ଜଙ୍ଗଲ ଅଧିକାରର ଯୁଗ ଶେଷ !


ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ ଏବେ ବି ନ୍ୟାୟାଳୟର ବିଚାରାଧିନ ଅଛି । ଆଇନ କାର୍ଯକାରୀ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକେଇବ, ବାଘ ସମେତ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଜୀବନ ବିପନ୍ନ ହେବ ଏମିତି କିଛି ଯୁକ୍ତି ଜଙ୍ଗଲ ଅଧିକାର ଆଇନ ବିରୁଦ୍ଧରେ ରଖାଯାଇଛି ।

୨୦୦୮ରେ ଏହି ଆଇନକୁ କାର୍ଯ୍ୟକାରି କରିବା ପାଇଁ ନୀୟମାବଳୀ ପ୍ରଣୀତ ହେଲା । ଏହା ସତ୍ୱେ ନ୍ୟାୟାଳୟରେ ବିଚାରାଧିନ ଥିବା କାରଣରୁ ଆଇନର କାର୍ଯ୍ୟକାରିତାରେ ବର୍ଷେ ବିଳମ୍ବ ହେଲା । ପରେ ନ୍ୟାୟାଳୟଙ୍କ ନିର୍ଦ୍ଦେଷ ମୂତାବକ ୨୦୦୯ ପର ଠାରୁ ଆମ ରାଜ୍ୟରେ ଏହା କାର୍ଯ୍ୟକାରି ହୋଇ ଆସୁଛି । ଏହାରି ଭିତରେ ଆଠ ବର୍ଷ ବିତିଗଲାଣି ।

ଜଙ୍ଗଲ ଅଧିକାର ଆଇନ ପ୍ରକୃତରେ ପରିବେଶ ପ୍ରତିକୂଳ ହୋଇଥିଲେ ଏପର୍ଯନ୍ତ ଏହା ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳି ସାରିଥାନ୍ତା ! ଏଣୁ ପରିବେଶ ଓ ବନ୍ୟ ଜନ୍ତୁଙ୍କ ଅସୁରକ୍ଷା ଏହାକୁ ବିରୋଧ କରିବାର ପ୍ରକୃତ କାରଣ ନୁହେଁ । ଅସଲ କଥାଟି ହେଉଛି ଏହି ଆଇନର ସଫଳ କାର୍ଯକାରିତାରେ ଦୀର୍ଘ ଦିନ ଧରି ନିଜ କତ୍ତୃତ୍ୱ ଓ କ୍ଷମତା ଦେଖାଇ ଆସୁଥିବା ଜଙ୍ଗଲ ବିଭାଗ ଅଧିନରୁ କିଛି ଜଙ୍ଗଲ ଅଂଚଳ ଲୋକଙ୍କ ନିୟନ୍ତ୍ରଣାଧିନ ହେବ ।

ଜଙ୍ଗଲ ଅଧିକାର ଆଇନର ପ୍ରାରମ୍ଭରେ ଏକଥା ଉଲ୍ଲେଖ ଅଛି ଯେ, ବନବାସୀମାନେ ପୁରୁଷାନୁକ୍ରମେ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଆସୁଛନ୍ତି । ଜଙ୍ଗଲକୁ ନେଇ ସେମାନଙ୍କର ଜୀବିକା ଓ ପରିଚିତି । ଏହା ସତ୍ୱେ ସ୍ୱାଧିନୋତ୍ତର ଭାରତ ବର୍ଷରେ ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ଅନୁପ୍ରବେଶ ଓ ଅପରାଧ ଭାବରେ ଜଙ୍ଗଲ ବିଭାଗ ବିବେଚନା କରୁଥିଲେ । ଏଥି ଯୋଗୁଁ ବନବାସୀମାନେ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ।

ଏହା ବିରୁଦ୍ଧରେ ସମଗ୍ର ଭାରତ ବର୍ଷରେ ହୋଇଥିବା ପ୍ରବଳ ଜନ ଆନ୍ଦୋଳନର ଚାପରେ ତକ୍ରାଳିନ ସରକାର ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କଲେ । ବନବାସୀଙ୍କ ପାରମ୍ପରିକ ଅଧିକାରର ପୁନଃ ସ୍ୱୀକୃତି ସହ ସେମାନଙ୍କ ପ୍ରତି ହୋଇଥିବା ଏ÷÷ତିହାସିକ ଅନ୍ୟାୟ ଦୂର କରିବାକୁ ଏହି ଆଇନ ପ୍ରତିଶୃତିବଦ୍ଧ । ଏହି ଆଇନର ଆଉ ଏକ ବିଶେଷତ୍ୱ ହେଲା ଅଧିକାରର ସ୍ୱୀକୃତି ପ୍ରକ୍ରିୟା ଗ୍ରାମସଭା ମାଧ୍ୟମରେ ହେବ ।

ଅର୍ଥାତ କେତେ ଜଙ୍ଗଲାଂଚଳ ଲୋକଙ୍କ ଅଧିକାର ପରିସରକୁ ଆସିବ ତାହା ଲୋକେ ସ୍ଥିର କରିବେ । ଅନ୍ୟ ଜମୀଜମା ଆଇନ ଭଳି ଏଥିରେ ସରକାରୀ ଅଧିକାରୀଙ୍କୁ ଗୁରୁତ୍ୱ ଦିଆଯାଇ ନାହିଁ ଓ ନିଷ୍ପତ୍ତି ନିର୍ଣ୍ଣୟ କରିବା ପ୍ରକ୍ରୟାରେ ଲୋକଙ୍କ କ୍ଷମତାକୁ ଦୃଢ କରାଯାଇଛି । ଏହା ପ୍ରକୃତ ପକ୍ଷେ କ୍ଷମତାର ପଟ୍ଟ ପରିବର୍ତ୍ତନ କରିପାରିଛି । ଗଣତାନ୍ତ୍ରିକ ପ୍ରକ୍ରୟାରେ ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ହେଲେ ବି କ୍ଷମତା ଲୋଭି ଅଧିକାରୀମାନେ ସର୍ବଦା ଜଙ୍ଗଲ ଅଧିକାରର ଅସଫଳତା କାମନା କରି ଆସିଛନ୍ତି ।

ନୀୟମଗିରୀରେ ଖଣି ଖନନ ଓ ଢିଙ୍କିଆରେ କାରଖାନା ସ୍ଥାପନ ପରିପ୍ରେକ୍ଷିରେ ସ୍ଥାନୀୟ ଅଧିବାସୀ ଜଙ୍ଗଲ ଅଧିକାର ଆଇନକୁ ବ୍ୟବହାର କରି ନିଜର ଅଧିକାର ଜାହିର କରିସାରିଛନ୍ତି । ଏପରି କିଛି ହାତ ଗଣତି ସଫଳତାକୁ ଛାଡିଦେଲେ ଜଙ୍ଗଲ ଅଧିକାର ଆଇନ ଲୋକଙ୍କ ପାଖକୁ ପହଂଚି ପାରିନାହିଁ । ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ପ୍ରଦାନରେ ଆମ ରାଜ୍ୟ ସରକାର ଦେଶରେ ସର୍ବାଧିକ ପରିବାରକୁ ସ୍ୱୀକୃତି ପତ୍ର ଦେଇଛନ୍ତି ଓ ଏଥିପାଇଁ ବାହାବା ନିଅନ୍ତି ।

ଆଇନ ଅନୁଯାୟୀ ବନବାସୀମାନେ ଯେତେ ଜମୀରେ ପାରମ୍ପାରିକ ଭାବରେ ଜୀବନଜୀବିକା ପାଇଁ ନିର୍ଭର କରୁଛନ୍ତି ତାରି ଉପରେ ସ୍ୱୀକୃତି ନାମା ପାଇ ପାରିବେ । ଏହା ଅତି ବେଶିରେ ୧୦ ଏକର ପର୍ଯ୍ୟନ୍ତ ହୋଇ ପାରିବ । ହେଲେ ହାରାହାରି ଭାବରେ ଆମ ରାଜ୍ୟରେ ବନବାସୀମାନେ ପରିବାର ପିଛା ଦେଢ ଏକରରୁ ଅଧିକ ଉପରେ ସ୍ୱୀକୃତି ପାଇ ନାହନ୍ତି । ଏବେବି ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲରେ ଥିବା ସେମାନଙ୍କ ଅଧିକାର ସ୍ୱୀକୃତ ହୋଇନାହିଁ ।

ଯଦି ଜଣେ ପାଂଚ ଏକର ଜମୀ ପାରମ୍ପରିକ ଭାବେ ଦଖଲ କରି ଆସୁଥିଲେ, ସେଥିପାଇଁ ଦାବୀ ଆବେଦନ କରିଥିଲେ ହେଲେ ଦେଢ ଏକର ଉପରେ ସ୍ୱୀକୃତି ପାଇଲେ ଏହା ତାଙ୍କର ଲାଭ ହେଲା ନା କ୍ଷତି ? ଦେଢ ଏକର ବାହାରେ ଆଉ ଯାହା ରହିଲା ନିୟମାନୁଯାୟୀ ଏହା ତାଙ୍କ ହାତରୁ ଚାଲିଗଲା । ଏପରି ଅନେକ ଅଭିଯୋଗ ଥିଲେ ବି ଆଇନଗତ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଦାବୀପତ୍ରକୁ ଏପର୍ଯ୍ୟନ୍ତ ଗ୍ରହଣକୁ ନିଆଯାଉ ନାହିଁ । ସମୁହିକ ଅଧିକାର କ୍ଷେତ୍ରରେ ତ ସ୍ଥତି ଆହୁରି ସଂଘାତିକ । କଳାହାଣ୍ଡି ଜିଲ୍ଲାର ଜାମଗୁଡା ବାହାଲି ପରେ ଆଉ ଗୋଟିଏ ବି ଗାଁକୁ ବାଉଁଶ ଉପରେ ଅଧିକାର ଦିଆଯାଇ ପାରିନାହିଁ । କେନ୍ଦୁ ପତ୍ରର ମାଲିକାନା ସତ୍ୱ ଏବେ ବି ଜଙ୍ଗଲ ବିଭାଗ ହାତରେ । ଓଡିଶାରେ ହଜାର ହଜାର ଗାଁ ସ୍ୱତଃ ଜଙ୍ଗଲ ସଂରକ୍ଷଣ ଓ ପରିଚାଳନା କରିବାର ଉଦାହରଣ ତିଆରି କରିଛନ୍ତି ।

ଏହି ଆଇନ ଅନୁସାରେ ଏସବୁ ଅଂଚଳ ଏବେ ଲୋକଙ୍କ ମାଲିକାନରେ ରହିବା କଥା । ହେଲେ ଏବେବି ବନ ସଂରକ୍ଷଣ ସମିତି ନାରେ ଜଙ୍ଗଲ ବିଭାଗ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଜୁଆଙ୍ଗ, ବଣ୍ଡା ଭଳି ନିର୍ଦ୍ଦିଷ୍ଟ ଭାବେ ବିପଦ ସଙ୍କୁଳ ଜନଜାତିଙ୍କ ବାସ ଓ ବସତିର ଅଧିକାର, ଜଙ୍ଗଲ ବସତି ମାନଙ୍କୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଭୃତି ଅବହେଳିତ । ଜଙ୍ଗଲ ବିଭାଗର ସମ୍ପତ୍ତ ଉପରେ ମାଲିକାନାର ଲୋଭ ଓ କ୍ଷମତା ମୋହ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରଭାବିତ କରୁଛି ।

ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରି ଜନ ଆନ୍ଦୋଳନ ଜିତାପଟ ହାସଲ କରିଥିଲେ ବି ପରବର୍ତ୍ତି ସମୟ ମାନଙ୍କରେ ଜଙ୍ଗଲ ବିଭାଗର ପ୍ରଶାସନିକ ଅସହଯୋଗ ଓ ପ୍ରଭାବ ବଳରେ ଜଙ୍ଗଲ ଅଧିକାର ଆଇନକୁ ଅକାମି କରି ନିଜର ପୁର୍ବ ପ୍ରଭାବ ବଜାୟ ରଖିଛନ୍ତି । ୨୦୧୧ ମସିହରେ ଯୁଗ୍ମ ଜଙ୍ଗଲ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଫରେଷ୍ଟର ବଦଳରେ ଗାଁ ଲୋକଙ୍କୁ ବନ ସଂରକ୍ଷଣ ସମିତିର ସଂପାଦକ କରାଯାଇଥିଲା ।

ହେଲେ ପରବର୍ତ୍ତି ସମୟରେ ପୁଣି ଏହାକୁ ପରିବର୍ତ୍ତନ କରାଯାଇ ଫରେଷ୍ଟରଙ୍କୁ ସମ୍ପାଦକ କରାଯିବା ପାଇଁ ବିଜ୍ଞପ୍ତି ଜରି କରାଗଲା । ସେହିପରି ଜଙ୍ଗଲ ଅଧିକାର ଆଇନର ଅନୁପାଳନ ପୂର୍ବକ ଲୋକଙ୍କୁ ସାମୁହିକ ବନ ଅଧିକାର ପ୍ରଦାନ ବଦଳରେ ରାଜ୍ୟ କ୍ୟାବିନେଟ ଅନୁମୋଦନରେ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରି ବିଭାଗ ବନ ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସଫଳ ହେଲେ । ଆଉ ଏବେ କାମ୍ପା ଆଇନ ପ୍ରଣିତ ହେଲାପରେ ଜଙ୍ଗଲ ବିଭାଗର ବଡ ଜିତାପଟ ହୋଇଛି ।

ଏହି ନୂତନ ଆଇନ ଜଙ୍ଗଲ ଅଧିକାର ଆଇନରେ ପ୍ରଦତ୍ତ ଗ୍ରାମସଭାର କ୍ଷମତାକୁ ପ୍ରଭାବିତ କରିବ ଓ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ପୁନଃ ପ୍ରତିଷ୍ଠିତ ହେବ । ଅନେକଙ୍କ ବଳିଦାନ ଓ ଦୃଢ ଆନ୍ଦୋଳନ ଫଳରେ ପ୍ରଣିତ ଜଙ୍ଗଲ ଅଧିକାର ଆଇନ, ସୁଫଳ ମିଳିବା ପୂର୍ବରୁ କ୍ଷମତାଲୋଭି ପ୍ରଶାସନର ଚକ୍ରବ୍ୟୁହରେ ଆବଦ୍ଧ । ଆଇନ ପ୍ରଣୟନ ହେଲା ପରେ ଢିଲା ପଡି ଯାଇଥିବା ଜନ ଆନ୍ଦୋଳନ ପୁଣି ସକ୍ରିୟ ନହେଲେ ଜଙ୍ଗଲ ଅଧିକାର ଯୁଗର ଅବଶାନ ହିଁ ହେବ ।

ଘାସିରାମ ପଣ୍ଡା :

This website uses cookies.