ଓଡିଶା ନ୍ୟୁଜ/ Odisha News
ଶିକ୍ଷା

ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ ପରିସଂଖ୍ୟନରୁ ଜଣାପଡେ ଯେ, ୨୦୦୭ – ୦୮ ଶିକ୍ଷା ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୪୩ ଲକ୍ଷ ୯୨ ହଜାର ପିଲା ପଢୁଥିବା ବେଳେ ୨୦୧୪ – ୧୫ ବେଳକୁ ଏହା ୪୨ ଲକ୍ଷ ୨୪ ହଜାରକୁ ଖସି ଆସିଛି ।

ଅପର ପକ୍ଷରେ ୨୦୦୭ -୦୮ ବେଳକୁ ଘରୋଇ ବିଦ୍ୟାଳୟରେ ୨ ଲକ୍ଷ ୨୨ ହଜାର ପିଲା ଥିଲେ ଯାହା ୨୦୧୪ – ୧୫ ବେଳକୁ ୪ ଲକ୍ଷ ୭୭ ହଜାରକୁ ବୃ୍ଦ୍ଧି ପାଇଛି ।

ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗତ ବିଧାନସଭା ଅଧିବେଶନରେ ଶିକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ବିଗତ ୬ ବର୍ଷ ଭିତରେ ପ୍ରାଥମିକ ବିଦ୍ୟାଲୟରେ ନାମଲେଖା ହାର ୩.୬୯ ପ୍ରତିଶତ କମିଛି ଓ ସମାନ ସମୟରେ ଘରୋଇ ବିଦ୍ୟାଳୟରେ ୧୪.୩୧ ପ୍ରତିଶତ ବଢିଛି । ‎କ୍ରମଶଃ ଅଧିକରୁ ଅଧିକ ପିଲାଙ୍କୁ ସାମିଲ କରୁଥିବା ଏହି ଘରୋଇ ବ‎୍ୟବସ୍ଥାକୁ କିନ୍ତୁ ପିଲାମାନଙ୍କର ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ ପରିସରକୁ ସକ୍ରିୟ ଭାବେ ଅଣାଯାଇ ପାରିନାହିଁ ।
ସ୍ୱଚ୍ଛଳ ବର୍ଗର୍ଙ୍କ ସାମାଜିକ ପ୍ରତିପତ୍ତିକୁ ପୁଞୀ କରି ଘରୋଇ ବିଦ୍ୟାଳୟ କାୟା ବିସ୍ତାର କରୁଛନ୍ତି ।

ଆର୍ଥିକ ସ୍ୱଚ୍ଛଳ ଓ ଗରିବଙ୍କ ମଧ୍ୟରେ ତଫାତ ରଖୁଥିବା ଏହିସବୁ ବିଦ୍ୟାଳୟମାନଙ୍କରେ ସାମାଜିକ ଅସମାନତା, ସାମଗ୍ରୀକ ବିକାଶ ଭଳି ସାମ୍ବୀଧାନିକ ମୂଲ୍ୟବୋଧକୁ ହେୟ ମନେକରାଯାଉଛି । ଶିକ୍ଷା ଅଧିକାର ଆଇନ, ୨୦୦୯ ପ୍ରବର୍ତ୍ତନ ପରେ ଘରୋଇ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକତା ଓ ବିବିଧାତାକୁ ବଜାୟ ରଖିବାନେଇ ସ୍ପଷ୍ଟ ଆଇନଗତ ପ୍ରାବଧାନ ଥିବା ସତ୍ତେ୍ୱ ପ୍ରଶାସନ ଏମାନଙ୍କୁ ନିୟନ୍ତ୍ରିତ କରିବାରେ ବିଫଳ ହେଉଛି ।

ଅଭିଭାବକମାନେ ମଧ୍ୟ ବାହ୍ୟ ଆଡମ୍ବରରେ ମୋହିତ ହୋଇ ବିଦ୍ୟାଳୟର ଆଇନଗତ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି ଓ ପରେ ପିଲାର ଭବିଷ୍ୟତ ପ୍ରଭାବିତ ହେଉଛି । ଶିକ୍ଷା ଅଧିକାର ଆଇନ, ୨୦୦୯ ଧାରା ୧୮ ଅନୁଯାୟୀ ପ୍ରତ୍ୟେକ ଘରୋଇ ବିଦ୍ୟାଳୟ ପାଇଁ ସରକାରଙ୍କ ‘ସ୍ୱିକୃତୀ ପ୍ରମାଣପତ୍ର’ ଅନିର୍ବାର୍ଯ୍ୟ ଅଟେ । ଏଥିପାଇଁ ବିଦ୍ୟାଳୟ ପରିଚାଳକଙ୍କୁ ଏହି ଆଇନ ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦିଷ୍ଟ ‘ମାନ’ ଯେପରିକି ପିଲା ଓ ଶିକ୍ଷକଙ୍କ ଅନୁପାତ, ଶ୍ରେଣୀଗୃହର ସଂଖ୍ୟା, ବାର୍ଷିକ ଶିକ୍ଷା ଦିବସ, ପାଠାଗାର, ଖେଳ ଓ ଶିକ୍ଷଣ ସାମଗ୍ରୀ, ଭିନ୍ନକ୍ଷମଙ୍କ ପାଇଁ ବାଧାହୀନ ଯାତାୟତ ଇତ୍ୟାଦିର ସ୍ଥିତି ସମ୍ପର୍କିତ ଘୋଷଣା ପତ୍ର ଦାଖଲ କରିବାକୁ ପଡିଥାଏ ।

ଏହା ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଦର୍ଶିତ ହେବା ଉଚ୍ଚିତ । ଏହାର ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସରଜମୀନ ତଦନ୍ତ କରାଯିବ ଓ ମାନ ପୂରଣ କରୁଥିବା ବିଦ୍ୟାଳୟମାନଙ୍କୁ ସର୍ତ୍ତ ମୂଳକ ସ୍ୱିକୃତୀ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ସରଜମୀନ ତଦନ୍ତ ରିପୋର୍ଟ ମଧ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଜିଲ୍ଲା ପ୍ରଶାସନ ୱେବ ସାଇଟ ଭଳି ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଥିବା ସ୍ଥାନରେ ପ୍ରଦର୍ଶିତ ହେବାର ବିଧି ରହିଛି ।

ସ୍ୱିକୃତୀ ପ୍ରମାଣପତ୍ର ନଥିବା ବିଦ୍ୟାଳୟମାନଙ୍କୁ ପ୍ରଶାସନ ବନ୍ଦ କରିଦେଇ ପାରିବେ । ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ୧୪ ଗୋଟି ଘରୋଇ ବିଦ୍ୟାଳୟ ଥିଲେହେଁ ବର୍ତ୍ତମାନ ୧୩ଟିର ସ୍ୱିକୃତୀ ପ୍ରମାଣପତ୍ର ନାହିଁ । ଏ ସମ୍ପର୍କିତ ସରଜମୀନ ତଦନ୍ତ କରାଯାଇଥିବା କୁହାଯାଉଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ସ୍ଥଳିରେ ରିପୋର୍ଟ ପ୍ରଦର୍ଶିତ ହୋଇନାହିଁ ।

ଏହାସତ୍ତେ୍୍ୱ ପିଲାଙ୍କ ନିୟମିତ ନାମଲେଖା ଅବ୍ୟାହତ ଅଛି । ଏହା ଉଦାହରଣ ମାତ୍ର । ରାଜ୍ୟର ରାଜଧାନୀ ସମେତ ସମଗ୍ର ରାଜ୍ୟର ସ୍ଥିତି ଏହାଠାରୁ ଭିନ୍ନ ନୁହେଁ । ଶିକ୍ଷା ଅଧିକାର ଆଇନ କାର୍ଯ‎୍ୟକାରି ହେବାର ପାଂଚ ବର୍ଷ ପରେବି ଏହିସବୁ ବିଦ୍ୟାଳୟମାନଙ୍କ ପ୍ରତି ଆଇନଗତ ପଦକ୍ଷେପ ନିଆନଯିବା ପରୋକ୍ଷରେ ବେଆଇନ ପରିଚାଳନା ପାଇଁ ପ୍ରୋତ୍ସାହନ ନୁହେଁ କି ? ଅଭିଭାବକମାନେ ବିଦ୍ୟାଳୟର ସ୍ୱିକୃତୀ ପ୍ରମାଣପତ୍ର ଯାଂଚ ନକରି ନାମ ଲେଖାଇବା ପିଲାଙ୍କ ଭବିଷ୍ୟତ ସହିତ ଖେଳ ନୁହେଁ କି?
ଶିକ୍ଷା ଅଧିକାର ଆଇନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ହେଲା ଗରୀବଙ୍କ ପାଇଁ ଘରୋଇ ବିଦ୍ୟାଳୟର ଦ୍ୱାର ଉନ୍ମୁକ୍ତ କରିବା । ଏହି ଆଇନର ଧାରା ୧୨ (୧) ଏବଂ (୨) ଅନୁଯାୟୀ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ପିଲାଙ୍କ ପାଇଁ ମୋଟ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟାର ୨୫ ଶତାଂସ ସଂରକ୍ଷିତ କରାଯିବାର ପ୍ରାବଧାନ ରହିଛି ।

ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଜର ପତ୍ରସଂଖ୍ୟା ୨୨୬୫୫ ତା ୧୮/୧୨/୨୦୧୦ ରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର ପିଲାଙ୍କ ପାଇଁ ୧୦% ଓ ତଫସିଲ ଭୂକ୍ତ ଜାତି, ଜନଜାତି, ବାସହରା, ଭିକ ମଗୁଥିବା, ଶିଶୁ ଶ୍ରମିକଙ୍କ ପାଇଁ ୧୫% ସ୍ଥାନରେ ନାମଲେଖାକୁ ବାଧ୍ୟତାମୂଲକ କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ନାମଲେଖା କେବଳ ପ୍ରଥମ ଅବା ପ୍ରାକ ପ୍ରାଥମିକ ଭଳି ପ୍ରବେଷ ଶ୍ରେଣୀରେ ହେବ ।

ଉଦ୍ଦେଶ୍ୟ, ଏହି ପ୍ରକ୍ରୟା ଚାଲୁରହିଲେ କିଛି ବର୍ଷ ପରେ ସମଗ୍ର ବିଦ୍ୟାଳୟରେ ୨୫ ଭାଗ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ପିଲା ପଠ ପଢୁଥିବେ । ଏହି ୨୫ ଶତାଂସ ସ୍ଥାନର ଖର୍ଚ ବିଦ୍ୟାଳୟମାନଙ୍କ ଉପରେ ବୋଝ ହେବ ନାହିଁ । ବିଦ୍ୟାଳୟର ଆବେଦନ କ୍ରମେ ଏ ସଂକ୍ରାନ୍ତିୟ ଖର୍ଚ ସରକାର ଭରଣା କରିବେ । ଥିବା ଓ ନଥିବା ବର୍ଗ ଭିତରେ ଏହା ସୌହାର୍ଦ୍ଧ୍ୟ ବୃ୍ଦ୍ଧିର ମାଧ୍ୟମ ଭାବରେ ବ୍ୟବହୃତ ହୋଇପାରିବ ।

କିଛି ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଠାରେ ଏହା କାର୍ଯ୍ୟକାରି କରାଯିବାର ଦୃଷ୍ଟାନ୍ତ ମିଳିଛି । ପ୍ରକାଶିତ ତଥ‎‎୍ୟ ଅନୁଯାୟୀ ସମ୍ବଲପୁର ଜିଲ୍ଲା ପ୍ରଶାସନର ଉଦ‏୍ୟମ କ୍ରମେ ୨୦୧୪ – ୧୫ ଶିକ୍ଷା ବର୍ଷରେ ସହରର ଆଖପାଖ ୧୪ଗୋଟି ଘରୋଇ ବିଦ୍ୟାଳୟରେ ୨୨୮ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ହେଲେ ୨୦୧୫ – ୧୬ ବେଳକୁ ଏହା କ୍ରମଶଃ ଖସି ଆସି ୧୨୭ରେ ପହଂଚି ଥିଲା ।

ଏପରିକି ୨୦୧୪ – ୧୫ରେ ନାମ ଲେଖାଇଥିବା ପିଲାଙ୍କ ଭିତରୁ ୨୨ଜଣ ବିଦ୍ୟାଳୟ ଛାଡି ସାରିଛନ୍ତି । ଏଣୁ ଏକଥା ମଧ୍ୟ ଦେଖିବାକୁ ପଡିବ ଯେ, ଆଇନଗତ ବାଧ୍ୟ ବାଧକତାରେ କୌଣସି ବିଦ୍ୟାଳୟ ଏହି ୨୫ ଭାଗ ପିଲାଙ୍କୁ ନାମ ଲେଖାର ସୁଯୋଗ ଦେଇ ଶ୍ରେଣୀଗୃହରେ ବସେଇବା, ମଧ୍ୟାହ୍ନ ଭୋଜନ, ପୋଷାକ, ପୁସ୍ତକ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ଯ୍ୟକ୍ରମରେ ଯେପରି ପାତର ଅନ୍ତର ନକରନ୍ତି ।

ଏପରି ହେଲେ ବିଦ୍ୟାଳୟ କତୃପକ୍ଷ ଉତ୍ତରଦାୟୀ ରହିବେ ଓ ତାଙ୍କ ପ୍ରତି ଆଇନଗତ ଦଣ୍ଡ ବିଧାନ କରାଯାଇ ପାରିବ । ଅନେକାଂଶ ଘରୋଇ ବିଦ୍ୟାଳୟର ଅନଗ୍ରସର ଓ ପଛୁଆ ବର୍ଗଙ୍କ ପ୍ରତି ଥିବା ଅସ୍ପୃଶ୍ୟ ମନୋଭାବ ହେତୁ ଏହି ପ୍ରାବଧାନକୁ ଅନେକ ଏଡାଇ ଯାଉଥିବା ବେଳେ ଆଉ କିଛି ଚାଲାକିରେ ପୂରଣ କରୁଥିବାର ନଜିର ପରିତାପର ବିଷୟ ନିଶ୍ଚୟ ।
ଅଧିକାଂଶ ଘରୋଇ ବିଦ୍ୟାଳୟ ଅଣଲାଭକାରୀ ସଂସ୍ଥା ଭାବେ ପଞୀକୃତ ହୋଇଥିଲେ ହେଁ ଶିକ୍ଷା ନାମରେ ବ୍ୟବସାୟ କରିବା ସେମାନଙ୍କର ଧର୍ମ ହୋଇଯାଇଛି । ପିଲାଙ୍କ ନାମ ଲେଖା ସମୟରେ ନିଆଯାଉ ଥିବା ଦେୟ ବା ବାର୍ଷିକ ଦେୟର କୌଣସି ନିର୍ଦ୍ଦିଷ୍ଟ ନୀତି ନୀୟମ ନାହିଁ । ପ୍ରତ୍ୟେକ ବିଦ୍ୟାଳୟ ନିଜର ଇଚ୍ଚା ଅନୁସାରେ ଏହା ଧାର୍ଯ୍ୟ କରନ୍ତି । ଏପରିକି ଆଦାୟ ହେଉଥିବା ଦେୟର ଖର୍ଚ ଉପରେ ବି କୌଣସି ଅଙ୍କୁଶ ନାହିଁ ।

ଏହି କାରଣରୁ ଘରୋଇ ବିଦ୍ୟାଳୟମନାଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଯେତେ ବଢିନଥାଏ ତାଠାରୁ ଯଥେଷ୍ଟ ଅଧିକ ଏମାନଙ୍କର କୋଠାବାଡି ଓ ଜମା ପାଣ୍ଠି ବଢିଥଏ । ଏହି ହେତୁ ଶିକ୍ଷା ଅଧିକାର ଆଇନ ଧାରା ୧୩ ଭେଦଭାବହୀନ ଓ ସ୍ୱଚ୍ଚ ନାମଲେଖାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ପରୀକ୍ଷା, ପିତାମାତଙ୍କ ସହିତ ମୌଖିକ ଆଲୋଚନା ଓ ନାମଲେଖା ‘ଚାନ୍ଦା’ ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇଛି ।

ଶିକ୍ଷା ଅଧିକାର ଆଇନର ସଠିକ କାର୍ଯ୍ୟକାରୀତା ଓ ତଦାରଖ ପାଇଁ ରାଜ୍ୟ ଶିଶୁ ଅଧିକାର କମିଶନଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି । ଘରୋଇ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କମିଶନ ତରଫରୁ ତଦନ୍ତ ପୂର୍ବକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଆଇନର ନିୟନ୍ତ୍ରଣରେ ଏହିସବୁ ବିଦ୍ୟାଳୟମାନେ ପରିଚାଳିତ ହେବାକୁ ବାଧ୍ୟ ହେବେ ।

Leave a Reply

This site uses Akismet to reduce spam. Learn how your comment data is processed.