Site icon Odisha.com

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।


ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବିନାୟକ ସ୍ମରଣେ । ବିଘ୍ନ ବିନାଶକବିନାୟକଙ୍କ ଅର୍ଚ୍ଚନାରେ ଏହା ପ୍ରସ୍ତୁତ ହୋଇଥିଲା । ପରେ ପରେ ନୃତ୍ୟ ସର୍ଜନାର ଶାସ୍ତ୍ରୀୟତାକୁ ନେଇଆସିଥିଲେ ନୃତ୍ୟ ରଚନା ସିନ୍ଥେସିସ ।

ଏହା ପରେ ତୁଳସୀଦାସକୃତ ରାମରଚିତ ମାନସଗ୍ରନ୍ଥ ଆଧାରିତ ଶବରୀ ଚରିତ୍ରର ନିଖୁଣ ଅଭିନୟକୁ ବାଢି ଦେଇ ସମର୍ପଣର ଚିତ୍ର ଆଙ୍କିଥିଲେ ଗୁରୁ ରତିକାନ୍ତ  ମହାପାତ୍ର । ଶିବ ତତ୍ତ୍ୱ ଓ ଶକ୍ତି ତତ୍ତ୍ୱର ମିଳିତ ପ୍ରକାଶକୁ ନେଇ ମଞ୍ଚସ୍ଥ ହୋଇଥିଲା ଅର୍ଦ୍ଧନାରୀଶ୍ୱର । ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବନ୍ଦେ ମାତରମର ନୃତ୍ୟାଭିନୟ ।

ସନ୍ଧ୍ୟାର ଅତିଥିମାନେ ଥିଲେ ଓପାଲୀ ଅପରାଜିତା; ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ବଳିଆର ସିଂହ ନେଗୀ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ଖୀରୋଦ ପଟ୍ଟନାୟକ  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

ଓଡିଶା ଡଟ କମ

Exit mobile version