କ୍ଷେତକେ ମୁଡାଟେ – ଘରକେ ବୁଢାଟେ


‘କ୍ଷେତକେ ମୁଡା (ଛୋଟ ପୋଖରୀ)ଟେ ଆରୁ ଘରକେ ବୁଢାଟେ’ ପଶ୍ଚିମ ଓଡିଶାର ଏକ ଲୋକ ଉକ୍ତି । ବିଭିନ୍ନ କଥା ପ୍ରସଙ୍ଗରେ ଲୋକେ ଏହାକୁ କହିଥାନ୍ତି । କହିବାର ତାତ୍ପର୍ଯ୍ୟ, ପାଚିବାକୁ ଥିବା ଫସଲ ବର୍ଷା ଅଭାବରୁ ନଷ୍ଟ ହେବାକୁ ବସିଥିବା ବେଳେ ବିଲରେ ମୁଡାଟିଏ ଥିଲେ ଅତି କମରେ ଥରେ ପାଣି ମଡାଯାଇ ଜୀବନ ରକ୍ଷା ହେଇପାରେ ।

ସେହିପରି ସମସ୍ୟାରେ ଛନ୍ଦି ହୋଇ ବାଟ ପାଉନଥିବା ବେଳେ ଘରେ ଥିବା ମୁରବି ନିଜ ଅଭିଜ୍ଞତାରୁ ଉପାୟ ବତେଇ ଦେବା ସହଜ ହୁଏ । ଏହା ଦୂରଦୃଷ୍ଟି ଓ ପାରମ୍ପାରିକ ଜ୍ଞାନ ପ୍ରତି ସମ୍ମାନକୁ ସୂଚାଏ । ସଂପ୍ରତି ଉଭୟ ମୁଡା ଓ ବୁଢା ଅଣଦେଖା ହେଉଛନ୍ତି । ପଶ୍ଚିମାଂଚଳରେ ଜଳ ସଂରକ୍ଷଣର ଅନେକ ନମୂନା ଦେଖିବାକୁ ମିଳେ । ବନ୍ଧ, କଟା, ମୁଡା, ବାମ୍ଫି, ଚହଲା ପ୍ରଭୃତି ତାର ଗୋଟାଏ ଗୋଟାଏ ଉଦାହରଣ ।

ରାଜା, ଜମିଦାର, ଗୌନ୍ତିଆ, ସାଧାରଣ ପ୍ରଜା ଧାର୍ମିକ ଆବେଗରେ ପ୍ରଭାବିତ ହୋଇ ସମ୍ବଳ ଓ ଶ୍ରମ ବିନିମୟରେ ଏଗୁଡିକ ତିଆରି କରିଥିଲେ । ବିଭିନ୍ନ ସ୍ଥାନରେ କଟା (ଗୋଟିଏ ପଟେ ବନ୍ଧ ପକେଇ ବର୍ଷା ଜଳକୁ ସଂରକ୍ଷଣ କରାଯିବା) ଗୁଡିକର ସହାଯ୍ୟରେ ଏକର ଏକର ଜମିରେ ଜଳସେଚନ କରାଯାଇ ପରୁଥିଲା । ବଲାଙ୍ଗୀରର ରାଣି ସାଗର (କଟା) ଏକଦା ସହରକୁ ପାନୀୟ ଜଳ ଯୋଗଉ ଥିଲା ।

ସୋନପୁର ସହରରେ ପ୍ରାୟ ୩୫ଟି ଛୋଟ ବଡ ପୋଖରୀ ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ସହ ଭୂତଳ ଜଳର ସ୍ତରକୁ ବଜାୟ ରଖିବାରେ ସହାୟକ ହେଉଥିଲେ । ଏମିତି ଉଦାହରଣ ଅନେକ ସହର ଓ ଗାଁରେ ମିଳିବ । ହେଲେ ଏହିସବୁ ସର୍ବସାଧାରଣ ସମ୍ପତ୍ତି ଏବେ ଅବକ୍ଷୟ ମୁଖି । ଭିଭିନ୍ନ ସ୍ଥାନରେ ଏହା ପ୍ରଭାବଶାଳୀ ଲୋକଙ୍କ ଜବରଦଖଳରେ ଅଛି । କଥାର ଗୁରୁତ୍ୱକୁ ଉପଲବ୍ଧି କରି ୨୦୧୧ ମସିହାରେ ଉଚ୍ଚତମ ନ୍ୟାୟାଳୟ (ମକବ୍ଦମା ସଂଖ୍ୟା ୧୧୩୨/୨୦୧୧ ଏସ୍.ଏଲ୍.ପି. (ସି)୩୧୦୯/୨୦୧୧) ଏ÷÷ତିହାସିକ ରାୟ ପ୍ରଦାନ କରିଛନ୍ତି ।

ଏହି ପ୍ରସଂଗର ବିଚାର କଲାବେଳେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଆମର ପୂର୍ବପୁରୁଷମାନେ ଭକୁଆ ନଥିଲେ । ପାଣିପାଗର ଅନିୟମିତତା ଯୋଗୁଁ ମରୁଡ଼ି ପରିସ୍ଥିତି ଓ ଜଳ ସଂକଟ ଉପୁଜି ପାରେ ବୋଲି ସେମାନେ ଜାଣିଥିଲେ । ଜନ ସାଧାରଣ ତଥା ଗୃହପାଳିତ ପଶୁଙ୍କ ସକାଶେ ଜଳର ଆବଶ୍ୟକତାକୁ ନେଇ ସେମାନେ ବେଶ୍ ସଚେତନ ଥିଲେ । ତେଣୁ ପ୍ରତ୍ୟେକ ଗାଁରେ ଏକାଧିକ ପୋଖରୀ ଓ ପ୍ରତି ମନ୍ଦିର ପାଖରେ ବାମ୍ଫୀ ଖନନ କରାଯାଉଥିଲା ।

ଏହି ପାରମ୍ପରିକ ଜଳ ସଂରକ୍ଷଣ ମାଧ୍ୟମରେ ସେମାନେ ହଜାର ହଜାର ବର୍ଷ ଧରି ଜନ ସାଧାରଣଙ୍କର ଜଳ କଷ୍ଟ ମେଣ୍ଟାଇ ଆସୁଥିଲେ । ବିଡ଼ମ୍ବନାର କଥା ହେଉଛି ଗତ କେଇ ଦଶକ ଭିତରେ ଏହି ସବୁ ପୋଖରୀ, ବାମ୍ଫୀ, ବନ୍ଧ ଓ ସରକୁ ପୋତି ଦେଇ ତା’ରି ଉପରେ ଲାଭଖୋର୍ ବ୍ୟବସାୟୀମାନେ ବେଆଇନ୍ କୋଠା ତଥା ବ୍ୟାବସାୟିକ ପ୍ରକଳ୍ପ ନିର୍ମାଣ ତିଆରି କରୁଛନ୍ତି । ହଜାର ହଜାର ବର୍ଷ ଧରି ପାରମ୍ପରିକ ଭାବରେ ସାଧାରଣ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଏହି ଜମିର ସଦୁପଯୋଗ ପରିବର୍ତ୍ତେ ବ୍ୟାପକ ଦୁରୁପଯୋଗ ଆରମ୍ଭ ହୋଇଛି ।

ଯାହାଫଳରେ ଦେଶରେ ବିଭିନ୍ନ ଭାଗରେ ଭୟଙ୍କର ଜଳ ସଂକଟ ଦେଖାଦେଉଛି । ଏ ପ୍ରକାର ଅବୈଧ କାର୍ଯ୍ୟକୁ ବର୍ତ୍ତମାନ ଦୃଢ ହସ୍ତରେ ଦମନ କରାଯିବା ଉଚିତ ବୋଲି ସୁପ୍ରିମ୍କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ସର୍ବସାଧାରଣ ସମ୍ପତ୍ତିର ଗୁରୁତ୍ୱ ଉପରେ ଆଲୋଚନା କରି ନ୍ୟାୟାଳୟ କହିଛନ୍ତ ଯେ, ବହୁ ପ୍ରାଚୀନ କାଳରୁ ଗ୍ରାମରେ ମନ୍ଦିର, ବିଦ୍ୟାଳୟ, ପୋଖରୀ, ଖେଳପଡ଼ିଆ, ଗୋଚର, ଶ୍ମଶାନ ଇତ୍ୟାଦିକୁ ସର୍ବସାଧାରଣର ସମ୍ପତ୍ତି ଭାବେ ବିବେଚନା କରାଯାଇଥାଏ ।

ସମଗ୍ର ଭାରତରେ ଗୋ ୀ ଅଧିକାର ରହିଥିବା ଏହି ଜମିଗୁଡ଼ିକର ମାଲିକାନା ବ୍ୟକ୍ତି ହାତରେ କେବେ ବି ନଥିଲା । ଏହା ଗ୍ରାମ ସଭା ବା ଗ୍ରାମ ପଞ୍ଚାୟତର ଗୋ ୀଗତ ଅଧିକାର ହୋଇ ରହିଥିଲା । ଏହି ସବୁ ଜମି ଉପରେ ପଞ୍ଚାୟତର ଅଧିକାର କ୍ରମେ କ୍ରମେ କ୍ଷୁଣ୍ଣ ହେଉଥିôବା ଦେଖିôବାକୁ ମିଳୁଛି । ଏହି ସବୁ ଜମି ଉପରେ ଲୋଭୀ ବ୍ୟବସାୟୀ ମାନଙ୍କର ଆଖି ପଡ଼ିଛି ।

ସର୍ବଭାରତୀୟ ପ୍ରେକ୍ଷାପଟ୍ଟରେ ବିଚାର କଲେ ଏହି ପ୍ରକ୍ରିୟା ଯୋଗୁଁ ସର୍ବସାଧାରଣ ସମ୍ପତ୍ତି ବ୍ୟକ୍ତିଗତ ମାଲିକାନାକୁ ଚାଲି ଯାଉଛି । ବିଡ଼ମ୍ବନାର ବିଷୟ ହେଉଛି ଯେ ଏମିତି ଅନେକ ରାଜ୍ୟ ଅଛି ଯେଉଁଠି ଗ୍ରାମମାନଙ୍କରେ ସର୍ବସାଧାରଣ ବ୍ୟବହାର ପାଇଁ ଇଞ୍ଚେ ବି ଜାଗା ଆଉ ବାକି ନାହିଁ । କାଗଜ କଲମରେ ଏହି ଜାଗା ରହିଥିବାବେଳେ ବାସ୍ତବ କ୍ଷେତ୍ରରେ ଏହିସବୁ ଜମି ବ୍ୟକ୍ତିଗତ ମାଲିକାନାକୁ ଚାଲିଗଲାଣି ।

ଗାଁରେ ରହୁଥିବା କ୍ଷମତାଶାଳୀ ଓ ବିତ୍ତଶାଳୀ ଲୋକମାନେ ନିଜ ପ୍ରଭାବ ପକାଇ ଏହି ସବୁ ଜମି ହଡ଼ପ କରୁଛନ୍ତି । ବ୍ୟକ୍ତିଗତ ଲାଭ ପାଇଁ ସର୍ବସାଧାରଣଙ୍କର ଅଧିକାରକୁ ବ୍ୟାହତ କରାଯାଉଛି । ଆହୁରି ବିଡ଼ମ୍ବନାର କଥା ହେଉଛି ଯେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହଯୋଗରେ ଏହିପ୍ରକାର ଜମି ହଡ଼ପ ପ୍ରକ୍ରିୟା ଅବ୍ୟାହତ ରହିଛି ।

ମାନ୍ୟବର ସୁପ୍ରିମ୍କୋର୍ଟ ଏହି ଘଟଣାରେ ରାଜ୍ୟସରକାରମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମାମଲାର ରାୟ ପ୍ରଦାନ ପୂର୍ବକ ମାନ୍ୟବର ସୁପ୍ରିମ୍କୋର୍ଟ ସର୍ବସାଧାରଣ ଜମି ହଡ଼ପ କରିଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ବେଦଖଲ କରିବା ଲାଗି ନିର୍ଦ୍ଦିଷ୍ଟ ଯୋଜନା ତିଆରି କରିବାକୁ ପ୍ରତି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ପଦକ୍ଷେପ ନେବା ସହିତ ଜବରଦଖଲ ମୁକ୍ତ କରିବା ଲାଗି ନିର୍ଦ୍ଦଷ୍ଟ ଯୋଜନା ସଂପର୍କରେ ସୁପ୍ରିମ୍କୋର୍ଟକୁ ଅବଗତ କରିବା ଲାଗି ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ସୁପ୍ରିମ୍କୋର୍ଟ ଚିଠି ମଧ୍ୟ ଲେଖିଛନ୍ତି ।

ଏତେ ବର୍ଷ ପରେବି କିନ୍ତୁ ଏ ସମ୍ପର୍କରେ ଆମ ରାଜ୍ୟରେ ବିଶେଷ ତତ୍ପରତା ଦେଖାଯାଇ ନାହିଁ । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସାଧାରଣ ପ୍ରଶାସନ, ରାଜସ୍ୱ ଓ ଗ୍ରାମ ପଂଚାୟତ ବିଭାଗ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷିରେ ସର୍ବସାଧାରଣ ସମ୍ପତ୍ତି ବିଶେଷ କରି ଜଳ ଉତ୍ସଗୁଡିକର ସଂରକ୍ଷଣ ବିଶେଷ ଗୁରୁତ୍ୱ ବହନ କରେ ।

ସୁପ୍ରିମ୍କୋର୍ଟଙ୍କ ରାୟ ଏଦିଗରେ କେବଳ ଏକ ସତର୍କ ଘଣ୍ଟି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚି କର୍ମ ନିଯୁକ୍ତି ଯୋଜନା ଓ ଅନ୍ୟାନ୍ୟ ପାଣ୍ଠି ବିନିଯୋଗ କରି ନୂତନ ଜଳଉତ୍ସ ତିଆରି କରିବାରେ ଅସୁବିଧା କିଛି ନାହିଁ । ହେଲେ ପାରମ୍ପାରିକ ଜଳ ଉତ୍ସ ଗୁଡିକୁ ଉଦ୍ଧାର କରାଯାଇ ନପାରିଲେ ଗୋଦରା କୋଡେ ଯେତେ ମାଡେ ସେତେ ଭଳି ହେବ ।

ଘାସିରାମ ପଣ୍ଡା :

This website uses cookies.