Site icon Odisha.com

ବଡ଼ଦାଣ୍ଡରେ ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମ ପରମ୍ପରା

ପୁରୀ, ଫେବ୍ରୁଆରୀ ୧୦: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ଶ୍ରୀପଞ୍ଚମୀ ଅବସରରେ ବଡ଼ଦାଣ୍ଡରେ ରଥ ନିର୍ମାଣର ପ୍ରଥମ ପରମ୍ପରା ସ୍ୱରୂପ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହୋଇଥିଲା ।

ଚୂନପାଣିରେ ରଥଖଳାକୁ ପବିତ୍ର କରିବା ପରେ କାଠ ୩ଟିକୁ ମାଜଣା କରାଯାଇଥିଲା ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜଗୁରୁ ଓ ପୁରୋହିତ ପୂଜାର୍ଚ୍ଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀପଞ୍ଚମୀ ଅବସରରେ ରଥ ନିର୍ମାଣର ପ୍ରଥମ ପରମ୍ପରା ଆରମ୍ଭ ହୋଇଥାଏ । ନୟାଗଡ଼ ବନଖଣ୍ଡରୁ ପ୍ରଥମ ଦଫାରେ ଏହି କାଠ ସମେତ ମୋଟ ୫୭ଖଣ୍ଡ କାଠ ଆସିଥିଲା ।

କାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡ଼ା ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସମେତ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version