ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୂବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ସମ୍ବାପତ୍ର ପୃଷ୍ଠାରୁ ଆଜିକାଲି ଖବର ଖୋଜିଲେ ମିଳୁନି, ଭଲ ଖବରଟିଏ ଖୋଜି ଖୋଜି ସେ ଅଣନିଃଶ୍ୱାସୀ ହୋଇପଡୁଛି ଏବଂ ସତ୍ୟ ଖବର ପାଇବା ପାଇଁ ପାଠକକୁ ସଂଘର୍ଷ କରିବାକୁ ପଡୁଛି ବୋଲି ମତପ୍ରକାଶ ପାଇଛି ।
ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି । ଜୟଦେବ ଭବନରେ ସଂଘର ରାଜ୍ୟ ସଭାପତି ପ୍ରଭାତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ଶକ୍ତି, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ ସାହୁ ।
ଆଜି ସାରା ବିଶ୍ୱରେ ଜ୍ଞାନର ବିସ୍ଫୋରଣ ଘଟିଛି । ତାଙ୍କ ଝଙ୍କୃତ ହେଉଛି ସମାଜରେ । ତେଣୁ ସେହି ବିସ୍ଫୋରଣରେ ସାମିଲ ହୋଇଥିବା ଗଣମାଧ୍ୟମ ନିଜ ଦାୟିତ୍ୱବୋଧକୁ ଭୁଲିଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ସମାଜରେ ଘଟୁଥିବା ଘଟଣାର ଉପସ୍ଥାପନା କରିବା ବେଳେ ନିଜସ୍ୱ ମତକୁ ପାଠକ ଉପରେ ଲଦିଦେବା କେବେ ସାମ୍ବାଦିକର କର୍ତବ୍ୟ ନୁହେଁ । ତେଣୁ ପାଠକକୁ ସତ୍ୟ, ବିଶ୍ୱାସନୀୟତା ଓ ଭଲ ଖବର ଯୋଗାଇଦେବା ପ୍ରତ୍ୟେକ ସମ୍ବାଦିକର ପ୍ରଧାନ କର୍ତବ୍ୟ ଓ ଦାୟିତ୍ୱ । ଏଥିରୁ ସେ ବିଚ୍ୟୁତ ହେଲେ ସମାଜ ପଥଭ୍ରଷ୍ଟ ହୋଇପଡେ ବୋଲି ସେ କହିଛନ୍ତି ।
ସେହିପରି ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା, ସେମାନଙ୍କୁ ପେନସନ୍ ପ୍ରଦାନ ଆଦି ବିଭିନ୍ନ ଦିଗ ସଂପର୍କରେ ସେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି । ସମ୍ବାଦ ପରିବେଷଣ ବେଳେ ମାନବୀୟ ମୂଲ୍ୟବୋଧ ପ୍ରତି ଦୃଷ୍ଟି ଦେବାକୁ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗେଇଥିବା ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ କୁମାର ପଣ୍ଡା କହିଛନ୍ତି ।
ଏହି ସମ୍ମିଳନୀରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏସେଲ ମାଉନିଂ ଇଣ୍ଡଷ୍ଟ୍ରିଜ୍ର ଉପସଭାପତି ଦିଲ୍ଲୀପ ମହାନ୍ତି ଶିଳ୍ପ ବିପ୍ଳବରେ ଗଣମାଧ୍ୟମର ଭୂମିକାକୁ ଉପସ୍ଥାପନା କରିଥିଲେ । ଏଥିରେ ସଂଘର ସାାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ମିହିର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ବିଶେଷ କୃତି ପାଇଁ ସ୍ଥପତି ଅଶୋକ ଖଟୁଆଙ୍କୁ ‘ଉତ୍କଳ ରତ୍ନ’ ଏବଂ ସାମ୍ବାଦିକ ଦୟାନିଧି ଦାଶ ଓ ପ୍ରଶାସକ ବସନ୍ତ କୁମାର ସାହୁ ବିଶେଷ ସମ୍ବର୍ଦ୍ଧନାରେ ସମ୍ମାନିତ କରାଯାଇଥିଲା ।
ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଭାରତୀୟ ଜନସଂଚାର ଅନୁଷ୍ଠାନ ଢେଙ୍କାନାଳର ମୁଖ୍ୟ ପ୍ରଫେସର ଡ.ମୃଣାଳ ଚାଟାର୍ଜୀଙ୍କ ଦ୍ୱାରାଏକ ମିଡିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଯୋଗଦେଇଥିବା ସାତ ଶହରୁ ଉର୍ଦ୍ଧ୍ଵ ସାମ୍ବାଦିକ ଗଣମାଧ୍ୟମର ନୀତିନିୟମ ସଂପର୍କରେ ଶିକ୍ଷାଗ୍ରହଣ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply