ଓଡିଶା ନ୍ୟୁଜ/ Odisha News
ଅପରାଧ

ବାଲ୍ୟ ବିବାହ ଅସିଦ୍ଧ ହେଉ

ବାଲ୍ୟ ବିବାହ ଅସିଦ୍ଧ ହେଉ


ଝିଅ ହେଉ ବା ପୁଅ, କମ ବୟସରେ ବାହା ହେଲେ ସେମାନଙ୍କର ପାଠ ପଢା ବ୍ୟାହତ ହୁଏ, ନିର୍ଯ୍ୟାତନା ଓ ମାନସିକ ଦୁଶ୍ଚିନ୍ତା ବଢେ, ସ୍ୱାସ୍ଥ୍ୟହାନୀ ହୁଏ । କହିବାକୁ ଗଲେ ଏହାଦ୍ୱାରା ବଂଚିବା, ସୁରକ୍ଷା, ବିକାଶ ଓ ସହଭାଗିତା ପ୍ରଭୃତି ସବୁ ପ୍ରକାରର ଶିଶୁ ଅଧିକାରର ଉଲଂଘନ ହୁଏ ।

କିଛି ବର୍ଷ ତଳେ ଓଡିଶାରେ ବାଲ୍ୟ ବିବାହର ସ୍ଥିତିକୁ ପ୍ରଶାସନିକ ସ୍ଥରରେ ଅସ୍ୱୀକାର କରାଯାଉଥିଲା । ଏହାକୁ ରାଜସ୍ଥାନ, ପଶ୍ଚିମ ବଙ୍ଗ ପ୍ରଭୃତି ରାଜ୍ୟର ସମସ୍ୟା ବୋଲି ବିବେଚନା କରାଯାଇ ଓଡିଶା ଭଳି ରାଜ୍ୟ ଏଥି ପ୍ରତି ଗୁରୁତ୍ୱ ଦେଉନଥିଲେ । ଏବେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ ଆସିଲା ପରେ ଆମ ରାଜ୍ୟରେ ବି ବାଲ୍ୟ ବିବାହର ସ୍ଥିତି ଓ ଏହାର ନିରାକରଣ ନେଇ ଚର୍ଚା ଆଲୋଚନା ଆରମ୍ଭ ହୋଇଛି ।

ଏଇ ନିକଟରେ ଜାତୀୟ ମାନବାଧିକାର କମିଶନ ବାଲ୍ୟ ବିବାହକୁ ନେଇ ପ୍ରଥମ ଆଂଚଳିକ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜନ କରିଥିଲେ । ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପଡିଥିବା ଉପଲବ୍ଧ ହେଉଛି । ହେଲେ ଏହା ଯଥେଷ୍ଟ ନୁହେଁ । ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟକୁ ବିଚାରକୁ ନେଲେ ଓଡିଶାରେ ବାଲ୍ୟ ବିବାହର ସ୍ଥିତି ଜାତୀୟ ହାର ଠାରୁ କମ ଥିବାରୁ ଏହା ବିଶେଷ ଚିନ୍ତାଜନକ ନୁହେଁ! ଏଠାରେ ଜାଣି ରଖିବାକୁ ହେବ ଯେ, ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଓଡିଶାରେ ଏହା ୨୧.୩ ଅଛି ।

ହେଲେ ଏକଥା ମଧ୍ୟ ଜାଣିବାକୁ ହେବ ଯେ, ମାଲକାନଗିରି, ନବରଙ୍ଗପୁର, ମୟୁରଭଞ, କୋରାପୁଟ, ରାୟଗଡା, ନୟାଗଡ, ଗଞାମ ଓ କେନ୍ଦୁଝର ଜିଲ୍ଲା ଜତୀୟ ହାର ଠାରୁ ଅନେକ ଉପରେ ଅଛନ୍ତି । ସେହିପରି ବାଲେଶ୍ୱର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର, କନ୍ଧମାଳ, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲା ରାଜ୍ୟ ହାର ଠାରୁ ଉପରେ ଅଛନ୍ତି । ଯଦି ୩୦ ରୁ ୧୭ ଜିଲ୍ଲାରେ ପରିସ୍ଥିତି ଉଦ୍ୱେଗ ଜନକ ତାହେଲେ ଆମର ନୀତି ନିର୍ଦ୍ଧାରକ ଓ ପ୍ରଶାସକ ମାନଙ୍କୁ ମଧ୍ୟ ଏନେଇ ଚିନ୍ତା କରିବାକୁ ପଡିବ । ବାଲ୍ୟ ବିବାହ କାରଣରୁ ଆମକୁ ଅନେକ କ୍ଷତି ସହିବାକୁ ପଡୁଛି ।

ଆମ ରାଜ୍ୟରେ ପ୍ରତି ହଜାରେ ଶିଶୁରେ ୪୦ ଜଣଙ୍କର ମୃତ୍ୟୁ ହୁଏ, ପାଂଚ ବର୍ଷରୁ ତଳ ବୟସର ପିଲାଙ୍କ କ୍ଷେତ୍ରରେ ଏହା ୪୯ । ଯେଉଁମାନେ ବଂଚିଛନ୍ତି ସେମାନଙ୍କର ସ୍ଥିତି ମଧ୍ୟ ଭଲ ନାହିଁ । ୫ ବର୍ଷରୁ କମ ବୟସର ପିଲାମାନଙ୍କ ମଧ୍ୟରେ ୩୪.୧ ଭାଗ ପିଲାଙ୍କ ବୟସ ଅନୁସାରେ ଉଚ୍ଚତା ନାହିଁ, ୨୦.୪ ଭାଗ ଉଚ୍ଚତା ଅନୁସାରେ ଓଜନ ନାହିଁ ଓ ୩୪.୪ ଭାଗ ଏକଦମ କମ ଓଜନର ।

ଏହା ବ୍ୟତୀତ ୧୫ ରୁ ୪୯ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ମଧ୍ୟରେ ୪୭.୬ ରକ୍ତ ହୀନତାର ଶିକାର ହେଉଛନ୍ତି । ଏପରି ସ୍ଥଳରେ ଆମେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ରର ପରିକଲ୍ପନା କିପରି କରିପାରିବା ? ବାଲ୍ୟ ବିବାହକୁ ବନ୍ଦ କରିବାର ପଦକ୍ଷେପ ବିନା ମହିଳା ଓ ଶିଶୁ ବିକାଶ ପାଇଁ ନିଆଯାଉଥିବା କୌଣସି ପ୍ରୟାସ ସଫଳ ହେବ ନାହିଁ । ଆମ ଦେଶରେ ୨୦୦୬ ଓ ରାଜ୍ୟରେ ୨୦୦୯ ମସିହାରୁ ବାଲ୍ୟ ବିବାହ ନିଷେଧ ଆଇନ ତଥା ନୀୟମାବଳି ପ୍ରଚଳିତ ଅଛି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୧୫ ରେ ଏହି ନୀୟମାବଳି ଅଧାରରେ ମାତ୍ର ଗୋଟିଏ ଓ ୨୦୧୬ ରେ ୧୬ ଟି ଅପରାଧ ଲିପିବଦ୍ଧ ହୋଇ ପାରିଛି । ଏହା ସୁଚିତ କରୁଛି ଯେ, ଏଭଳି ଆଇନ ଥିଲେ ଯାହା ନଥିଲେ ବି ତାହା ! ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଆଇନରେ ବ୍ୟବସ୍ଥା କରାଯାଇଥିଲେ ବି ବିବାହ ଅନୁଷ୍ଠିତ ହୋଇସାରିଲା ପରେ ‘ଅସିଦ୍ଧଯୋଗ୍ୟ’ କହି କୋହଳ ମନୋଭାବ ପୋଷଣ କରିବା ଆଇନ ବିଫଳ ହେବାର ଅନ୍ୟତମ କାରଣ ।

ଏବେ ପ୍ରତ୍ୟେକ ବାଲ୍ୟ ବିବାହକୁ ଅସିଦ୍ଧଯୋଗ୍ୟ ବଦଳରେ ‘ଅସିଦ୍ଧ’ ବୋଲି ଘୋଷଣା କରିବାର ସମୟ ଆସିଛି । ଏ କ୍ଷେତ୍ରରେ କର୍ଣ୍ଣାଟକ ସରକାର ଉଦାହରଣ ସୃଷ୍ଟି କରିସାରିଛନ୍ତି । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏ ନେଇ ଏକ ରିଟ ପିଟିସନ ଦାଖଲ ହୋଇଥିଲା । ଏହାର ପ୍ରତ୍ୟୁତ୍ତରରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ବିଧାନ ସଭା ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା ପୂର୍ବକ ନୂତନ ଆଇନ ପ୍ରଣୟନ କରିଛନ୍ତି ।

ଆଉ ଏକ ଉଲ୍ଲେଖ ଯୋଗ୍ୟ ଘଟଣା କ୍ରମରେ ୨୦୧୭ ଅକ୍ଟୋବର ୧୧ରେ ଉଚ୍ଚତମ ନ୍ୟୟାଳୟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ (ବ୍ୟତିକ୍ରମ -୨) ରେ ପରିବର୍ତ୍ତନ ଆଣି ୧୮ ବର୍ଷରୁ କମ ବିବାହିତା ବା ଅବିବାହିତା ଯେ କୌଣସି ଝିଅର ସହମତି ବା ଅସହମତିରେ ସହବାସକୁ ଧର୍ଷଣ ବୋଲି ରାୟ ଦେଇଛନ୍ତି । ଏହି ପ୍ରସଙ୍ଗରେ କର୍ଣ୍ଣାଟକ ସରକାର ନେଇଥିବା ପଦକ୍ଷେପକୁ ଉଚ୍ଚତମ ନ୍ୟୟାଳୟ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟମାନଙ୍କୁ ସମାନ ପଦକ୍ଷେପ ନେବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଗଲେ ନାବାଳିକାକୁ ବିବାହ କରୁଥିବା ପୁରୁଷ ଅପରାଧି ବିବେଚିତ ହେବ ଓ ବାଲ୍ୟ ବିବାହ ନିଷେଧ ଆଇନ ସମେତ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପକ୍ସୋ) ଓ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଦଣ୍ଡିତ ହେବ । ବାଲ୍ୟ ବିବାହ ନିରାକରଣ ପାଇଁ କୌଷଳ ପ୍ରସ୍ତୁତିରେ ଏହାକୁ ଏକ ସାମାଜିକ ସମସ୍ୟା ଭାବରେ ଦେଖାଯାଇ ଋଢିବାଦି ପରମ୍ପରା ଓ ସଚେତନତା ହୀନ ସମାଜକୁ ଦାୟୀ କରି ଦାୟୀତ୍ୱ ତୁଟେଇ ଦିଆଯାଏ ।

ବାଲ୍ୟ ବିବାହ ଏକ ଅପରାଧ ଓ ମାନବ ଅଧିକାରର ନିକୃଷ୍ଟତମ ଉଲଂଘନ । ଏଭଳି ଅପରାଧିକ କାର୍ଯ୍ୟକଳାପକୁ ଦମନ ପାଇଁ ଦୃଢ ଆଇନଗତ ପଦକ୍ଷେପର ମଧ୍ୟ ଆବଶ୍ୟକତା ରହିଛି । ଏଣୁ ସମାଜ ସହିତ ସରକାରଙ୍କ ମଧ୍ୟ ଉତ୍ତର ଦାୟୀତ୍ୱ ରହିଛି । ଉଚ୍ଚତମ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ କର୍ଣ୍ଣାଟକ ସରକାରଙ୍କ ପରି ଆମେ ମଧ୍ୟ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା ପୁର୍ବକ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି । ଏହା ଶିଶୁ ଅଧିକାର ସୁରକ୍ଷା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହେବ ।

Leave a Reply

This site uses Akismet to reduce spam. Learn how your comment data is processed.