ଓଡ଼ିଆଙ୍କ ଅସଲ ଅସ୍ତିତ୍ୱର ନକଲ ଉତ୍ତରଣ!

ଏହା ‘ଓଡ଼ିଆ’ର ଦୋଷ ନୁହେଁ, ଓଡ଼ିଆଙ୍କ ଦୋଷ । ଜଣେ ଓଡ଼ିଆର ଦୋଷ ନୁହେଁ, ଓଡ଼ିଆ ଜାତିର ଦୋଷ । ସ୍ୱାଭିମାନହୀନ ଏକ ଜାତି ମଝିରେ ମଝିରେ ଏମିତି ଝଟ୍କା ପାଏ, ରୁଷ୍ଟ ହୁଏ, ପୁଣି ଶୋଇ ପଡ଼େ ।

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଦୂଷଣ ସୋନା ମହାପାତ୍ରଙ୍କଠାରୁ ଆରମ୍ଭ ହୋଇନାହିଁ । ସୋନା ମହାପାତ୍ରଙ୍କଠାରେ ମଧ୍ୟ ତାହାର ଶେଷ ହେବ ବୋଲି ଆଶା କରାଯାଇ ପାରିବ ନାହିଁ ।

ଭକ୍ତ ସାଲବେଗଙ୍କ ଆହେ ନୀଳ ଶଇଳ ଭଜନକୁ ସୋନା ଯେପରି ଶାବ୍ଦିକ ବିକୃତି ସହିତ ଗାଇଛନ୍ତି ତାହା ନିଶ୍ଚୟ ନିନ୍ଦନୀୟ । କିନ୍ତୁ ଏଭଳି ଶାବ୍ଦିକ ବିକୃତି କେବଳ ସୋନାଙ୍କର କପି ରାଇଟ୍ ନୁହେଁ ।

ଓଡ଼ିଶାର ଅଧିକାଂଶ ସହରୀ, ବିଶେଷକରି ଇଂରାଜୀ ମାଧ୍ୟମରେ ଶିକ୍ଷାଲାଭ କରିଥିବା ପ୍ରତିଟି ପରିବାରରେ ଦେହସୁହା ହୋଇଗଲାଣି । ଏହା ସେମାନଙ୍କ ପାଇଁ ସମ୍ଭ୍ରାନ୍ତ ଓ ଶିକ୍ଷିତର ମର୍ଯ୍ୟାଦା ଭାବେ ବିବେଚିତ ହେଉଛି ।

ଜଗନ୍ନାଥଙ୍କୁ ଜଗର୍ନାଥ କହିବା ଯେମିତି ଓଡ଼ିଆରେ ଦୋଷାବହ ବାପାଙ୍କୁ ଡାଡ ବା ଡେଡ୍ କହିବା ମଧ୍ୟ ସେହିପରି ଭାଷା ଓ ସଂସ୍କୃତିର ପ୍ରଦୂଷଣ । ସମ୍ଭ୍ରାନ୍ତ ଓ ଶିକ୍ଷିତ ଓଡ଼ିଆଙ୍କ ଘରେ କେହି ନିଜ ପିଲାଙ୍କର ଏପରି ସମ୍ବୋଧନକୁ ବିରୋଧ କରନ୍ତି କି? ଭୁବନେଶ୍ୱରକୁ ଭୁନେଶ୍ୱର, କଟକକୁ କଟ୍ଟକ୍, ଯାଜପୁରକୁ ଯାସପୁର କହିବା ଲୋକମାନେ ମଧ୍ୟ ଓଡ଼ିଆ ।

ଘରକୁ ଭିଲ୍ଲା ବା ବାଙ୍ଗେ୍ଲା, କଂକ୍ରିଟ ବସାକୁ ଫ୍ଲାଟ୍, ରାସ୍ତାକୁ ରୋଡ଼, ରାଜପଥକୁ ହାଇୱେ ଭାବେ ଲୋକପ୍ରିୟ କରିଥିବା ଓଡ଼ିଆମାନେ ଆଧୁନିକ ବିକାଶର ପ୍ରତିଟି ପାହାଚ ଦେଇ ନିଜର ଜାତୀୟତା ହରେଇ ଚାଲିଛନ୍ତି ।

ଭଲ ପାଉଥିବା ଲୋକର ଭୁଲ ବା ଭଲ ପାଉଥିବା ଭାଷା ଓ ସଂସ୍କୃତିର ଦୋଷତ୍ରୁଟିକୁ ନଦେଖିପାରିବା କିମ୍ବା ତା’ ବିରୋଧରେ ନିର୍ଣ୍ଣାୟକ ପ୍ରତିକ୍ରିୟା ପ୍ରକାଶ ନକରିବା ଓଡ଼ିଆଙ୍କର ଚିରନ୍ତନ ଅଭ୍ୟାସ, ଏହା ସେମାନଙ୍କର ଡିଏନଏ ।

ସବୁ ସହ୍ୟ କରିବାର ଏଇ ଗୁଣସୂତ୍ର ଯୋଗୁଁ ଓଡ଼ିଶାର ପ୍ରତିଟି ସହରରେ ଏବେ ଇଂରାଜୀ ଫଳକର ପ୍ରାବଲ୍ୟ । ରାସ୍ତାଘାଟ, ଦୋକାନବଜାର, ସିରସ୍ତାଦପ୍ତର ସବୁଠି ଏବେ ଇଂରାଜୀର ପ୍ରାବଲ୍ୟ, ଠିକ ଯେମିତି ଦିନେ ପାର୍ସୀର ପ୍ରାବଲ୍ୟ ଥିଲା ।

ନିଜକୁ ଛାଡ଼ି ଅନ୍ୟକୁ ଗ୍ରହଣ କରିବା ଓ ଅନୁସରଣ କରିବାର ଏଇ ଗୁଣ ଯୋଗୁଁ ଅନେକ ସମୟରେ ଗାଁ କନିଆମାନେ ସିଙ୍ଘାଣିନାକୀ ହୋଇଯାଆନ୍ତି ଓ ସିଙ୍ଘାଣିନାକୀମାନେ ସୁତୁରୀ ସୁନ୍ଦରୀ ଭଳି ବୋଧ ହୁଅନ୍ତି!

ଏହି ଗୁଣସୂତ୍ରର ଅନ୍ୟ ପ୍ରକାର ଉତ୍ତରଣ ହେଉଛି ବିଶ୍ୱପ୍ରେମ, ବାତ୍ସଲ୍ୟ ମମତା, ଭଲ ପାଇବାର ସର୍ବଂସହା ପ୍ରବୃତ୍ତି । ଏହି ପ୍ରେମ ଓ ପ୍ରବୃତ୍ତି ଭିତରେ ପଡ଼ି ଜଗନ୍ନାଥ ଜଗା ହୋଇଯାଆନ୍ତି, ଜଗା ବି ହୋଇଯାଆନ୍ତି ଜଗୁନି! କଳା ଠାକୁର କାଳିଆ ସାଆନ୍ତରେ ଏବଂ କାଳିଆ ସାଆନ୍ତ କାଳିଆ ହାତୀରେ ପରିଣତ ହେବା ମଧ୍ୟ ଏଇ ପ୍ରେମ ଓ ପ୍ରବୃତ୍ତିର ପରିପ୍ରକାଶ ।

ଓଡ଼ିଆମାନେ ତାଙ୍କୁ କାଳସର୍ପ ଭାବେ ସମ୍ବୋଧନ କରିପାରନ୍ତି । ଏପ୍ରକାର ଭଲ ପାଇବା ବୋଧହୁଏ ଓଡ଼ିଶାର ଏକ ଅନନ୍ୟ ସଭ୍ୟତାଗତ ପରମ୍ପରା ।ଏ ପ୍ରକାର ଭାବ କିମ୍ବା ଅଭାବ(?) ବୋଧରୁ ଗଣମାଧ୍ୟମରେ ଅବିନାଶମାନେ ଅଭିନାଶ, ବିନୀତମାନେ ଭିନୀତ, ଅମୃତାମାନେ ଅମ୍ରିତା, କୃଷ୍ଣମାନେ କ୍ରୀଷ୍ଣା ଓ ଲକ୍ଷ୍ମୀମାନେ ଲକ୍ସମୀରେ ନାମାନ୍ତରିତ ହୋଇଯାଆନ୍ତି ।

ଏଭଳି ସାମାଜିକ ଓ ସାଂସ୍କୃତିକ ସ୍ଖଳନ କିମ୍ବା ବିବର୍ତ୍ତନ ଭିତରେ ମତ୍ତ କେତେବେଳେ ମାତ୍ତ ହୋଇଯାଏ, ଜଣାଣ ବି ଜନନ ପରି ବୋଧହୁଏ! ଅଣଓଡ଼ିଆଙ୍କ ଆଗରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଭୟ କିମ୍ବା ଲଜ୍ଜା ଅନୁଭବ କରୁଥିବା ଲୋକମାନେ ଅନେକ ସମୟରେ ପାଟିରେ ଗୁଆ ପୂରେଇ ଭ୍ରଷ୍ଟ ଓ ଖଣ୍ଡି ଓଡ଼ିଆ କହିବାକୁ ବୁଦ୍ଧିମାନର କାମ ଭାବେ ବିବେଚନା କରିଥାନ୍ତି । ଅଥଚ ନିଜ ଉପରକୁ ଆସିଲେ କେହି ଦୋଷ ମୁଣ୍ଡେଇବାକୁ ପ୍ରସ୍ତୁତ ନଥାନ୍ତି ।

ଓଡ଼ିଆମାନେ କହନ୍ତି, ଜଗନ୍ନାଥ ସେମାନଙ୍କର ଆରାଧ୍ୟ ଦେବତା । ସେମାନଙ୍କ ସାମାଜିକ ଓ ସାଂସ୍କୃତିକ ଅସ୍ତିତ୍ୱର ପ୍ରାଣକେନ୍ଦ୍ର । କିନ୍ତୁ ଏଇ ଓଡ଼ିଆଙ୍କ ଭିତରେ ଅଛନ୍ତି ବାର ଜାତି ତେର ଗୋଲା । ଏମିତିକି ମନ୍ଦିର ଭିତରେ ଛତିଶା ନିଯୋଗ । କାହା ସହିତ କାହାର ପଡ଼େ ନାହିଁ ।

ଜଗନ୍ନାଥଙ୍କୁ କୁଣ୍ଡାପିଠା ଖୁଆଇ ଓଡ଼ିଆମାନେ କେକ୍ କାଟି ପାରନ୍ତି । ତାଙ୍କୁ ପାଟମଠାର ଧୋତି ସଅଁପି ଓଡ଼ିଆମାନେ ଜିନ୍ସ ଓ ଜ୍ୟାକେଟ ପିନ୍ଧି ପାରନ୍ତି । ତାଙ୍କ ମୁଣ୍ଡରେ ଟାହିଆ ବାନ୍ଧି ଓଡ଼ିଆମାନେ ଇଂଲିଶ ଟୋପି ଚଢ଼େଇ ବୁଲନ୍ତି ।

ତାଙ୍କ ରତ୍ନ ଭଣ୍ଡାର ପୂର୍ଣ୍ଣ ଅଛି କି ନାହିଁ ଯାଞ୍ଚ ନକରି ନିଜ ସିନ୍ଦୁକ ଭରିବାକୁ ଭଲ ପାଉଥିବା ଲୋକମାନେ ଭାତ ଶୁଖେଇ ନିର୍ମାଲ୍ୟ କରି ବିକନ୍ତି । ଆନନ୍ଦ ବଜାରରେ ଚାଣ୍ଡାଳୁ ବ୍ରାହ୍ମଣଯାଏ ଏକାଠି ହୋଇ ନିଜନିଜ ଅଇଁଠା ଖାଇବାର ଭାକ୍ତିକ ଶୁଦ୍ଧତାର ପ୍ରଚାର କରୁଥିବା ଲୋକମାନେ ଅବଢ଼ା ମାରା ହୋଇଗଲା|

ବୋଲି ପ୍ରଚାର କରି ହଜାର ହଜାର ଲୋକଙ୍କ ଖାଦ୍ୟକୁ କୋଇଲି ବୈକୁଣ୍ଠରେ ପୋତି ଦିଅନ୍ତି । ନିରାମିଷ ଓ ସାତ୍ତ୍ୱିକ ଆହାର ଜଗନ୍ନାଥଙ୍କର ପ୍ରିୟ ବୋଲି ପ୍ରଥା ବାନ୍ଧି ନିଜେ ମତ୍ସ୍ୟାଦି ଆମିଷକୁ ସଂସ୍କୃତିର ଖାଦ୍ୟ ଭାବେ ପ୍ରଚାର କରନ୍ତି ।

ଏଭଳି ଏକ ପ୍ରତାରଣାପୂର୍ଣ୍ଣ ସମାଜ ଓ ସଭ୍ୟତାରେ ଗୋଟିଏ ସୋନା କାହିଁକି ହଜାର ହଜାର ସୋନା ଜନ୍ମ ନେଇପାରନ୍ତି । ପ୍ରତି ଗାଁରେ, ପ୍ରତି ଗଳିରେ, ପ୍ରତି ସହରରେ ପ୍ରତି କଲୋନିରେ ବଢ଼ୁଥିବା ଏଇପରି ସୋନାମାନେ ହୋଇପାରନ୍ତି ଓଡ଼ିଶାର ଭୋଟର, ଯେଉଁମାନେ ଜଗନ୍ନାଥ ବା ନାରାୟଣଙ୍କୁ ଓଡ଼ିଶାର ନେତା ବୋଲି ପ୍ରଚାର କରନ୍ତି, କିନ୍ତୁ ପ୍ରତିନିଧି ଭାବେ ବାଛନ୍ତି ନିଜ ସ୍ୱାର୍ଥର ମୂର୍ତ୍ତିକାରମାନଙ୍କୁ । (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ ।)

ଦେବେନ୍ଦ୍ର ପୃଷ୍ଟି :

This website uses cookies.