ପ୍ରାଥମିକ ଶିକ୍ଷା ଓ ଫେଲ ପ୍ରସଙ୍ଗ

ଶିକ୍ଷା ଅଧିକାର ଆଇନରେ କୌଣିସି ପିଲାକୁ ସେହି ସମାନ ଶ୍ରେଣୀରେ ଅଟକ ରଖାଯିବାକୁ ବାରଣ କରାଯାଇଛି । ଅର୍ଥାତ ପିଲାଟି ଥରେ ନାମ ଲେଖାଇଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶ୍ରେଣୀକୁ ପ୍ରତି ବର୍ଷ ଆପେ ଉନ୍ନୀତ ହୋଇ ଚାଲିବ । ଅନେକଙ୍କ ଧାରଣା ଯେ ଏଥିରେ ଯେହେତୁ ଭଲ ଆଉ ଖରାପ ଭତରେ ଛଟେଇ ହେଉନାହିଁ, ସମସ୍ତଙ୍କୁ ଖରାପ କରିଦେଉଛି । ଏଣୁ କିଛି ଶିକ୍ଷକ, ଶିକ୍ଷା ପ୍ରଶାସକମାନେ ମଧ୍ୟ ଏହାକୁ ବିରୋଧ କରୁଥିବା ନଜରକୁ ଆସିଛି ।

ଶିକ୍ଷା ଅଧିକାର ଆଇନର ଏହି ଧାରାରେ ପରିବର୍ତ୍ତନ କରାଯାଇ ପୂର୍ବ ପରି ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା କରିବାକୁ କିଛି ରାଜ୍ୟରେ ପ୍ରସ୍ତାବ ବିଚାରାଧିନ ଅଛି । ଆମ ରାଜ୍ୟରେ ଗଣ ଶିକ୍ଷା ବିଭାଗ ମଧ୍ୟ ଏମିତି ବିଚାର କରୁଥିବା ଗଣ ମାଧ୍ୟମରେ ଚର୍ଚାକୁ ଆସିଥିବା ବେଳେ ଏହି ଆଲେଖ୍ୟ ଆଲୋଚନାର ଆଉ ଏକ ଦିଗ ଉପରେ ଆଲୋକପାତ କରିବ । ନିକଟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହୋଇଥିବା ବାର୍ଷିକ ପରୀକ୍ଷାରେ ଏମିତି କିଛି ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି ।

ପ୍ରାଥମିକ ସ୍ତରରେ ପ୍ରଶ୍ନ ପତ୍ର ପ୍ରସ୍ତୁତି, ଲିଖିତ ପରୀକ୍ଷା ଖାତାକୁ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ମୂଲ୍ୟାଙ୍କନ କରିବା ପ୍ରଭୃତି ଏଥର ଦେଖିବାକୁ ମିଳିଥିଲା । ହୁଏତ ଉଦ୍ଦେଶ୍ୟ ଥିଲା ପରୀକ୍ଷା ମାଧ୍ୟମରେ ପିଲାଙ୍କ ପ୍ରକୃତ ଶିକ୍ଷଣ ଦକ୍ଷତାକୁ ପରଖିବା ।

ହେଲେ ଯଥେଷ୍ଟ ସମୟ ଆଗରୁ ପ୍ରଶ୍ନପତ୍ର ପ୍ରଘଟ, କଳାପଟା ଓ ପରୀକ୍ଷାଖାତାରେ ଉତ୍ତର ଲେଖି ପରୀକ୍ଷା କରେଇବା ଭଳି ଘଟଣା ଅନେକ ଜାଗାରେ ଲୋକଲୋଚନକୁ ଆସିଛି । ତୁତ ମୁତୁରି ମୁତ ମୁତୁରି ନ୍ୟାୟରେ କଥାଟି ଜଣା ଅଥଚ ଅଜଣା ହୋଇ ରହିଯାଇଛି । ଅ- ଆ , ଯୋଗ- ବିୟୋଗ ଭଳି ସର୍ବ ନିମ୍ନ ଶିକ୍ଷଣ ପିଲାଙ୍କର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗର ଶରବ୍ୟ ହେଉଥିବା ଶିକ୍ଷା ବିଭାଗ ହୁଏତ ଏଥିରୁ ମୁକୁଳିବାକୁ ଏପରି କରିଥାଇ ପାରନ୍ତି ।

ହେଲେ ଏମିତି ସ୍ଥିତିରେ ପିଲାଙ୍କ ଜ୍ଞାନ ଓ ଦକ୍ଷତା ପରୀକ୍ଷା କରାଗଲା ନା ଶିକ୍ଷକମାନେ ଅପଦସ୍ତ ହେଲେ ଏହା ବୁଝିବା ଲୋକ ଠିକ ବୁଝି ପରୁଥିବେ! ଶିକ୍ଷା ଅଧିକାର ଆଇନର ଏହି ବ୍ୟବସ୍ଥାକୁ ବିରୋଧ କରିବାର ପ୍ରମୁଖ ଯୁକ୍ତି ହେଉଛି ଯେ, ଏହା ଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି । କହିବାକୁ ଗଲେ ପୁର୍ବ ଶ୍ରେଣୀର ପାଠ ଜାଣି ନଥିବା ପିଲା ପରବର୍ତ୍ତି ଶ୍ରେଣୀକୁ ଉନ୍ନିତ ହେଲେ ସ୍ଥିତି ଆହୁରି ଖରାପ ହେଉଛି । ଏହା ପ୍ରକୃତ କଥା ।

ତେବେ ଏହାରି ଆଳରେ ପିଲାଙ୍କୁ ଫେଲ କରାଯିବାର ଯୁକ୍ତି ଗ୍ରହଣୀୟ ନୁହେଁ । କାରଣ ଶିକ୍ଷା ଅଧିକାର ଆଇନରେ ପିଲାଙ୍କୁ ଅଟକ ନରଖିବା କଥା କୁହାଯାଇଥିଲେ ହେଁ ମୂଲ୍ୟାୟନକୁ ବନ୍ଦ କରିବାକୁ କୁହାଯାଇ ନାହିଁ । ଏହି ଆଇନ ଆନୁଯାୟୀ ନିରନ୍ତର ପ୍ରକ୍ରୟାରେ ପିଲାଙ୍କ ମୂଲ୍ୟାୟନ କରାଯିବା କଥା କୁହାଯାଇଛି । ପ୍ରତ୍ୟେକ ଶ୍ରେଣୀର ଏକ ସର୍ବନିମ୍ନ ଶିକ୍ଷଣ ସ୍ତର ଧାର୍ଯ୍ୟ କରାଯାଇଛି । ତାରି ଆଧାରରେ ଶିକ୍ଷକ ପିଲାଙ୍କୁ ପଢେଇବେ ଓ ନିରନ୍ତର ଭାବେ ମୂଲ୍ୟାୟନ ମଧ୍ୟ କରିବେ ।

ଯେକୌଣସି ମୂହୁର୍ତ୍ତରେ ପିଲାଟି ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷଣ ସ୍ତରରୁ ନିମ୍ନକୁ ଯାଉଥିବାର ଅନୁଭବ ହେଲେ ସେଥିପାଇଁ ସ୍ୱତନ୍ତ୍ର ଶିକ୍ଷାର ପ୍ରବଧାନ କରିବେ । ପ୍ରକୃତ ପକ୍ଷେ ‏ଯଦି ନିରନ୍ତର ମୂଲ୍ୟାୟନ ହେଉଥିବ ତାହେଲେ ବାର୍ଷିକ ପରୀକ୍ଷା କରାଯାଇ ଫେଲ କରିବାର ଆବଶ୍ୟକତା ପଡିବ ନାହିଁ । ଶିକ୍ଷା ଅଧିକାର ଆଇନରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ସର୍ବନିମ୍ନ ମାନ ନିର୍ଦ୍ଧାରଣ କରାଯାଇଛି । ଏଥିରେ ଶ୍ରେଣୀ କକ୍ଷ, ଶୌଚାଳୟ, ଶିକ୍ଷକ ଛାତ୍ର ଅନୁପାତ, କାର୍ଯ୍ୟ ଦିବସ ଓ ସମୟ ନିର୍ଘଣ୍ଟ, ଗ୍ରନ୍ଥାଗାର, ଖେଳପଡିଆ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ହେଲେ ବିଭିନ୍ନ ଆକଳନ ଅନୁଯାୟୀ ମାତ୍ର ଚାରି ଶତକଡା ସରକାରୀ ବିଦ୍ୟାଳୟ ଏହି ମାନ ପୁରଣ କରିପାରଛନ୍ତି । ଏବେ ବି ବିଦ୍ୟାଳୟରେ ତାଲିମ ପ୍ରାପ୍ତ ଶିକ୍ଷକ ନାହାନ୍ତି । ତିରିଶ ଭାଗରୁ ଅଧିକ ବିଦ୍ୟାଳୟକୁ ପାଠ୍ୟ ପୁସ୍ତକ ପହଞ୍ôଚ ପାରିନାହିଁ । ଶୌଚାଳୟର ଅଭାବରୁ ମାସିକ ଋତୁଶ୍ରାବ ସମୟରେ ଝିଅ ମାନେ ଅନୁପସ୍ଥିତ ରହୁଛନ୍ତି । ବାଧାହିନ ବ୍ୟବସ୍ଥା ନଥିବା କାରଣରୁୁ ଅନେକ ଭିନ୍ନକ୍ଷମ ବିଦ‏୍ୟାଳୟକୁ ଅସୁନାହାନ୍ତି ।

ଏପରି ସ୍ଥଳରେ ଆମେ ଗୁଣାତ୍ମକ ଶିକ୍ଷା କିପରି ଆଶା କରିବା? ପ୍ରଥମରେ ଆମେ ଏସବୁ ବ୍ୟବସ୍ଥାରେ ସୁଧାର ଆଣିବା ଓ ତାପରେ ପିଲାଙ୍କୁ ଦାୟୀ କରି ପାରୀକ୍ଷା କଲେ ଯୁକ୍ତିଯୁକ୍ତ ମନେ ହେବ । ଅନ୍ୟଥା ମୁଣ୍ଡ ବ୍ୟଥା ପାଇଁ ମୁଣ୍ଡ କାଟ କଲା ଭଳି କଥା ହେବ । ଗୁଣାତ୍ମକ ଶିକ୍ଷା ଓ ଶିକ୍ଷଣ ସ୍ତରକୁ ସୁନିଶ୍ଚିତ କରିବାର ଆଉ ଏକ ଦିଗ ହେଲା ନିରନ୍ତର ତଦାରଖ କରିବା । ବିଦ୍ୟାଳ଼ୟ ସ୍ତରରେ ତଦାରଖ ଓ ସହାୟତା ପାଇଁ ସର୍ବ ଶିକ୍ଷା ଅଭିଯାନ ବ୍ୟବସ୍ଥାରେ ସିଆରସିସି ଓ ବିଆରସିସି ନିଯୁକ୍ତ ହୋଇଛନ୍ତି ।

ରାଜ୍ୟସ୍ତରରୁ ଏକ ସ୍ୱତନ୍ତ୍ର ତଦାରଖ ବ୍ୟବସ୍ଥା ‘ସମୀକ୍ଷା’ ଓଡିଶା ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକାରୀ ହେଉଛି । ନୀୟମାନୁଯାୟୀ ପ୍ରତ୍ୟେକ ସିଅରସିସି ଅତିକମରେ ମାସରେ ଦଶଟି ବିଦ୍ୟାଳୟକୁ ପରିଦର୍ଶନ କରିବେ ଓ ସେହି ବିଦ୍ୟାଳୟରେ ଦିନଟିଏ କାଟିବେ । ନିଜେ ପାଠ ପଢେଇବେ ଓ ଅନ୍ୟ ଶିକ୍ଷକମାନେ ଶ୍ରେଣୀରେ ପଢାଉଥିବା ବେଳେ ଅନୁଧ୍ୟାନ କରିବେ । ସେହିପାରି ବିଆରସିସି, ଜିଲ୍ଲା ଶିକ୍ଷାଧିଶ ପ୍ରଭୃତିଙ୍କପାଇଁ ତଦାରଖର ନିର୍ଦ୍ଦିଷ୍ଟ ଉତ୍ତରଦାୟୀତ୍ୱ ଧାର୍ଯ୍ୟ ହୋଇଛି ।

ପିଲାଙ୍କୁ ପରୀକ୍ଷା କରିବା ପୁର୍ବରୁ ଆମର ଏହି ବ୍ୟବସ୍ଥାର ପରୀକ୍ଷା ହେବା ଆବଶ୍ୟକ । ଅନ୍ୟଥା ବ୍ୟବସ୍ଥାର ଦୋଶ ଘୋଡାଇବାକୁ ଯାଇ ପିଲାଙ୍କୁ ଦାୟୀ କରାଯିବା ଘୋର ଅନ୍ୟାୟ ହେବ । ସାମାଜିକ ଅସମାନତା, ଅସ୍ପୃଶ୍ୟତା, ଦାରିଦ୍ର୍ୟ ପ୍ରଭୃତି କାରଣରୁ ଏବେବି ଅନେକ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି । ଅନେକ ପ୍ରୟାସର ଫଳ ସ୍ୱରୁପ ଏମାନଙ୍କ ଭିତରେ ବିଦ୍ୟାଳୟକୁ ଫେରିବାର ଆଗ୍ରହ ବଢୁଛି । ଏପରି କ୍ଷେତ୍ରରେ ଯେଉଁମାନେ ବିଦ୍ୟାଳୟ ଆସିବରେ ‘ପ୍ରଥମ ପିଢି’ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

ଗୋଟିଏ ଶ୍ରେଣୀରେ ବାରମ୍ବାର ଅଟକ ରଖିଲେ ଏହାର ମାନସିକ ପ୍ରଭାବ ପିଲାଙ୍କ ଉପରେ ପଡେ ଓ ଅଧାରୁ ପାଠ ଛାଡିବାର ଏହା ଏକ ପ୍ରମୁଖ କାରଣ । ବିଦ୍ୟାଳୟ ପରିବେଶକୁ ଆକର୍ଷଣୀୟ ଓ ଶିଶୁ କୈନ୍ଦ୍ରିକ କରି ଗଢି ତୋଳିବାର ଉତ୍ତରଦାୟୀତ୍ୱ ଆମ ସମସ୍ତଙ୍କର । ଏଥିରେ ଆମେ ପାସ ହେଲେ ପିଲାଙ୍କୁ ଫେଲ କରିବାର ଅବଶ୍ୟକତା ରହିବ ନାହିଁ ।

ଘାସିରାମ ପଣ୍ଡା :

This website uses cookies.