ବନ୍ଦ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ


ଭାରତୀୟ ସମ୍ବୀଧାନର ୮୬ ତମ ସଂଶୋଧନରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇଛି । ଏଥି ନିମିତ୍ତ ଦେଶରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାଙ୍କ ଅଧିକାର ଆଇନ, ୨୦୦୯ ମଧ୍ୟ ପ୍ରଣୟନ କରାଯାଇଛି ।

ଉଦ୍ଦେଶ୍ୟ, ଦେଶର ପ୍ରତିଟି ପିଲା ନିରବଚ୍ଛିନ୍ନ ଭାବରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁ । ଏଥିପାଇଁ ଆଇନରେ ଅନେକ ପ୍ରାବଧାନ କରାଯାଇଛି, ଯେପରିକି ପ୍ରଥମରୁ ପଂଚମ ଶ୍ରେଣୀ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ଅତିବେଶିରେ ଏକ କିଲୋମିଟର ଭିତରେ ବିଦ୍ୟାଳୟ ଉପଲବ୍ଧ ହେବାର ଆବଶ୍ୟକତା ଥିବା ବେଳେ ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀ ଅତିବେଶିରେ ତିନି କିଲୋମିଟର ଭିତରେ ବିଦ୍ୟାଳୟ ପାଇପାରୁଥିବେ ।

ଆମ ରାଜ୍ୟରେ ଆଜି ବି ଅନେକ ଉପାନ୍ତ ଅଂଚଳରେ ବିଦ୍ୟାଳୟ ନାହିଁ । ବିଦ୍ୟାଳୟ ଥିଲେ ଶିକ୍ଷକ ନାହାନ୍ତି । ପ୍ରାଥମିକ ଶିକ୍ଷାକୁ ମାଗଣା, ବାଧ୍ୟତାମୂଳକ ଓ ଗୁଣତ୍ମକ କରିବାକୁ ଉତ୍ତରଦାୟୀ ସରକାର କିନ୍ତୁ ଏହିସବୁ ଅଂଚଳରେ ଶିକ୍ଷା ପହଂଚେଇବାର ପ୍ରୟାସ କରିବା ବଦଳରେ ଖୋଲାଯାଇଥିବା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ଆରମ୍ଭ କରିଦେଇଛନ୍ତି । ଆମ ରାଜ୍ୟରେ ୭୩ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।

ଏହାରି ମଧ୍ୟରୁ ୫ ରୁ କମ ପିଲା ଥିବା ବିଦ୍ୟାଳୟର ସଂଖ୍ୟା ୧୬୫ ଥିବା ବେଳେ ୭୫୦ଟି ବିଦ୍ୟାଳୟରେ ୧୦ରୁ କମ ପିଲା ଅଛନ୍ତି । ୧୫ଟି ରୁ କମ ୧୯୬୫ଟି ବିଦ୍ୟାଳୟରେ ଥିବା ବେଳେ ୩୭୧୬ଟି ବିଦ୍ୟାଳୟରେ ୨୦ରୁ କମ ଓ ୫୮୧୩ଟି ବିଦ୍ୟାଳୟରେ ୨୫ରୁ କମ ପିଲାଥିବା ସରକାରଙ୍କ ଟ – ଊଓଝଋ ତଥ୍ୟରୁ ଜଣାପଡିଛି । ଏହିପରି ମୋଟ ୧୨୪୦୯ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି ।

ଏହାର ପ୍ରକ୍ରିୟା ୨୦୧୩ ମସିହା ଜୁଲାଇ ୨୩ ଓ ୨୪ ତାରିଖରେ ହୋଇଥିବା ଏକ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ଆରମ୍ଭ ହୋଇ ପ୍ରଥମେ ୫ରୁ କମ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବାପାଇଁ ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ରସଂଖ୍ୟା ୨୩୬୫ (୩୦)/ଇମମରଗ୍ଦଗ୍ଦ/୧୫, ତା ୨୭.୨.୧୫ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜଣେଇ ଦିଆଯାଇଛି ।

ପରବର୍ତ୍ତି ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ବି ଦିଆସରିଛି । ଏକା ସାଙ୍ଗରେ ୨୫ରୁ କମ ପିଲାଥିବା ସମସ୍ତ ୧୨୪୦୯ଟି ବିଦ୍ୟାଳୟକୁ ବନ୍ଦ କରାଗଲେ କାଳେ ଲୋକଙ୍କର ଆକ୍ରୋଶର ଶିକାର ହୋଇଥାନ୍ତେ, ସେଥିପାଇଁ ସରକାର ଚାଲାକିରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ପାଇଁ ସ୍ଥିର କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷା ଅଧିକାର ଆଇନର ସମ୍ପୁର୍ଣ୍ଣ ଉଲଂଘନ ମନେକରି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଗତ ଏପ୍ରିଲ ୨୦୧୫ରେ ଏକ ଅଭିଯୋଗ ଆଗତ କରାଯାଇଥିଲା । ଆୟୋଗଙ୍କ ନିର୍ଦ୍ଦେଶମତେ ସରକାର ସ୍ପଷ୍ଟିକରଣ ଦେଇଛନ୍ତି ଯେ, ପ୍ରାଥମିକ ପର୍ଯାୟରେ ୧୬୫ଟି ବିଦ୍ୟାଳୟ ବନ୍ଦ ହେବା ଦ୍ୱାରା କୌଣସି ପିଲା ଶିକ୍ଷା ଅଧିକାରରୁ ବଂଚିତ ହୋଇନାହାନ୍ତିି ।

ଏହି ପର୍ଯାୟରେ ବନ୍ଦ ଥିବା ବିଦ୍ୟାଳୟ ମଧ୍ୟରୁ ମାତ୍ର ୧୦ଟି ବିଦ୍ୟାଳୟକୁ ନେଇ କରାଯାଇଥିବା ଏକ ତଥ୍ୟ ଅନୁସନ୍ଧାନ କିନ୍ତୁ ସରକାରଙ୍କ ଏହି ସ୍ପଷ୍ଟିକରଣକୁ ଭୂଲ ପ୍ରମାଣିତ କରୁଛି । କନ୍ଧମାଳ ଜିଲ୍ଲାର ମଲିକପଡା ପ୍ରାଥମିକ ବିଦ୍ୟାଳୟ, ବରଗଡ ଜିଲ୍ଲାର ବାରବଖରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଭଳି ଅନେକ ବିଦ୍ୟାଳୟରେ ପ୍ରକୃତ ପକ୍ଷେ ୫ରୁ ଅଧିକ ପିଲା ଅଛନ୍ତି । ଏହା ସତ୍ୱେ ଏହି ବିଦ୍ୟାଳୟଗୁଡିକ ବନ୍ଦ ତାଲିକାରେ ଅଛି ।

ଗତ ତିନି ବର୍ଷ ଧରି ୨୦ରୁ ଅଧିକ ପିଲା ପଢୁଥିବା କନ୍ଧମାଳ ଜିଲ୍ଲର ମଲିକପଡା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାର ପ୍ରସ୍ତାବ ଜିଲ୍ଲପାଳ ଦେଲେ କେମିତି ? ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ବା ସେହି ବିଦ୍ୟାଳୟର ଶିକ୍ଷକମାନଙ୍କ ସହ କୌଣସି ପରାମର୍ଶ କରାନଯାଇ କେବଳ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଏହା ଏକ ସ୍ପଷ୍ଟ ଉଦାହରଣ ।

ପ୍ରାଥମିକ ଶିକ୍ଷା ଗ୍ରାମ ପଂଚାୟତର ଅଧିକାର ପରିସର ଭୂକ୍ତ ହୋଇଥିବା ସତ୍ୱେ ସେମାନଙ୍କ ପରାମର୍ଶ ଗ୍ରହଣ କରିବା ଉଚ୍ଛିତ ମନେକରାଯାଇ ନାହିଁ । କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାର କୁରୁମଣି ପ୍ରାଥମିକ ବିଦ୍ୟାଳୟ ହେଉ ବା ସୁନ୍ଦରଗଡ ଜିଲ୍ଲାର ଝରିପାଣୀ ଅବା ରାୟଗଡା ଜିଲ୍ଲାର ଗୁନଗବାଲୀ ପ୍ରାଥମିକ ବିଦ୍ୟାଳୟ ଓ ଏହିପରି ଅନେକ ବିଦ୍ୟାଳୟ ବନ୍ଦ ହେବାପରେ ପିଲାମାନଙ୍କୁ ଅତିକମରେ ୩ ରୁ ୫ କିଲୋମିଟର ଜଙ୍ଗଲ, ପାହାଡ, ନାଳ ଅତିକ୍ରମ କରି ଯିବାକୁ ପଡୁଛି ।

ସେହି ସମୟର ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବ ନିଜର ପତ୍ର ସଂଖ୍ୟା ୩୫୪୮/ଝଗଋ, ତା ୨୧.୨.୨୦୧୫ ଅନୁଯାୟୀ ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ କିଛି ସର୍ତ୍ତ ପୂରଣର ପ୍ରାବଧାନ ରଖିଥିଲେ । ଦୂର ବିଦ୍ୟାଳୟକୁ ଯିବା ପାଇଁ ଆଦିବାସୀ ଅଂଚଳ ମାନଙ୍କରେ ଗମନାଗମନର ବ୍ୟବସ୍ଥା, ସ୍ୱତନ୍ତ୍ର ଶିକ୍ଷା ସହାୟକଙ୍କ ନିଯୁକ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ବ୍ୟକ୍ତିଗତ ଦାୟୀତ୍ୱ ଯେପରିକି କୌଣସି ପିଲା ବିଦ୍ୟାଳୟ ବାହାରେ ରହିବେ ନାହିଁ, ଆବଶ୍ୟକତା ମୁତାବକ ପିଲା ହେଲେ ପୁନର୍ବାର ବିଦ୍ୟାଳୟ ଖୋଲାଯିବାର ଗ୍ରାମବାସୀଙ୍କୁ ପ୍ରତିଶୃତି, ଗ୍ରାମ ପଂଚାୟତକୁ ବିଦ୍ୟାଳୟ ଗୃହ ସମେତ ସମସ୍ତ ଅସବାବପତ୍ରର ଦାୟୀତ୍ୱ ହସ୍ତାନ୍ତରଣ ଏହି ସର୍ତ୍ତ ଅନ୍ତର୍ଭୂକ୍ତ ଅଛି ।

ସୁବର୍ଣ୍ଣପୁର ଜିଲ୍ଲପାଳ ପତ୍ର ସଂଖ୍ୟା ୮୮୪ ତା୨୨.୪.୧୫ ରେ ଦଶଟି ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ ବି ବନ୍ଦ ପୂର୍ବର ସର୍ତ୍ତ ସମ୍ପର୍କରେ ପତ୍ରରେ କିଛି ଉଲ୍ଲେଖ କରି ନାହନ୍ତି । ବରଂ ଗ୍ରାମ ପଂଚାୟତକୁ ବିଦ୍ୟାଳୟ ଗୃହ ହସ୍ତାନ୍ତର ପରିବର୍ତ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା କେବଳ ଏକ ଉଦାହରଣ ମାତ୍ର । ଉଲ୍ଲେଖ ସର୍ତ୍ତ କେବଳ ଧର୍ମକୁ ଆଖିଠାର ସାଜିଛି ।

ଆଜି ପର୍ଯ୍ୟନ୍ତ ବନ୍ଦ ହୋଇସାରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସର୍ତ୍ତ ଅନୁଯାୟୀ ନା ମିଳୁଛି ଗସ୍ତଖର୍ଚ ନା ସ୍ୱତନ୍ତ୍ର ଶିକ୍ଷା ସହାୟକର ସୁବିଧା । ପରିଣାମ ସ୍ୱରୂପ ଦୂରଦୂରାନ୍ତରରେ ଥିବା ଆବାସୀକ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି ସେମାନେ । ତଥ୍ୟ ଅନୁସନ୍ଧାନ କଲା ସମୟରେ ଏକଥା ମଧ୍ୟ ନଜରକୁ ଆସିଥିଲା ଯେ, ଅଙ୍ଗନଓା୍ୱଡି କେନ୍ଦ୍ରମାଙ୍କରେ ଯଥେଷ୍ଟ ମାତ୍ରାରେ ପିଲା ଅଛନ୍ତି ଯେଉଁମାନେ ପରବର୍ତ୍ତି ସମୟରେ ପ୍ରାଥମିକ ବିଦ୍ୟାଳୟକୁ ଆସିବେ ଓ ଉପସ୍ଥାନ ବୃଦ୍ଧି ପାଇବ । ହେଲେ ଉପସ୍ଥାନ ବୃଦ୍ଧିହେଲେ ପୁନଃବିଦ୍ୟାଳୟ ଖୋଲିବାର ପ୍ରତିଶୃତିକୁ ସରକାର ଜାଣିଶୁଣି ଏଡାଇ ଯାଇଛନ୍ତି ।

୨୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟ ବନ୍ଦ ହେଲେ ଆଦିବାସୀ ଅଂଚଳରେ ସରକାରୀ ବିଦ୍ୟାଳୟ ଶୂନ୍ୟ ହୋଇଯିବ । ବର୍ତ୍ତମାନ କେବଳ ସହରମାନଙ୍କରେ ସୀମିତ ଥିବା ଶିକ୍ଷା ବେପାରୀଙ୍କ ପାଇଁ ଗ୍ରାମାଂଚଳରେ ବେପାର ଖୋଲିବା ପାଇଁ ଏହା ଯଥେଷ୍ଟ ସୁଯୋଗ ସୃଷ୍ଟି କରିବ । ଏହା ସେମାନଙ୍କୁ ଆର୍ଥିକ ଶୋଷଣର ଆଉ ଏକ ବାଟ ହେବା ସହିତ ସେମାନଙ୍କ ଭାଷା, ସଂସ୍କୃତି ଓ ପରିଚିତିକୁ ଲୋପ କରିବାର କାରଣ ସାଜିବ ।

୧୫ରୁ ଅଧିକ ପିଲା ଥିଲେ ନୂତନ ବିଦ୍ୟାଳୟ ଖୋଲାଯାଉ ଥିଲା । ଏବେ ୨୫ରୁ କମ ହେଲେ ବିଦ୍ୟାଳୟକୁ ବନ୍ଦ କରିବାର ନିଷ୍ପତ୍ତି ପ୍ରାଥମିକ ଶିକ୍ଷାକୁ ସରକାର ଆର୍ଥିକ ବୋଝ ଭାବୁଥିବାର ଏକ ସଙ୍କେତ, ଯାହା ଆଦୌ ଶୁଭଙ୍କର ନୁହେଁ ।

ଘାସିରାମ ପଣ୍ଡା :

This website uses cookies.