ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉପଯୁକ୍ତ ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି ।
ଓଡ଼ିଶାରେ ଥିବା ପ୍ରାଚୀନ କୀର୍ତୀରାଜିରେ ସଂରକ୍ଷଣ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାର
ମହାନିର୍ଦ୍ଦେଶକ ଡଃ ଗୌତମ ସେନଗୁପ୍ତଙ୍କ ସହ ଗୁରୁବାର ଆଲୋଚନା ସମୟରେ ନବୀନ ତାଙ୍କୁ
କହିଛନ୍ତି ।
ଆଧ୍ୟାତ୍ମିକ ତଥା ପ୍ରତ୍ନତାତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣର୍ ଏହି ଦୁଇ ପ୍ରମୁଖ କୀର୍ତୀରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଶ୍ରୀମନ୍ଦିର ଜଗମୋହନ ଓ ସିଂହ୍ୱାରର ଚୂନଛଡ଼ା କାର୍ଯ୍ୟକ୍ରମ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟ ଯେଭଳି ଯତ୍ନର ସହିତ ସମ୍ପନ୍ନ କରାଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେନଗୁପ୍ତ କହିଛନ୍ତି ।
ପୁରୀ ଓ କୋଣାର୍କ ପାଇଁ ଅଧିକ ରସାୟନବିତ୍ ପଠାଇବା ସହିତ ସଂରକ୍ଷଣ କାର୍ଯ୍ୟକ୍ରମର ଉପଯୁକ୍ତ
ତଦାରଖ ପାଇଁ ପୁରୀରେ ଜଣେ ଉପ ଅଧୀକ୍ଷକଙ୍କୁ ଅବସ୍ଥାପିତ କରାଯିବ ବୋଲି ଡଃ ସେନଗୁପ୍ତ କହିଛନ୍ତି ।
କୋଣାର୍କ ମନ୍ଦିରର ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଏଏସ୍ଆଇ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏବଂଦୁଇମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ।
କୋଣାର୍କ ମନ୍ଦିରର ଥ୍ରୀଡ଼ି ଲେଜର ସ୍କାନିଂ ସେନ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରାକରାଯିବ ଏବଂ ମନ୍ଦିର ଭିତର ଅବସ୍ଥା ସଂପର୍କରେ ଏଣ୍ଡୋସ୍କୋପି କ୍ୟାମେରା ଦ୍ୱାରାଫଟୋ କରି ବିସ୍ତୃତ ଯାଂଚ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଛି ବୋଲି ଡଃ ସେନଗୁପ୍ତ କହିଥିଲେ ।
ଏହା ବ୍ୟତୀତ କୋଣାର୍କ ମନ୍ଦିର ଚାରିପଟେ ଦିଆଯାଇଥିବା ଲୁହାଭାରା ସଂପର୍କରେ ଆଇଆଇଟି ଭୁବନେଶ୍ୱର ଦ୍ୱାରାଅନୁଧ୍ୟାନ କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଛି ।
ଶିଶୁପାଳଗଡ଼, ଧଉଳି ଓ ଚଉଷଠୀ ଯୋଗିନୀ ମନ୍ଦିର ଚତୁଃପାଶ୍ୱର୍ରେ ବ୍ୟାପକ ବୃକ୍ଷରୋପଣ କରାଯିବ, ବିଶେଷତଃ ବାଉଁଶ ଗଛର ଏକ ବଳୟ ସହିତ ଶିଶୁପାଳଗଡ଼ର ପାଚେରୀ ଉପରେ ବ୍ୟାପକ ଘାସ ଗଛ ଲଗାଯାଇ ମୃତ୍ତିକା ସଂରକ୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍