ଶିକ୍ଷା

ଭେଦଭାବ ମୁକ୍ତ ବିଦ୍ୟାଳୟ

ଭେଦଭାବ ମୁକ୍ତ ବିଦ୍ୟାଳୟ


ସାମାଜିକ ଅସମାନତାର ପରିବେଶରେ ଆମେ ବହୁତ ସମୟରେ ଜାତି, ଲିଙ୍ଗ, ଧର୍ମ, ଶାରୀରିକ ଗଠନ ଇତ୍ୟାଦି ଆଧାରରେ ଘଟୁଥିବା ଭେଦଭାବର ସମ୍ମୁଖିନ ହେଉ । ଭେଦଭାବ ଦ୍ୱାରା ଜଣେ ଆଉ ଜଣକୁ ନୀଚ ବୋଲି ଦେଖାଏ । ଧର୍ମ ଓ ସାମାଜିକ ପ୍ରଥା, ପାରମ୍ପରା, ଚଳଣିରେ ଥିବା ରିତି ନୀତି ଯୋଗୁଁ ନୀଚ ବୋଲି ଗଣାଯାଉଥିବା ସେହି ବର୍ଗର ଲୋକେ ଅନେକ ସାର୍ବଜନୀନ ସୁବିଧା ସୁଯୋଗରୁ ବଞ୍ôଚତ ହୁଅନ୍ତି ।

ଅନେକ ସମୟରେ ସେମାନେ ଅସମ୍ମାନ ଜନକ ସ୍ଥିତିର ସାମନା କରନ୍ତି, ଯାହା କର୍ମ ଫଳ ମନେକରି ଦେହ ସୁହା କରି ନିଅନ୍ତି । ଶିକ୍ଷା ଓ ସଚେତନତା ମାଧ୍ୟମରେ ଭେଦଭାବ ଓ ତଦଜନିତ ଅସମାନତାକୁ ଦୂର କରିବା ପାଇଁ ଅନେକ ପ୍ରୟାସ କରାଯାଇଛି । ହେଲେ ଶିକ୍ଷାର ମୂଳ କେନ୍ଦ୍ର ଶିକ୍ଷାୟତନ ମାନେ ମଧ୍ୟ ଭେଦଭାବରୁ ଉଦ୍ଧ୍ୱର୍କୁ ଯାଇ ପାରିନାହାନ୍ତି । ଫଳରେ ଆଜି ଅନେକ ପିଲା ଶିକ୍ଷାରୁ ବାଦ ପଡୁଛନ୍ତି ।

ସରକାରଙ୍କ ସୁଚନା ଅନୁସାରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ସଂଖ୍ୟା ଆଶାତିତ ଭାବରେ କମାଯାଇପାରିଛି । ଏହା ସାଧାରଣରେ ୨୦୧୨ – ୧୩ ବେଳକୁ ୧୮.୭୨ଶତକଡା ଥିଲା ଯାହା ୨୦୧୫ – ୧୬ ବେଳକୁ ୬.୦୨କୁ ଖସି ଆସିଛି । ହେଲେ ତଫସିଲ ଭୂକ୍ତ ଜାତିଙ୍କ କ୍ଷେତ୍ରରେ ଏହା ମାତ୍ର ୧୫ ଶତକଡାକୁ କମିଛି ।

ଶିକ୍ଷା ଅଧିକାର ଆଇନର ଧାରା ୮ (ଗ) ଓ ୯ (ଗ) ଅନୁଯାୟୀ ଏହା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ଉତ୍ତରଦାୟୀତ୍ୱ ଯେପରି ଦୁର୍ବଳ ଓ ପଛୁଆ ବର୍ଗର ପିଲାମାନେ ଭେଦଭାବର ଶିକାର ନହୁଅନ୍ତି ଏବଂ ଏହା ସେମାନଙ୍କର ପଢା ଛାଡିବାର କାରଣ ନହୁଏ । ପରବର୍ତ୍ତି ସମୟରେ ଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ ପତ୍ର ସଂଖ୍ୟା ୧୦୪୦୦/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ ଓ ପତ୍ର ସଂଖ୍ୟା ୧୦୪୦୧/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ରେ ଦୁଇଟି ଗୁରୁତ୍ୱପୁର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ପ୍ରଥମଟିରେ ଉଲ୍ଲେଖ କରାଯାଇଛି ଯେ, ଜାତି, ଧର୍ମ, ମତବାଦ ଆଧାରରେ ବିଦ୍ୟାଳୟରେ ଭେଦଭାବ ହେଉଥିବା ଦୃଷ୍ଟିକୁ ଆସୁଛି । ଏହା ପିଲାମାନଙ୍କ ନିରନ୍ତର ଶିକ୍ଷାରେ ବାଧକ ସାଜୁଛି । ଶିଶୁର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ବିଦ୍ୟାଳୟଗୁଡିକୁ ଭେଦଭାବ ମୁକ୍ତ ପରିବେଶ କରିବା ପାଇଁ ପଦେକ୍ଷପ ନିଆଯିବାର ଆବଶ୍ୟକତା ରହିଛି । ଏଣୁ ବିଦ୍ୟାଳୟର ପ୍ରମୁଖ ସ୍ଥାନରେ ‘ଭେଦବାବ ଶୂନ୍ୟ ଅଂଚଳ’ ଲେଖାଯିବ ।

ଦ୍ୱିତୀୟଟିରେ ଉଲ୍ଲେଖ କରାଯାଇଛି ଯେ, ଆମ ରାଜ୍ୟରେ ବିଭିନ୍ନ ଜାତି ନାଁରେ ଅନେକ ବିଦ୍ୟାଳୟ ନାମିତ ହୋଇଛି । ଏହା ସାମ୍ବୀଧାନିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରିବା ସହ ସମ୍ପ୍ରଦାୟ ଭିତରେ ଅସନ୍ତୁଳନ ସୃଷ୍ଟି କରୁଛି । ଏଣୁ ଏହି ଭଳି ଜାତି ନାଁରେ ନାମିତ ବିଦ୍ୟାଳୟ ମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ନାମର ପରର୍ତ୍ତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅଧିକାର ଆଇନକୁ ବ୍ୟବହାର କରି ପଚାରାଯାଇ ଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟର କୌଣସି ବି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଭେଦଭାବର ଘଟଣା ଚିହ୍ନଟ ବା ଅଭିଯୋଗ ହେବାର ନଜିର ନାହିଁ ବୋଲି ‘ଓପେପା’ ଉଲ୍ଲେଖ କରିଛନ୍ତି । ରାଜ୍ୟର ପ୍ରାଥମିକ ଶିକ୍ଷା ପରିଚାଳନା କରୁଥିବା ପ୍ରମୁଖ ଅନୁଷ୍ଠାନର ଏପରି ଦାବୀ ସେମାନଙ୍କର ଅଜ୍ଞତାର ପରିଚାୟକ ।

ପ୍ରକୃତ ପକ୍ଷେ ଭେଦଭାବକୁ ବୁଝିବା, ଏପରି ସମ୍ବେଦନଶୀଳ ଘଟଣାକୁ ଚିହ୍ନଟ କରି ପରାମର୍ଶ ମାଧ୍ୟମରେ ସମାଧାନ କରିବା ଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭିତରକୁ ଆସିପାରି ନାହିଁ । ନିର୍ଦ୍ଦିଷ୍ଟ ଜାତିର ପିଲାଙ୍କୁ ସଫା କରିବା କାମରେ ଲଗେଇବା, ମଧ୍ୟାହ୍ନ ଭୋଜନରେ ଅଲଗା ବସେଇବା, ପୂଜା ପାର୍ବଣରେ ସାମିଲ ନକରେଇବା ଭଳି ଅନେକ ସଙ୍ଗିନ ଅଭିଯୋଗ ବିଭିନ୍ନ ସମୟରେ ଆସିଛି ।

ଅନେକ ବିଦ୍ୟାଳୟରେ ଏକଥା ଆଲୋଚନା କଲେ ‘ଆମର ଏଠି ତ ଏମିତି ହୁଏ ନାହିଁ’ ର ଉତ୍ତର ମିଳେ । ତଳେଇ କରି ଦେଖିଲେ ସେଠାରେ ବି ଦଳିତ ପିଲାଙ୍କର ଉତ୍ତର ଖାତା ଶିକ୍ଷକ ଛୁଉଁ ନଥିବା, ନିର୍ଦ୍ଦିଷ୍ଟ ପିଲାଙ୍କ ହାତରୁ କେବେ ପାଣି ପିଉ ନଥିବା, ପିଲା ଅନୁପସ୍ଥିତ ରହିଲେ ଅବିଭାବକଙ୍କୁ ଦେଖାକରିବା ପାଇଁ ଦଳିତ ବସ୍ତିକୁ ନଯିବା ଭଳି ଅନେକ ଉଦାହରଣ ଆସେ । ମାସିକ ଋତୁଶ୍ରାବ ସମୟରେ ବାଛବିଚାର ହେତୁ ଅଧିକାଂଶ ଝିଅ ଏହି ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି । ଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ମାନସିକ ଅନଗ୍ରସର ପ୍ରଭୃତି ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଶ୍ରେଣୀ ଗୃହ, ପାଇଖାନା, ଖେଳପଡିଆ, ପାଠ୍ୟ ଉପକରଣ, ଶିକ୍ଷଣ ପ୍ରଣାଳୀ ଇତ୍ୟାଦି ଅନୁପୁରକ ହୋଇପାରି ନାହିଁ ।

ଏଣୁ ଏମାନେ ମଧ୍ୟ ଭେଦଭାବର ଶିକାର ହୁଅନ୍ତି । ଜାତି ନାଁରେ ନାମିତ ବିଦ୍ୟାଳୟ ଉଭୟ ପିଲା ଓ ଶିକ୍ଷକଙ୍କ ପାଇଁ ଅଶ୍ୱସ୍ଥିକର ହୋଇଥାଏ । ଏପରି ବିଦ୍ୟାଳୟରେ ପିଲା ନାଁ ଲେଖାଇବାକୁ କୁଣ୍ଠିତ ହୁଅନ୍ତି । ଏଣୁ ପାଖ ବିଦ୍ୟାଳୟ ଛାଡି ସେମାନେ ଦୂର ଜାଗାରେ ନାଁ ଲେଖାନ୍ତି ଓ ପରେ ଏହା ବିଦ୍ୟାଳୟରେ ଅନୁପସ୍ଥିତିର କାରଣ ହୁଏ । ରାଜ୍ୟରେ ଜାତି ନାଁରେ କେତେ ବିଦ୍ୟାଳୟ ଅଛି ଓ ଏପର୍ଯ୍ୟନ୍ତ କେତେ ବିଦ୍ୟାଲୟର ନାଁ ନିର୍ଦ୍ଦେଶ ମୂତାବକ ପରିବତ୍ତିତ ହୋଇସାରିଛି – ଏମିତି ଏକ ପ୍ରଶ୍ନର ଉତ୍ତର ଶିକ୍ଷା ବିଭାଗ ପାଖରେ ନାହିଁ ।

ଭେଦଭାବ କେବଳ ଏକ ଭିତ୍ତିଭୂମୀ ଜନିତ ଅସୁବିଧା ନୁହେଁ । ଏହା ଅଧିକାଂଶରେ ମାନସିକ ଯାହା ଭ୍ରମଧାରଣା ଓ ସଠିକ ସୂଚନାର ଅଭାବରୁ ଉତ୍ପନ୍ନ ହୋଇଥାଏ । ମାନସିକତର ପରିବର୍ତ୍ତନ ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ କୌଣସି ପ୍ରକାରର ତାଲିମ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ବିଭାଗ ଅଜ୍ଞ । ଏକ ତଥ୍ୟ ରହିତ ବିଭାଗ ଭେଦଭାବ ଭଳି ବ୍ୟାପ୍ତ ଓ ଗମ୍ଭୀର ସମସ୍ୟାର ସମାଧାନ କରିବା ଦୁରୁହ ବ୍ୟାପାର ।

ଏଣୁ ପ୍ରଥମେ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ଏପରି ଅଭିଯୋଗ ହେଲେ ଅପମାନିତ ହେବାର ଭୟରେ ଯଦି ଘଟଣା ଗୁଡିକୁ ଦବେଇ ଦିଆଯାଏ ତାହେଲେ ଶିକ୍ଷାର ଅସଲ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେବ । ଏଣୁ ପ୍ରତ୍ୟେକ ବିଦ୍ୟାଳୟରେ ଭେଦଭାବ ସମ୍ପର୍କରେ ଆଲୋଚନା କରିବା, ଏ ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଅନୁକୁଳ ବାତାବରଣ ତିଆରି କରାଯିବାର ଆବଶ୍ୟକତା ରହିଛି ।

ଏକ ଭେଦଭାବ ମୁକ୍ତ ବିଦ୍ୟାଳୟର ବାସ୍ତବ ରୂପାୟନ ବାହାରେ ରହିଯାଇଥିବା ପିଲାମାନଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିପାରିବା ସହ ସାମାଜିକ ସମନାତାର ସ୍ରୋତ ବୁହାଇବାରେ ମଧ୍ୟ ସହାୟକ ହେବ ।

Leave a Reply

This site uses Akismet to reduce spam. Learn how your comment data is processed.