ଓଡିଶା ନ୍ୟୁଜ/ Odisha News
ଅପରାଧ

ନିରୁଦ୍ଦିଷ୍ଟ ଶିଶୁ – ଅନିଶ୍ଚିତ ଭବିଶ୍ୟତ

ନିରୁଦ୍ଦିଷ୍ଟ ଶିଶୁ - ଅନିଶ୍ଚିତ ଭବିଶ୍ୟତ

ଖରା ଛୁଟିରେ ଦିପହର ଖରାରେ ନବୁଲି ଟିକେ ଶୋଇ ପଡିବାକୁ ମାଁ ଆକଟ କଲାବେଳେ ପିଲା ଚୋର ବୁଲୁଥିବା କଥା କହି ଅନେକ ଥର ଡରେଇଛି । ଗାଁ ଭାଗବତ ଟୁଙ୍ଗିରେ ଲୋକେ ପଲ୍ଲୀ ରୁ ଦିଲ୍ଲୀ ବିଷୟରେ ଆଲୋଚନା କଲାବେଳେ କେଉଁ ଦୂର ଗାଁରେ କାହା ଘର ଛୁଆ ଆଜି ଦିପହରେ ଆମ୍ବତୋଟାକୁ ଖେଳିବାକୁ ଯାଇ ଆଉ ଫେରି ନଥିବା ଘଟଣାର ଆଲୋଚନା ପିଲା ଚୋରର ଉପସ୍ଥିତିକୁ ଦୃଢ କରୁଥିଲା ।

ସେତେବେଳେ ନିଜକୁ ପିଲା ଚୋର ନେଇଯିବ ବୋଲି ଭୟଥିଲା । ଆଜି ବି ‘ମୂଖମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ପାଂଚ ଶିଶୁ’ ଭଳି ଖବର ପିଲା ଚୋରିର ଭୟକୁ ଉଦଯିବିତ କରୁଛି । ନିରାପଦ ଓ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର । ଏହା ସୁନିଶ୍ଚିତ ହେଲେ ‏‏ଯାଇ ଅନ୍ୟ ଅଧିକାର ଯଥା ବଂଚିବା , ବିକାଶ ଓ ଅଂଶ ଗ୍ରହଣର ଅଧିକାର ସାବ୍ୟସ୍ତ ହୋଇ ପାରିବ । ହେଲେ ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରତିଟି ସ୍ତରରେ ଅନେକ ଶିଶୁ ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି ।

ଭୃଣ ହତ୍ୟା କାରଣରୁ ଅନେକେ ତ ମାତୃ ଗର୍ଭରୁ ନିରୁଦ୍ଦିଷ୍ଟ । ବଡ ହେଲା ପରେ ବି ଅପରାଧିର ଲୋଲୁପ ଦୃଷ୍ଟିରୁ ଏମାନେ ବାଦ ପଡୁ ନାହାନ୍ତି । ଚାରି ପାଖେ ପାଚେରି ଘେରା ଡାକ୍ତରଖାନାରୁ କେତେବେଳେ ଏମାନେ ଚୋରି ହେଉଛନ୍ତି ତ ଆଉ କେତେବେଳେ ସମସ୍ତଙ୍କ ଆଖି ଆଗରେ ଖୋଲା ବସରେ ଅପରାଧି ପିଲାଙ୍କୁ ନେଇ ଚାଲିଯାଉଛି । ବେଳେ ବେଳେ କିଛି ସଚେତନ ନାଗରିକଙ୍କ ପ୍ରୟାସରେ ହୁଏତ ଏମାନେ ଧରା ପଡୁଛନ୍ତି ଓ ଏହା ଲୋକଲୋଚନକୁ ଅସୁଛି ।

ସେତିକିବେଳେ ସାମୟିକ ଭାବେ ପ୍ରାଶାସନ ଚେଇଁ ପଡୁଛି । ହେଲେ ପରବର୍ତ୍ତି ଅବସ୍ଥାରେ ଯାହା ଥିଲା ସେମିତି ଚାଲୁଛି । ସରକାରଙ୍କ ନିଜ ତଥ୍ୟକୁ ଅବଲୋକନ କଲେ ଏକଥା ଧରା ପଡିଯାଉଛି । ଉଚ୍ଚତମ ନ୍ୟୟାଳୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏ ସଂକ୍ରାନ୍ତିୟ ତଥ୍ୟ ଆଦାନ ପ୍ରଦାନ ପାଇଁ ଏକ ୱେବ ପୋର୍ଟାଲ (ଷଗ୍ଧଗ୍ଧକ୍ଟ୍ର://ଗ୍ଧକ୍ସବମଳଗ୍ଧଷରଜ୍ଞସଗ୍ଦଗ୍ଦସଦ୍ଭଶମଷସକ୍ଷୟ.ଶକ୍ଟଙ୍ଖ.ସଦ୍ଭ) ପରିଚାଳନା କରୁଛନ୍ତି ।

ଏଥିରେ ପ୍ରଦତ୍ତ ସୁଚନା ଅନୁସାରେ ଓଡିଶାରେ ଏବେ ପ୍ରାୟ ଆଠ ହଜାର ପିଲା ନିରୁଦ୍ଦିଷ୍ଟ ଥିବାବେଳେ ମାତ୍ର ଚାରି ହଜାରଙ୍କୁ ଉଦ୍ଧାର କରାଯାଇ ପାରିଛି । ଗତ ଗୋଟିଏ ବର୍ଷରେ ୯୭୦ ଜଣ ନିରୁଦ୍ଦିଷ୍ଟ ହୋଇଛନ୍ତି ଓ ୩୨୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଗତ ତରିଶ ଦିନ ଭିତରେ ୬୪ ପିଲା ନିରୁଦ୍ଦିଷ୍ଟ ଥିବା ବେଳେ ୨୩ ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ଆଂଶିକ ସତ୍ୟ ଭାବେ ନିଆଯାଇ ପାରେ କାରଣ ଏହା ରାଜ୍ୟର ସାମଗ୍ରିକ ତଥ୍ୟ ନୁହେଁ ।

ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଓଡିଶା ସରକାରଙ୍କୁ ଜାନୁୟାରୀ ୫ ତାରିଖରେ ଦିଆଯାଇ ଥିବା ପତ୍ରରେ ଏକଥା କ୍ଷୋଭର ସହ ଉଲ୍ଲେଖ ଅଛି ଯେ, ରାଜ୍ୟର ସମ୍ପୁର୍ଣ୍ଣ ତଥ୍ୟ ୱେବ ସାଇଟରେ ଦିଆଯାଉ ନାହିଁ । ରାଜ୍ୟରେ ୭୧୮ ଥାନା ଥିବାବେଳେ ମାତ୍ର ୫୦୯ଟି ରୁ ତଥ୍ୟ ଉପଲବ୍ଧ ହେଉଛି ।

ସେହିପରି ୪୩୦ଟି ଶିଶୁ ପ୍ରଜତ୍ନ ଅନୁ ।ନରୁ ୩୦୦, ୩୧ ଶିଶୁ ମଙ୍ଗଳ କମିଟିରୁ ୧୧ଟି ତଥ୍ୟ ଦେଉଥିବା ବେଳେ କୌଣସିବି କିଶୋର ନ୍ୟୟ ବୋର୍ଡରୁ ତଥ୍ୟ ଅସୁନାହିଁ । ଏହା ଭିତରେ ସ୍ଥିତିରେ ବିଶେଷ ଉନ୍ନତି ହୋଇଥିବା ଭଳି ମନେହେଉ ନାହିଁ । ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ପାଇଁ ଆମର ପ୍ରସ୍ତୁତି ଓ ସମ୍ବେଦନଶୀଲତାକୁ ଏହା ସୁଚାଉଛି ।

୨୦୧୫ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ ଏକଥାକୁ ଉଲ୍ଲେଖ କରି ପୂର୍ବ ଭାରତରେ ନିରୁଦ୍ଦିଷ୍ଟ ଶିଶୁଙ୍କ ସଂଖ୍ୟା ଆଧାରରେ ଓଡିଶା, ପଶ୍ଚିମ ବଙ୍ଗ ପରେ ଦ୍ୱିତୀୟ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଅଧିକ ଝିଅ ନିରୁଦ୍ଦିଷ୍ଟ ହେଉଥିବା ବେଳେ ସମ୍ବଳପୁରରୁ ଅଧିକ ପୁଅ ହଜିଛନ୍ତି । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, ଭଦ୍ରକ ପ୍ରଭୃତି ଏ କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା ।

ନିରୁଦ୍ଦିଷ୍ଟ ପିଲାଙ୍କ ଭିତରେ ବାଳିକା ମାନଙ୍କ ସଂଖ୍ୟା ଅଧିକ । ରାଜ୍ୟ ନିୟନ୍ତ୍ରକ ଓ ମହାଲଖୋ ପରୀକ୍ଷକ (ସିଏଜି) କହିଛନ୍ତି ଯେ, ୨୦୦୯ ରୁ ୨୦୧୩ ମସିହା ଭିତରେ ରାଜରେ ପ୍ରାୟ ୧୧୫୫୨ ପିଲା ନିରୁଦ୍ଦିଷ୍ଟ ହେବାର ରିପୋର୍ଟ ହୋଇଛି ଓ ତାଭିତରୁ ୮୨୬୪ କେବଳ ବାଳିକା । ତେବେ ଚିନ୍ତାର ବିଷୟ ଝିଅ ପିଲା ନିରୁଦ୍ଦିଷ୍ଟ ହେବା ପ୍ରତି ବର୍ଷ ବଢୁଛି ।

୨୦୦୯ ମସିହାରେ ଏମାନଙ୍କ ସଂଖ୍ୟା ୯୧୦ ଥିବା ବେଳେ ୨୦୧୩ ରେ ଏହା ୨୦୦୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଶସ୍ତା ଶ୍ରମ, ଭିକ ମଗେଇବା, କମ ବୟସର ଝିଅଙ୍କୁ ବାହା ହେବା ପାଇଁ ବିକ୍ରି କରିବା , ବେଶ୍ୟା ବୃତ୍ତି କରେଇବା ପ୍ରଭୃତି କାର୍ଯ୍ୟରେ ନିରୁଦ୍ଦିଷ୍ଟ ପିଲାଙ୍କୁ ଲଗାଯାଏ । ହୁଏତ ଟ୍ରାଫିକରେ ଭିକ ମାଗୁଥିବା ଅବସ୍ଥାରେ ଆମେ ଭେଟୁ ଥିବା ପିଲାଟି କେଉଁ ଏକ ଅଞ୍ଚଳରୁ ଚୋରି କରାହୋଇ ଅଣାହୋଇଥିବ !

ଅପରେସନ ମୁସ୍କାନ ଭଳି ଅଭିଯାନ ମାଧ୍ୟମରେ ଓଡିଶା ପୋଲିସ ବିଭିନ୍ନ ସମୟରେ ପିଲାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପ୍ରକ୍ରୟାରେ ପୋଲିସକୁ କ୍ରମାଗତ ସଫଳତା ମିଳିଛି । ୨୦୧୨ -୧୩ ରେ ଏହା ମାତ୍ର ୨୮ ଶତକଡା ଥିବାବେଳେ ୨୦୧୪ – ୧୫ ବେଳକୁ ବୃଦ୍ଧି ପାଇ ୬୦ ଶତକଡାକୁ ପହଁଚିଛନ୍ତି । ହେଳେ ପରିତାପର ବିଷୟ ନିରୁଦ୍ଧିଷ୍ଟ ହେଉଥିବା ଶିଶୁଙ୍କ ହାର କମେଇବାର ପ୍ରୟାସ ଦୃଷ୍ଟିଗୋଚର ହେଉନାହିଁ ।

ପିଲା ଚୋରି କରିବା ଟଙ୍କା, ସୁନା ପରି ନିର୍ଜିବ ବସ୍ତୁ ଚୋରି କରିବା ଭଳି ସହଜ ନୁହେଁ । ଏହା ସତ୍ତେ୍ୱ ଆମ ପୋଲିସ ଚୋରି କରୁ ଥିବା ଦଳକୁ ଠାବ କରି ପାରୁନାହିଁ । ଗୁଇନ୍ଦା ପୋଲିସର ଦକ୍ଷତାକୁ ନେଇ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷରେ ନିରାପଦ ଓ ସୁରକ୍ଷିତ ପରିବେଶକୁ ନେଇ ସଚେତନତା ସୃଷ୍ଟିରେ ମଧ୍ୟ ଆମେ ସେପରି ଆଗେଇ ନାହୁଁ । ଗତ ପାଞ୍ଚ ବର୍ଷ ହେଲା ଓଡିଶାରେ ସମନ୍ୱୀତ ଶିଶୁ ସୁରକ୍ଷା ଯୋଜନା କାର୍ଯକାରୀ ହେଉଛି ।

ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଜିଲ୍ଲା ଶିଶୁ ଶୁରକ୍ଷା ୟୁନିଟ ପ୍ରଭୃତି ଗଠନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ଆମେ ଯଥେଷ୍ଟ ଆଗରେ । ହେଲେ ଏପର୍ଯ୍ୟନ୍ତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ପାରିନାହିଁ । ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ କମିଟି ଗଠିତ ହୋଇଥିଲେ ବି ସକ୍ରିୟ ନାହାନ୍ତି । ଅସୁରକ୍ଷିତ ପରିବେଶରୁ ଶିଶୁଙ୍କୁ ଉଦ୍ଧାର କରିବାରେ ‘ଚାଇଲଡ ଲାଇନ’ ଗୁରୁତ୍ୱପୂର୍ଣ୍ଣ ଭୂମୀକା ଗ୍ରହଣ କରୁଛି ।

ହେଲେ ଅନେକ ଜିଲ୍ଲାରେ ଏହା ନଥିବାରୁ ବିପଦଶଙ୍କୁଳ ଶିଶୁଙ୍କୁ ତକ୍ରାଳ ଉଦ୍ଧାର ସମ୍ଭବ ହେଉନାହିଁ । ନିରୁଦ୍ଦିଷ୍ଟ ଶିଶୁଟିଏ କେବଳ ନିଜର ଅନିଶ୍ଚିତ ଭବିଶ୍ୟତ ଆଡକୁ ଯାଏ ନାହିଁ, ଦେଶର ଭବିଶ୍ୟତ ମଧ୍ୟ ଅନ୍ଧକାରାଛନ୍ନ ହୁଏ । ପ୍ରତ୍ୟେକ ଗ୍ରାମରେ ଶିଶୁ ସୁରକ୍ଷା କମିଟି ଗଠନ ସହିତ ନିରାପଦ ଓ ସୁରକ୍ଷିତ ଶୈଶବ ସମ୍ପର୍କିତ ଅଲୋଚନା ଓ ସଚେତନତା ଶିଶୁ ସୁରକ୍ଷା କ୍ଷେତ୍ରରେ ଏକ ଦୃଢ ପଦକ୍ଷେପ ହେବ ।

Leave a Reply

This site uses Akismet to reduce spam. Learn how your comment data is processed.