ଓଡିଶା ନ୍ୟୁଜ/ Odisha News
ରୋକ ଠୋକ

ଶ୍ରମ ବଜାରରେ ଭିନ୍ନକ୍ଷମ ଅଲୋଡା

ଶ୍ରମ ବଜାରରେ ଭିନ୍ନକ୍ଷମ ଅଲୋଡା

ସମସ୍ତଙ୍କ ସହିତ ଓ ସମସ୍ତଙ୍କ ବିକାଶ ବର୍ତ୍ତମାନ ସରକାରଙ୍କ ସ୍ଲୋଗାନ ହୋଇଥିଲେବି ଭିନ୍ନକ୍ଷମମାନେ ଏହି ‘ସମସ୍ତ’ଙ୍କ ଭିତରେ ବୋଧହୁଏ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି । ସମସ୍ତ ପ୍ରକାରର ଭିନ୍ନକ୍ଷମଙ୍କୁ ଗୋଟିଏ ଭାବରେ ଗଣିଲେ ଏମାନେ ଦେଶର ସର୍ବବୃହତ ସଂଖ୍ୟାଲଘୁ ଗୋଷ୍ଠି ହେବେ । ଏହା ସତ୍ତେ୍ୱବି ଭୋଟ ରାଜନୀତିକୁ ଏମାନେ ପ୍ରଭାବିତ କରିପାରି ନାହାନ୍ତି ।

ଏଣୁ ଏହି ବର୍ଗଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ପ୍ରଦାନ ପାଇଁ ରାଜନୈତିକ ତତ୍ପରତା ନାହିଁ । ଜନଗଣନାର ତଥ୍ୟକୁ ଅନୁଶୀଳନ କଲେ ଭିନ୍ନକ୍ଷମଙ୍କ ଭିତରେ ୫୧ ଭାଗ ନିରକ୍ଷର, ୨୬ ଭାଗ କେବଳ ପ୍ରାଥମିକ ଶିକ୍ଷା, ୬ ଭାଗ ଉଚ୍ଚ ପ୍ରାଥମିକ ଶିକ୍ଷା ଓ ୧୩ ଭାଗ ଉଚ୍ଚ ମାଧ୍ୟମିକ ବା ତଦୁର୍ଦ୍ଦ ଶିକ୍ଷା ପାଇଛନ୍ତି । ଅବଶ୍ୟକ ମୁତାବକ ଶିକ୍ଷା ଓ କୌଶଳର ଅଭାବ କାରଣରୁ ନିଯୁକ୍ତି ବା ଶ୍ରମ ବଜାରରେ ଏମାନେ ବହୁତ ଆହ୍ୱାନର ସମ୍ମୁଖିନ ହୁଅନ୍ତି ।

ଭିନ୍ନକ୍ଷମଙ୍କୁ ସମାନ ସୁଯୋଗ ଓ ସମ୍ପୁର୍ଣ୍ଣ ଅଂଶଗ୍ରହଣର ଅବସର ଦେବା ଉଦ୍ଦେଶ୍ୟରେ ୧୯୯୫ ମସିହାରୁ ଅକ୍ଷମତାଯୁକ୍ତ ବ୍ୟକ୍ତିଙ୍କ ପାଇଁ ଆଇନ ପ୍ରଣିତ ହୋଇଛି । ଏଥିରେ ପ୍ରତେକ କ୍ଷେତ୍ରରେ ୩% ସଂରକ୍ଷଣ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସତ୍ତେ୍ୱ ଦେଶରେ .୧%ରୁ ବି କମ ଭିନ୍ନକ୍ଷମ ନିଯୁକ୍ତି ପାଇଛନ୍ତି । କିଛି ବର୍ଷପୂର୍ବେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ବେସରକାରୀ ଉଦ୍ଦୋଗମାନଙ୍କରେ .୨୮% ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ .୦୫% ମାତ୍ର ନିଯୁକ୍ତି ଦିଆଯାଇଥିବା ଜଣାପଡିଥିଲା ।

ଜନଗଣନାର ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ୧.୩୪ କୋଟି ଭିନ୍ନକ୍ଷମ କର୍ମନିୟୋଜନ ଯୋଗ୍ୟ ହୋଇ ରହିଛନ୍ତି ଏବଂ ତାଭିତରୁ ୯୯ ଲକ୍ଷ କୌଣସି କାମ କରିବାର ସୁଯୋଗ ପାଇ ନାହନ୍ତି ବା କାଁ ଭାଁ କେତେବେଳେ କେଁଉଠି କାମ କରୁଛନ୍ତି । ଜାତିସଂଘର ଅକ୍ଷମତାଯୁକ୍ତ ବ୍ୟକ୍ତିଙ୍କ ଅଧିକାର ସମ୍ପର୍କିତ ଚୁକ୍ତିନାମାରେ ଆମ ଦେଶ ସ୍ୱାକ୍ଷରକାରୀ ।

ଏହାର ଧାରା ୨୭, ଅନ୍ୟମାନଙ୍କ ସହ ସମାନତାର ଆଧାରରେ ଭିନ୍ନକ୍ଷମଙ୍କ କାମ କରିବାର ଅଧିକାରକୁ ସ୍ୱୀକୃତି ଦେଇଛି । ଏହାକୁ ଆଗେଇ ନବାକୁ ହେଲେ ଉପଯୁକ୍ତ ଭିତ୍ତିଭୂମୀ, ଶିକ୍ଷା ଓ କୌଶଳ ବିକାଶ ତଥା ସହାୟକ ପରିବେଶ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଯେହେତୁ ଆମର ଜନସଂଖ୍ୟାର ପ୍ରାୟ ୬୮ ଭାଗ ଗ୍ରାମାଂଚଳରେ ରୁହନ୍ତି ଏକଥା ଧରିନେବାକୁ ହେବ ଯେ, ସେହି ଅନୁପାତରେ ଭିନ୍ନକ୍ଷମଙ୍କ ଉପସ୍ଥିତି ମଧ୍ୟ ଗ୍ରାମାଂଚଳରେ ହିଁ ଅଧିକ ।

ଅଥଚ ଆମେ ଏପର୍ଯ୍ୟନ୍ତ ଏମାନଙ୍କୁ ସୁହେଇଲା ଭଳି ଭିତ୍ତିଭୂମୀ ଗ୍ରାମାଂଚଳରେ ତିଆରି କରିପାରି ନାହୁଁ । ଏଣୁ ଶ୍ରମ ବଜାରର ଆବଶ୍ୟକତା ଆଧାରରେ ଶିକ୍ଷା ଓ କୌଶଳ ବିକାଶ ଠାରୁ ଏମାନେ ବହୁତ ଦୂରରେ । ଏହା ସେମାନଙ୍କୁ ନିଯୁକ୍ତି ପାଇଁ ଅନୁପଯୋଗୀ କରେଇ ଦେଉଛି । ଆମ ଦେଶରେ ପ୍ରାୟ ୯୩ ଭାଗ ଶ୍ରମଜୀବି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି ।

ଏମାନେ ଏବେବି ପାରମ୍ପରିକ ରୀତିରେ କାମ କରନ୍ତି ଏଣୁ ଅଣ କୁଶଳି ଭାବେ ଗଣାଯାନ୍ତି ଓ କମ ମଜୁରୀ ପାଆନ୍ତି । ଦେଶରେ ଶ୍ରମ ଓ ଶ୍ରମିକଙ୍କ ଏପରି ଦୁଃସ୍ଥିତି ହେଉଥିବା ବେଳେ ଭିନ୍ନକ୍ଷମମାନେ କିପରି ଅନୁଭବ କରୁଥିବେ ତାହା ସହଜରେ ଅନୁମେୟ । କେବଳ ଏତିକି ନୁହେଁ ଭିନ୍ନକ୍ଷମ କର୍ମଚାରୀ ବା ଶ୍ରମଜୀବି ପ୍ରତି ନକରାତ୍ମକ ମନୋଭାବ ସେମାନଙ୍କୁ ଭେଦବାବର ଶିକାର କରାଏ ।

ଏଣୁ କିଛି ଜାଗାରେ ଏମାନଙ୍କୁ ନିଯୁକ୍ତି ମିଳୁ ଥିଲେ ବି ଭେଦଭାବ ଓ ଅସ୍ୱସ୍ଥିକର ପରିବେଶରେ ଅଣନିଶ୍ୱାସୀ ହୋଇ ଅଧାରୁ ଛାଡି ଦିଅନ୍ତି । ଶ୍ରମ ବଜାରରେ ସ୍ୱଳ୍ପ ଅଂଶଗ୍ରହଣର ସୁଯୋଗ ଏମାନଙ୍କର ଦାରିଦ୍ର୍ୟତାର ବଡ କାରଣ । ଏମାନଙ୍କ ଭିତରେ ମହିଳାଙ୍କ ସ୍ଥିତି ଆହୁରି ବିସମ । ଭିନ୍ନକ୍ଷମ ବାଳକଟିଏ ହୁଏତ ପାଠ ପଢିବାର ସୁଯୋଗ ପାଇ ପାରେ କିନ୍ତୁ ବାଳିକାଟିଏ କ୍ଷେତ୍ରରେ ଏ ବିଷୟରେ ଅଳ୍ପ ଚିନ୍ତା କରାଯାଏ ।

ଏହା ପରବର୍ତ୍ତି ଅବସ୍ଥାରେ ସେମାନଙ୍କ ପାଇଁ ଶିକ୍ଷା, ବୈଷୟିକ ତାଲିମ, ନିଯୁକ୍ତି ପ୍ରତିଟି କ୍ଷେତ୍ରରେ ପ୍ରତିବନ୍ଧକର କାରଣ ହୁଏ । ବିଶ୍ୱ ବ୍ୟାଙ୍କ ମତରେ ଭିନ୍ନକ୍ଷମଙ୍କୁ ଠିକ ଭାବରେ କର୍ମନିୟୋଜନ କାରାଯାଇ ପାରୁନଥିବାରୁ ଦେଶର ମୋଟ ଘରୋଇ ଉତ୍ପାଦ ୪ ରୁ ୫ ଭାଗ ପ୍ରଭାବିତ ହେଉଛି । କେବଳ ସେତିକି ନୁହେଁ ଭିନ୍ନକ୍ଷମମାନେ ସ୍ୱାବଲମ୍ବନଶୀଳ ହୋଇପାରିଲେ ଦେଶର ପ୍ରଗତିରେ ସହାୟକ ହୋଇପାରିବେ ।

ଏଥିପାଇଁ ଭିନ୍ନକ୍ଷମଙ୍କ ଶିକ୍ଷା ଓ କୌଶଳ ବୃଦ୍ଧି କାର୍ଯ୍ୟର ଧାରାରେ ପରି ବର୍ତ୍ତନର ଆବଶ୍ୟକତା ରହିଛି । ଶିକ୍ଷା ଅଧିକାର ଆଇନ ଓ ସର୍ବ ଶିକ୍ଷା ଯୋଜନାରେ ଭିନ୍ନକ୍ଷମଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇଥିଳେବି ବାଧାହୀନ ଯାତାୟତ, ସହାୟକ ଉପକରଣ ଓ ସମୟାନୁଯାୟୀ ପାଠ୍ୟ ପୁସ୍ତକ ଯୋଗାଣକୁ ଗୁରୁତ୍ୱ ଦିଆଯିବା ଜରୁରୀ । କୌଶଳ ବିକାଶ କହିଲେ କେବଳ କଳ କାରଖାନା ଉପଯୋଗୀ ବା ସହରୀ ଆବଶ୍ୟକତା ଥିବା କିଛି ବଷୟରେ ତାଲିମକୁ ଗୁରୁତ୍ୱ ଦିଆଯାଉଛି ।

ଏଥିରେ ଭିନ୍ନକ୍ଷମାନେ ତାଲିମ ନେଉଥିଲେ ବି ସହରାଂଚଳରେ ସେମାନଙ୍କ ରହିବା ପାଇଁ ଆନୁସାଙ୍ଗିକ ସୁବିଧା ନଥିବାରୁ କାମରେ ଯୋଗଦେଇ ପାରୁ ନାହାନ୍ତି । କିଛି ଆତ୍ମ ନିଯୁକ୍ତିର ସୁଯୋଗ ଖୋଜୁଥିବା ବେଳେ ଉପଯୁକ୍ତ ଋଣ ଓ ବଜାର ବ୍ୟବସ୍ଥାର ଅଭାବ ସେମାନଙ୍କୁ ନିରୁତ୍ସାହିତ କରୁଛି । ଏଣୁ କୃଷି ଓ ଅନ୍ୟାନ୍ୟ ପାରମ୍ପରିକ ଜୀବିକା ପରି ଗ୍ରାମାଂଚଳ ଅର୍ଥନିତୀକୁ ସୁହେଇଲା ଭଳି ବିଷୟ ଆଧାରିତ କୌଶଳର ବିକାଶ ଉପରେ ଗୁରୁତ୍ୱ ଦିଆଗଲେ ଏମାନଙ୍କୁ ନିଜ ଅଂଚଳ ଛାଡିବାକୁ ପଡିବ ନାହିଁ ଓ ନିଯୁକ୍ତି ଅଧିକ ସୁନିଶ୍ଚିତ ହୋଇ ପାରିବ ।

ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ନିଯୁକ୍ତି ଦାତାଙ୍କ ମନୋଭାବର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଅନେକେ ଦୟା ପରବଶ ହୋଇ ସହାଯ୍ୟର ହାତ ବଢେଇ ଥାନ୍ତି । କିନ୍ତୁ ଭିନ୍ନକ୍ଷମଙ୍କ ପାଇଁ ଅନୁକୂଳ ପରିବେଶ ତିଆରି କରାଯାଇ ଯୋଗ୍ୟତାକୁ ସମ୍ମାନ ଦେଲେ ସେମାନେ ଆତ୍ମ ସମ୍ମାନ ସହ ବଂଚିବାର ରାହା ପାଇବେ ।

୨୦୧୬ ମସିହାରେ ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଗୃହିତ ନୂତନ ଆଇନ ଏହି ସମ୍ଭାବନାକୁ ଅଧିକ ଉଜ୍ଜିବିତ କରିଛି । ଅକ୍ଷମତା ଯୁକ୍ତ ବ୍ୟକ୍ତିଙ୍କ ଅଧିକାର ଆଇନ – ୨୦୧୬ ର ଅଧ୍ୟାୟ ୪ ରେ କୌଶଳ ବିକାଶ ଓ ନିଯୁକ୍ତି ବିଷୟରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି ।

ଏଥିରେ ଭିନ୍ନକ୍ଷମଙ୍କ କୌଶଳ ବିକାଶ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବା, ଭିନ୍ନକ୍ଷମତାର ପ୍ରକାର ଆଧାରରେ ଓ ଆବଶ୍ୟକତା ଅନୁଯାୟୀ ତାଲିମ ଦେବା, ଋଣ ଓ ବଜାର ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ନିଯୁକ୍ତି କ୍ଷେତ୍ରରେ ଭେଦଭାବ ଦୂର କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ସହ ପ୍ରତ୍ୟେକ ବିଭାଗର ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର ନୀତି ପ୍ରଣୟନ, ତଥ୍ୟ ପ୍ରସ୍ତୁତି ଓ ଅଭିଯୋଗ ନିରାକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଇଛି ।

ନିଜର ଆତ୍ମ ବିଶ୍ୱାସ, ପରିବାର ଓ ସମାଜର ପ୍ରୋତ୍ସାହନ, ପ୍ରଶାସନିକ ସମ୍ବେଦନଶୀଳତା ଓ ରାଜନୈତିକ ଇଚ୍ଚାଶକ୍ତି ରହିଲେ ଏହି ଆଇନର ସଠିକ କାର୍ଯାନ୍ୱୟନ ହେବା ସହ ପ୍ରତ୍ୟେକ ଭିନ୍ନକ୍ଷମଙ୍କ କର୍ମନିୟୋଜନ ସମ୍ଭବ ହୋଇପାରିବ ।

Leave a Reply

This site uses Akismet to reduce spam. Learn how your comment data is processed.