ଲୋକପ୍ରିୟତା ବ୍ୟାକୁଳ ରାଜନୀତି ଓ ମାଗଣା ମାନସିକତା

ରାଜନୀତିରେ ଲୋକପ୍ରିୟ ହେବା ପାଇଁ ପ୍ରୟାସ କରିବାରେ କିଛି ଅସ୍ୱଭାବିକତା ନାହିଁ । ଗଣତନ୍ତ୍ରରେ ଲୋକପ୍ରିୟତାର ଆଧାର ଶାସନ କ୍ଷମତାରେ ରହିବା ନରହିବା କୁ ଧାର୍ଯ୍ୟ କରେ । ଫଳସ୍ୱରୂପ ରାଜନୈତିକ ଦଳ ମାନେ ଲୋକପ୍ରିୟ ହେବା ପାଇଁ କୌଣସି ବି ପଦକ୍ଷେପ ନେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଶାସନରେ ଥିବା ଦଳ ପାଖରେ ରାଜ୍ୟ ତହବିଲରୁ ଖର୍ଚ କରିପାରିବାର ଅବକାଶ ଥିବାରୁ, ସେମାନଙ୍କୁ ଏ ସୁଯୋଗ ଅଧିକ ମିଳେ ।

ଆମ ରାଜ୍ୟ ଏହାର ପ୍ରକୃଷ୍ଟ ଉଦାହରଣ । ଗତ କିଛି ବର୍ଷରେ ଛତା – ଯୋତା ରୁ ଆରମ୍ଭ କରି ଆହାର – ବିହାର ପର୍ଯ୍ୟନ୍ତ ସବୁ ପ୍ରକାରର ମାଗଣା ସୁବିଧା ଜନସାଧାରଣଙ୍କୁ ଯୋଗେଇ ଦିଆଯାଉଛି । ବର୍ତ୍ତମାନର ହବିଶିଆଳୀ ଓ ତିର୍ଥ ଯାତ୍ରା ଭଳି କିଛି ଯୋଜନା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଛି । ଏପରିକି ହବିଶିଆଳୀ ଯୋଜନାରେ ରହିବା, ଖାଇବା ସହ ପୂଜାପାଠ ଓ ପ୍ରବଚନର ବ୍ୟବସ୍ଥା ମଧ୍ୟ ସରକାର ମାଗଣାରେ କରିଛନ୍ତି ।

ସମାଲୋଚକଙ୍କ କହିବା କଥା, ଆଗକୁ ପଂଚାୟତ ନିର୍ବାଚନ ଅଛି ତେଣୁ ସରକାର ବିଧବା ମହିଳା ଓ ଗ୍ରାମାଞ୍ଚଳର ଧର୍ମପ୍ରାଣ ବ୍ୟକ୍ତିଙ୍କୁ ଖୁସି କରିବାର ମୌକା ହାତଛଡା କରିବାକୁ ଚାହୁଁ ନାହିନ୍ତି ! ହେଲେ ଏହା ସରକାରଙ୍କ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ‘ଧନ ଅର୍ଜନେ ଧର୍ମ କରି’ । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର । ପରଧନରେ ଧର୍ମ କଲେ ପୁଣ୍ୟ ଅର୍ଜନ ହୁଏ ନାହିଁ ବୋଲି ଧାର୍ମିକ ମତ ଅଛି ।

ବରଂ ଖର୍ଚ କରିଥିବା ଲୋକ ସେହି ପୁଣ୍ୟର ଅଧିକାରୀ ହୁଏ ବୋଲି ବିଶ୍ୱାସ କାରାଯାଏ । ଏବେ ହବିଷିଆଳି ଓ ଏହି ତିର୍ଥ ଯାତ୍ରିଙ୍କ ପୂଣ୍ୟ କାହାର ହେବ ତାହା ଭଗବାନ କହିବେ ! ଅଉ ଏକ କଥା ହେଲା ପୁରୁଷ ପ୍ରଧାନ ସାମାଜରେ ପ୍ରଥା ଓ ପରମ୍ପରା ମାଧ୍ୟମରେ ମହିଳାଙ୍କୁ ସର୍ବଦା ନିୟନ୍ତ୍ରଣ କରାଯାଇଛି । ହବିଶ ତାରି ଏକ ଅଂଶ ବିଶେଷ । ସ୍ୱାମୀ ମରିଗଲେ ସ୍ତ୍ରୀ ପାଇଁ ଏହା ଯେତିକି ପ୍ରଜୁଯ୍ୟ, ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ପାଇଁ ସେପରି ସାମାଜିକ ବାଧ୍ୟ ବାଧକତା ନାହିଁ ।

ସ୍ତ୍ରୀର ଦେହାନ୍ତରେ ସ୍ୱାମୀର ପୁନଃ ବିବାହ ପାଇଁ ସମାଜ ସ୍ୱୀକୃତି ଦେବ ଅଥଚ ପୁରୁଷର ଆବର୍ତ୍ତମାନରେ ସ୍ତ୍ରୀକୁ ହବିଶ, ଉପବାସ ମାଧ୍ୟମରେ ମାନସିକ ଓ ଶାରିରୀକ ଭାବେ ନିୟନ୍ତ୍ରଣ କରିବ । ଏପରି ଏକ ଋଢିବାଦି ସମାଜିକ ବ୍ୟବସ୍ଥାକୁ ଆହୁରି ମଜଭୁଦ କରୁଥିବା ହବିଶିଆଳୀ ଯୋଜନକୁ ସରକାରୀ ପ୍ରୋତ୍ସାହନ କେତେ ମାତ୍ରାରେ ‘ମା କୁ ସମ୍ମାନ’ ତାହା ବିଚାର ଯୋଗ୍ୟ । ‘ଛତର ଖିଆ’ ଓଡିଆଙ୍କ ପାଇଁ କେବଳ ଏକ ଗାଳି ନୁହେଁ ।

ମାଗଣା ମାନସିକତା ବିରୁଦ୍ଧରେ ସ୍ୱାଭିମାନୀ ମନର ଏହା ଏକ ଦୃଢ ପ୍ରତିବାଦ । ସ୍ୱାଭିମାନୀ ମନ ସର୍ବଦା ମାଗି ଖାଇବା ବଦଳରେ କୁଟି ଖାଇବାକୁ ପସନ୍ଦ କରେ । ଅତ୍ମ ନିର୍ଭରଶୀଳ ଲୋକଙ୍କ ଠାରେ ଶାସନ, ପ୍ରସାଶନର ନିଷ୍ପତ୍ତି ଉପରେ ପ୍ରଂଶସା ବା ପ୍ରଶ୍ନ କରବାର ସାହସ ଓ ସ୍ୱାଧିନତା ଥାଏ । ସମାଲୋଚନାକୁ ସହ୍ୟ କରିବାର ମାନସିକତା ନଥିବା ଶାସକ ବର୍ଗ କିନ୍ତୁ ଏହା ଚାହାନ୍ତି ନାହିଁ ।

ସମ୍ବଳ ଓ ଶାସନକୁ ସର୍ବଦା ନିଜ ନିୟନ୍ତ୍ରଣ ରଖିବାକୁ ବ୍ୟଗ୍ର ଶାସନ କଳ ଲୋକଙ୍କ ଭିତରେ ଥିବା ସ୍ୱାଭିମାନକୁ ପ୍ରତିମୂହୁର୍ତ୍ତରେ ଦୁର୍ବଳ କରିବାର କୌଣସି ସୁଯୋଗ ହାତଛାଡା କରୁନାହାନ୍ତି । ଗପ ଟିଏ ମନେ ପଡୁଛି । ଜଣେ ମନସ୍ତତ୍ୱ ବିଦ ପାଂଚଟି ମାଙ୍କଡକୁ ଗୋଟିଏ ବଡ ପଞୁରୀରେ ରଖିଲେ । ମଝିରେ ଏକ ନିଶୁଣି ରଖି ତାରି ଉପରେ କିଛି କଦଳି ରଖିଦେଲେ ।

କିଛି ସମୟ ପରେ ଦେଖାଗଲା ସମସ୍ତ ମାଙ୍କଡଙ୍କ ହାତରେ ଗୋଟିଏ ଲେଖାଏଁ କଦଳି ଅଛି । ଯା’ର କଦଳି ସରି ଯାଉଛି ସିଏ ନିଶୁଣିରେ ଚଢି କଦଳି ନେଇ ଆସୁଛି । ଏଥର ମନସ୍ତତ୍ୱ ବିଦ ନୂଆ ଉପାୟ ଟିଏ କଲେ । ଗୋଟିଏ ମାଙ୍କଡ ନିଶୁଣିରେ ଚଢିଲେ ଅନ୍ୟ ଚାରିଜଣଙ୍କ ଉପରେ ଥଣ୍ଡା ପାଣି ଛାଟିଲେ । ପ୍ରଥମେ ମାଙ୍କଡ ମାନେ ଜାଣି ପରିଲେ ନାହିଁ ।

ବାରମ୍ବାର ଏପରି ଘଟିଲା ପରେ ମାଙ୍କଡଙ୍କ ହାବଭାବରେ ପରିବର୍ତ୍ତନ ହେଲା । ସେମାନେ ଅନୁମାନ କଲେ ଯେ, କେହି ନିଶୁଣିରେ ଚଢଲେ ଏପରି ଘଟୁଛି । ଏହାପରେ ଯିଏ ନିଶୁଣି ପାଖକୁ ଗଲା, ପାଣି ମାଡରୁ ବର୍ତ୍ତିବା ପାଇଁ ଅଲଗା ଚାରି ମାଙ୍କଡ ତାକୁ ବାଡେଇଲେ । ଏପରି ହେବାରୁ କୌଣସି ମାଙ୍କଡ ଆଉ ନିଶୁଣି ପାଖକୁ ଗଲେ ନାହିଁ ।

ଏଥର ମନସ୍ତତ୍ୱ ବିଦ ଜଣକ ଗୋଟିଏ ମାଙ୍କଡକୁ ବାହାର କରିଦେଇ ନୁଆ ମାଙ୍କଡଟିଏ ପଞୁରୀରେ ପୁରେଇଲେ । ନୁଆ ମାଙ୍କଡଟି ଏମାନଙ୍କ ମାଡ ତତ୍ୱ ଉପରେ ଅଜ୍ଞ ଥିଲା । ଏଣୁ ମାଙ୍କଡ ପ୍ରବୃତ୍ତିରେ ପାଶିଲା ମାତ୍ରେ କଦଳି ଖାଇବା ଆଶାରେ ନିଶୁଣି ଆଡକୁ ଧାଇଁଲା । ପୁର୍ବ ଅଭ୍ୟାସ ମୁତାବକ ଏବେ ଆଉ ପାଣି ନପକେଇଲେ ବି ପୁର୍ବର ଚାରି ମାଙ୍କଡ ନୂଆ କରି ଆସିଥିବା ମାଙ୍କଡକୁ ବାଡେଇ ପକେଇଲେ । ଏଣୁ ମାଙ୍କଡର କଦଳି ଖାଇବା ନୋହିଲା ।

ଏମିତି ଭାବରେ ଗୋଟିଗୋଟି କରି ସମସ୍ତ ପୁରୁଣା ମାଙ୍କଡଙ୍କୁ ବାହର କରିଦେଇ ନୂଆ ମାଙ୍କଡଙ୍କୁ ମନସ୍ତତ୍ୱ ବିଦ ଜଣକ ପଞୁରୀରେ ପୁରେଇଲେ । ଦେଖାଗଲା ଆଉ କେହି କାହାକୁ ନ ବାଡେଇଲେ ବି କଦଳି ପାଖକୁ କେହି ଯାଉ ନାହାନ୍ତି ଓ ସମ୍ପତ୍ତି ସୁରକ୍ଷିତ ଅଛି । ଏବେ ମନସ୍ତତ୍ୱ ବିଦଙ୍କ ନିୟନ୍ତ୍ରଣରେ କଦଳି ଗୁଡିକ ଥିଲା । ସେ ଯାହାକୁ ଯେତିକି ଦେଉଥିଲେ ସିଏ ସେଥିକି ଖାଉଥିଲା । କହି ପ୍ରତିବାଦ କରୁ ନଥିଲେ ।

ସମସ୍ତଙ୍କ ପାଇଁ ବ୍ୟବସ୍ଥାଟି ଦେହ ସୁହା ହୋଇଯାଇଥିଲା । ଏ କାହାଣି ସହିତ ଆମର ବର୍ତ୍ତମାନର ବିକାଶ ଧାରାର କିଛି ସମ୍ପର୍କ ଅଛିକି? ମାଗଣା ମାନସିକତା ଆମକୁ ଏହି ମାଙ୍କଡଙ୍କ ପରି କରି ଦେଲାଣି କି? ମାଗଣା ମାନସିକତାର ପାଣିଛିଟାରେ ସମ୍ବଳ ଠାରୁ ପ୍ରକୃତ ଅଧିକାରୀଙ୍କୁ ଦୂରେଇ ରଖିବାର ଏହା ଏକ ସୁଚିନ୍ତିତ ସଡଯନ୍ତ୍ର ମନେହୁଏ ।

ଭାରତ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମାଜିକ ସୁରକ୍ଷା ଲୋକଙ୍କର ଅଧିକାର ଓ ଏହାକୁ ଉପଲବ୍ଧ କରେଇବା ସରକାରଙ୍କ ଦାୟୀତ୍ୱ । ସମାଜର କିଛି ଅବହେଳିତ ଓ ଦୁର୍ବଳ ବର୍ଗଙ୍କ ପାଇଁ ଏମିତି କିଛି ବ୍ୟବସ୍ଥାର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି । ହେଲେ ବିକାଶର ମଙ୍ଗ ଧରିଥିବା ଆମର ନେତୃବର୍ଗ ଏହାକୁ ହିଁ ଲୋକପ୍ରିୟତାର ମାର୍ଗ ମନେକଲେ ଶ୍ରମ ଓ ସ୍ୱାଭିମାନର ମହତ୍ୱ୍ୱ ହ୍ରାସ ପାଇଯିବ ।

ଘାସିରାମ ପଣ୍ଡା :

This website uses cookies.