ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୁନ ୨୨ ତାରିଖରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯକ୍ରମର (ଓପେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ୧ ରୁ ୧୫ ଛାତ୍ର ଛାତ୍ରୀ ଥିବା ୨୪୨୫ଟି ବିଦ୍ୟାଳୟ ସମ୍ପର୍କରେ ସରଜମୀନ ତଦନ୍ତ ପୂର୍ବକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବିଦ୍ୟାଳୟ ବନ୍ଦ ପ୍ରକ୍ରିୟାର ପ୍ରଥମ ପାଦ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୫୦୦ ବିଦ୍ୟାଳୟ ବନ୍ଦ ହୋଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ୫ରୁ କମ ଉପସ୍ଥାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରାଯାଇ ବିଦ୍ୟାଳୟ ବନ୍ଦକୁ ବିରୋଧ କରଯାଇଥିଲା ।

ସ୍ଥାନୀୟ ଅଞ୍ଚଳର ଏହି ଚାପ ଯୋଗୁଁ କିଛି ବିଦ୍ୟାଲୟ ବନ୍ଦ ହେବାରୁ ବର୍ତ୍ତି ଯାଇଥିଲେ । ୨୨ ତାରିଖର ଏହି ଚିଠି ଅନୁସାରେ ଏବେ ସୁଦ୍ଧା ୫ରୁ କମ ଉପସ୍ଥାନ ଥିବା ୨୮ ଓ ୧୦ରୁ କମ ଉପସ୍ଥାନ ଥିବା ୨୩୯ ଟି ବିଦ୍ୟାଳୟ ବନ୍ଦ ହୋଇନାହିଁ । ହେଲେ ଏହି ଆବଶ୍ୟକାତାକୁ ସ୍ୱିକୃତି ଦେବା ପରିବେର୍ତ୍ତେ ଏପର୍ଯନ୍ତ ଏହି ସବୁ ବିଦ୍ୟାଳୟ ବନ୍ଦ ନହେବାକୁ ନେଇ ପ୍ରଶାସନିକ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ବିଦ୍ୟାଳୟ ବନ୍ଦ ହେôବା ଯୋଗୁଁ ପିଲା ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ୧ ଜୁଲାଇ ଓ ୬ ଜୁଲାଇରେ ଓପେପା ପକ୍ଷରୁ ଜାରୀ ହୋଇଥିବା ଦୁଇଟି ଚିଠି ଏହି ସତ୍ୟକୁ ସାବ୍ୟସ୍ତ କରୁଛି । ୧ ଜୁଲାଇର ଚିଠିରେ ୨୪ଟି ଜିଲ୍ଲାର ବନ୍ଦ ହୋଇଥିବା ବିଦ୍ୟାଳୟମାନଙ୍କର ଏକ ତାଲିକା ଦିଆଯାଇଛି । ଏଥିରେ ଦିଆଯାଇଥିବା ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ହେଲା ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ୨୬୧ର ପ୍ରଭେଦ ଥିଲା ।

ହୁଏତ ୨୬୧ ରାଜ୍ୟ ପାଇଁ ବହୁତ ବଡ ସଂଖ୍ୟା ହୋଇ ନପାରେ । ହେଲେ ଜିଲ୍ଲା ସ୍ତରକୁ ଯାଇ ଅନୁଧ୍ୟାନ କଲେ ସୁନ୍ଦରଗଡରେ ୧୬୦ ପିଲା, ସମ୍ବଲପୁରରେ ୫୨ ପିଲାଙ୍କ ହିସାବ ନମିଳିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ପରେ ୬ ତାରିଖରେ ସମାନ ଅଧିକାରୀଙ୍କ ଦ୍ୱାରା ଆଉ ଏକ ପତ୍ର ସମାନ ବିଷୟକୁ ନେଇ ଜାରି ହୋଇଛି । ଏଥିରେ ୨୮ଟି ଜିଲ୍ଲାର ତଥ୍ୟ ଦିଆଯାଇଛି ।

ପରେ ସାମିଲ କରାଯାଇଥିବା ଚାରି ଜିଲ୍ଲା ବାଲେଶ୍ୱର, କଳାହାଣ୍ଟି, କେନ୍ଦୁଝର ଓ ମୟୁରଭଞରେ ବନ୍ଦ ହୋଇଥିବା ବିଦ୍ୟାଳୟର ପିଲା ସଂଖ୍ୟା ଯଥାକ୍ରମେ ୧୮, ୧୮୪, ୧୦୪ ଓ ୧୦୬ । ବିଦ୍ୟାଳୟ ବନ୍ଦ ପରେ ଏ ପିଲାମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଶାସନ ପାଖରେ ନାହିଁ । ଫଳରେ ବନ୍ଦ ହେଉଥିବା ବିଦ୍ୟାଳୟର ପିଲା ସଂଖ୍ୟା ଓ ବନ୍ଦ ପରେ ନିକଟସ୍ଥ ବିଦ୍ୟାଳୟରେ ଦାଖଲ ହୋଇଥିବା ପିଲା ସଂଖ୍ୟାଙ୍କ ଭିତରେ ପ୍ରଭେଦ ୨୬୧ରୁ ବୃଦ୍ଧି ପାଇ ୬୭୩ ହୋଇଛି ।

ଜଗତସିଂପୁର ଓ ମଲକାନଗିରିର ସ୍ଥିତି ଏବେବି ସରକାରଙ୍କ ପାଖରେ ନାହିଁ ! ଏହା ବିଦ୍ୟାଳୟ ବନ୍ଦ ପୂର୍ବ ପ୍ରସ୍ତୁତିରେ ସରକାରଙ୍କ ଭୂମୀକାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରୁଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ସି୍ଥତି, ଗ୍ରାମାଞ୍ଚଳ ଗରୀବ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ଯେତିକି ତତ୍ପର ନାହାନ୍ତି, ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ନେଇ ସେତିକି ବ୍ୟଗ୍ର ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଅତିକମରେ ଦୁଇ ଜଣ ଶିକ୍ଷକ ରହିବେ । କମ ପିଲା ଥିବା ବିଦ୍ୟାଳୟକୁ ବନ୍ଦ କାରାଗଲେ ସରକାର ଏହି ଶିକ୍ଷକ ମାନଙ୍କୁ ଅନ୍ୟ ବିଦ୍ୟାଳୟରେ ନିଯୁକ୍ତି ଦେଇ ପାରିବେ । ଏହା ଦ୍ୱାରା ବିଭାଗର ବ୍ୟୟ ଭାର କମାଯାଇ ପାରିବ । ଆଗାମୀ ଦିନରେ ୨୫ରୁ କମ ଉପସ୍ଥାନ ଥିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ହେବ ।

ଏପରି ହେଲେ ପ୍ରାୟ ୧୨୫୦୦ ବିଦ୍ୟାଳୟ ବନ୍ଦ ହେବ ଓ ସେହି ହାରରେ ବ୍ୟୟ ସଂକୁଚିତ ହୋଇପାରିବ । ତେବେ ବ୍ୟୟ ଭାର କମ କରିବାର ଏହି ଯୋଜନାରେ ପ୍ରଭାବିତ ହେଉଛି କିଏ ? ୧୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟର ଚିଠାକୁ ଦେଖିଲେ ଆଦିବାସୀ ଅଞ୍ଚଳ ଯେପରିକି ରାୟଗଡା, ଗଜପତି, ମାଲକାନଗିରି, କେନ୍ଧୁଝର ଭଳି ଜିଲ୍ଲାମାନେ ବିଶେଷ ପ୍ରଭାବିତ ହେବେ ।

ଗୋଟିଏ ପଟେ ପ୍ରତ୍ୟେକ ଆଦିବାସୀ ଜିଲ୍ଲାରେ କାଉନସିଲ ଗଠନ କରାଯାଇ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଜନା ଓ ଅପରପକ୍ଷେ ଶିକ୍ଷା ପାଇଁ ବ୍ୟୟକୁ ବୋଝ ମନେକରାଯିବା ପରସ୍ପରର ବିରୋଧାଭାସ ।ଶିକ୍ଷା ଅଧିକାର ଆଇନର ତଦାରଖ ଓ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସର୍ବୋଚ୍ଚ ଅନୁ ।ନ । ବିଦ୍ୟାଳୟ ବନ୍ଦ କାରଣରୁ ଅନେକଙ୍କ ଶିକ୍ଷା ଅଧିକାର ବାଧାପ୍ରାପ୍ତ ହେଉଥିବାର ଅନୁଭବ କରି ଆୟୋଗ ଗୋଟିଏ ବର୍ଷ ପୂର୍ବରୁ ଗତ ଜୁନ ୨୪ରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହି ଲେଖକଙ୍କ ଅଭିଯୋଗର ଆଧାରରେ ଶୁଣାଣି କରି ଆୟାଗ ନିଜ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା କରାଯାଉଥିବା ବିଦ୍ୟାଳୟ ବନ୍ଦ ଶିକ୍ଷା ଅଧିକାର ଆଇନରେ ପ୍ରଦତ୍ତ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାରକୁ ପ୍ରଭାବିତ କରୁଛି । ଗରିବ ଘରର ପୁଅ, ଝିଅ ଯେଉଁମାନେ ଦୂର ଗାଁକୁ ପାଠ ପଢିବା ପାଇଁ ଯାଇ ପାରିବେ ନାହିଁ, ଏହା ଦ୍ୱାରା ପ୍ରଭାବିତ ହେବେ ।

ସରାକାରୀ ବିଦ୍ୟାଳୟ ବନ୍ଦ ହେଲେ ନିମ୍ନ ମାନର ବେସରକାରୀ ବିଦ୍ୟାଳୟ ଖୋଲିବ । ଏହା କ୍ରମାନ୍ୱୟରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ । ବିଦ୍ୟାଳୟକୁ ପିଲା ଆସୁନଥିବା ହେତୁ ବନ୍ଦ କରିବା ପାଇଁ ନିଷ୍ପତ୍ତ ନନେଇ, ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ, ପୋଷାକ ଓ ସାଇକଲ ଦିଆଯାଉଥିବା ବେଳେ ପିଲାଙ୍କ ବିଦ୍ୟାଳୟ ବିମୁଖତାର କାରଣ ଖୋଜିବା ଆବଶ୍ୟକ ।

ଶିକ୍ଷା ଅଧିକାର ଆଇନରେ ନିର୍ଦ୍ଧାରିତ ମାନ ଅନୁଯାୟୀ ସରକାରୀ ବିଦ୍ୟାଳୟକୁ ପ୍ରସ୍ତୁତ କରାଗଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ଓ ପିଲା ଅକୃଷ୍ଟ ହେବେ । ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ ବନ୍ଦ ପାଇଁ ପ୍ରସ୍ତାବିତ ପ୍ରତ୍ୟେକ ବିଦ୍ୟାଳୟର ତଦଜନିତ ପ୍ରଭାବ ଆକଳନ କରିବାକୁ ଆୟୁକ୍ତ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବନ୍ଦ କରିବା ପାଇଁ କେବଳ ଉପସ୍ଥାନ ସଂଖ୍ୟାକୁ ଧ୍ୟାନ ଦିଆ ନଯାଇ, ପଢିବା ପାଇଁ ପିଲାଙ୍କୁ କେତେ ଦୂର ଯିବାକୁ ପଡିବ ତାକୁ ବିଚାରକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

କେବଳ ସରାକାରୀ ସ୍ତରରେ ନିଷ୍ପତ୍ତି ନନେଇ ସ୍ଥାନୀୟ ଲୋକ ଅନୁ ।ନ, ଗ୍ରାମ ପଂଚାୟତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ସହ ପାରାମର୍ଶକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି । ପରିତାପର ବିଷୟ ଆୟୁକ୍ତଙ୍କ ନିଦ୍ଦେର୍ଶକୁ ବିଭାଗ ଅଣଦେଖା କରୁଛି । ଶିକ୍ଷା ଅଧିକାର ସୁରକ୍ଷା କ୍ଷେତ୍ରରେ ଶିକ୍ଷା ବିଭାଗ ସେବା ପ୍ରଦାନ କାରୀ ଓ ପିଲା ଅଧିକାରର ଧାରକ । ସେବା ପ୍ରଦାନ କାରୀ ଦାୟିତ୍ୱରେ ଖିଲାପ କଲେ ଆୟୁକ୍ତ ତାଗିଦ ଓ ନିର୍ଦ୍ଦେଶ ଦେବାର ସାମ୍ବୀଧାନିକ ଦାୟୀତ୍ୱ । ବିଦ୍ୟାଳୟ ବନ୍ଦ ଯୋଗୁଁ ୨୮ ଜିଲ୍ଲାରେ ୬୭୩ ଛାତ୍ର ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ଶିକ୍ଷା ଅଧିକାର ଆଇନର ଉଲଂଘନ ।

ବିଭାଗର କୌଣସି ନିଷ୍ପତ୍ତ ଯୋଗୁଁ ଯଦି ୬ ରୁ ୧୪ ବର୍ଷର ଜଣେ ବି ପିଲା ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବାରୁ ବଂଚିତ ହେଲେ ଶିକ୍ଷା ଅଧିକାର ଆଇନର ଉଲଂଘନ ବୋଲି ଧରାଯିବ । ମାନବ ସମ୍ଭଳ ବିକାଶ ପାଇଁ ଶିକ୍ଷା ଆବଶ୍ୟକ । ଏଣୁ ଶିକ୍ଷା ପାଇଁ ବ୍ୟୟକୁ ବୋଝ ବୋଲି ମନେ ନକରି କୌଣସି ବି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଆୟୁକ୍ତଙ୍କ ରାୟର ପାଳନ କଲେ ସାମ୍ବିଧାନିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ଶିକ୍ଷା ଅଧିକାର ସୁରକ୍ଷିତ ହେବ ।

ଘାସିରାମ ପଣ୍ଡା :

This website uses cookies.