ମହାନ ଜନନାୟକଙ୍କ ହୃଦୟରେ ଓଡିଶା

କେନ୍ଦ୍ରାପଡା ଜିଲ୍ଲାର କେଉଁ ଏକ ଅଜଣା ପଲ୍ଲୀ ଘିଗିଡିଆ । ଅଗଷ୍ଟ ୧୬ ତାରିଖ ସଂଧ୍ୟା ୫ ଘଟିକା ୩୫ ମିନିଟ ସମୟରେ ଆମେ ସେହି ଗାଁରେ ପହଁଚି ଥାଉ, ସେଠାରେ ଦେଖିଲୁ ଅଜବ ଦୃଶ୍ୟ । ଗାଁ ରୁ ସହରକୁ ସଂଯୋଗ କରୁଥିବା ସଡକ ଉପରେ ବସି ରହିଛନ୍ତି ପ୍ରାୟ କୋଡିଏରୁ ଉଦ୍ଧ୍ୱର୍ ବ୍ୟକ୍ତି । ସମସ୍ତଙ୍କ ମନ ଝାଉଁଳି ପଡିଛି ।

କାହାର ଆଖିରୁ ଲୋତକ ଝରି ପଡୁଛି,କିଏ ନିରବରେ ବସି ରହିଛନ୍ତି । ସମସ୍ତେ ମନମାରି ବସି ରହିଛନ୍ତି । ଆମର ବାଇକ ତାଙ୍କରି ନିକଟରେ ଅଟକି ଗଲା । ରାସ୍ତା ଉପରେ ଏମିତି ବସିବାର କାରଣ ପଚାରିବାରୁ ତାଙ୍କର ଉତ୍ତର ଶୁଣି ଆମେ ଅବାକ ଓ ଚକିତ ହୋଇଗଲୁ ।

ତାଙ୍କ ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି ଠିଆ ହୋଇ କହିଲେ ଆମ ଗାଁରୁ ସହର ମଧ୍ୟକୁ ଯିବା ପାଇଁ ଏ ଯେଉଁ ପକ୍କା ସଡକ ତିଆରି ହୋଇଛି, ତାହାରି ସ୍ରଷ୍ଠା, ସୃଷ୍ଟିକର୍ତ୍ତା ଆଜି ଆମ ମଧ୍ୟରେ ନହାଁନ୍ତି । ଦିନ ଥିଲା ଆମ ଗାଁକୁ କେହି ଆସିବାକୁ ଭୟ କରୁଥିଲା । ନା ବାଟ ଥିଲା ନା ହାଟ ଥିଲା । ଯାହାଙ୍କ ପରିକଳ୍ପନାରେ କେବଳ ଆମ ଗାଁ ନୁହେଁ ଭାରତ ବର୍ଷର ସବୁ ଗାଁର ଦୃଶ୍ୟ ବଦଳି ଯାଇଛି ।

ରାସ୍ତାଘାଟ ପକ୍କା ହୋଇ ଯାଇଛି ସେହି ମହାନ ଜନନାୟକଙ୍କର ବିୟୋଗରେ ନୀରବ ପ୍ରାର୍ଥନା କରିବା ସହିତ ସେହି ମହାନ ଆତ୍ମାର ସଦ୍ଗତି କାମନା କରିବା ପାଇଁ ଆମେ ଆମ ଗାଁର ପ୍ରଖ୍ୟାତ ଦେବତା ଜନେକେଶ୍ୱର ମହାଦେବଙ୍କ ନିକଟରେ ପ୍ରାର୍ଥନା କରିବା ।

ସେହି ମହାନ ଜନନାୟକ ହେଉଛନ୍ତି ଆମର ଅତିଆଦରର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯାହାଙ୍କ ବିୟୋଗ ଓଡିଶାର ସାଧାରଣ ଜନତାଙ୍କ ହୃଦୟରେ ଶୂନ୍ୟସ୍ଥାନ ସୃଷ୍ଟି କରି ପାରିଛି । ଓଡିଶାର ଅଖ୍ୟାତ ପଲ୍ଲୀର ଲୋକମାନେ ମଧ୍ୟ ତାଙ୍କୁ ଝୁରି ହେଉଛନ୍ତି କ’ଣ ପାଇଁ ? କ’ଣ କରିଛନ୍ତି ସେ ଓଡିଶା ପାଇଁ, ଯାହାକୁ ଘିଗିଡିଆ ଗ୍ରାମବାସୀ କାହିଁକି, ସାରା ଓଡିଶାବାସୀ ଭୁଲି ପାରୁନାହାଁନ୍ତି?

ଓଡିଶାବାସୀଙ୍କ ପାଇଁ ତାଙ୍କ ଅବଦାନ କଣ ଥିଲା? ଅଗଷ୍ଟ ୧୫ତାରିଖ ଦିନ ଅପରାହ୍ଣରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେବାରୁ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଲାଭ ପାଇଁ ସମଗ୍ର ଦେଶର କୋଟି କୋଟି ଜନତାଙ୍କ ବ୍ୟାକୁଳ ପ୍ରାର୍ଥନା ତଥା ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ଶ୍ରୀ ବାଜପେୟୀ ଏପାରିର ବନ୍ଧନ କାଟି ପରଲୋକ ଗମନ କରିଛନ୍ତି ।

ଯାହାଙ୍କର ଟିକିନିଖ୍ ଖବରକୁ ଗାଁ ଗହଳୀର ଲୋକମାନେ ମଧ୍ୟ ଅନାଇ ବସିଥିଲେ । ଯେତେବେଳେ ଦୁଃଖଦ ଖବର ମିଳିଲା ଶେଷରେ ସେମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଅର୍ଥର ଅଭାବ ରହିବ ନାହିଁ । ଏହି ଖଣ୍ଡବାକ୍ୟଟି ସର୍ବ ପ୍ରଥମେ ଓଡ଼ିଶା ମହାବାତ୍ୟା ପାଇଁ ଉଦ୍ଦିଷ୍ଟ ଥିଲା , ୧୯୯୯ ମହାବାତ୍ୟା ସମୟରେ ରାଜ୍ୟର ପୁନନିର୍ମାଣ ସନ୍ଦର୍ଭରେ ।

୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଂଚାଇବା ଏବଂ ବାସହରା ମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମଙ୍ଗା ମହାବାତ୍ୟା ସମୟରେ ବାଜପେୟୀଙ୍କୁ ଫୋନ କରିଥିଲେ । ଆଉ ବାଜପେୟୀ କହିଥିଲେ ଆପଣ ଯାହା ଆବଶ୍ୟକ ସେ ବାବଦରେ ଟଙ୍କା ଖର୍ଚ୍ଚ କରନ୍ତୁ, ମୁଁ ସମସ୍ତ ବ୍ୟୟ ବହନ କରିବି ।

କେବଳ ସେତିକି ନୁହେଁ ଲକ୍ଷ୍ମଣନାଥ ନିକଟସ୍ଥ ଗୋବରଘାଟ ଘୂର୍ଣ୍ଣିଝଡ ବିପର୍ଯ୍ୟୟର ମୁକାବିଲା ଲାଗି ଯେଉଁଭଳି ଆଗ୍ରହ ଓ ଆନ୍ତରିକତା ଦେଖାଇଥିଲେ ତାହା ରାଜ୍ୟବାସୀଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା । ଜଣେ ବିଶାଳ ହୃଦୟର ବ୍ୟକ୍ତି ଭାବେ ଓଡିଶାବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ବାଜପେୟୀ ।

‘ରାଜ୍ୟର ବିକାଶ ପାଇଁ ଧନର ଅଭାବ ରହିବ ନାହିଁ ; ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ବାଜପେୟୀଙ୍କ ଓଡିଶା ପାଇଁ ଅକାଟ୍ୟ ବଚନ । ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀ ଅବଦାନ ଅତୁଳନୀୟ । ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମସ ଶାଖାର ଶୁଭାରମ୍ଭ ସ୍ୱର୍ଗତଃ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା ।

ସେ ପାରାଦୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ଓ ଇଣ୍ଡିଆନ ଅଏଲ ତୈଳ ବିଶୋଧନାଗାର ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଂଚଳ ଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି । ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ ।

ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହକିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଗୁଣ କରି ୩୨ ଶହ କିମିରେ ପହଂଚାଇଥିଲେ । ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ଏହି ସମସ୍ତ ଅବଦାନକୁ ମନେ ପକାଉଛନ୍ତି ଓଡିଶାବାସୀ ।

ବାଜପେୟୀ ନିଜ ସମୟର ରାଜନେତାଙ୍କ ଠାରୁ ଅନେକ ଗୁଣରେ ଭିନ୍ନ ଥିଲେ । ରାଜନୀତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ତାଙ୍କର ନୀତି ଓ ଆଦର୍ଶ ଭିନ୍ନ ଥିଲା । ନିଜର ମଧୁର ଓ ଶାଳୀନତାପୂର୍ଣ୍ଣ ବ୍ୟବହାର ଦ୍ୱାରା ସେ ଯେଉଁ ସ୍ଥାନକୁ ପ୍ରବାସରେ ଯାଉଥିଲେ ସେଠାରେ ବନ୍ଧୁତ୍ୱର ଭାବ ସୃଷ୍ଟି କରୁଥିଲେ ।

ଏହିପରି ଜନଦରଦୀ ଓ ବନ୍ଧୁବତ୍ସଳ ବ୍ୟକ୍ତିର ସାନ୍ନିଧ୍ୟ ଲାଭ କରିଛନ୍ତି ଓଡିଶାବାସୀ । ବାଜପେୟୀ ଯେତେବେଳେ ୧୯୭୦-୭୧ରେ ଓଡିଶା ଆସି କଟକ ସର୍କିଟ ହାଉସରେ ମିଟିଙ୍ଗ କରିଥିଲେ ଏବଂ ଦୁଇଦିନ ସେ କଟକର ତଳତେଲେଙ୍ଗା ବଜାର ସ୍ଥିତ କ୍ଷେତ୍ରମୋହନ ସ୍ୱାଇଁ ଏବଂ କାଳୀଗଳିସ୍ଥିତ ଦୟାସାଗର ନନ୍ଦଙ୍କ ଘରେ ରାତ୍ରି ଯାପନ କରିବା ସହିତ ସେମାନଙ୍କ ଘରେ ଖାଦ୍ୟ ମଧ୍ୟ ଖାଇଥିଲେ ।

ତାଙ୍କ ସହିତ ବନ୍ଧୁତ୍ୱର ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ ବୋଲି କ୍ଷେତ୍ରମୋହନଙ୍କ ପୁଅ ପ୍ରଦୀପ ଏ ବିଷୟରେ ଗଣମାଧ୍ୟମ ଆଗେରେ ପ୍ରକାଶ କରିଛନ୍ତି । କୌଣସି ସ୍ଥାନକୁ ଗଲାବେଳେ ଯଦି ଭୋକ ହେଉଥିଲା ବାଟରେ ପଡୁଥିବା କାର୍ଯ୍ୟକର୍ତ୍ତାଙ୍କ ଘରେ ଭୋଜନ କରିନେଉଥିଲେ ।

୧୯୮୪ ମସିହା ଡିସେମ୍ବର ୩ ତାରିଖରେ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ସାଧାରଣ ସଭାରେ ଯୋଗଦେଇ ସଂଧ୍ୟାରେ ଭଂଜନଗର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ତାଙ୍କୁ ଭୋକ ହେବାରୁ ସେ ସାଥିରେ ଥିବା କାର୍ଯ୍ୟକର୍ତ୍ତା ନନ୍ଦ କିଶୋର ସାହୁଙ୍କୁ ଜଣାଇଥିଲେ ।

ଶ୍ରୀ ସାହୁ ବାଜପେୟୀଙ୍କ କଥାକୁ ନଟାଳି ହିଞ୍ଜିଳିରେ ଥିବା କାର୍ଯ୍ୟକର୍ତ୍ତା ଉଦୟ ପାଳଙ୍କ ଘରେ ଭୋଜନ ବ୍ୟବସ୍ଥା କରାଇଥିଲେ । ସେଠାରେ ସେ ଖୁବ୍ ଆନନ୍ଦର ସହିତ ଭୋଜନ କରିଥିଲେ । ସେ ମଧ୍ୟ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ବେଳେ ଅବଢା ଖାଇବାକୁ ବହୁତ ଭଲ ପାଉଥିଲେ |

ସେ ଓଡିଶାକୁ ନିଜ ଅଞ୍ଚଳ ବୋଲି ଭାବୁଥିଲେ । ସେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଉଥିଲେ । ଫୁଲବାଣୀ ଗସ୍ତ ସମୟରେ ବାଲିଗୁଡା ଡାକବଙ୍ଗଳାରେ ବିଶ୍ରାମ ନେଉଥିବା ବେଳେ କାନରେ ପଡିଥିଲା ବନବାସୀ ସଂଗୀତ ଓ ବାଦ୍ୟର ସ୍ୱର । ସେ ବିଶ୍ରାମ ନେବେ କଣ, ସଙ୍ଗେ ସଙ୍ଗେ ଚାଲିଲେ ନାଚ ଓ ଗୀତ ହେଉଥିବା ସ୍ଥାନକୁ ।

ବାଜା ଓ ନାଚରେ ଆକର୍ଷିତ ହୋଇ ଧୀରେ ଧୀରେ ପାଦ ମିଶାଇ ନାଚିଥିଲେ ବନବାସୀ ଯୁବକ ଯୁତୀଙ୍କ ସହ । ସେ ସେମୟରେ ଏହା ବନବାସୀ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ସେ ଓଡିଶା ମାଟିରୁ ଆରମ୍ଭ କରିଥିଲେ ସମରସତାର ଆନ୍ଦୋଳନ । ଛୁଆଁ ଅଛୁଆଁର ଭେଦଭାବ ଦୁର କରିବା ପାଇଁ ଭଞ୍ଜନଗରର ମୁଡାଗଡ ଠାରେ ସୃଷ୍ଟି କରିଥିଲେ ଏକ ଅନନ୍ୟ ଉଦାହରଣ ।

ତାଙ୍କ ସଂଗଠନର କାର୍ଯ୍ୟକର୍ତ୍ତା ଶିବାନନ୍ଦ ତ୍ରିପାଠୀଙ୍କ ମତରେ ଭଞ୍ଜନଗର ରସଲକୁଣ୍ଡା ଠାରୁ କନ୍ଧମାଳ ଆସିବା ସମୟରେ ମୁଡାଗଡ ଠାରେ ବାଜପେୟୀଙ୍କ ଗାଡି ପମ୍ପଚର ହୋଇଥିଲା । ଏ ସମୟରେ ବାଜପେୟୀ ନକଟରେ ଥିବା ମନ୍ଦିରକୁ ଯାଇଥିଲେ ।

ମନ୍ଦିରକୁ ହରିଜନଙ୍କ ପ୍ରବେଶ ପାଇଁ ଅନୁମତି ଅଛି କି ନାହିଁ ବୋଲି ବାହାରେ ଥିବା ପୂଜକଙ୍କୁ ପଚାରିଥିଲେ ା ପୂଜକ ମନା କରିବା ପରେ ମନ୍ଦିର ଗେଟ ପାଖରୁ ବାଜପେୟୀ ଫେରି ଆସିଥିଲେ । ସେ ଯେଉଁ ଅଞ୍ଚଳକୁ ଯାଉଥିଲେ ସେ ସବୁ ସ୍ଥାନର ହାନି ଲାଭ ବୁଝୁଥିଲେ । ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝୁଥିଲେ ା

ନିର୍ବାଚନ ସମୟରେ ଓଡିଶାର ଯେଉଁ ସ୍ଥାନରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ସରକାରରେ ଆସିଲା ପରେ ପୁରଣ କରିଛନ୍ତି । ଯେପରି ୧୯୯୯ ମସିହା ନିର୍ବାଚନୀ ପ୍ରଚାର ବେଳେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର କୃଷିର ବିକାଶ ପାଇଁ ସେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ
ନିର୍ମାଣ,ଗମନା ଗମନର ବିକାଶ, ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

ସରକାରକୁ ଆସିଲା ପରେ କାନପୁର ଜଳପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୩୨୮ କୋଟି ଟଙ୍କାରୁ ୬୨୫ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ୨୧୫ ନମ୍ବର ଜାତୀୟ ରାଜପଥ ଓ କେନ୍ଦୁଝରକୁ ରେଳ ସଂଯୋଗୀକରଣ ତାଙ୍କ ଶାସନ କାଳରେ ହୋଇଛି । ଏହିପରି ଅନେକ ଛାପ ଛାଡିଦେଇ ଯାଇଛନ୍ତି ବାଜପେୟୀ ଓଡିଶାରେ ତାର ହିସାବ ନାହିଁ ।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କର ପତନ ମଧ୍ୟ ଓଡିଶା ଦାୟୀ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଗିରିଧାରୀ ଗମାଙ୍ଗ ଲୋକସଭା ସଦସ୍ୟ ରୂପେ କଂଗ୍ରେସ ଦଳର ନିର୍ଦ୍ଦେଶରେ ଦଳୀୟ ଶୃଙ୍ଖଳାମାନି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇଥିଲେ ।

ସାମ୍ପ୍ରତିକ ଭାରତର ରାଜନୀତି ଭ୍ରଷ୍ଟାଚାର, ଦୁର୍ନୀତି, ଲୋଭ ଓ ଲାଳସାମୁକ୍ତ କରିବା ପାଇଁ ଯେଉଁ ମହାନାୟକ ଅଟଳ ପ୍ରତିଜ୍ଞା କରିଥିଲେ ସେହି ମହାନାୟକ ବିଭିନ୍ନ ସମୟରେ ଓଡିଶାର ସାଧୁସନ୍ଥଙ୍କର ମତାମତ ମଧ୍ୟ ଲୋଡୁଥିଲେ । ଅଯୋଧ୍ୟାରେ ଶ୍ରୀରାମ ଜନ୍ମ ଭୂମି ପ୍ରସଙ୍ଗରେ
ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତାମତ ମଧ୍ୟ ନେଇଥିଲେ ।

ଓଡିଶାରେ ବାଜପେୟୀଙ୍କ ବିଭିନ୍ନ ଘଟଣାକୁ ଆଲୋଚନା ଓ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ,ଓଡିଶା ପାଇଁ ତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା | ରାଜନୈତିକ ତୋଫାନ ମଧ୍ୟରେ ଯେଉଁ ଦୀପ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଥିଲା ସେହି ପ୍ରଦୀପ ଲିଭିଗଲା । ସମଗ୍ର ଭାରତ ବର୍ଷ ତଥା ପୃଥିବୀକୁ ଆଲୋକିତ କରି ଚୌରାନବେ ବର୍ଷଧରି ଜଳୁଥିବା ଏହି ପ୍ରଦୀପ ଲିଭିଗଲା ।

କିନ୍ତୁ ଏହି ଦୀପ ଶିଖା ଲିଭିବାର ଦୃଶ୍ୟ ଅପୂର୍ବ ଓ ଅବର୍ଣ୍ଣନୀୟ । ସୀମିତ ସଳିତା ସଲଗ୍ନ ଆଲୋକର ଶିଖା ଲିଭିବା ସହିତ ପ୍ରସରି ଯାଉଛି ଦିଗବିଦିଗକୁ । ଦୀପର ଉଜ୍ଜ୍ୱଳ ଆଲୋକ ଲେଲିହାନଶିଖା ଟେକି ଆଚ୍ଛାଦିତ କରୁଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ! ଦୀପ ସିନା ଲିଭିଗଲା କିନ୍ତୁ ଏହି ଅନିର୍ବାଣ ଆଲୋକ ଶିଖାର ମୃତ୍ୟୁ ନାହିଁ ।

ସେ ଅଜୟ, ଅପରାଜିତ ଓ ମୃତ୍ୟୁଞ୍ଜୟ । ସେ କୋଟିଏ ଦୀପରୁ ଏବେ ସମସ୍ତ ବଶ୍ୱ ବ୍ରହ୍ମାଣ୍ଡକୁ ପରିବ୍ୟପ୍ତ । ପାର୍ଥବ ଶରୀରରେ ସେ ଅନୁପସ୍ଥିତ । ପଂଚଭୂତର ଶରୀର ପୁନଶ୍ଚ ପଂଚଭୂତରେ ବିଲୀନ କିନ୍ତୁ ଆମ ପ୍ରତ୍ୟେକଙ୍କ ଭିତରେ ସେ ଚିରଦେଦୀପ୍ୟମାନ ଓ ଅନୁଭବ୍ୟ ।

ଏକରୁ ସେ ଏବେ ସହସ୍ର କୋଟିରେ ବିଭକ୍ତ । ସୁକ୍ଷ୍ମ ଶରୀରରେ ସେ ଆମ ସମସ୍ତଙ୍କ ଭିତରେ ବିରାଜମାନ ସେହି ମହାନ୍ ଆତ୍ମାକୁ ଆମର କୋଟି କୋଟି ପ୍ରଣାମ ।

୩୫,ଏନ୍.ଏ.ସି ଫ୍ଲାଟ,ୟୁନିଟ-୩, ଖାରବେଳ ନଗର, ଭୁବନେଶ୍ୱର

ଫୋନ-୯୮୬୧୦୨୮୫୫୩

ଗୋଲଖ ଦାସ :

This website uses cookies.