ବାଲ୍ୟ ବିବାହକୁ ନାଁ

କୋରାପୁଟ ଜିଲ୍ଲା ଗମକାପଦର ଗ୍ରାମର ଦଶମ ଶ୍ରେଣୀରେ ପଢୁଥିବା ଦୈମତି ସାନ୍ତା ନିଜ ପାଇଁ ଆସିଥିବା ବାହାଘର ପ୍ରସ୍ତାବକୁ ନାଁ କହିବା ସମସ୍ତଙ୍କୁ ଆଶ୍ଚର୍ଯ କରିଥିଲା । ତାଙ୍କ ଭଳି ଅନେକ ଝିଅ ଏଇ ବୟସରେ ବାହା ହୋଇଯିବା ବା ଉଧୁଲିଆ ପଳେଇବା ସେହି ଗାଁ ଓ ଆଖ ପାଖ ଅଞ୍ଚଳରେ ଏକ ସାଧାରଣ କଥା । ଦୈମତି ପାଇଁ ବି ନାଁ କହିବା ଏତେ ସହଜ ନଥିଲା ।

ଛୋଟ ଆଖିରେ ନିଜର ଭବିଷ୍ୟତ ପାଇଁ ଦେଖୁଥିବା ବଡ ସ୍ୱପ୍ନର ସାହାସରେ ସେ ବାପା ମାଁଙ୍କୁ ବୁଝେଇବାରେ ସକ୍ଷମ ହୋଇଥିଲେ । ଏହା ସତେଯେମିତି ଦୈମତିଙ୍କୁ ଦେଇଥିଲା ମୁକ୍ତିର ଆନନ୍ଦ । ଦୈମତିଙ୍କ ଏହି ପଦକ୍ଷେପ ଅଞ୍ଚଳର ଯୁବକ ଯୁବତୀଙ୍କ ଭିତରେ ନୂତନ ଆଶାର ସଂଚାର କଲା । ଦୈମତି ଭଳି କୁନି, ବାସନ୍ତି, ଟିକମ, ମାଳତି, ଛବି, ମୁକ୍ତା, ଆନନ୍ଦ ଭଳି ପ୍ରାୟ ପନ୍ଦର ଜଣ ବାଲ୍ୟ ବିବାହକୁ ନାଁ କହିଲେ ।

ଏମାନଙ୍କର ସଙ୍କଳ୍ପ, ସମସ୍ତେ ପାଠ ପଢିବେ, ନିଜ ଜାତି ଓ ଅଞ୍ଚଳ ପାଇଁ କିଛି କରି ଦେଖାଇବେ । ଏବେ ସାମୁହିକ ଭାବେ ଏମାନେ ଗଢିଛନ୍ତିି ବାଲ୍ୟ ବିବାହକୁ ନାଁ କହିଥିବା ଯୁବକ ଯୁବତୀଙ୍କ ସଂଘ । ବାଲ୍ୟ ବିବାହର ପ୍ରଭାବ ଉପରେ ନିଜ ଆଖ ପାଖ ଗାଁରେ ସଚେତନତା ସୃଷ୍ଟି କରିବା, ଯେଉଁମାନଙ୍କର କମ ବୟସରେ ବାହା ପ୍ରସ୍ତାବ ଆସୁଛି ସେମାନଙ୍କ ବାପା, ମାଁକୁ ବୁଝେଇବା ଭଳି ଗୁରୁଦାୟୀତ୍ୱକୁ ଏମାନେ ବହନ କରିଛନ୍ତି ।

ଏମାନଙ୍କର ଏହି ଉଦ୍ୟମକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପୁରଷ୍କୃତ କରି ସ୍ୱିକୃତୀ ପ୍ରଦାନ କରିଛନ୍ତି । ସଫଳତାର ଏହି କାହାଣି ଏବେ ରାଜ୍ୟରେ ଚର୍ଚାର ବିଷୟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଆଦିବାସୀ ପରମ୍ପରାରେ ବାଲ୍ୟ ବିବାହର ଚଳଣି ଅଧିକ । ଆଦିବାସୀ ନେତୃତ୍ୱ ମଧ୍ୟ ଏହାକୁ ଗୁରୁତର ସହ ଗ୍ରହଣ କଲେଣି ।

ନିକଟରେ କୋରାପୁଟ ଜିଲ୍ଲାର କନ୍ଧ, ପରଜା, କେନ୍ଦୁଝରର ଜୁଆଙ୍ଗ, ସୁନ୍ଦରଗଡର ପାଉଡି ଭୂୟାଁ, ବରଗଡର ଗଣ୍ଡ ଭଳି ଆଦିବାସୀ ସମ୍ପ୍ରଦାୟ ନିଜର ଜାତି ସଭାରେ ବାଲ୍ୟ ବିବାହ ସମ୍ପର୍କରେ ବ୍ୟାପକ ଆଲୋଚନା କରିଛନ୍ତି । ଏଥିରେ ବାଲ୍ୟ ବିବାହକୁ ନାପସନ୍ଦ କରାଯିବା ସହ ନିଜ ସମ୍ପ୍ରଦାୟରେ ବାଲ୍ୟ ବିବାହକୁ ବାରଣ କରାଯାଇ ପ୍ରାଚିର ପତ୍ର ବଣ୍ଟା ଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଯେହେତୁ ପାରମ୍ପାରିକ ନେତୃତ୍ୱ ପ୍ରତି ଆଦର ଥାଏ, ଏହି ନିଷ୍ପତ୍ତି ବାଲ୍ୟ ବିବାହ ନିଷେଧ କ୍ଷେତ୍ରରେ ମହୋଷଧି ସାବ୍ୟସ୍ତ ହୋଇଛି ।

ଆଦିବାସୀ ଏକତା ସଂଗଠନର ନେତୃତ୍ୱରେ କୋରାପୁଟ ଜିଲ୍ଲାର ବଡ ଗାଦା ବାଲାସା, ବାଦାମ ଗୁଡା ଓ ଗମକା ପଦର ଭଳି ଗାଁରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇ ବାଲ୍ୟ ବିବାହ ବିହୀନ ଗାଁ ଭାବରେ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମବାସୀ ମାନେ ଅଠର ବର୍ଷରୁ କମ ବୟସର ଝିଅକୁ ବାହା ଦେବେ ନାହିଁ ବା ବୋହୁ କରି ଆଣିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଅନେକ ବିଦ୍ୟାଳୟରେ କିଶୋରୀ ବାଳିକାମାନେ ବାଲ୍ୟ ବିବାହ ନକରିବାକୁ ସାମୁହିକ ପ୍ରତିଜ୍ଞା ନେଉଥିବାର ଖବର ମଧ୍ୟ ଲୋକଲୋଚନକୁ ଆସିଛି । ଏହି ସବୁ ଉଦ୍ୟମ ସାମାଜିକ ରୀତିନୀତିକୁ ପୁନଃସମୀକ୍ଷା କରିବାର ସୁଯୋଗ ସୃଷ୍ଟି କରିଛି । ବାଲ୍ୟ ବିବାହ ନିଷେଧର ଏହି ଆନ୍ଦୋଲନ ବିଶେଷକରି ଯୁବତୀଙ୍କ ଭବିଷ୍ୟତ ପାଇଁ ଅନେକ ନୂତନ ମାର୍ଗ ଉନ୍ମୁକ୍ତ କରୁଛି ।

ସଂଶୋଧିତ କିଶୋର ନ୍ୟାୟ ଆଇନରେ ବାଲ୍ୟ ବିବାହ ପ୍ରଭାବିତ ଯୁବକ ଯୁବତୀଙ୍କୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସଜ୍ଞାରେ ସାମିଲ କରାଯାଇଛି । ଏଣୁ ଜିଲ୍ଲା ଶିଶୁ ଅଧିକାର ସୁରକ୍ଷା ୟୁନିଟ ମଧ୍ୟ ତତ୍ପ‏ରତା ପ୍ରକାଶ କରୁଛନ୍ତି । ଇତି ମଧ୍ୟରେ ନୟାଗଡ, କୋରାପୁଟ, କେନ୍ଦୁଝର, କଟକ, ସୁବର୍ଣ୍ଣପୁର, ଦେବଗଡ, ମୟୁରଭଞ ପ୍ରଭୃତି ଜିଲ୍ଲାମାନଙ୍କରେ ଅଧିକାରୀଙ୍କ ସକ୍ରିୟତା ଯୋଗୁଁ ଶତାଧିକ ବାଲ୍ୟ ବିବାହକୁ ବନ୍ଦ କରାଯାଇପାରିଛି ।

ଗଣମାଧ୍ୟମଯୋଗେ ଏହା ବାରମ୍ବାର ପ୍ରସାରିତ ହେଉଥିବା ଯୋଗୁଁ ଲୋକମାନଙ୍କ ଉପରେ ମଧ୍ୟ ଏକ ଭୟ ମିଶ୍ରିତ ସଚେତନତାର ପ୍ରଭାବ ପରିଲକ୍ଷିତ ହେଉଛି । ବାଲ୍ୟ ବିବାହକୁ ନେଇ ଏତେ ସବୁ ତତ୍ପରତା ଥିଲେବି ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବାଲ୍ୟ ବିବାହକୁ ନାଁ କରୁଥିବା ଯୁବକ ଯୁବତୀଙ୍କୁ ସ୍ୱୀକୃତି ଦିଆଯାଇ ଉତ୍ସାହିତ କରାଯିବା ସହିତ ସେମାନଙ୍କର ଏକ ରାଜ୍ୟ ସ୍ତରୀୟ ସଂଗଠନକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

ଏହା ଏକ ଯୁବ ପରିବର୍ତ୍ତନକାରୀଙ୍କ ଦଳ ଗଠନରେ ସହାୟକ ହେବ । ଏହି ପରିବର୍ତ୍ତନ କାରୀମାନେ ନିଜ ସମ ବୟସ ପିଲାଙ୍କ ସହ ନିୟୋଜିତ ହୋଇ ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାରେ ବିଶେଷ ସହାୟକ ହେବେ । ସାମାଜିକ ଓ ପାରମ୍ପାରିକ ସଂଗଠନ ମାନେ ସବୁବେଳେ ସାମାଜିକ ନୀତିନୀୟମର ରକ୍ଷାକର୍ତ୍ତା ଭୂମିକା ନେଇଥାନ୍ତି । ଏମାନଙ୍କୁ ବିଶ୍ୱାସକୁ ନେବାକୁ ପଡିବ ।

ଋଢିବାଦି ଚିନ୍ତାଧାରରେ ପରିବର୍ତ୍ତନ ଆଣିହେଲା ଭଳି ଗଣଯୋଗାଯୋଗ ଉପକରଣ ପ୍ରସ୍ତୁତି ଓ ପ୍ରଚାର ଉପରେ ଗୁରୁତ୍ୱ ଦେବା ଜରୁରି । ଏହା ଏହିଭଳି ସଂଗଠନର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ମାନସିକତା ପରିବର୍ତ୍ତନରେ ସହାୟକ ହେବ । ବିଭିନ୍ନ ଜାତି ଓ ଆଦିବାସୀ ସମ୍ପ୍ରଦାୟ ଜମୀ, ଜାତି ପ୍ରମାଣପତ୍ର ପ୍ରଭୃତି ଅଧିକାରକୁ ନେଇ ସଂଗଠିତ ହେବା ଓ ଦାବି ଉପସ୍ଥାପିତ କରିବା ଦେଖିବାକୁ୍ୱ ମିଳୁଛି ।

ଏହି ସଂଗଠନମାନଙ୍କୁ ବାଲ୍ୟ ବିବାହର ଭୟାବହ ପ୍ରଭାବ ସମ୍ପର୍କରେ ଅବଗତ କରାଯାଇପାରିଲେ ଏହା ଜନ ଆନ୍ଦୋଳନର ରୁପ ନେଇ ପାରନ୍ତା । ବିବାହ ଦୁଇଟି ପରିବାର ଭିତରେ ହେଉଥିଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ବିନା ସମ୍ଭବ ନୁହେଁ ।

ଗାଁରେ ରହୁଥିବା ଶିକ୍ଷକଙ୍କଠୁ ଆରମ୍ଭକରି ବାରିକ, ବ୍ରାହ୍ମଣ, ରୋଷେଇଆ, ବାଜା ବଜଉଥିବା ଲୋକେ, ଚାନ୍ଦୁଆ ବାଲା, ବରଯାତ୍ରି, ଭୋଜି ଖାଇବାକୁ ଆସିଥିବା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ବାଲ୍ୟ ବିବାହ ନିଷେଧର ଏହି ଅଭିଯାନରେ ସାମିଲ କରିବାକୁ ପଡିବ ।

ଅପରପକ୍ଷରେ ବାଲ୍ୟ ବିବାହ ନିଷେଧ ଆଇନ ଓ ନୀୟମାବଳୀକୁ କାର୍ଯ୍ୟକାରୀ କରେଇବା ପାଇଁ ଦାୟୀତ୍ୱ ନ୍ୟସ୍ତ ହୋଇଥିବା ଅଧିକାରୀମାନଙ୍କୁ ମଧ୍ୟ ଉତ୍ତରଦାୟୀ ହେବାକୁ ପଡିବ । ବାଲ୍ୟ ବିବାହକୁ ବନ୍ଦ କରାଯାଇ ପାରିଲେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଜନିତ ଲଜ୍ଜାକୁ ଅନେକ ମାତ୍ରାରେ ରୋକାଯାଇ ପାରିବ ।

ଘାସିରାମ ପଣ୍ଡା :

This website uses cookies.