Site icon Odisha.com

ଆମେରିକାର ମଧ୍ୟ ଇଣ୍ଡିଆନାରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ପାଳନ

ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି ।

ଚଳିତ ବର୍ଷକୁ ମିଶାଇ ଆମେରିକାର ଜଗନ୍ନାଥ ଆସୋସିଏସନ ଅଫ ଇଣ୍ଡିଆନା (ଜୟ ) ଆନୁକୁଲ୍ୟରେ ଇଣ୍ଡିଆନାରେ ବସବାସ କରୁଥିବା ଓଡ଼ିଆ ପରିବାରମାନଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ରଥ ଯାତ୍ରାର ଆୟୋଜନ ।

ରଥଯାତ୍ରାର ବହୁ ଦିନ ପୂର୍ବରୁ ସପ୍ତାହନ୍ତ ଗୁଡିକରେ ଓ ସନ୍ଧ୍ୟା ସମୟରେ ରଥ ନିର୍ମାଣ, ସାଜସଜ୍ଜ୍ୟା ଓ ନୀତି ନିର୍ଘଣ୍ଟ ଇତ୍ୟାଦି କାର୍ଯ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ମଙ୍ଗଳ ଆରତୀ ଓ ଅନ୍ୟାନ ପୂଜା ଅର୍ଚ୍ଚନା ପରେ ଦିବା ପ୍ରାୟ ୧୧ ଟା ସମୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଗ୍ରହ ମାନଙ୍କୁ ପାଲିଙ୍କିରେ ମନ୍ଦିର ଭିତରୁ ପହଣ୍ଡି କରାଇ ରଥକୁ ଅଣାଯାଇଥିଲା ।

ଘଣ୍ଟଘଣ୍ଟା, ମାର୍ଦ୍ଦଳ, ଶଙ୍ଖ , ହୁଳହୁଳି ଓ ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ଥିଲା । ଏଚ.ଟି.ସି.ଆଇ. ର ସଭାପତି ଡ଼କ୍ଟର କୃଷ୍ଣ କୁମାର ପଦ୍ମନାଭନ ଛେରା ପହଁରା କରିଥିଲେ । ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ କିଛି ଦୂରରେ ଥିବା ମାଉସୀ ମା ଘରରେ ଶେଷ ହୋଇଥିଲା । ସେଠାରେ ଶ୍ରୀ ବିଗ୍ରହ ମାନଙ୍କୁ ଅବସ୍ଥାପିତ କରାଯାଇଥିଲା ।

ରଥଯାତ୍ରା ଉପଲକ୍ଷେ ଅନ୍ନ, ଡାଲି, ଘାଣ୍ଟ ତରକାରୀ, ଟମାଟୋ ଖଟା ଓ ଖିରି ଆଦି ଓଡ଼ିଆ ଖାଦ୍ୟ ଭକ୍ତ ମାନଙ୍କୁ ପରଷା ଯାଇଥିଲା । ଭକ୍ତମାନେ ବଡ ଉଲ୍ଲାସରେ ପ୍ରସାଦ ସେବନ କରିଥିଲେ ।

ପ୍ରସାଦ ସେବନ ପରେ ବିଭିନ୍ନ ପ୍ରକାରର ସାସ୍କୃତିକ କାର୍ଯ୍ୟକ୍ରମ ଯଥା ଭଜନ , ଓଡିଶୀ ନୃତ୍ୟ ପରିବେଷଣ, ଓଡ଼ିଆ କବିତା ଆବୃତି ଇତ୍ୟାଦି କରାଯାଇଥିଲ । ଶେଷରେ ଭାରତର ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ଭାରତର ବିଭିନ୍ନ ରାଜ୍ୟରୁ ଆସି ଇଣ୍ଡିଆନାଠାରେ ବାସ କରୁଥୁବା ପ୍ରାୟ ୫୦୦ ରୁ ଉର୍ଦ୍ଧ ଭକ୍ତ ରଥଯାତ୍ରାରେ ଯୋଗ ଦେଇ ଶ୍ରୀ ବିଗ୍ରହ ମାନଙ୍କୁ ଦର୍ଶନ କରିଥିଲେ । ୨୨ ଜୁଲାଇ ପୂର୍ବାହ୍ନ ୧୦ ଟା ରେ ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏଚ.ଟି.ସି.ଆଇ. ଦ୍ୱାରା ନୀତି ନିର୍ଘଣ୍ଟ ହୋଇଛି |

ନିଜ ଭିଟା ମାଟିରୁ ଯାଇ ସୁଦୂର ଆମେରିକାରେ ରହିଲେ ମଧ୍ୟ ଓଡ଼ିଆ ସମ୍ପ୍ରଦାୟ ସେଠାରେ ମହା ଆନନ୍ଦ ଉଲ୍ଲାସରେ ରଥ ଯାତ୍ରା ପାଳନ କରି ପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ।

ଏଚ.ଟି.ସି.ଆଇ. କର୍ମକର୍ତ୍ତା ଓ ଜୟ ଗୃପର ମିଳିତ ଆନୁକୂଲ୍ୟରେ ରଥଯାତ୍ର ପାଳନ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ।

ଓଡିଶା ଡଟ କମ

Exit mobile version