଦେବା ସହ ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛି ।

୧୧ଅକ୍ଟୋବର, ୨୦୧୭ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଆସିବା ପରେ ଏକଥା ସ୍ପଷ୍ଟ ହୋଇଛି ଓ ବ୍ୟତିକ୍ରମରେ ସୁଧାର ଅଣାଯାଇଛି । ଜଣେ ପୁରୁଷ ଓ ତାର ସ୍ତ୍ରୀ ଯାହାର ବୟସ ୧୫ ରୁ ୧୮ ବର୍ଷ, ତା ସହ ଯୌନ ସମ୍ପର୍କକୁ ଧର୍ଷଣ କୁହାଯିବ କି ? ଏମିତି ଏକ ପ୍ରଶ୍ନ ଉଚ୍ଚତମ ନ୍ୟାୟାଳୟ ସମ୍ମୁଖିନ ହେଲା ପରେ ତର୍ଜମା ଆରମ୍ଭ କରିଥିଲେ ।

ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ ର ବ୍ୟତିକ୍ରମ ୨ ଅନୁସାରେ ଏହା ଅପରାଧ ନୁହେଁ । ହେଲେ ଏହା ବିବାହିତ ଓ ଅବିବାହିତ ନାବାଳିକାଙ୍କ ସ୍ଥିତିରେ ଏକ ଅଯଥା ଏବଂ ଅଯୌକ୍ତିକ ପ୍ରଭେଦ ସୃଷ୍ଟି କରୁଛି । ଏପରି ଏକ ବ୍ୟବସ୍ଥା ଭାରତୀୟ ସମ୍ବୀଧାନର ଧାରା୧୫ (୩) ଓ ୨୧ ର ପରିପନ୍ଥି । ଧାରା ୧୫ (୩) ମହିଳା ଓ ଶିଶୁଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ କରୁଥିବା ବେଳେ ୨୧ ସମ୍ମାନର ସହ ବଂଚିବାର ଅଧିକାରକୁ ସ୍ୱିକୃତି ଦେଉଛି ।

ଏତଦବ୍ୟତୀତ ଝିଅଟିଏ ନିଜ ଶରୀର ଓ ପ୍ରଜନନ ସଂକ୍ରାନ୍ତୀୟ ନିଷ୍ପତ୍ତି ନେବାର ଅଧିକାରକୁ ନେଇ ଥିବା ଆଇନଗତ ବ୍ୟବସ୍ଥାର ମଧ୍ୟ ଏହା ନଗ୍ନ ଉଲଂଘନ । ଗୋଟିଏ ପଟେ ୧୮ ବର୍ଷରୁ କମ ବୟସର ନାବାଳିକଙ୍କ ସହ ସହମତିରେ ବି ଯୌନ ସମ୍ପର୍କ ଏକ ଅପରାଧ । ଅପର ପକ୍ଷରେ ୧୫ ରୁ ୧୮ ବର୍ଷ ବିବାହିତ ନାବାଳିକାଙ୍କ ସହ ଅସହମତିରେ ବି ସ୍ୱାମୀ ସହବାସ କରିପାରିବେ ଓ ଏହା ଅପରାଧ ବିବେଚିତ ହେବ ନାହିଁ !

ଆଶ୍ଚର୍ଯ୍ୟର କଥା ସ୍ତ୍ରୀକୁ ଲଜ୍ଜୀତ କଲାଭଳି କୌଣସି ଘଟଣା ଯେପରିକି, ଶାଢି ଟାଣିବା, ବଳ ପୂର୍ବକ ଭିଡି ଆଣିବା ପ୍ରଭୃତି ପାଇଁ ସ୍ୱାମୀକୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪ ଅନୁସାରେ ଦଣ୍ଡ ବିଧାନ କରାଯାଇ ପାରିବ ଅଥଚ ସ୍ୱାମୀ ହୋଇଥିବା କାରଣରୁ ସ୍ତ୍ରୀକୁ ଧର୍ଷଣ ପାଇଁ ଦଣ୍ଡିତ କରି ହେବ ନାହିଁ ! ନ୍ୟୟାଳୟରେ ସତ୍ୟପାଠ ମାଧ୍ୟମରେ ସରକାର ଦାଖଲ କରିଥିବା ଯୁକ୍ତି କିନ୍ତୁ ନିରୁତ୍ସାହ ଜନକ ।

ସରକାରଙ୍କ ମତରେ ଅର୍ଥନୈତିକ ଓ ଶିକ୍ଷାଗତ କାରଣରୁ ଦେଶରେ ଅନେକ ବାଲ୍ୟ ବିବାହ ଘଟୁଛି । ଆମ ଦେଶରେ ଏବେ ପ୍ରାୟ ୨୩ ନିୟୁତ ବାଳିକା ବଧୁ ଅଛନ୍ତି । ଏଣୁ ଏସମସ୍ତଙ୍କୁ ଅପରାଧି ଘୋଷିତ କରି ଦଣ୍ଡ ଦେବା ବାସ୍ତବରେ ସମ୍ଭବ ହେବ ନାହିଁ । ଏହା ଯେହେତୁ ଏକ ପରମ୍ପରା ଏଣୁ ଭାଙ୍ଗିବା ବଦଳରେ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । କାରଣ ବୈବାହିକ ଧର୍ଷଣ ସମ୍ପର୍କିତ ଆଲୋଚନା ବିବାହ ଭଳି ଏକ ଅନୁଷ୍ଠାନକୁ ଧକ୍କା ପହଂଚେଇବ ।

ତେବେ ସୁଃଖର ବିଷୟ ନ୍ୟାୟାଳୟ ଏହି ଯୁକ୍ତିକୁ ନାପସନ୍ଦ କରିଛନ୍ତି । ବିଚାରପତିମାନଙ୍କ ମତରେ ସେହି ସମୟ ଆଉ ନାହିଁ, ଯେତେବେଳେ ବିବାହିତ ମହିଳା ବା ନାବାଳିକାଙ୍କୁ ସ୍ୱାମୀର ଅଧସ୍ତନ ମନେକରାଯାଉ ଥିଲା । କୌଣିସି ଏକ ସମୟରେ ଗୃହିତ ପରମ୍ପରା ପଥରର ଗାର ନୁହେଁ । ଏହା ସମୟ ଓ ଆବଶ୍ୟକତା ଅନୁସାରେ ପରିବର୍ତ୍ତିତ ହେବା ଜରୁରୀ ।

୧୮୬୦ ମସିହାରୁ କାର୍ଯ୍ୟକାରି ହୋଇ ଆସୁଥିବା ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ରେ ଧାର୍ଯ୍ୟ ସର୍ବନିମ୍ନ ବୟସ ବିଭିନ୍ନ ସମୟରେ ପରିବର୍ତ୍ତିତ ହୋଇଛି । ୧୮୬୦ରେ ଏହା ୧୦ ବର୍ଷ ଥିଲା ପରେ ୧୮୯୧ରେ ୧୨, ୧୯୨୫ରେ ୧୩ ଓ ୧୯୪୦ ରେ ୧୫ ବର୍ଷକୁ ଧାର୍ଯ୍ୟ କରାଯାଇଛି । ବାଲ୍ୟ ବିବାହ ବିରୋଧରେ ପ୍ରଥମ ଥର ପାଇଁ ୧୯୨୯ରେ ଆଇନ ଆସିଲା ଓ ଏଥରରେ ବିବାହର ସର୍ବନିମ୍ନ ବୟସ ଧାର୍ଯ୍ୟ କରାଗଲା ।

ଏହି ଆଇନ ଅନୁସାରେ ୧୫ ବର୍ଷରୁ କମ ବୟସର ଝିଅ ଓ ୧୮ ବର୍ଷରୁ କମ ବୟସର ପୁଅଙ୍କ ବିବାହକୁ ବାଲ୍ୟ ବିବାହ କୁହାଯାଉଥିଲା । ପରେ ୧୯୭୮ରେ ଏହା ସଂଶୋଧିତ ହୋଇ ଝିଅର ବୟସ ୧୫ ରୁ ୧୮ ଓ ପୁଅର ବୟସ ୧୮ରୁ ୨୧ କରାଗଲା । ୨୦୦୬ ରେ ପୁନର୍ବାର ପ୍ରଣୀତ ଆଇନ ଅନୁସାରେ ବାଲ୍ୟ ବିବାହକୁ ନିଷେଧ କରାଗଲା । ହେଲେ ଏହି ଅନୁଯାୟୀ ଭାରତୀୟ ଦଣ୍ଡ ସଂହିତାରେ ଉଲ୍ଲିଖିତ ବ୍ୟତୀକ୍ରମ ୨ପରିବର୍ତ୍ତିତ ହେଲା ନାହିଁ ।

୮୪ତମ ଆଇନ ଆୟୁକ୍ତ ଓ ନିର୍ଭୟା ଘଟଣା ପରେ ଗଠିତ ନ୍ୟାୟମୂର୍ତ୍ତି ବର୍ମା କମିଟି ମଧ୍ୟ ବ୍ୟତୀକ୍ରମ ୨କୁ ସମ୍ପୁର୍ଣ୍ଣ ଉଠେଇ ଦେବା ସପକ୍ଷରେ ମତ ଦେଇଛନ୍ତି । ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ରେ ବର୍ଣ୍ଣିତ ଧର୍ଷଣ ଓ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଅଧିନୀୟମ (ପକସୋ) ଧାରା ୩ରେ ନିରୁପିତ ଲିଙ୍ଗ ପ୍ରବେଶ ପୂର୍ବକ ଯୌନ ହାମଲା ଭିତରେ କୌଣସି ପ୍ରଭେଦ ନାହିଁ ।

ଏହାରି ଆଧାରରେ ବିଚାର କରାଗଲେ ପକସୋ ଅନୁଯାୟୀ ବାଲ୍ୟ ବିବାହ ପୂର୍ବକ ସହବାସ ଦଣ୍ଡନୀୟ ଅପରାଧ ଅଥଚ ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଏହା ଧର୍ଷଣ ନୁହେଁ । ବାଲ୍ୟ ବିବାହ ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ ସର୍ବୋପରି ଏକ ସମ୍ମାନଷ୍ପଦ ଜୀବନ ବଂଚିବାରେ ଅନ୍ତରାୟ ହେଉଛି । ଏହା ଶିଶୁକୁ ବିପଦସଂକୁଳ ଓ ଅସୁବିଧାରେ ପକାଉଛି । ବୈବାହିକ ସ୍ଥିତି ଆଧାରରେ ଶିଶୁ ଅଧିକାରର ଏପରି ଉଲଂଘନ କରାଯାଇ ପାରିବ ନାହିଁ ।

ଏଣୁ ବ୍ୟତିକ୍ରମ ୨ରେ ସୁଧାର ଅଣାଯିବା ସହିତ ଏଣୁ ଏଣିକି “ସ୍ତ୍ରୀ ସହ ସ୍ୱାମୀର ଯୌନ ସମ୍ପର୍କକୁ ଧର୍ଷଣ କୁହାଯିବ ନାହିଁ ଯଦି ସ୍ତ୍ରୀର ବୟଷ ୧୮ ବର୍ଷରୁ କମ ହୋଇ ନଥିବ” ବୋଲି ଗ୍ରହଣ କରିବାକୁ ବିଚାରପତି ମତ ପ୍ରକାଶ କରିଛନ୍ତି । ଏହା ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ଏହି ରାୟରେ ଆଲୋଚନା କରାଯାଇ କୁହା ଯାଇଛି ଯେ, ବାଲ୍ୟ ବିବାହ ନିଷେଧ ଆଇନର କାର୍ଯ୍ୟକାରିତା କେବଳ ଶ୍ଲୋଗାନ ବାଜିରେ ଚାଲିଛି ।

ଦେଶରେ ବ୍ୟାପକ ମାତ୍ରାରେ ବାଲ୍ୟ ବିବାହ ହେଉଥିଲେବି ଏହାକୁ ନିଷେଧ ପାଇଁ ଗ୍ରହଣ କରାଯାଇ ପାରୁ ନାହିଁ । ହେଲେ କର୍ଣ୍ଣାଟକ ସରକାର ବାଲ୍ୟ ବିବାହ ନିଷେଧ ଆଇନରେ ଶଂଶୋଧନ ପୂର୍ବକ ପ୍ରତ୍ୟେକ ବାଲ୍ୟ ବିବାହକୁ ନିଷିଦ୍ଧ ଘୋଷଣା କରି ଦୃଷ୍ଟାନ୍ତ ତିଆରି କରି ପାରିଛନ୍ତି । ଏହା ଅନ୍ୟ ରାଜ୍ୟ ପାଇଁ ଏକ ଆହ୍ୱାନ ।

ବର୍ତ୍ତମାନ ସମୟରେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଅଧିନୀୟମ (ପକସୋ), କିଶୋର ନ୍ୟାୟ ଆଇନ ଭଳି ଶିଶୁ ଅଧିକାର ସୁରକ୍ଷା କରିପାରୁ ଥିବା ପ୍ରଗତିିଶୀଳ ଆଇନ ଆସିଲାଣି । ଏପରି ସ୍ଥିତିରେ ପରମ୍ପରାର ଦ୍ୱାହି ଦେଇ ଆଇନ ଅପରିବର୍ତ୍ତନୀୟ ହୋଇ ରହି ପାରିବ ନାହିଁ । ଏଣୁ ସମ୍ବୀଧାନ ପ୍ରଦତ୍ତ ଅଧିକାରର ପରିପନ୍ଥି ପ୍ରତ୍ୟେକ ଆଇନର ପରିବର୍ତ୍ତନର ଆବଶ୍ୟକତା ରହିଛି ।

Leave a Reply

This site uses Akismet to reduce spam. Learn how your comment data is processed.