ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶାସକ ବିଜୁ ଜନତା ଦଳ(ବିଜେଡ଼ି) ଠାରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ତାର ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛି ।
ବୁଧବାର ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଏନ୍ସିପି ରାଜ୍ୟ ସଭାପତି ଉତ୍କଳ କେଶରୀ ପରିଡ଼ା କହିଛନ୍ତି ।
“ବିଜେଡ଼ି କୌଣସି ବିଷୟରେ ଆମ ସହ ବିଚାରବିମର୍ଷ କରୁନଥିବାରୁ ସମର୍ଥନ ପ୍ରତ୍ୟାହାର କରାଯାଇଛି । ସରକାର ଚାଷୀଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି” ସେ କହିଛନ୍ତି ।
ବିଜେଡ଼ି ଗତ ୨୦୦୯ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହ ତାହାର ୧୧ ବର୍ଷର ମେଣ୍ଟ ଭଙ୍ଗକରି ସିପିଆଇ, ସିପିଆଇ-ଏମ୍ ଏବଂ ଏନ୍ସିପି ସହ ମେଣ୍ଟ କରିଥିଲା ।
ସମର୍ଥନ ପ୍ରତ୍ୟାହାର ଫଳରେ ଉଭୟ ଦଳ ମଧ୍ୟରେ ଗତ ୨୨ ମାସ ଧରି ରହିଥିବା ମେଣ୍ଟ ଭାଙ୍ଗି ଯାଇଛି । ୧୪୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବର୍ତ୍ତମାନ ଏନ୍ସିପିର ଚାରି ଜଣ ବିଧାୟକ ଅଛନ୍ତି ।
ତେବେ ଏ ସଂପର୍କରେ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।
ଓଡ଼ିଶା ଡ଼ଟ୍ କମ୍
Leave a Reply