ଭାଗଚାଷ ପାଇଁ ଚୁକ୍ତି


ଆଗାମି ବିଧାନସଭା ଅଧିବେଷନରେ ଭାଗଚାଷିଙ୍କୁ ମାନ୍ୟ‎ତା ଦେବା ପାଇଁ ସରକାର ଏକ ଆଇନ ଆଣିବାକୁ ଘୋଷଣା କରିଛନ୍ତି । ମରୁଡି ପ୍ରଭାବିତ ଚାଷ ଓ ଚାଷି ଆତ୍ମହତ୍ୟା ପ୍ରସଙ୍ଗରେ ଜନମତ ହୁଏତ ସରକାରଙ୍କୁ ଏଥିପାଇଁ ପ୍ରଭାବିତ କରିପାରିଥାଏ । ପ୍ରଥମ ପାଦକ୍ଷେପ ସ୍ୱରୁପ ଏହି ପରିପ୍ରେକ୍ଷିରେ ଗତ ଏପ୍ରିଲ ୩୦ ତାରିଖ ଦିନ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରାଯାଇଥିଲା ।

ଓ ଭାଗଚାଷି ଉଭୟଙ୍କ ସ୍ୱାର୍ଥର ସୁରକ୍ଷାର ଆଭିମୁଖ୍ୟ ରଖି ପରସ୍ପରଙ୍କ ଭତରେ ଏକ ରାଜିନାମା ପ୍ରସ୍ତାବ ଏହି ପତ୍ର ମାଧ୍ୟମରେ ଆଗତ କରାଯାଇଛି । ଜନମତ ଆକଳନ କରିବା ଉଦ୍ଦ୍ୟେଶ୍ୟରେ ରାଜ୍ୟର ଏକ ତୃତୀୟାଂଶ ତହସିଲରେ ୫୦ ଜଣ ଜମି ମାଲିକ ଓ ୫୦ ଜଣ ଭାଗଚାଷିଙ୍କ ସହିତ ଆଲୋଚନା କରି ମତାମତ ନେବାକୁ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଥିଲା ।

ଯଦି ସବୁ ନିର୍ଦ୍ଦେଷ ମୁତାବକ ହୋଇଥାଏ ତେବେ ଇତି ମଧ୍ୟରେ ବିଭାଗ ପାଖକୁ ଲୋକମତ ଆସି ସାରିଥିବ । ତେବେ ଏନେଇ ସର୍ବସାଧାରଣଙ୍କ ମତାମତ ଦେବାର କୌଣସି ବ୍ୟବସ୍ଥା ନଥିବା ହେତୁ ଅନେକ ଭୁକ୍ତଭୋଗି ବ୍ୟକ୍ତି ବିଶେଷ, ସମ୍ପୃକ୍ତ ଅନୁଷ୍ଠାନମାନେ ମତ ରଖିବାର ସୁଯୋଗ ପାଇନାହାନ୍ତି । ଏହି ଆଲେଖ୍ୟ ସେହିଭଳି କିଛି ଲୋକଙ୍କ ମତାମତର ପ୍ରତିଫଳନ ।

‎ରାଜିନାମାର ବର୍ତ୍ତମାନ ସ୍ୱରୂପକୁ ବିଚାରକୁ ନେଲେ ଏକଥା କହି ହେବ ଯେ, କର ଦେଉ ଥିବା ଓ ନେଉ ଥିବା ଲୋକଙ୍କ ଭିତରେ ଏହା ଏକ ବୁଝାମଣା ପତ୍ର । ଏଥରେ ଦେୟର ପରିମାଣ ଓ ପ୍ରଦାନର ସମୟ, ଚାଷପାଇଁ ନିବେଷ ବ୍ୟବସ୍ଥା, କୃଷି ଋଣ, ବୀମା, ବିପର୍ଯୟ ସହାୟତା ଇତ୍ୟାଦି ସୁବିଧା ଓ ଦ୍ୱନ୍ଦ ସମାଧାନ ପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହା ବ୍ୟତୀତ ଆହୁରି ଅନେକ ସମ୍ପର୍କିତ ପ୍ରସଙ୍ଗ ରହିଛି ଯାହା ଆଲୋଚିତ ହେବା ନିତାନ୍ତ ଆବଶ୍ୟକ । ଜମି ମାଲିକଙ୍କ ଦ୍ୱାରା ଚାଷ ଉଦ୍ଦେଶ୍ୟରେ ଦିଆଯାଉଥିବା ଜମି ଲିଜ ବ୍ୟବସ୍ଥାର ଆଇନଗତ ଅବଶ୍ୟକତାକୁ ଯେଉଁ କାରଣରୁ ରାଜ୍ୟ ଗୁରୁତ୍ୱ ଦେଉଥିବା ଦର୍ଶାଯାଉଛି, ତାହା ଚିନ୍ତାର ବିଷୟ । ଏକଥା କୁହାଯାଉଛି ଯେ, ଅଳ୍ପ ଅଳ୍ପ ଜମି ଉପରେ ମାଲିକାନ କୃଷି ଉତ୍ପାଦକତା ଉପରେ ପ୍ରଭାବ ପକାଉଛି ଓ ଏହା ପରିବର୍ତ୍ତିତ ଅର୍ଥନୈତିକ ବ୍ୟବସ୍ଥାରେ ଲାଭଦାୟୀ ହେଉନାହିଁ, ଏଣୁ ଲିଜ ବ୍ୟବସ୍ଥାକୁ ଆଇନଗତ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି ।

ବିଭାଗକୁ ଏକଥା ଜଣାଥିବା ଉଚ୍ଚିତ ଯେ, ଆମ ରଜ୍ୟରେ ଭୂମିହୀନ ଓ କ୍ଷୁଦ୍ର ଚାଷିମାନେ ହିଁ ଭାଗଚାଷ କରିଥାନ୍ତି । ଏମାନଙ୍କ ଭିତରେ ଅଧିକାଂଶ ଦଳିତ ଓ କୃଷି ଶ୍ରମୀକ । ପରିବାରର ଶ୍ରମ ଶକ୍ତିକୁ ମୂଳଧାରକରି ଯେଉଁ ବଡଚାଷିମାନେ ନିଜର ସମସ୍ତ ଜମିକୁ ଚାଷ କରିପାରନ୍ତି ନାହିଁ ଅଥବା ଅଣଚାଷି ପରିବାର ଅଥଚ ଜମିର ମାଲିକ ଅଟନ୍ତି, ସେମାନଙ୍କ ଠାରୁ ଜମି କର ଆଣି ଚାଷ କରନ୍ତି ।

ଭାଗଚାଷ କରୁଥିବା ପରିବାରର ସେପରି ଆର୍ଥିକ କ୍ଷମତା ନାହିଁ ଯାହା ଭରସାରେ ସେମାନେ ଏକାସାଙ୍ଗେ ବହୁ ଅଧିକ ଜମିକୁ ଚାଷ କରିପାରିବେ । ଏହି ଚିନ୍ତାଧାରା ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଭାଗଚାଷ ବ୍ୟବସ୍ଥାରୁ ଦୂରେଇ ଦେବ ଓ ବଡ ତଥା ବହୁ ରାଷ୍ଟ୍ରିୟ କମ୍ପାନୀ ଯେଉଁମାନେ ଏବେ ଚାଷରେ ନିବେଷ କରିବା ଆରମ୍ଭ କଲେଣି, ସେମାନଙ୍କ ପାଇଁ ସୁଯୋଗ ଆଣିଦେବ । ଭାଗଚାଷ ଓ ଭାଗଚାଷି ବଷୟରେ ଏହି ରାଜିନାମରେ ଅସ୍ପଷ୍ଟତା ଓ ‘ଲିଜ ଗ୍ରାହୀ ଚାଷି’ ଭଳି ଶଦ୍ଦର ବ୍ୟାପକ ବ୍ୟାଖ୍ୟା ପରବର୍ତ୍ତି ସମୟରେ ଏହିମାନଙ୍କୁ ହିଁ ସୁହାଇବ ।

ଜମି ମାଲିକ ଓ ଲିଜ ଗ୍ରହିତା ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ରାଜିନାମା ପ୍ରସ୍ତୁତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି । ଦେବା ଓ ନେବା ଲୋକଙ୍କ ଭିତରେ ଯେତେବେଳେ କ୍ଷମତାର ଏତେ ଅସମାନତା ରହିଛି ସେତେବେଳ ଆମେ କେମିତି ଆଶା କରବା ଯେ, ଭାଗଚାଷି ମୁଲଚାଲ କରି ନିଜର ସ୍ୱାର୍ଥ ସୁରକ୍ଷିତ କରିପାରିବ ? ଆଂଚଳିକ ବ୍ୟବସ୍ଥା ଓ ସ୍ଥିତି ଆଧାରରେ ଆଇନଗତ ସୁରକ୍ଷା ସହିତ ଏକଥାର ନିଷ୍ପତ୍ତି ଗ୍ରାମସଭା ଦ୍ୱାରା କରାଯାଇ ପାରିବ ନାହିଁ କାହିଁକି ? ଫସଲ ହାନୀ ସ୍ଥିତିରେ ଭାଗଚାଷିର ଅସୁବିଧା ବିଶେଷ ଆଲୋଚିତ ହୁଏ ।

ପ୍ରସ୍ତାବିତ ଏହି ରାଜିନାମାରେ ଏ ସଂକ୍ରାନ୍ତିୟ ସହାୟତା ଉଲ୍ଲେଖ କରାଯାଇଥିଲେ ହେଁ ଏହା ଜମି ମାଲିକର ଇଚ୍ଛା ଅନିଚ୍ଛା ଉପରେ ଛାଡି ଦିଆଯାଇଛି । ଚାଷ ସମୟରେ ବିହନ, ସାର, କୀଟନାଷକର ଆବଶ୍ୟକତାକୁ ମେଣ୍ଟାଇବାକୁ ଯାଇ ଭାଗଚାଷିକୁ ମହାଜନ ଠାରୁ ଋଣ କରିବାକୁ ପଡେ । ଭାଗଚାଷିମାନଙ୍କୁ ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ ସ୍ୱୀକୃତ ଅର୍ଥ ଲଗାଣକାରି ଅନୁଷ୍ଠାନ ଋଣ ନ ଦେବା, ମହାଜନ ଉଚ୍ଚା ଦରରେ ସୁଧ ନେବା ପ୍ରଭୃତି କାରଣରୁ ଏମାନେ ଦାରିଦ୍ର୍ୟର ଚକ୍ରବ୍ୟୁହରୁ ମୁକୁଳି ପାରନ୍ତି ନାହିଁ ।

ରାଜିନାମା ଆଧାରରେ ଋଣ ଦେବା ପାଇଁ ଏଥିରେ ପ୍ରସ୍ତାବିତ ହୋଇଥିଲେ ହେଁ ଋଣ ଅର୍ଥ ପରିଶୋଧର ଉତ୍ତରଦାୟୀତ୍ୱ ସ୍ଥିର ନହେଲେ ଅନାଦେୟର ଆଶଂକାରେ କୌଣସି ଆର୍ଥିକ ପ୍ରତିଷ୍ଠାନ ଋଣ ପ୍ରଦାନରେ ଆଗ୍ରହ ପ୍ରକାଶକରିବେ ନାହିଁ । ପ୍ରତ୍ୟେକ ଭାଗଚାଷ ପାଇଁ ରାଜିନାମା ବାଧ୍ୟତାମୂଳକ ହେବ ଏକଥା କୌଣସି ଜାଗାରେ ଆଲୋଚିତ ହୋଇନାହିଁ ।

ସବୁଠାରୁ ବଡ ପ୍ରଶ୍ନ ହେଲା ଓଡିଶା ଭୂ ସଂସ୍କାର (ଙଖଜ) ଆଇନ ଭିନ୍ନକ୍ଷମ, ନାବାଳକ, ବିଧବା, ସୈନ୍ୟ ବିଭାଗ କର୍ମକର୍ତ୍ତା ଓ କେତେକ ସ୍ୱତନ୍ତ୍ର ସୁବିଧା ପ୍ରାପ୍ତ ରୟତଙ୍କ ବ୍ୟତୀତ ଅନ୍ୟମାନଙ୍କ କ୍ଷେତ୍ରରେ ଭାଗଚାଷକୁ ବେଆଇନ ଘୋଷଣା କରିଛି । ଏପରି କ୍ଷେତ୍ରରେ ଓଡିଶା ଜମି ସଂସ୍କାର ଆଇନର ସଂଶୋଧନ କରାନଯାଇ କେବଳ ଏକ ରାଜିନାମା ଜାରି କରାଗଲେ ଏହାର ଆଇନଗତ ବୈଧତା କେତେ ରହିବ ?

ଭାଗଚାଷିଙ୍କ ପାଇଁ ପ୍ରକୃତରେ ଆମେ ଯଦି ତତ୍ପର ତେବେ ଦୁଇଟି ଗୁରିତ୍ୱପୂର୍ଣ୍ଣ ପୃଷ୍ଟଭୂମୀ ଉପରେ ଏହା ଆଲୋଚିତ ହେବାର ନିତାନ୍ତ ଆବଶ୍ୟକତା ରହିଛି । ପ୍ରଥମ କଥାଟି ହେଲା ଏହା ସବୁ ବେଳେ କୁହାଯାଉଛି ଯେ, ବେଶି ଲୋକ ଚାଷରେ ସାମିଲ ହେଉଥିଲେ ହେଁ ଦେଶର ଘରୋଇ ଉତ୍ପାଦରେ ଏମାନଙ୍କର ଯୋଗଦାନ ବହୁତ କମ । ଏଣୁ ଯେତେ ଅଧିକ ଲୋକଙ୍କୁ ଏଥିରୁ ବାହାର କରାଯାଇ ପାରିଲେ ଚାଷ ଜମିର ମାଲିକାନା ଆକାର ବଢାଯାଇ ପାରିବ ଓ ଏହାଦ୍ୱାରା ଉତ୍ପାଦକତା ବଢିବ ।

ହେଲେ ଏକଥା ମଧ୍ୟ ସ୍ପଷ୍ଟ ହେବା ଆବଶ୍ୟକ ଯେ, ଏହା ଭାଗଚାଷିର ସ୍ୱାର୍ଥ କୌଣସି ମତେ ସୁରକ୍ଷିତ କରିପାରିବ ନାହିଁ, ବରଂ କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କୁ ମଧ୍ୟ ଚାଷରୁ ବାହାର କରିଦେବ ଓ କାଳକ୍ରମେ ପାରମ୍ପରିକ ଫସଲ ବଦଳରେ ଅଧିକ ଅର୍ଥ ଉପାର୍ଜନକାରି ଫସଲ ହିଁ ଚାଷ ହେବ । ଏପରି ହେଲେ ସ୍ଥାନୀୟ ଅଂଚଳର ଅର୍ଥନୀତି, ଖାଦ୍ୟ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହେବ ।

ଦ୍ୱୀତିୟ କଥାଟି ହେଲା ଭାଗଚାଷିଙ୍କ ସ୍ୱାର୍ଥର ସୁରକ୍ଷା କଥା ଯେତେବେଳେ ଉଠିଛି, ସେତେବେଳ ଜମି ମଲିକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି । ଏକଥା ସବୁବେଳେ କୁହାଯାଇଛି ଯେ, ଜମି ମାଲିକ ସମ୍ପତ୍ତିଗତ ଅଧିକାର ନେଇ ଅନିଶ୍ଚିତ ହେଉଥିବା ହେତୁ ଭାଗଚାଷକୁ ଆଇନସିଦ୍ଧ କରିବା ନେଇ ଅସୁବିଧା ଉପୁଜୁଛି । ଚାଷ କରିବା ପାଇଁ ସକ୍ଷମ ନଥିବା ଲୋକଙ୍କ ହାତରେ ଜମି ଥିବ ଓ ଚାଷ କରିବାକୁ ଚାହୁଁଥିବା ଲୋକେ ଅସୁରକ୍ଷିତ ଥିଲେ ଆଗାମୀ ଦିନମାନଙ୍କରେ ସ୍ଥାନୀୟ କୃଷି ସଙ୍କଟ ଘେରକୁ ଚାଲିଯିବ ।

ଚାଷ କେବଳ ଉତ୍ପାଦକତା ଅଧାରିତ କେବେ ନଥିଲା । ଏହା ସ୍ଥାନିୟ ସଂସ୍କୃତି, ସାମାଜିକ ବ୍ୟବସ୍ଥା ଓ ଅର୍ଥନିତୀକୁ ସର୍ବଦା ସନ୍ତୁଳିତ କରି ଆସିଛି । ଭାଗଚାଷିର ମାନ୍ୟତାକୁ ଅଲୋଚନା କଲାବେଳେ ଅମର ଦୃଷ୍ଟିକୋଣକୁ ବ୍ୟାପକ କରିବାକୁ ପଡିବ ।

ଘାସିରାମ ପଣ୍ଡା :

This website uses cookies.