ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୮(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ବର୍ଷା ଋତୁରେ ରାଜ୍ୟରେ ପାଞ୍ଚକୋଟି ଚାରା ରୋପଣ କରାଯିବ ବୋଲି ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ଜଙ୍ଗଲ ବିଭାଗ ପକ୍ଷରୁ ତିନି କୋଟି ଚାରା ରୋପଣ କରିବାର ପାର୍ଯ୍ୟକ୍ରମ ଥିବା ବେଳେ ଜନସାଧାରଣଙ୍କୁ ଦୁଇ କୋଟି ଚାରା ବଣ୍ଟନ କରାଯିବ । ଦୁଇ ଲକ୍ଷ ହେକ୍ଟର ଜମିରେ ଏହି ନବୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
ସେହିପରି ଗତବର୍ଷ ୧୨ଟି ସହରାଞ୍ଚଳରେ ବିଭିନ୍ନ ରାସ୍ତା କଡ଼ରେ ଛଅ ଲକ୍ଷ ଆଠ ହଜାର ଚାରା ରୋପଣ କରାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ବଞ୍ଚିଛି ବୋଲି ବୈଠକରେ କୁହାଯାଇଛି ।
ବର୍ଷା ଋତୁରେ ଏହି କାର୍ଯ୍ୟକ୍ରମକୁ ୨୭ଟି ସହରାଞ୍ଚଳକୁ ଚଳିତ ବର୍ଷ ସଂପ୍ରସାରିତ କରାଯାଇ ଆଠ ଲକ୍ଷ ୪୩ ହଜାର ଚାରା ରୋପଣ କରିବା ପାଇଁ ନିଷ୍ପତି ନିଆଯାଇଛି ।
ସେହିପରି ଗରିବ ଆଦିବାସୀ ମାନଙ୍କୁ ଜୀବୀକା ଯୋଗାଇବା ପାଇଁ ଅବିଭକ୍ତ କେବିକେ ଅଞ୍ଚଳରେ ଚାଲିଥିବା ବାଉଁଶ ଚାଷ କାର୍ଯ୍ୟକ୍ରମକୁ ଗଜପତି ଓ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍