• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ମାନବାଧିକାର

ସାମ୍ବାଦିକଙ୍କୁ ମାଡମାରି ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଗିରଫ

July 8, 2015 by News Bureau Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୮ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚିଟ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ସ୍ୱସ୍ତିକ୍ ଭାରତ ମଲ୍ଟି ସ୍ଟେଟ କ୍ରେଡିଟ କୋ-ଅପରେଟିଭ ସଂସ୍ଥାର ନିର୍ଦ୍ଦେଶକ ରଞ୍ଜନ ଦାସଙ୍କୁ ବଡଗଡ ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସିବିଆଇ ପକ୍ଷରୁ ଦାସଙ୍କ ବଡଗଡ ବ୍ରିଟ କଲୋନୀ ସ୍ଥିତ ବାସଭବନ ଉପରେ ଚଢଉ ଚାଲିଥିବାବେଳେ ଉକ୍ତ ଘଟଣାର ତଥ୍ୟ ସଂଗ୍ରହ ପାଇଁ ଜିତେନ୍ଦ୍ର ଫଟୋ ଉତ୍ତୋଳନ କରୁଥିଲେ ।

ଏହି ସମୟରେ କିଛି ପେଷାଦାର ଗୁଣ୍ଡା ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ସହ ଏକ ଘର ଭିତରେ ପୁରାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।ଜିତେନ୍ଦ୍ରଙ୍କ ପିଠି, ମୁଣ୍ଡ ଓ ହାତରେ କ୍ଷତ ସୃଷ୍ଟି ହୋଇଥିବା କୁହା ଯାଇଛି । ତାଙ୍କୁ ବନ୍ଧୁକ ଦେଖାଇ ମାରିଦେବାପାଇଁ ଧମକ ମଧ୍ୟ ଦିଆଯାଇଥିବ ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଦେଖିବା ପରେ ଧରିତ୍ରୀ ସଂବାଦପତ୍ରର ଫଟୋ ସାମ୍ବାଦିକ ମନୋରଞ୍ଜନ ମିଶ୍ର ବଡଗଡ ଥାନା କୁ ଜଣାଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ରଞ୍ଜନ ଦାସଙ୍କୁ ଗିରଫ କରିଥିଲେ ।

ସାମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣାକୁ ”ପ୍ରେସ କ୍ଲବ ଅଫ ଓଡିଶା” ପକ୍ଷରୁ ନିନ୍ଦା କରାଯାଇ ରଞ୍ଜନ ଦାସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଜାମିନ ନାମଞ୍ଜୁର କରିବା ପାଇଁ ଦାବି କରାଯାଇଛି ।

ଧରିତ୍ରୀ ସମ୍ପାଦକ ତଥାଗତ ଶତପଥିଙ୍କ ନେତୃତ୍ଵରେ କ୍ଲବର ଏକ ପ୍ରତିନିଧି ଦଳ ପୁଲିସ କତ୍ତୃପକ୍ଷଙ୍କୁ ସାକ୍ଷାତ କରି ଏହି ଦାବି କରିଛନ୍ତି ।

ଏଠାରେ ସୁଚାଇ ଦିଆଯାଇପାରେ ଯେ, କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର ନିଲମ୍ବିତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମାନବାଧିକାର Tagged With: ଚିଟଫଣ୍ଡ, ଦାଦାଗିରି

କିଡନି ବିକ୍ରି ମାମଲା ରେ ରିପୋର୍ଟ ତଲବ

June 17, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧୮ (ଓଡିଶା ଡଟ କମ) ଜଣେ ଯୁବକ ଅର୍ଥ ପାଇଁ ନିଜର ଗୋଟିଏ କିଡନି ବିକ୍ରି କରିଥିବା ଘଟଣାରେ ଜାତୀୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଠାରୁ ଜବାବ ତଲବ କରିଥିବା ଜଣେ ମାନବଧିକାର କର୍ମୀ ଗୁରୁବାର କହିଛନ୍ତି ।

Kanhu-with-his-father (2)ଆବେଦନକାରୀ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଦେଇଥିବା ସୂଚନା ଅନୁସାରେ ଗତ ଅପ୍ରେଲ ମାସରେ ଫୁଲବାଣୀ ହରିଜନ ସାହିର ବରୁଣ ବେହେରାଙ୍କ ୨୦ ବର୍ଷ ବୟସ୍କ ପୁଅ କାହ୍ନୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ନିଜର ଗୋଟିଏ କିଡନି ବ୍ରହ୍ମପୁରର ଜଣକୁ ବିକ୍ରି କରିଥିଲେ ।

ଆଶ୍ଚର୍ଯ୍ୟର କଥା ହେଲା ଯେ ଶ୍ରୀଲଙ୍କାର ଏକ ହସପିଟାଲରେ ଏହି କିଡନି ପ୍ରତ୍ୟାରୋପଣ କରାଯାଇଥିଲା । ପ୍ରାୟ ସାଢେ ତିନି ଲକ୍ଷ ଟଙ୍କା ନେଇ ସେ କିଡନି ଦେଇଥିବା ଏହି ଘଟଣା ଜୁନ୍ ପ୍ରଥମ ସପ୍ତାହରେ ଲୋକଲୋଚନକୁ ଆସିଥିଲା ଓ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଥିଲା । ଘଟଣାକୁ ନେଇ ହଟଚମଟ ହେବା ପରେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ରଟ ଦାରିଦ୍ର୍ୟ ଯୋଗୁଁ କାହ୍ନୁ ଅଧାରୁ ପାଠ ଛାଡିଥିଲା ଓ କୌଣସି କାମ ଧନ୍ଦା ନ ମିଳିଥିବାରୁ ଆର୍ଥିକ ଅନାଟନରେ ଦିନ କାଟୁଥିଲା ।

ବାପାଙ୍କ ସମେତ ପରିବାରର ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ସେ କିଛି କରିବାକୁ ଚାହୁଁଥିଲା । ଏହି ପରିସ୍ଥିତିରେ ବ୍ରହ୍ଣପୁରର ଜଣେ ଲୋକଙ୍କ ସହ ଦେଖା ହୋଇ କିଡନି ଆବଶ୍ୟକ ଥିବା ସମ୍ପର୍କରେ ସେ ଜାଣି ପାରିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ବଦଳରେ କିଡନି ବିକ୍ରି କରିବା ପାଇଁ ରାଜି ହୋଇଥିଲା ।

ଏ ମାମଲାରେ ଏକ ରାକେଟ କାମ କରୁଥିବା ସନ୍ଦେହ କରି ସାମାଜିକ କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଥିଲେ ।

ଏ ପର୍ଯ୍ୟନ୍ତ କାହ୍ନୁ ର ପରିବାରକୁ ବିପିଏଲ୍ କାର୍ଡ ଦେବାକୁ ପଦକ୍ଷେପ ନିଆଯାଇ ନା ଥିବା ତଥା କିଡନି ବିକ୍ରି ପାଇଁ ରାଜି କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଆଇନଗତ କାର୍ଯାନୁଷ୍ଠାନ ନିଆଯାଇନାହିଁ ବୋଲି ଅଖଣ୍ଡ ଜଣାଇଥିଲେ ।

କମିଶନ ଏହାକୁ ଗୁରୁତର ସହ ଗ୍ରହଣ କରି କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଜବାବ୍ ଲୋଡିଛନ୍ତି । ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାପାଇଁ କମିଶନ କମିଶନ ନିର୍ଦ୍ଦେଶ ଦେଇଥିବା ଅଖଣ୍ଡ କହିଛନ୍ତି ।

ଓଡିଶା ଡଟ କାମ

Filed Under: ମାନବାଧିକାର Tagged With: ଅଖଣ୍ଡ, ମାନବାଧିକାର

ମୁଖ୍ୟ ସୂଚନା କମିଶନର ପଦ ପାଇଁ ବିଜ୍ଞପ୍ତି, ଜୁଲାଇରେ ନିଯୁକ୍ତି ସମ୍ଭାବନା

June 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଜୁନ ୮ (ଓଡିଶା ଡଟ କମ) ରାଜ୍ୟ ସରକାର ମୁଖ୍ୟ  ସୂଚନା କମିଶନର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଆସନ୍ତା ମାସ  ଏହି ପଦବୀ ପୂରଣ ପାଇଁ ଉଦ୍ୟମ ହେଉଥିବା ସଂକେତ ଦେଇଛନ୍ତି ।

ପ୍ରକାଶିତ ବିଜ୍ଞପ୍ତିରେ ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ଛଅ ତାରିଖ ରଖାଯାଇଛି ।

ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ସଂକ୍ଷିପ୍ତୀକରଣ କରାଯିବା ପରେ ଚୂଡ଼ାନ୍ତ ତାଲିକା ମନୋନୟନ କମିଟି ନିକଟକୁ ଯିବ ।  ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଦସ୍ୟ ଥିବା ଏହି କମିଟି ଚୁଡାନ୍ତ ନିଷ୍ପତ୍ତି ନେଇ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ପଠାଇବେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୦୫ ଅକ୍ଟୋବରରେ ତିଆରି ହୋଇଥିବା ଏହି କମିଶନର ମୁଖ୍ୟ ସୂଚନା କମିଶନର ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣ କାନ୍ତି ମିଶ୍ରଙ୍କ କାର୍ଯ୍ୟକାଳ ଗତ ମାର୍ଚ ମାସରେ ସାରିବା ପରେ ଏହି ପଦବୀ ଖାଲି ଅଛି ।

ସୂଚନାଯୋଗ୍ୟ ଯେ ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ଵରେ ଥିବା ମନୋନୟନ କମିଟି ନିକଟରେ ଦୁଇ ସୂଚନା କମିଶନର ପଦବୀ ପାଇଁ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଶଶୀପ୍ରଭା ବିନ୍ଧାଣିଙ୍କ ନାମ ସୁପାରିଶ କରିଛନ୍ତି।

ଏହି ସୁପାରିଶ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ  ସେମାନେ ଏଯାଏ ଶପଥ ନେଇ ନାହାନ୍ତି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ବିଜ୍ଞପ୍ତି, ସୂଚନା କମିଶନ

(ଶ୍ରଦ୍ଧାଞ୍ଜଳି) ସାଇ ସ୍ମୃତି

June 3, 2015 by News Bureau Leave a Comment

: ଶ୍ରୀ ଅଖଣ୍ଡ

ମୁମ୍ବାଇରେ ରହୁଥିବା ଓଡିଶାର ଜଣେ ସାମ୍ବାଦିକ ତଥା ସମାଜ କର୍ମୀ ସାଇ ପ୍ରସନ୍ନଙ୍କ ଗତ ମଇ ୩୧ ତାରଖରେ ନାଗପୁରରେ ଅକାଳ ବିୟୋଗ ଘଟିଛି । ରାଉଲକେଲା ଆସୁଥିବା ବେଳେ ୩୦ ତାରିଖରେ ନାଗପୁର ଠାରେ ସେ ଅସୁସ୍ଥ ହୋଇପଡିଥିଲେ ।

Sai_photoତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଂଚାଇ ହେଲା ନାହିଁ । ଡିଜିଟାଲ୍ ଓଡିଶାର ସ୍ୱପ୍ନ ଦେଖୁଥିବା ସାଇ ପ୍ରସନ୍ନ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିସାରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁରେ ଏକ ବଡଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ।

୨୦୦୮ରେ ମୁଁ ଏକ ଖବର କାଗଜରେ କାମ କରୁଥିବା ବେଳେ ପ୍ରଥମେ ସାଇ ପ୍ରସନ୍ନଙ୍କ ଫୋନ୍ ପାଇଥିଲି ।ତା ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ଥିଲେ। ଯେତେବେଳେ ସେ ଫୋନ୍ କରନ୍ତି, ଗୋଟିଏ କଥା କହନ୍ତି – ଓଡିଶା ପାଇଁ କିଛି କରିବାକୁ ଯୋଜନା କରୁଛି । ଲେଖାଲେଖି ଚାଲିଛି । ଆଉ ମୋତେ ପଚାରନ୍ତି, ତମର ସବୁ କଣ ନୂଆ ଆଇଡିଆ ଅଛି କୁହ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜନତା ବିକାଶ ମଂଚର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସବୁବେଳେ ମୋ ଠାରୁ ମତାମତ ଲୋଡନ୍ତି ।

ମୁମ୍ବାଇରୁ ଥାଇ ଓଡିଶାର ବହୁ ଲୋକଙ୍କ ସହ ସମ୍ପର୍କ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଥିଲା ତାଙ୍କର ଅଭ୍ୟାସ ।ମଝିରେ ମଝିରେ ଭୁବନେଶ୍ୱର ଆସିଲେ ମୋତେ ଡାକନ୍ତି ଓ ଆମର ଦେଖାହୁଏ । ମାନବାଧିକାର ସମ୍ପର୍କିତ ମିଟିଂ ଓ କର୍ମଶାଳାରେ ମଧ୍ୟ ଦେଖାହୁଏ । ଗତ ମାସରେ ସେ ଡିଜିଟାଲ୍ ଓଡିଶା ଉପରେ ଏକ ସେମିନାର୍ କରିବା ପୂର୍ବରୁ ତାଙ୍କ ସହ ଘନିଷ୍ଠତା ବଢି ଯାଇଥିଲା ।

ଏହାକୁ କିପରି କରାଯିବ, ସେ ନେଇ ପୂର୍ବରୁ ହୋଇଥିବା ପ୍ରସ୍ତୁତିରେ ମୁଁ ସାମିଲ ହୋଇଥିଲି । ସେମିନାର ପୂର୍ବରୁ ମୋ ପାଖକୁ ସେ ଏକ ପ୍ରେସ୍ ରିଲିଜ୍ ପଠାଇଥିଲେ । ଆଉ ଅନୁରୋଧ କରିଥିଲେ, ଏହାକୁ ଓଡିଆରେ କରିବା ପାଇଁ । ମୁଁ ଓଡିଆରେ ଅନୁବାଦ କରି ତାଙ୍କୁ ଇ-ମେଲ୍ କରିଥିଲା । ଦୁଇ ଦିନ ପରେ ମୁଁ ପଚାରିଥିଲି – ଆପଣ ଏହା ଉପରେ କିଛି ମତାମତ ଦେଲେନି । କହିଲେ – “ତମେ ଲେଖିଛ, ଠିକ୍ ହୋଇଥିବ ମୁଁ ନିଶ୍ଚିତ ।”

ତଥାପି ମୁଁ କହିଲି, ଆପଣ ପଢିଛନ୍ତି କି ନାହିଁ ? ସେ କହିଲେ – ମୁଁ ଓଡିଆ ବୁଝି ପାରୁଥିଲେ ମଧ୍ୟ ଠିକ ରେ ପଢିପାରେ ନାହିଁ । ତଥାପି ସେ ଚାରି ପାଞ୍ଚୋଟି ଭାଷା କହିପାରନ୍ତି ବୋଲି ମୁଁ ସେହିଦିନ ସେମିନାର ରୁ ଜାଣିଲି । ମଇ ମାସ ୧ ତାରିଖରେ ହୋଇଥିବା ସେମିନାରରେ କିଛି ତ୍ରୁଟି ପାଇଁ ମୁଁ ସମାଲୋଚନା କରିଥିଲି ।

କିନ୍ତୁ ସେ ମୋ ପାଖକୁ ଫେସବୁକ୍ ମେସେଜ୍ ପଠାଇଥିଲେ – “So we should invite feedback from impartial people. . . .I consider my critics are my best friends than admirers” ।

ଓଡିଶାରେ ସେ ସକ୍ରିୟ ଭାବେ କାମ କରିବାକୁ ଆସିଥିଲେ ୨୦୧୫ରୁ । ସେ ଚାହୁଥିଲେ ଓଡିଶାକୁ ଏକ ଡିଜିଟାଲ୍ ରାଜ୍ୟରେ ପରିଣତ କରିବା ପାଇଁ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଓ ସରକାରଙ୍କ ଉପରେ ଚାପ ପକାଇବା । ସେଥିପାଇଁ ସେ ଯୋଜନା ପ୍ରସ୍ତୁତ କରୁଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଏଥିପାଇଁ ସଚେତନତା ସଭା, ସେମିନାର ଆୟୋଜନ କରିବା ପାଇଁ କାର୍ଯ୍ୟ ଚାଲିଥିଲା ।

କିଛି ଯୁବବନ୍ଧୁଙ୍କୁ ନେଇ ଏକ ଭଲ ଟିମ୍ ମଧ୍ୟ ଗଢିଥିଲେ । ଜୁନ୍ ୬ରେ ମିଡିଆ ଆଡଭୋକେସୀ ଉପରେ ସେ ଏକ ଟ୍ରେନିଂ କାର୍ଯ୍ୟକ୍ରମ କରିବାର ଥିଲା ଭୁବନେଶ୍ୱରେ । ଏଥିପାଇଁ ମଧ୍ୟ ସେ ଗୋଟିଏ ଦାୟିତ୍ୱ ଦେଇଥିଲେ । ସେହି କାମ । ଇଂରାଜୀ ପ୍ରେସ୍ ରିଲିଜ୍ ଓଡିଆ କରିବା କାମ । ମୁଁ ରାଜି ହୋଇଥିଲେ । ସେ କହିଥିଲେ ଟ୍ରେନିଂ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ପଠାଇବି । କିନ୍ତୁ ମେ ୩୧ରେ ସବୁ କଥା ସରିଗଲା ।

ସେ ଚାଲିଗଲେ ଆଉ ଏକ ଦୁନିଆକୁ । ମଇ ୧୫ ତାରିଖରେ ଫେସବୁକରେ ତାଙ୍କ ଆନ୍ଦୋଳନ ପାଇଁ ପାଣ୍ଠି କେଉଁଠୁ ଆସିବ ବୋଲି ସେ ପଚାରୁଥିଲେ । ମୁଁ କହିଥିଲି ମୋର ସେ ବିଷୟରେ ଧାରଣା କମ୍ । ତଥାପି କହିଥିଲି – ଅର୍ଥ ସଂଗ୍ରହ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଗତ ସମ୍ପତିରେ ଏସବୁ କାମ ହୋଇପାରିବନି । ମୋ କଥାରେ ସେ ରାଜି ଥିଲେ ଓ ତାଙ୍କ ଉତ୍ତର ଥିଲା – “Now my bank balance is Zero, with no property”.  ସେ କହିଥିଲେ – ଜୁନ୍ ୧ରେ ଓଡିଶା ଆସିବି, ଏ ବିଷୟରେ କଥା ହେବା । ସବୁ କଥା କଥାରେ ହିଁ ରହିଗଲା !
–୦ —
ଲେଖକ ଜଣେ ମାନବାଧିକାର କର୍ମୀ,
ମୋ – ୯୮୬୧୨୧୦୧୦୧

Filed Under: ମାନବାଧିକାର Tagged With: ଅଖଣ୍ଡ, ଓଡିଶା, ଡିଜିଟାଲ, ସାଇ ପ୍ରସନ୍ନ, ସାମ୍ବାଦିକ

ଟ୍ରେନ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ରେଳବାଇକୁ ନିର୍ଦ୍ଦେଶ

May 23, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୩ (ଓଡିଶା ଡଟ କମ) ପୁରୀ ସହରରୁ ଦେଶର ବିଭିନ୍ନ ଅଂଚଳକୁ ଯାଉଥିବା ଟ୍ରେନ୍ ଗୁଡିକରେ ପରିମଳ ବ୍ୟବସ୍ଥା ସୁଧାରିବା, ସ୍ୱଚ୍ଛତା ଅବଲମ୍ବନ କରିବା ଓ ଯାତ୍ରୀମାନଙ୍କୁ ଠିକ୍ ସେବା ଯୋଗାଇ ଦେବା ଲାଗି ଜାତୀୟ ମାନବାଧିକାର କମିଶନ ରେଳବାଇ ବୋର୍ଡକୁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଶନିବାର କହିଛନ୍ତି ।

କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ ଯେ ଗତ ମାସରେ ସେ ପୁରୀ-ବିକାନେର ଟ୍ରେନ୍ ର ଏସି ବଗିରେ ଛତିଶଗଡର ବିଳାସପୁରକୁ ଯାଇଥିଲେ । କିନ୍ତୁ ଏହି ଟ୍ରେନ୍ ରେ ମିଳୁଥିବା ଖାଦ୍ୟ ଅତି ନିମ୍ନମାନର ଥିଲା ଏବଂ ଟ୍ରେନ୍ ରେ ସ୍ୱଚ୍ଛତା ପ୍ରତି ଆଦୌ ଧ୍ୟାନ ଦିଆଯାଇନଥିଲା ।

ବଗିରେ ମୂଷା ଓ ଅସରପା ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ପାଇଖାନାଗୁଡିକର ଅବସ୍ଥା କହିଲେ ନସରେ । ଏଗୁଡିକରୁ ଦୁର୍ଗନ୍ଧ ବାହାରୁଥିବା ସତ୍ୱେ ସଫା କରାନଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିଥିଲ। । ସେହିପରି ସେ ବିଳାସପୁରରୁ ଫେରିବା ବେଳେ ମଧ୍ୟ ଅନ୍ୟ ଏକ ସୁପରଫାଷ୍ଟ ଟ୍ରେନ୍ ରେ ସମାନ ଅବସ୍ଥା ଦେଖିବାକୁ ପାଇଥିଲେ ।

କେବଳ ଏହି ଦୁଇଟି ଟ୍ରେନ୍ ନୁହେଁ, ପ୍ରାୟ ସବୁ ଟ୍ରେନରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ଯାତ୍ରୀମାନଙ୍କୁ ବିଶେଷକରି ପିଲାମାନଙ୍କୁ ରୋଗ ସଂକ୍ରମଣର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଥିଲେ ।

କମିଶନ ଅଭିଯୋଗକୁ ବିଚାରକୁ ନେଇ ଦୁଇଟି ମାମଲା ରୁଜୁ କରିଥିଲେ । ଏହାର ଶୁଣାଣୀ କରି କମିଶନ ଆବେଦନକାରୀ ଉଠାଇଥିବା ସମସ୍ୟା ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରେଲୱେ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଆଠ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆବେଦନକାରୀଙ୍କୁ ଅବଗତ କରାଇବାକୁ ମଧ୍ୟ କମିଶନ କହିଛନ୍ତି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଟ୍ରେନ୍, ପରିମଳ, ଯାତ୍ରୀ, ସ୍ୱଚ୍ଛତା

ଟ୍ରେନ୍ ପୋଡି ମାମଲାରେ ଗିରଫଦାରୀକୁ ନେଇ ରିପୋର୍ଟ ତଲବ

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୧ (ଓଡିଶା ଡଟ କମ) ପୁରୀ ଜିଲ୍ଲାର ଡେଲାଙ୍ଗ ରେଳ ଷ୍ଟେସନରେ ଗତ ମାସ ଏକ ଟ୍ରେନର କେତେକ ବଗିରେ ନିଆଁ ଲଗାଇବା ଓ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ମାମଲାରେ ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ ପୁରୀ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଗୁରୁବାର କହିଛନ୍ତି ।

ଟ୍ରେନରେ ଖସିପଡି ଜଣେ ଯୁବକର ହୋଇଥିବା ମୃତ୍ୟୁକୁ ବିରୋଧ କରି ଏପ୍ରିଲ୍ ୧୭ ଦିନ ପୁରୀ -ପାରାଦୀପ ଏକ୍ସପ୍ରେସ ଟ୍ରେନରେ ଲଗାଯାଇଥିବା ନିଆଁ ଓ ପରବର୍ତ୍ତୀ ଗଣ୍ଡଗୋଳକୁ ଆଧାର କରି ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ସ୍ଥାନୀୟ ଗୁଆଳିପଡା ଗାଁର ଅଧିବାସୀ ଅଭିଯୋଗ କରିଥିଲେ ।

ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ଆଳରେ ପୁଲିସ୍ ୧୯ ତାରିଖ ରାତିରେ ଉକ୍ତ ଗାଁର ୫୧ ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅପରେସନ୍ ସମୟରେ ପୁଲିସ୍ ଲୋକଙ୍କ ଘର କବାଟ ଭାଙ୍ଗି ପଶିଥିଲା ଓ ଅନେକ ମହିଳାଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କର ମାନବଧିକାର ଉଲ୍ଲଂଘନ କରିଥିବାର ସେ ଦର୍ଶାଇଥିଲେ ।

କମିଶନ ଏହାର ବିଚାର କରି ପୁରୀ ଏସ୍.ପି.ଙ୍କୁ ନୋଟିସ୍ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଖଣ୍ଡ ପ୍ରକାଶ କରିଛନ୍ତି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଜେଲ୍, ଟ୍ରେନ୍ ପୋଡି, ଡେଲାଙ୍ଗ, ପୁଲିସ୍, ମାନବାଧିକର

ଶିଶୁକୁ କୁକୁର ଖାଇଥିବା ଅଭିଯୋଗ ଉପରେ ସାନି ତଦନ୍ତ ନିର୍ଦେଶ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୧୮ (ଓଡିଶା ଡଟ କମ) ଗତ ବର୍ଷ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ସଦ୍ୟଜାତ ଶିଶୁକୁ କୁକୁରୁ ଖାଇଥିବା ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନ ଜିଲ୍ଲା ପ୍ରଶାସନକୁ ସାନି ତଦନ୍ତ ନିର୍ଦେଶ ଦେଇଥିବା ଜଣେ ମାନବଧୀକାର କର୍ମୀ ସୋମବାର କହିଛନ୍ତି ।

୧୧ଅପ୍ରେଲ ୨୦୧୪ ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାରେ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ସଦ୍ୟଜାତ ଶିଶୁକୁ କୁକୁର ଖାଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ମେଡିକାଲ ଅଧିକାରୀମାନଙ୍କୁ ଖବର ଦେଇଥିଲେ । କିନ୍ତୁ ଏହାକୁ ଅତି ହାଲୁକା ଭାବେ ନେଇ ମୃତ ଶିଶୁଟିକୁ କୁକୁର ମୁହଁରୁ ଆଣି କୁଆଡେ ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ  ସେହି ମାସ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ଏ ଘଟଣାରେ ଏନଏଚଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ।

ସେ ସିଧାସଳଖ ଏହି ଘଟଣାକୁ ଅସ୍ୱୀକାର ନ କରି ଘଟଣା ଦିନ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିନାହିଁ ବୋଲି ରିପୋର୍ଟରେ ଦର୍ଶାଇଥିଲେ। କମିଶନ ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଅଭିଯୋଗ କଥାକୁ ଏହି ରିପୋର୍ଟରେ ଅସ୍ୱୀକାର କରାଯାଇନାହିଁ । ତେଣୁ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହି ଶିଶୁଟି କାହାର ? ଏହି ଶିଶୁର ଶବ କିପରି କୁକୁର ହାବୁଡରେ ପଡିଲା ?

ଏ ସମ୍ପର୍କରେ ପୁଲିସକୁ ଖବର ଦିଆଗଲା ନାହିଁ କାହିଁକି ? କେହି ପିଲାଟିକୁ ସେଠାରେ ଛାଡି ଚାଲି ଯାଇ ନଥିଲା ତ ? ତେଣୁ ସ୍ୱାସ୍ଥ୍ୟ ସଚିବଙ୍କ ରିପୋର୍ଟ ଉପରେ ଭରସା ନକରି ଏହି ଘଟଣାର ସଂପୂର୍ଣ ତଦନ୍ତ କରିବା ଲାଗି କମିଶନ ପୁରୀ ଏସ୍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ବେଳେ କମିଶନ ଉଠାଇଥିବା ପ୍ରଶ୍ନଗୁଡିକ ପ୍ରତି ଧ୍ୟାନ ଦେବାକୁ ଏସ୍.ପି.ଙ୍କୁ କୁହାଯାଇଛି । ଘଟଣାକୁ ଚାପି ଦେବାକୁ ଚେଷ୍ଟା କରି କମିଶନଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗ ମିଥ୍ୟା ରିପୋର୍ଟ ଦାଖଲ କରିଛି ବୋଲି ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଅଖଣ୍ଡ, କୁକୁର, ପୁରୀ, ମାନବାଧିକାର, ଶିଶୁ

ବେସରକାରୀ ସଂଗଠନମାନଙ୍କୁ ସନ୍ଦେହ କରା ନ ଯାଉ:ସ୍ଵେଚ୍ଛାସେବୀ

May 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବ୍ରହ୍ମପୁର, ମଇ ୧୭ (ଓଡିଶା ଡଟ କମ) ଦେଶ ଗଠନରେ ବେସରକାରୀ ସଂଗଠନ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ବେଳେ ସେମାନଙ୍କୁ ସରକାର ସନ୍ଦେହ ଦୃଷ୍ଟିରେ ନ ଦେଖିବାକୁ ବିଭିନ୍ନ ସ୍ଵେଚ୍ଛାସେବୀ ବ୍ରହ୍ମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମତ ବ୍ୟକ୍ତ କରିଛନ୍ତି ।

IMG_3973 IMG_3978 IMG_4159

 

 

 

 

ବିଶ୍ୱ ଦିବସ ୨୦୧୫ ପାଳନ ଅବସରରେ ଶନିବାର ୟୁଥ୍ ଫର ସୋସିଆଲ ଡେଭଲାପମେଣ୍ଟ , ସିଭିକସ୍ ଏବଂ ଅନ୍ୟାନ୍ୟ ନାଗରିକ ସଂଗଠନ ଦ୍ୱାରା ସ୍ଥାନୀୟ ଗଂଜାମ କଳା ପରିଷଦ ଠାରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଉର୍ଦ୍ଧ ନାଗରିକ ସଂଗଠନ ପ୍ରତିନିଧି, ସାମାଜିକ କର୍ମୀ, ବସ୍ତି ବାସିନ୍ଦା, ଯୁବକ ଓ ମହିଳା ସରକାରଙ୍କର ବିଭିନ୍ନ ପ୍ରକ୍ରିୟାରେ ନାଗରିକଙ୍କ ସହଭାଗିତାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଭାରତର ବିଭିନ୍ନ ପ୍ରାନ୍ତରେ ନାଗରିକ ମାନଙ୍କୁ ଦିଆଯାଇଥିବା ସୁବିଧା ଓ ଅଧିକାର ଗୁଡିକ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି । ଏହା ଫଳରେ ନାଗରିକ ଓ ନାଗରିକ ସମାଜର ସ୍ୱର ଦବି ଯାଉଛି ଯାହାଦ୍ୱାରା ନାଗରିକର ସ୍ୱାଧିନତା ପ୍ରତି ପ୍ରତିବନ୍ଧକ ସୃଷ୍ଟି ହେଉଛି ।

ନାଗରିକ ସଂଗଠନଗୁଡିକ କାର୍ଯ୍ୟକରିବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ ଏହି ସଂଗଠନଗୁଡିକୁ ଚଳାଇବା ପାଇଁ ଆବଶ୍ୟକ ଥିବା ଅର୍ଥ ମଧ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଛି ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ ।

ସରକାର ସାଧାରଣ ନାଗରିକ, କର୍ମୀ ଓ ନାଗରିକ ସଂଗଠନଗୁଡିକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ନାଗରିକ ସଂଗଠନଗୁଡିକ ମଧ୍ୟ ପୁଞ୍ଜିପତି, ଶିଳ୍ପପତି ଓ ଅସାମାଜିକ ଗୋଷ୍ଠୀଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହେଉଛନ୍ତି ।

ସରକାର ଏହି ବେସରକାରୀ ସଂଗଠନ, ନାଗରିକ ସଂଗଠନ ଓ କର୍ମୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ । ବୋଲି ବକ୍ତା ମାନେ କହିଛନ୍ତି । ସଂଗଠନଗୁଡିକୁ ସରକାର ଡାକି ସେମାନଙ୍କ ସହ ଆଲୋଚନା କରନ୍ତୁ । ବର୍ତ୍ତମାନର ନୀତି ଓ ନିୟମ ବିଷୟରେ ଆଲୋଚନା କରି କାର୍ଯ୍ୟ କରିବା ସମୟରେ କ’ଣ ପ୍ରକ୍ରିୟା ରହିବ ଓ କ’ଣ ସବୁ ସୁବିଧା ରହିଛି ସେଗୁଡିକରେ ସ୍ୱଚ୍ଛତା ରଖିବା ପାଇଁ କ’ଣ ସବୁ ସଂଶୋଧନର ଆବଶ୍ୟକତା ରହିଛି ତାହା ଆଲୋଚନା ହେଉ ।

ଯେଉଁସବୁ ବିଷୟ ଗୁଡିକରେ ବାଖ୍ୟାରେ ଜଟିଳତା ରହୁଛି ସେଗୁଡିକୁ ଆଲୋଚନା କରାଯାଉ । ବେସରକାରୀ ସଂଗଠନ, ଟ୍ରଷ୍ଟ, ଫାଉଣ୍ଡେସନ ଏବଂ ସାମାଜିକ ସଂଗଠନ ପାଇଁ ଏକ ପ୍ରକାର ଦରଖାସ୍ତ ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ସଂଗଠନର କର୍ମୀମାନେ ମତଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଅଧ୍ୟାପକ ଯନ୍ତ୍ରଣା ପରିକ୍ଷିତ, ଆଇନ କର୍ମୀ ଚନ୍ଦ୍ରନାଥ ଦାନୀ, ସାମାଜିକ କର୍ମୀ ଶ୍ରୀ ଲୋକନାଥ ମିଶ୍ର ଓ ମଙ୍ଗରାଜ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ ।

ଓଡିଶା ଡଟ କମ

Filed Under: ମାନବାଧିକାର, ସଭା ସମିତି Tagged With: କର୍ମଶାଳା, ଗଞ୍ଜାମ, ବେସରକାରୀ ସଂଗଠନ, ମାନବାଧିକାର

ବୁର୍ଲା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସପିଟାଲରେ ଗତମାସରେ ତିନି ଜଣ ପ୍ରସୂତିଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି) ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାସ ୧୦ ତାରିଖରେ ତିନି ଜଣ ପ୍ରସୂତିଙ୍କ ସିଜରିଆନ୍ ପରେ ମୃତ୍ୟୁ ଘଟିଥିଲା । ସେମାନେ ହେଲେ ଝାରସୁଗୁଡା ଜିଲ୍ଲାର ସୁଲୋଚନା ପ୍ରଧାନ (୨୮), ବରଗଡ ଜିଲ୍ଲାର କଳ୍ପନା ମହାକୁଡ(୨୭) ଓ କସ୍ତୁରୀ ସେଠ୍ (୨୫) । ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳାରୁ ଏମିତି ହେଲା ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

Kalpana mahakud kasturi seth Sulochana Pradhanମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ଦାୟର କରିଥିଲେ । ବୁର୍ଲା ହସ୍ପିଟାଲକୁ ବଦଳି ହୋଇଥିବା ଡାକ୍ତରମାନେ ପ୍ରାୟତଃ ଡାକ୍ତରଖାନାକୁ ଆସୁନଥିବା ସେ ଅଭିଯୋଗ କରିଥିଲେ ।

ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀମାନେ ଠିକ୍ ଚିକିତ୍ସା ସେବା ପାଇ ପାରୁନାହାନ୍ତି । ଡାକ୍ତରଖାନାକୁ ଯୋଗାଣ ହେଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ୱୀକାର କରିଥିବାରୁ ଏହା ପଛରେ ଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ ।

କମିଶନ ଏହାକୁ ଅତି ଗୁରୁତର ସହ ବିଚାର କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଥିବା ଅଖଣ୍ଡ କହିଛନ୍ତି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଅଖଣ୍ଡ, ପ୍ରସୂତି ମହିଳାଙ୍କ ମୃତ୍ୟୁ, ବୁର୍ଲା, ମାନବାଧିକାର

ସରକାରୀ ନିଷ୍କ୍ରିୟତା ଅଭିଯୋଗ କରି ବିଚାରାଧୀନ ବନ୍ଦୀଙ୍କ ଅନଶନ

May 6, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ୦୬ ମଇ ( ଓଡିଶା ଡଟ କମ) ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ଦାବି କରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜେଲରେ ଦୀର୍ଘ ବର୍ଷ ଧରି ବିଚାରଧିନ ବନ୍ଦୀ ଭାବେ ଦିନକାଟୁଥିବା ଏଗାର  ଜଣ ବନ୍ଦୀ ବୁଧବାର ଠାରୁ ଅନଶନ ଆରମ୍ଭ କରିଥିବା ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ ନାମକ ଏକ ସଂଗଠନ ସୂଚନା ଦେଇଛି ।

ବ୍ରହ୍ମପୁର ଏବଂ ଭଞ୍ଜନଗର ଜେଲରେ ଦୀର୍ଘ ଦୁଇ ବର୍ଷ ରୁ ଚାରି ବର୍ଷ କାଳ ବିଚାରଧୀନ ବନ୍ଦୀ ଭାବେ ବିକ୍ରମ ମଳିକ, ଆବେଲ ଗମାଙ୍ଗ, କାନ୍ଦ୍ରା ଦଳବେହେରା, ନିରାକାର ନାୟକ, ଶୀଳାଦିତ୍ୟ ସିଂ,କଦମ ବାଜିଲ , ତେଲେମ ସୋନି , ମାଳତୀ ମାଝି, ଧୋବା ଦିଗାଳଓ ସୁଦର୍ଶନ ମଣ୍ଡଳ ରହିଛନ୍ତି ।

ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ଗୁଡିକର ତୁରନ୍ତ ବିଚାର କରିବା ପାଇଁ ଆବେଦନ କରୁଥିଲେ ମଧ୍ୟ ସାକ୍ଷୀ ମାନେ ଆସୁନଥିବାରୁ ସେମାଙ୍କ ବିଚାର ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବା ଏହି ସଂଗଠନ ଅଭିଯୋଗ କରିଛି ।

ଗୋଟିଏ ପଟେ ସେମାନଙ୍କୁ ଜାମିନ ମିଳୁନାହିଁ ଏବଂ ଅନ୍ୟପଟେ ବିଚାର ପ୍ରକ୍ରିୟା ମଧ୍ୟ ସରୁନହିଁ। ସାକ୍ଷୀ ମାନେ ଆସୁନାହାନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କୁ ହାଜର କରାଇବା ଦିଗରେ କୋର୍ଟ କିମ୍ବା ପୁଲିସ କୋଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯାନ ଅଭିଯୋଗ କରିଛି ।

ଏପରିକି ସମାନ ଧରଣର କେଶରେ ଅନ୍ୟ ଜଣେ ବିଚାରଧିନ ବନ୍ଦୀ ସଂଗ୍ରାମ ମହାନ୍ତି ଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଥିଲେ ସୁଦ୍ଧା ଏବଂ ପାରଳଖାମୁଣ୍ଡି ଓ ଫୁଲବାଣୀ କୋର୍ଟରେ ତ୍ଵରିତ ବିଚାର ପ୍ରକ୍ରିୟା ରେ ଅନେକ ନିର୍ଦ୍ଦୋଶ ବ୍ୟକ୍ତି ଖଲାସ ହୋଇଥିବା ବେଳେ ଭଞ୍ଜନଗର କୋର୍ଟର ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁ ଆଦିବାସୀ ଓ ଦଳିତ ଭାଗ୍ୟକୁ ଆଦରି ଜେଲରେ ସଢୁଛନ୍ତି, ସଂଗଠନ କହିଛି  ।

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଜେଲ ରେଏହି ବିଚାରଧିନ ବନ୍ଦୀ ମାନଙ୍କ ର ଯୁକ୍ତିଯୁକ୍ତ ଦାବୀକୁ ମିଥ୍ୟା ମକୋଦ୍ଦମା ବିରୁଦ୍ଧରେ ଅଭିଯାନ ଓଡିଶା ପକ୍ଷରୁ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଓ ଉପଦେଷ୍ଟା ଆଡଭୋକେଟ ବିଶ୍ଵପ୍ରିୟ କାନୁନଗୋ ସମର୍ଥନ କରିବା ସହିତ ସମସ୍ତ ବନ୍ଦୀ ସେମାନଙ୍କ ନାମରେ କଣ କଣ କେସ ଅଛି ତାହା ଜଣାଇବା ତ୍ଵରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କ ବିଚାର ଶେଷ କରିବା , ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ସେମାନଙ୍କୁ ଜାମିନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଭଞ୍ଜନଗର ଜେଲରେ ଥିବା ଏଗାର ଜଣ ବନ୍ଦୀ ସେମାନଙ୍କ ବିଚାର କ୍ଷେତ୍ରରେ ବିଚାର ବିଭାଗ ଓ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଓ ‘ତୁରନ୍ତ ବିଚାର ନଚେତ ଜାମିନ’ ଦାବିକରି ବୁଧବାରଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି ଓ ଏ ସମ୍ପର୍କରେ ସେମାନେ ଲିଖିତ ଭାବରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଙ୍କୁ କୋର୍ଟରେ ଅବଗତ କରାଇଥିବା ଏହି ସଂଗଠନ କହିଛି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ପୁଲିସ, ଭଞ୍ଜନଗର ଜେଲ, ମିଥ୍ୟା ଅଭିଯୋଗ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା