• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସଭା ସମିତି

ସାଧୁ ସନ୍ଥଙ୍କୁ ଉଚିତ ସମ୍ମାନ ଦାବିରେ ସମାବେଶ, ଶୋଭାଯାତ୍ରା

November 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର, ନଭେମ୍ବର ୪ (ଓଡିଶା ଡଟ କମ) ରାଜ୍ୟରେ ମଠ ମନ୍ଦିର ଜମି ଜମାର ଆଇନଗତ ଦିଗ ତର୍ଜ୍ଜମାକରି ଯଦି ତାହା ସରକାରୀ ସ୍ଥାନରେ ଥିବ ତାକୁ ଖାଲି କରିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧ ରେ ବୁଧବାର ଭୁବନେଶ୍ଵର ଠାରେ ସଂସ୍କୃତି ସୁରକ୍ଷା ମଞ୍ଚ ଏକ ଶୋଭାଯାତ୍ରା ଓ ବିଶାଳ ସମାବେଶର ଆୟୋଜନ କରି ପ୍ରତିବାଦ ପ୍ରଦର୍ଶନ କରିଛି ।

rally-1ଏହି ନିଦେ୍ର୍ଧଶନାମା ମାଧ୍ୟମରେ ସରକାର କିଛି ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିମାନଙ୍କୁ ନିୟନ୍ତଣ କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଏହି ସଂସ୍ଥା ଅଭିଯୋଗ କରିଛି । ସବୁ ଧର୍ମର ଧାର୍ମିକ ସଂସ୍ଥା, ବ୍ୟକ୍ତି, ସେମାନଙ୍କର ପରିଚାଳନା, ବ୍ୟବହାର ଓ ସମ୍ପତ୍ତି ଆଦି ବିଷୟରେ ସନ୍ତୁଳିତ ଅନୁଧ୍ୟାନ କରି ସରକାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ବୋଲି ମଞ୍ଚ ଦାବି କରିଛି ।

ନିଗମ କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ମହାସମାବେଶରେ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସ୍ୱାମୀ ଚିନ୍ତାମଣି ପର୍ବତ, ସ୍ୱାମୀ ସତ୍ୟାନନ୍ଦ ଦାଶ,ସ୍ୱାମୀ ଶୃତିସାଗର ଜୀ ,ସ୍ୱାମୀ ମାଧବା ନନ୍ଦ ଗିରି ଙ୍କ ସମେତ ବହୁ ସାଧୁସନ୍ଥ ଯୋଗଦେଇଥିଲେ ।

ହିନ୍ଦୁ ଧର୍ମର ଯେତେଗୁଡିଏ ମଠ ମନ୍ଦିର ଅଛି ସେଗୁଡିକର ଜମି ଜମାର ଆଇନଗତ ଦିଗ ତର୍ଜ୍ଜମାକରି ଯଦି ତାହା ସରକାରୀ ସ୍ଥାନରେ ଥିବ ତାକୁ ଖାଲି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ସରକାର ଯେଉଁ ନିଦେ୍ର୍ଧଶ ଦେଇଛନ୍ତି ,ଯାହା ନ୍ୟାୟ ସଂଗତ ନୁହେଁ ।

ଏହି ନିଦେ୍ର୍ଧଶନାମା ଏକ ତରଫା ଭାବରେ କେବଳ ହିନ୍ଦୁମାନଙ୍କ ପାଇଁ ଲାଗୁ କରାଯାଇଛି । ଏଣୁ ଏହାକୁ ସବୁ ଧର୍ମର ଧାର୍ମିକ ଅନୁଷ୍ଠାନ ଗୁଡିକ ପ୍ରତି ଲାଗୁ କରାଯାଉ ଏବଂ ଯେଉଁ ଧର୍ମପୀଠ ଗୁଡିକ ବହୁ ଦିନରୁ ପ୍ରତିଷ୍ଠିତ ହୋଇଛି ଓ ଜନସେବାରେ ବ୍ରତି ଅଛନ୍ତି ସେମାନଙ୍କ ଜମି ଜମାକୁ ନିୟମିତ କରାଯାଉ ବୋଲି ସମାବେଶରେ ଉଦବୋଧନ ଦେଇ ସାଧୁ ସନ୍ଥ ମାନେ କହିଛନ୍ତି ।

rally-2 rally-3ଯେଉଁ ରାଜନେତା, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ମାଲିକ, ଶିଳ୍ପପତି, ନ୍ୟାୟାଧୀଶ ଓ ବ୍ୟବସାୟୀ ଆଦିଙ୍କ ବିରୁଦ୍ଧରେ ଜମି ହଡପ ଅଭିଯୋଗ ନିକଟ ଅତୀତରେ ଆସିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ସରକାର ସେ ସମ୍ପତିକୁ ନିଜ ଅକ୍ତିଆରକୁ ନିଅନ୍ତୁ, ମଠ ମନ୍ଦିର ଓ ଆଶ୍ରମଗୁଡିକର ଅଚଳାଚଳ ସମ୍ପତିକୁ ସାରା ରାଜ୍ୟରେ କେତେକ ଖଳ ପ୍ରକୃତିର ଲୋକ ବେଆଇନଭାବେ ନିଜ ନାମରେ ରେକର୍ଡ କରିଛନ୍ତି ସେ ସମ୍ପତ୍ତିକୁ ମୁକ୍ତ କରି ମଠ ମନ୍ଦିର ଓ ଆଶ୍ରମକୁ ଫେରାଇ ଦିଆଯିବା ପାଇଁ ସେମାନେ ଦାବି କରିଛନ୍ତି ।

ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ରଥ ଉପରେ ଚଢିବା ପ୍ରସଙ୍ଗକୁ ନେଇ ଅପମାନିତ କରିବା, ନବକଳେବର ଦାରୁଚୟନ ବିଭ୍ରାଟ, ବ୍ରହ୍ମସ୍ଥାପନ ବିଭ୍ରାଟ, ଶ୍ରୀଜଗନ୍ନାଥ ମନ୍ଦିରରେ ନୀତି ବିଭ୍ରାଟ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ଶିଥିଳତା, ବ୍ୟାପକ ଗୋ-ଚାଲାଣ ଆଦି ଘଟଣା ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସରକାର ମଠ ମନ୍ଦିର ଗୁଡିକ ଭାଙ୍ଗୁଥିବା ବେଳେ ରାସ୍ତା ଅବରୋଧ କରିଥିବା ଅଣହିନ୍ଦୁ ସମ୍ପ୍ରଦାୟର ଧର୍ମପୀଠ ଗୁଡିକ ଭାଙ୍ଗିବା ତ ଦୂରର କଥା ସେମାନଙ୍କୁ ନୋଟିସ୍ ମଧ୍ୟ ଦେଉ ନାହାଁନ୍ତି । ପ୍ରତିଦିନ ହଜାର ହଜାର ଗୋମାତାଙ୍କୁ କଂସେଇମାନେ ବଡ ବଡ ଟ୍ରକରେ ଭର୍ତ୍ତିକରି ହଲାଲ ପାଇଁ ଅନ୍ୟ ରାଜ୍ୟକୁ ନେଉଛନ୍ତି ।

rally-5ବାରମ୍ବାର ପୁଲିସ ଏବଂ ପ୍ରଶାସନକୁ ଏ ବିଷୟରେ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ । ଜାଣିଶୁଣି ହିନ୍ଦୁ ସଂସ୍କୃତିର ପ୍ରାଣକେନ୍ଦ୍ର ମଠ, ମନ୍ଦିର, ଗୋମାତା ଉପରେ ଆଘାତ କରାଯାଉଛି । ଏହା ରାଜ୍ୟର କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ମଞ୍ଚର ସଂରକ୍ଷକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ଗିରିଙ୍କ ନେତୃତ୍ୱରେ ଆବହକ ଶ୍ରୀ ଅରୁଣ କୁମାର ପଣ୍ଡା, ସ୍ୱାମୀ ପ୍ରାଣରୂପା ନନ୍ଦ ସରସ୍ୱତୀ,ସଂଯୋଜକ ବିନୟ କୁମାର ଭୂୟାଁ , ପ୍ରମୋଦ କୁମାର ଦାଶ ପ୍ରଭୃତି ମହାମାନ୍ୟ ରାଜ୍ୟପାଳଙ୍କୁ ଭେଟି ଉପରୋକ୍ତ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲ ।

ମଞ୍ଚ ତରଫରୁ ଶହଶହ ସାଧୁସନ୍ଥ ଓ ହଜାର ହଜାର ଜନତାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆରୁ ବାହାରି ବୁଦ୍ଧ ମନ୍ଦିର, ପ୍ରଦର୍ଶନି ପଡିଆ, ଶ୍ରୀରାମ ମନ୍ଦିର, ଶ୍ରୀୟାଛକ, ଗିରିଦୁର୍ଗାଛକ ଓ ମାଷ୍ଟରକ୍ୟାଣ୍ଟିନ ହୋଇ ସଭାସ୍ଥଳ ଲୋୟର ପିଏମ୍ଜି ଠାରେ ପହଁଚି ଥିଲା ।

ପଥ ମଧ୍ୟରେ ବହୁ ସ୍ଥାନରେ ନଗର ବାସୀଙ୍କ ତରଫରୁ ଏହି ଶୋଭାଯାତ୍ରାରେ ଯାଉଥିବା ଜନତାଙ୍କୁ ଧୂପ,ଦୀପ, ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା ।

ଓଡିଶା ଡଟ କମ

Filed Under: ଧର୍ମ, ସଭା ସମିତି Tagged With: ଗୋଲଖ ଚନ୍ଦ୍ର ଦାସ, ମଠ ମନ୍ଦିର, ସଂସ୍କୃତି ସୁରକ୍ଷା ମଞ୍ଚ, ହିନ୍ଦୁ ଧର୍ମ

ବିଦୁଲତାଙ୍କ ଦଶାହ ସ୍ମୃତିସଭା

September 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପିପିଲି (ପୁରୀ) ସେପ୍ଟେମ୍ବର ୨୧ (ଓଡିଶା ଡଟ କମ) ଆଡଭୋକେଟ ନିଶିକାନ୍ତ ମିଶ୍ର ଓ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ମା’ ବିଦୁଲତା ମିଶ୍ରଙ୍କ ଦଶାହ ଅବସରରେ ଏକ ସ୍ମୃତିସଭା ପିପିଲି ବ୍ଲକ ଅନ୍ତର୍ଗତ କମଳା ସାଗର ପାଟଣା ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ‘ମନେ ପଡେ ବୋଉ’ ଶୀର୍ଷକ ଏହି ସ୍ମୃତିସଭାରେ ସଂଯୋଜନା କରିଥିଲେ ସମାଜସେବୀ ସୁଦର୍ଶନ ପ୍ରଧାନ ।

akhand-bouସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଚନ୍ଦ୍ରନାଥ ଦାନୀ, ଆଡ୍ଭୋକେଟ୍ ମନୋଜ ନାୟକ, ଶିବପ୍ରସାଦ ଜେନା, ଅନୁପ ପରିଡା, ସାହିତି୍ୟକ ମହମ୍ମଦ ଆବ୍ରାର, ସସ୍ମିତା ନନ୍ଦ, ଚେତନ କବି ଝରି ଜେନା, ବାଉରିବନ୍ଧୁ ସ୍ୱାଇଁ, ସାଇକିଶୋର ସାହୁ, ବୈକୁଣ୍ଠ ସାର୍, ପ୍ରତାପ ସାହୁ, ସଚ୍ଚିକାନ୍ତ ଓ ସଂଜୟ ପ୍ରମୁଖ ମଣିଷ ଜୀବନରେ ବୋଉର ମହତ୍ୱ କହିବା ସହ ବିଦୁଲତାଙ୍କ ସ୍ମୃତି ଚାରଣ କରିଥିଲେ ।

ବିଦୁଲତାଙ୍କ ଜନ୍ମ ୧୯୪୫ ଅପ୍ରେଲ ୧୭ ତାରିଖରେ ହୋଇଥିଲା । ଗତ ସେପ୍ଟେମ୍ବର ୧୧ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଏହି ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଲଳିତ ମିଶ୍ର, ମନୋଜ ଜେନା, ତପନ ପାଢୀ, ସୁବାସ ମହାପାତ୍ର, ମୀନକେତନ ମିଶ୍ର, ଅଭୟ ସାମନ୍ତରାୟ, ଦୁର୍ଗା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାରେ ପୁଅ, ଝିଅ, ବୋହୂ ଓ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କର ସ୍ମୃୃତି ଚାରଣ କରିଥିଲେ । ବିଦୁଲତାଙ୍କ ସମ୍ପର୍କରେ ଏକ ସ୍ମୃତି ପୁସ୍ତକ ପ୍ରକାଶ ପାଇଁ ଏହି ସଭାରେ ସ୍ଥିର କରାଯାଇଥିଲା । ଏହାର ସଂଯୋଜକ ଭାବେ ସୁଦର୍ଶନ ପ୍ରଧାନ, ମହମ୍ମଦ ଆବ୍ରାର ଓ ସସ୍ମିତା ନନ୍ଦ ରହି କାମ ତୁଲାଇବେ ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: ଅଖଣ୍ଡ, ମା

ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ଅଧିକ ସଚେତନତା ଆବଶ୍ୟକ: କର୍ମଶାଳାରେ ମତ

August 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର, ଅଗଷ୍ଟ ୨୬ (ଓଡିଶା ଡଟ କମ) ରାଜ୍ୟ ରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୫୬ ଥିଲାବେଳେ ବଲାଙ୍ଗିର ଜିଲ୍ଲାରେ ୯୭ ରହିଥିବାରୁ ଏହାକୁ କମାଇବା ପାଇଁ ସବୁ ମହଲରେ ଅଧିକ ସଚେତନତା ଆବଶ୍ୟକ ବୋଲି ଏଠାରେ ଆୟୋଜିତ ଏକ କର୍ମଶାଳାରେ ରେ ବକ୍ତା ମାନେ କହିଛନ୍ତି ।

ସ୍ବେଛାସେବୀ ସଂଗଠନ ପିକକ ଏବଂ ୟୁନିସେଫ ପକ୍ଷ୍ୟରୁ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଗଣମାଧ୍ୟମ କର୍ମଶାଳାରେ ସ୍ଥାନୀୟ ଜିଲ୍ଲାପାଳ ଏମ. ମୁଥୁକୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମ ର ଭୂମିକା ଯେକୌଣସି ଉନ୍ନୟନ କାର୍ଯ୍ୟକ୍ରମ ର ସଫଳତା ପାଇଁ ଅତ୍ୟନ୍ତ ପ୍ରୟୋଜନ ବୋଲି ମତ ବ୍ୟକ୍ତ କରିଥିଲେ ।

ସୁସ୍ଥ ଶିଶୁ ପାଇବାକୁ ହେଲେ ଜଣେ ସୁସ୍ଥ ମା ଓ ସୁସ୍ଥ ପରିବେଶ ର ଆବଶ୍ୟକତା ଅଛି ଓ ସେଥିପାଇଁ ଅଧିକ ସଚେତନତାର ଆବଶ୍ୟକ ରହିଛି । ଗଣମାଧ୍ୟମ ଏଥିରେ ପ୍ରମୁଖ ଭୂମିକା ନେବାପାଇଁ ସେ ଅନୁରୋଧ କରିଥିଲେ । ସରକାରୀ କାର୍ଯ୍ୟକ୍ରମ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ଏଥିପାଇଁ ଗଣମାଧ୍ୟମ,ସ୍ଵେଛାସେବୀ ସଙ୍ଗଠନ , ସରକାରୀ ସେବା ପ୍ରଦାନକାରୀ ସମସ୍ତେ ଏକାଠି ଉଦ୍ୟମ କଋବ ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।
pecucଡି ଆର ଡି ଏ ର ସମ୍ମିଳନୀ ଗୃହରେ ମା, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଏହି କର୍ମଶାଳା ପିକକ ର ସମ୍ପାଦକ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିବା ସହ , ଏହି କର୍ମଶାଳାର ଉଦେଶ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ।

ୟୁନିସେଫ ର ସ୍ଵାସ୍ଥ୍ୟ ବିଶେଷଙ୍ଗ୍ୟ ଡ. ଆଶିଷ ସେନ ରାଜ୍ୟର ତଥା ବଲାଙ୍ଗିର ଜିଲ୍ଲାର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସଂକ୍ରାନ୍ତ ରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ଵ।ସ୍ଥ୍ୟ ସର୍ବେକ୍ଷଣ ୨୦୧୨ – ୨୦୧୩ ତଥ୍ୟ ଅନୁଯାୟୀ ରାଜ୍ୟ ରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୫୬ ଥିଲାବେଳେ ବଲାଙ୍ଗିର ଜିଲ୍ଲାରେ ୯୭ ଓ ରାଜ୍ୟରେ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷ୍ୟରେ ୨୩୦ ଥିବାବେଳେ ବରଗଡ,ଝାରସୁଗୁଡା,ସମ୍ବଲପୁର,ଦେଓଗଡ ,ସୁନ୍ଦରଗଡ ,କେଉଁଝର ,ବଲାଙ୍ଗିର , ଅନୁଗୁଳ ,ଢେଙ୍କାନାଳ ରେ ୨୩୪ ଏହି ହାର ରହିଥିବା ସେ କହିଥିଲେ ।

ନବଜାତ ଶିଶୁ ମୃତ୍ୟୁ ହାର ରାଜ୍ୟରେ ୩୭ ଥିବାବେଳେ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ପ୍ରତି ହଜାରରେ ୭୧ ଜଣ ଶିଶୁ ମୃତ୍ୟୁ ବରଣ କରୁଥିବା ସେ ଦର୍ଶାଇଥିଲେ ।

ବଲାଙ୍ଗିର ଜିଲ୍ଲାର ମୁଖ୍ୟ ଚିକିସ୍ଛା ଅଧିକାରୀ ଡକ୍ଟର ରବିନାରାୟଣ ତ୍ରିପାଠୀ ଜିଲ୍ଲାର ସ୍ଵାସ୍ଥ୍ୟସେବା ଉପରେ ଆଲୋକପାତ କରିବ। ସହ କିଭଳି ସମ।ଜରେ ମାନସିକତା ର ପରିବର୍ତନ ହେବ ଏଥିପାଇଁ ଆମେ ଚେଷ୍ଟା କରିବା ତଥା ଶିକ୍ଷା ହିଁ ଏ ପରିବର୍ତନ ଆଣି ପାରିବ ବୋଲି କହିଥିଲେ ।

ଡି ପି ଏମ ଦିଲ୍ଲୀପ କୁମାର ଦୁବେ ଯୋଗଦେଇ ଜିଲ୍ଲାର ଏନ ଏଚ ଏମ ର ବିଭିନ୍ନ ଯୋଜନା ଉପରେ ଜଣାଇବା ସହ ତାର ସଫଳତା ଉପରେ ଆଲୋକପାତ କରିଥିଲେ ଓ ଆଗାମୀ ଦିନରେ ଗଣମାଧ୍ୟମ ର ସହଯୋଗ କାମନା କରିଥିଲେ । ଜିଲ୍ଲାର ଏ ଡି ଏମ ଓ [ଏଫ ଡବ୍ଲିୟୁ ] ଡାଃ ସୁଜନେନ ମିଶ୍ର ଆର ଏମ ଏନ ସି ଏଚ ର ଲକ୍ଷ ଉଦେଶ୍ୟ ତଥା ବଲାଙ୍ଗିର ଜିଲ୍ଲାର ମା ଓ ଶିଶୁ ସ୍ଵାସ୍ଥ୍ୟ ନେଇ ବିଭିନ୍ନ ତଥ୍ୟ ଉପସ୍ଥାପନ ସହ , ସରକାରୀ ଯୋଜନା ଓ ବିଭିନ୍ନ ସଫଳ ଘଟଣ। କୁ କିଭଳି ଗଣମାଧ୍ୟମ ପାଇ ପାରିବ ସେ ଦିଗରେ ସେମାନେ ଚେଷ୍ଟା କରିବେ ବୋଲି ମତଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ଶ୍ରୀ ଯତୀନ୍ଦ୍ର ଦାଶ କହିଥିଲେ ଗଣମାଧ୍ୟମ ବିଭିନ୍ନ ସମସ୍ୟାକୁ ଲୋକଙ୍କ ପାଖରୁ ଆଣିବା ଓ ଏହାକୁ ଜଣାଇବା ପୂର୍ବରୁ ନିଜେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଶେଷରେ ରାଜେନ୍ଦ୍ର ଯୁବକ ସଂଘ ର ଶ୍ରୀ ରାହୁଲ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଏହି କର୍ମଶାଳାକୁ ପିକକ ର ଡାଃ ଏମ ବଳିଆରସିଂହ , ସୁନନ୍ଦା ବିଶ୍ଵାଳ ଓ ଜ୍ୟୋତି ମହାପାତ୍ର ପରିଚାଳନା କରିଥିଲେ ।
ଓଡିଶା ଡଟ୍ କମ୍

Filed Under: ସଭା ସମିତି Tagged With: ବଲାଙ୍ଗିର, ଶିଶୁ ମୃତ୍ୟୁ ହାର

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତଙ୍କ ସାହାଯ୍ୟ ଆବଶ୍ୟକ

July 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନବରଙ୍ଗପୁର, ଜୁଲାଇ ୨୮ (ଓଡିଶା ଡଟ କମ) ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାକୁ ହେଲେ ଗଣମାଧ୍ୟମ ସହ ସମସ୍ତ ନାଗରିକ ଓ ସେବା ପ୍ରଦାନକାରୀଙ୍କ ସହଯୋଗ ଆବଶ୍ୟକ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀମତୀ ରଶ୍ମିତା ପଣ୍ଡା କହିଛନ୍ତି ।

ସ୍ଵେଚ୍ଛାସେବୀ ସଂସ୍ଥା ପିପୁଲ୍ସସ କଲ୍ଚରାଲ ସେଣ୍ଟର,(ପିକକ),ନେସନଲ ସେଣ୍ଟର ଫର ଚାଇଲ୍ଡ ରାଇଟସ ଓ ୟୁନିସେଫ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ ଗୃହରେ ମା,ନବଜାତଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳାରେ ଯୋଗ ଦେଇ ସେ ଏହା କହିଛନ୍ତି ।

ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି ଓ ପ୍ରଶାସନ ନିକଟରେ ଲୋକଙ୍କ ସମସ୍ୟା ପହଞ୍ଚାଊଛି । ଲୋକମାନଙ୍କ ନିକଟରେ ସଚେତନତାର ବାର୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ର ଭୂମିକା ଅତି ଗୁରୁତ୍ଵପୂର୍ଣ ବୋଲି ସେ କହିଛନ୍ତି ।

ଏହି କର୍ମଶାଳାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଏ॰ପି ॰ଜେ ଅବଦୁଲ କଲାମଙ୍କ ଉଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିବା ସହ ଏହି କର୍ମଶାଳାର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ସେ ସରକାରଙ୍କ ଯୋଜନା କିଭଳି ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ରଖିଥିଲେ । ୟୁନିସେଫ ର ଦିନେଶ ଭୂୟାଁ ରାଜ୍ୟର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସଂକ୍ରାନ୍ତ ରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିସ୍ଥ ଅଧିକାରୀ ଡକ୍ଟର ନିରଞ୍ଜନ ନାୟକ ଜିଲ୍ଲାର ସ୍ଵାସ୍ଥ୍ୟସେବା ଉପରେ ଆଲୋକପାତ କଋବ। ସହ ସ୍ଵତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର ତଥା ପୋଷଣ କେନ୍ଦ୍ରର ଗତ ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ ।

ବରିଷ୍ଠ ସାମ୍ବାଦିକ ସି ॰ଏଚ ॰ଶାନ୍ତାକାର କାର୍ଯ୍ୟକ୍ରମ ରେ ଯୋଗଦେଇ ଗଣମାଧ୍ୟମ ବିଭିନ୍ନ ସମସ୍ୟାକୁ ଲୋକଲୋଚନ କୁ ଆଣିବା ସହ ଗଠନମୂଳକ ସମ୍ବାଦ ପରିବେଷଣ ପାଇଁ କହିଥିଲେ ।

ଜିଲ୍ଲାର ଡି ॰ଆଇ ॰ପିଆରଓ ଶ୍ରୀ ହଳଧର ନାୟାର ସରକାରୀ ଯୋଜନା ଓ ବିଭିନ୍ନ ସଫଳ ଘଟଣ।କୁ କିଭଳି ଗଣମାଧ୍ୟମ ପାଇ ପାରିବ ସେ ଦିଗରେ ସେମାନେ ଚେଷ୍ଟା କରିବେ ବୋଲି ମତଦେଇଥିଲେ ।

ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ବିଷୟ ଉପରେ ପ୍ରଶ୍ନ ଉଠେଇଥିଲେ ତଥା ଗଣମାଧ୍ୟମ କୁ ନିୟମିତ ସୂଚନା ପ୍ରଦାନ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଶେଷରେ ସାର୍ଡ ର ସମ୍ପାଦକ ପ୍ରତାପ ଚନ୍ଦ୍ର ବେଣୁ ଧନ୍ୟବାଦ ଅର୍ପଣ କରିଥିଲେ।

କର୍ମଶାଳାକୁ ପିକକ ର ଡାଃ ଏମ ॰ବଳିଆରସିଙ୍ଘ ଓ ତେଞ୍ଜିଙ୍ଗ ସଭାପତି ଭାବେ ପରିଚାଳନା କରିଥିଲେ ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: ଗଣମାଧ୍ୟମ କର୍ମଶାଳା, ମାତୃ ଓ ଶିଶୁ ମୃତ୍ୟୁହାର

୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଛି ପିକକ୍

July 18, 2015 by ନିଉଜ ଡେସ୍କ Leave a Comment

୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଛି ପିକକ୍

ଓଡିଶା ଡଟ କମ ସଂବାଦଦାତା

ଭୁବନେଶ୍ୱର,୧୮ ଜୁଲାଇ (ଓଡିଶା ଡଟ କମ) ବିଗତ କିଛି ବର୍ଷ ମଧ୍ୟରେ ସ୍ଵେଚ୍ଛାସେବୀ ସଂଗଠନ ପିକକ୍ ର ଉଦ୍ୟମରେ ପ୍ରାୟ ୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକ ମୁକ୍ତିଲାଭ କରି ବିଦ୍ୟାଳୟରେ ନାମ ଲେଖାଇଥିବା ଅନୁଷ୍ଠାନର ସମ୍ପାଦକ ରଞ୍ଜନ ମହାନ୍ତି କହିଛନ୍ତି।

ସଂଗଠନର ୨୫ ବର୍ଷ ପୂର୍ତ୍ତୀ ତଥା ‘ପିକକ୍’ ପରିବାର ପୁରସ୍କାର ସମାରୋହ ଉତ୍ସବରେ ଶନିବାର ସେ ଏହା କହିଛନ୍ତି ।

ସଂକଳ୍ପ, ନିଷ୍ଠା ଓ ତ୍ୟାଗ ନରହିଲେ ଆଗକୁ ବଢ଼ିବା ସମ୍ଭବ ନୁହେଁ । ପିପୁଲସ କଲଚରାଲ ସେଣ୍ଟର(ପିକକ୍) ନିଷ୍ଠାର ସହିତ କାର୍ଯ୍ୟ କରିଥିବାରୁ ଆଜି ଏତେ ବାଟ ଆଗେଇଛି ।

11717526_379697988896494_275809853120656804_oବିଗତ ଦିନରେ ଅନେକ ଲୋକ ହିତକର କାର୍ଯ୍ୟ କରିଆସିଥିବା ଏହି ସଙ୍ଗଠନ ଆଗକୁ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନିଚରଣ ପଟ୍ଟନାୟକ ଉତ୍ସବରେ ଉଦବୋଧନ ଦେଇ କହଛନ୍ତି।

ସଙ୍ଗଠନର ଅଧ୍ୟକ୍ଷା ଆଦରମଣି ବରାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ କହିଥିଲେ ଆଗକୁ ବଢ଼ୁଥିବା ସଂସ୍ଥାକୁ ଏକ ଧାର୍ଯ୍ୟ ଦୀର୍ଘମିଆଦି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଓଡ଼ିଶା ସହସ୍ରାବ୍ଦ ଲକ୍ଷ୍ୟଠାରୁ ଏବେ ଦୂରରେ ରହିଛି । ବିଶେଷ କରି ମାତୃ ଓ ଶିଶୁ ମୃତୁ୍ୟ ହାରରେ ବିଶ୍ୱସ୍ତରରେ ଭାରତ ଓ ଜାତୀୟ ସ୍ତରରେ ଓଡ଼ିଶା ପଛରେ ଥିବାରୁ ଏ ସଂକ୍ରାନ୍ତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ପିକକ୍ ସମ୍ପାଦକ ରଞ୍ଜନ ମହାନ୍ତି ସଙ୍ଗଠନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ବିଗତ କିଛି ବର୍ଷ ଭିତରେ ସଙ୍ଗଠନ ପକ୍ଷରୁ ୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରି ବିଦ୍ୟାଳୟକୁ ଅଣାଯାଇପାରିଛି ।

ଯୁବ ଶିବିର ଓ ଜାତୀୟ ସଂହତି ଶିବିର ମାଧ୍ୟମରେ ଚାରାରୋପଣ ସହିତ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

କାର୍ଯ୍ୟକ୍ରମରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଖୋର୍ଦ୍ଧାର ପୂର୍ବତନ ଜଲ୍ଲାପାଳ ନାରାୟଣଚନ୍ଦ୍ର ଜେନା, ଏସସିପିସିଆର ସଭ୍ୟା ରାଜଲକ୍ଷ୍ମୀ ଦାସ, ସମାଜ ସେବୀ ନମ୍ରତା ଚଢ଼ା,ଡକ୍ତର ଅଶୋକାନନ୍ଦ ଧର, ଅଲମ୍ପିଆଡ୍ ଅନୁରାଧା ବିଶ୍ୱାଳ, ଡଃ, ମିନାକ୍ଷୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ହେରିଟେଜ ପୁରସ୍କାର, ଚଳଚ୍ଚିତ୍ର ପ୍ରଯୋଜକ ସବ୍ୟସାଚୀ ମହାପାତ୍ରଙ୍କୁ ସିନେଫିଲ୍ ସମ୍ମାନ ସହ ପ୍ରଦୁ୍ୟମ୍ନ ମହାନ୍ତି, ମାଧବ ବେହୁରା, ଲେନିନ୍ ମହାନ୍ତି, ସଙ୍ଗୀତଜ୍ଞ ବିଭୁ ଦାସ, ବନ୍ଦିତା ଦାସ, ଇପ୍ସିତା ଦାସ, ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ପିକକ୍ ସହିତ ୨୦ ବର୍ଷରୁ ଉର୍ଦ୍ଧ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏବଂ ଓଭା, ଏସ୍.ଓ.ଏସ୍, ବସୁନ୍ଧରା, କ୍ଲାପ୍, ରୋଟାରି ହେରିଟେଜ୍ ଆଦି ବହୁ ସଙ୍ଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରତ୍ନା ଦାସ, ଜ୍ୟୋତି ମହାନ୍ତି, ଜ୍ୟୋତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସଙ୍ଗଠନର ୨୫ ବର୍ଷର ଯାତ୍ରା ଉପରେ ଏକ ପ୍ରମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ସଙ୍ଗଠନର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଅବସରରେ ପିକକ୍ ପକ୍ଷରୁ ଗତ ଦଶନ୍ଧି ମଧ୍ୟରେ ନିଆଯାଇଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଭିକି ଡ଼୍ୟାନସ୍ ଗ୍ରୁପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ବହୁ ନବୀନ ଓ ତରୁଣ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ । ସଙ୍ଗଠନର ଦକ୍ଷ କର୍ମକର୍ତ୍ତାଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଜୟଦେବ ଭବନରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: ପିକକ, ରଞ୍ଜନ ମହାନ୍ତି

ମାଲକାନଗିରିରେ ମାନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା

July 2, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ମାଲକାନଗିରି , ଜୁଲାଇ ୨ (ଓଡିଶା ଡଟ କମ) ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଏବଂ ମାଲକାନଗିରି ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାପାଇଁ ଗଣମାଧ୍ୟମ, ପ୍ରଶାସନ ତଥା ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀ ଏଠାରେ ମା,ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ଯୋଗ ଦେଇ କହିଛନ୍ତି ।

PHOTO-2ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି । ଲୋକଙ୍କ ସୁବିଧା ଅସୁବିଧା ଲୋକଙ୍କ ନିକଟରୁ ଆଣି ପାରୁଛି , ଡ଼ି॰ଆର॰ଡ଼ି॰ଏ॰ସମ୍ମିଳନୀ ଗୃହରେ ମ।ତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳା ରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି ।

ସ୍ଵେଚ୍ଛାସେବୀ ସଂସ୍ଥା ପିପୁଲ୍ସସ କଲ୍ଚରାଲ ସେଣ୍ଟର,(ପିକକ),ନେସନଲ ସେଣ୍ଟର ଫର ଚାଇଲ୍ଡ ରାଇଟସ ଓ ୟୁନିସେଫ ପକ୍ଷରୁ ମିଳିତ ଭାବେ ଆୟୋଜିତ ଆୟୋଜିତ ଏହି କର୍ମଶାଳାରେ ପିକକ ର ସମ୍ପାଦକ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।

ସେ କହିଥିଲେ ଯେ ସରକାରଙ୍କ ଯୋଜନା କିଭଳି ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ୟୁନିସେଫ ର ରୁଦ୍ରପ୍ରସନ୍ନ ରଥ ଗଠନମୂଳକ ସମ୍ବାଦ ପରିବେଷଣ ପାଇଁ କହିଥିଲେ ।

ୟୁନିସେଫ ର ଡକ୍ଟର ଆଶିଷ ସେନ ରାଜ୍ୟର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସଂକ୍ରାନ୍ତ ରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିବାବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସ। ଅଧିକାରୀ ଡକ୍ଟର ଉଦୟ ଶଙ୍କର ମିଶ୍ର ଜିଲ୍ଲାର ସ୍ଵାସ୍ଥ୍ୟସେବା ଉପରେ ଆଲୋକପାତ କରି କହିଥିଲେଯେ ଗଣମାଧ୍ୟମ ସହଯୋଗ ଯୋଗୁଁ ଇନ୍ଦ୍ରଧନୁସ ଯୋଜନାରେ ମାଲକାନଗିରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାରକରିଛି।

ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ସ୍ୱାସ୍ଥ୍ୟ ସେବାର ଫଳପ୍ରଦ କାର୍ଯ୍ୟକାରିତ। ପାଇଁ ଜିଲ୍ଳା ପ୍ରଶାସନ ସଦ।ସର୍ବଦା ଚେଷ୍ଟିତ ବୋଲି କହିଥିଲେ ।

ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟ। ପଦ୍ମିନୀ ମୁଦୁଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟୟର ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ମତଦେଇଥିଲେ। ଏନ॰ଏଚ॰ଏମ ର ପ୍ରକଳ୍ପ ଅଧିକାରୀ ଶୁଭାକାନ୍ତ ଗନ୍ତାୟତ,ଏଡ଼ିଏମଓ (ପରିବାରକଲ୍ୟାଣ)ଡାଃ ଅଜୟ କୁମାର ବଇଠାରୁ,ଇଉନିସେଫ ର ଅଲୋକ ମହାନ୍ତି,ପପୁଲାର ର ସଞ୍ଜୁକ୍ତା ପ୍ରଧାନ, ସାମ୍ବାଦିକ ମାଧବ ବେହୁରା ଓ ହିମାଂଶୁ ପ୍ରସାଦ ସିଂହ ପ୍ରମୁଖ କର୍ମଶାଳାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାର ଗାନ୍ଧୀପଲ୍ଲୀ ଓ ଗୌଡଗୁଡା ଗ୍ରାମ ରେ ଟୀକାକରଣ କେନ୍ଦ୍ର ପରିଦର୍ଶନକରୀ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ମା ମାନଙ୍କସହ ଆଲୋଚନା କରିଥିଲେ । ଶେଷରେ ପିକକର ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାକୁ ପିକକର ଜ୍ୟୋତି ମହାପାତ୍ର ଓ ତେଞ୍ଜିଙ୍ଗ ସଭାପତି ପରିଚାଳନା କରିଥିଲେ ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: କର୍ମଶାଳା, ପିକକ, ସ୍ୱାସ୍ଥ୍ୟ

କବି ରୁନୁ ମହାନ୍ତିଙ୍କ ବହି ଉନ୍ମୋଚନ

June 18, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ ୧୮ (ଓଡିଶା ଡଟ କମ) ପୁରୀ ବେଲେସବର୍ ବେଳାଭୁମି ରେ କବି ରୁନୁ ମହାନ୍ତି ଓ ପ୍ରଫେସର ଆଦିକନ୍ଦ ସାହୁଂକ ଦୁଇଟି ବହି ନିକଟରେ ଉନ୍ମୋଚିତ ହୋଇଛି ।

book releaseପ୍ରାକୃତିକ ପରିବେଶରେ ଅୟୋଜିତ ଏହି ଉତ୍ସବ ରେ ବିଶିଷ୍ଟ ଆଲୋଚକ ନିତ୍ୟାନନ୍ଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ୍ କରିଥିଲେ ।

କବି ଶଂକର ପରିଡାଂକ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭା ରେ ପ୍ରକାଶ ମହାପାତ୍ର, ସରୋଜ ବଳ, ବନୋଜ ତ୍ରିପାଠୀ, ପବିତ୍ର ଦାଶ୍, କେଦାର ମିଶ୍ର, ଚିନ୍ମୟ ବିବେକ,ଶ୍ୟାମ ପ୍ରକାଶ ସେନାପତି, ଗଜାନନ ମିଶ୍ର ପ୍ରମୁଖ ରାଜ୍ୟର ବିଶିଷ୍ଟ ଲେଖକ ମାନେ ଯୋଗ ଦେଇ ଥିଲେ ।

ରୁନୁ ମହାଂତିଙ୍କ ପ୍ରେମ କାହାଣୀକୁ ନେଇ ରଚିତ ପୁସ୍ତକ ” ସହଯାତ୍ରିନୀ” ରେ ତାଂକ ନିଜସ୍ଵ ଜୀବନ ଅନୁଭବ ବର୍ଣିତ ହୋଇଚି ।

ସେହିପରି ଆଦିକନ୍ଦ ସାହୁଂକ ପୁସ୍ତକ “ଆଧୁନିକ କବିତା” ରେ ନୂଆ କବିତା ର ଆଲୋଚନା ହୋଇଛି ।

ବିଶେଷ କରି ରୁନୁ ମହାନ୍ତି ନିଜ ଖୋଲା କଥା କହିବାର ସାହସ ଯୋଗୁଁ ବେଶ ଚର୍ଚିତ । ତାଂକ ବହି ରେ ନିଜ ଜୀବନ ଓ ପ୍ରେମ କୁ ନେଇ ଅନେକ କଥା ଅଛି ଯାହା କୁ କହିବା ଲାଗି ପ୍ରଚୁର ସାହସ ଲୋଡା । ଜୀବନ ର ସତ୍ୟ କୁ ଆଧାର କରି ଖୁବ୍ କମ ଲେଖା ଆମେ ସାହିତ୍ୟରେ ପାଇଥାଉ ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: କବି, କେଦାର ମିଶ୍ର, ପୁରୀ, ସାହିତ୍ୟ

ଜୁନ୍ ୨୬ରେ ଭୁବନେଶ୍ଵରରେ ନିଶା ମୁକ୍ତି ଗଣଦୌଡ଼

June 18, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଜୁନ ୧୮ (ଓଡିଶା ଡଟ କମ ) ଦିଲ୍ଲୀରେ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଓଡ଼ିଆ ସମାଜସେବୀ ସଂସ୍ଥା ଓଡ଼ିଶା ପ୍ରାଇଡ୍ ଆସନ୍ତା ଜୁନ୍ ୨୬ ତାରିଖରେ ଭୁବନେଶ୍ୱରଠାରେ ଏକ ନିଶାମୁକ୍ତି ଗଣଦୌଡ଼ ତଥା ସଚେତନତା ସଭା କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜନ କରୁଛନ୍ତି ।

ଭାରତ ସରକାରଙ୍କ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ସଚିବ ତଥା ଓଡ଼ିଶା ପ୍ରାଇଡ୍ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅମୂଲ୍ୟରତ୍ନ ନନ୍ଦଙ୍କ ପ୍ରତ୍ୟକ୍ଷ ପ୍ରେରଣାରେ ନିଶାର କୁପରିଣତି ଉପରେ ସଚେତନତା ଆଣିବା ପାଇଁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଆୟୋଜନ କରାଯାଉଅଛି ।

ବିଗତ କିଛି ବର୍ଷ ହେବ ଓଡ଼ିଶାର ବ୍ରହ୍ମପୁର ସହରରେ ଓଡ଼ିଶା ପ୍ରାଇଡ୍ ନିଶା ମୁକ୍ତି ସଚେତନତା ଅଭିଯାନ ଚଳାଇ ଆସିଅଛି ।

ସଂସ୍ଥାର ସଭାପତି ମାନସ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସମୟରେ ଯୁବ-ଛାତ୍ରମାନଙ୍କୁ ସଂଗଠିତ କରି ଆଦର୍ଶ ଜୀବନଯାପନ ଉପରେ ଶିବିରମାନ ଆୟୋଜନ କରିବା, ବନ୍ୟା-ବାତ୍ୟା ସମୟରେ ପୀଡ଼ିତମାନଙ୍କ ସେବା ତଥା ଥଇଥାନ କରିବା, ଓଡ଼ିଶାର କୀର୍ତ୍ତିରାଜିକୁ ୱେବ ସାଇଟ ରେ ପ୍ରଚାର ପ୍ରସାର କରିବା ଇତ୍ୟାଦି କାର୍ଯ୍ୟକ୍ରମ ବେଶ୍ ଜନାଦୃତ ହୋଇପାରିଛି ।

ଶିକ୍ଷା ପାଠ୍ୟକ୍ରମରେ ନିଶାର କୁପ୍ରଭାବ ଉପରେ ସଚେତନତା ଆଣିବା ପାଇଁ ବିଶେଷ ପାଠ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ପ୍ରାଇଡ୍ ଅଭିଯାନ ଆରମ୍ଭ କରିଛି । ଆସନ୍ତା ଜୁନ୍ ୨୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ତିନି ହଜାର ଯୁବ-ଛାତ୍ରଙ୍କ ପାଇଁ ଏକ ଗଣଦୌଡ଼ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରୁ ଆରମ୍ଭ ହୋଇ ସହର ପରିକ୍ରମା କରି କଳିଙ୍ଗ ଷ୍ଟାଡିୟମରେ ସମାପ୍ତ ହେବ ।

ଦିନ ୯.୩୦ ମିନିଟ୍ ଠାରୁ ୧୨ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ, ସାମାଜିକ ତଥା ବିଜ୍ଞାନ ଭିତ୍ତିକ ଆଲୋଚନାଚକ୍ର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଯେଉଁଥିରେ ୟୁ.ଏନ୍.ଓ.ଡି.ସି., ଏନ୍.ସି.ବି., ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ସନ୍ଥ, ପ୍ରଖର ବକ୍ତା, ସମାଜସେବୀ, ଓ ସରକାରୀ ପ୍ରତିନିଧିମାନେ ପ୍ରତିଭାଗୀମାନଙ୍କୁ ପ୍ରେରଣା ଦେବେ ।

ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ଼ କରିଥିବା ଦୁର୍ଗା ଚରଣ ମିଶ୍ର, ସଫଳ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ସିନେ ତାରିକା ସବ୍ୟସାଚୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୁବ-ଛାତ୍ରମାନଙ୍କୁ ଅନୁପ୍ରାଣିତ କରିବେ ।

ଏଥିପାଇଁ ରେଜିଷ୍ଟ୍ରେସନ୍ ମାଗଣା ଅଟେ । ଯେଉଁମାନେ ପ୍ରଥମରୁ ନିଜକୁ ପଞ୍ଜିକୃତ କରିଥିବେ, ସେମାନଙ୍କ ପାଇଁ ଟି-ସାର୍ଟ, ଟୋପି ଏବଂ ମାନପତ୍ର ପ୍ରଦାନ କରାଯିବ । ସମାଜ ପାଇଁ ବିଶେଷ ଅବଦାନ ତଥା ବିଶେଷ କରି ନିଶାମୁକ୍ତ ଅଭିଯାନରେ ଉତ୍ସର୍ଗୀକୃତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ରେଜିଷ୍ଟ୍ରେସନ୍ ପାଇଁ ଏହି ନମ୍ବରମାନଙ୍କରେ ଯୋଗାଯୋଗ କରିବା ପାଇଁ ସଭାପତି ମାନସ ଦାସ ନିବେଦନ କରିଛନ୍ତି । ୯୬୯୨୩୭୨୧୧୬, ୮୮୯୫୦୪୮୩୯୯, ୯୪୩୯୩୩୫୦୯, ୭୮୦୯୯୭୮୬୨୨, ୦୮୮୦୦୧୩୪୩୨୬, ୯୪୩୯୩୬୫୯୯୨, ୯୪୩୭୯୩୬୩୧୫, ୮୭୬୩୫୪୬୧୨୩, ୯୪୩୮୭୪୭୩୨୦

ଦିଲ୍ଲୀରେ ରହୁଥିବା ବିଭିନ୍ନ ଓଡ଼ିଆ ସଂସ୍ଥା ତଥା ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ପ୍ରାଇଡ୍ ଏହି ନିଶାମୁକ୍ତି ଅଭିଯାନର ସଫଳ କାମନା କରିଥିବା ବେଳେ ଓଡ଼ିଶାରେ ସମସ୍ତ ଶିକ୍ଷାନୁଷ୍ଠାନ, ସମାଜସେବୀ ସଂସ୍ଥା ତଥା ଆଗ୍ରହୀ ବ୍ୟକ୍ତିମାନଙ୍କୁ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଓଡ଼ିଶା ପ୍ରାଇଡ୍ ନିବେଦନ କରିଛନ୍ତି ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: କଳିଙ୍ଗ ଷ୍ଟାଡିୟମ୍, ଗଣଦୌଡ଼, ନିଶା ମୁକ୍ତି, ନୂଆଦିଲ୍ଲୀ

‘ସଚେତନତା, ଗୁଣାତ୍ମକ ଶିକ୍ଷା ଦ୍ୱାରା ଶିଶୁ ଶ୍ରମିକ ବିଲୋପ ସମ୍ଭବ’

June 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,୧୨ ଜୁନ (ଓଡିଶା ଡଟ କମ) : ସଚେତନତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ସମାଜରେ ଶିଶୁ ଶ୍ରମିକ ବିଲୋପ ସମ୍ଭବ ବୋଲି ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଭୁବନେଶ୍ଵରରେ ଶୁକ୍ରବାର ଆୟୋଜିତ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତା ମାନେ ମତପ୍ରକାଶ କରିଛନ୍ତି।

DSC01215ବଞ୍ଚିବାର ରାହା ପାଉ ନଥିବା ଏବଂ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାରର ପିଲା ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେଉଛି । ବାଳ ଶ୍ରମିକ ପ୍ରଥା ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗଣତି ଭିତରକୁ ଆସୁଥିବା ସଂଖ୍ୟାଠାରୁ ବାହାରେ ରହିଯାଉଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ ।

ଏହାର କାରଣ ଖୋଜିବା, ନିରାକରଣ ବାହାର କରିବା ସହିତ ଥଇଥାନ ଦିଗରେ ନିଆଯାଉଥିବା ପଦକ୍ଷେପର ମୂଲ୍ୟାୟନ କରାଯିବା ଆବଶ୍ୟକ । ବିଶେଷ କରି ଜନସଚେତନା ସୃଷ୍ଟି ଦ୍ୱାରା ଆଗାମୀ ଦିନରେ ଶିଶୁ ଶ୍ରମିକ ବିଲୋପ ଅଭିଯାନ ସଫଳ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମ ଅଧିକାରୀ, ପୁଲିସ୍, ଓପେପା ଅଧିକାରୀଙ୍କୁ ନେଇ ସ୍କ୍ୱାଡ଼ ଗଠନ କରାଯାଇଛି ।

ତେବେ ଉଦ୍ଧାର ଓ ଥଇଥାନ ଦିଗରେ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୪ ଟି ସିଜନାଲ ହଷ୍ଟେଲରେ ୮ହଜାର ଛାତ୍ରଛାତ୍ରୀଙ୍କୁ ରଖାଯାଇପାରିଛି ।

ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ କାମ ପାଇଁ ଯାଉଥିବା ଶିଶୁଙ୍କ ପିଲା ଏହି ହଷ୍ଟେଲରେ ରହି ସାଧାରଣ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସହକାରୀ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପରେ ଥଇଥାନ ଦିଗରେ ଦେଖାଦେଉଥିବା ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ ।

ପିଲାଙ୍କୁ ଉଦ୍ଧାର ପରେ ପିତାମାତା ପ୍ରତିରୋଧ କରୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ତଦାରଖ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ରାଜଲକ୍ଷ୍ମୀ ଦାସ କହିଥିଲେ ଯେ ଶିଶୁ ମାନଙ୍କୁ ଶ୍ରମିକ ଭାବେରେ ନିଯୁକ୍ତି ଦେବା ଏକ ଘୃଣ୍ୟ ପ୍ରଥା । ସଂପ୍ରତି କମିଶନ୍ ଶିକ୍ଷା ଅଧିକାର ଆଇନ୍ କୁ ତଦାରଖ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଶ୍ରମିକ ନେତା ସୌରୀବନ୍ଧୁ କର କହିଥିଲେ ଯେ ସମସ୍ତ ପ୍ରକ୍ରିୟା ଓ କ୍ଷେତ୍ରରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ଶ୍ରମକୁ ସଂପୂର୍ଣ୍ଣ ରୁପେ ନିଷେଧ କରିବା ପାଇଁ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଗୁଣାତ୍ମକ ଶିକ୍ଷା ଜରିଆରେ ଶିଶୁ ଶ୍ରମିକ ଉଚ୍ଛେଦ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ନ୍ୟାସନାଲ ସେଣ୍ଟର ଫର ଚାଇଲ୍ଡ ରାଇଟ୍ସର ନିର୍ଦ୍ଦେଶକ ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ପିଲାଙ୍କ କଥା ଭାବିବାକୁ କାହାରି ବେଳ ନାହିଁ, ଶିଶୁ ଶ୍ରମ ଉଚ୍ଛେଦ ସମସ୍ତଙ୍କର ଦାଇତ୍ୱ ।

ଏସ.ସି.ଇ.ଆର.ଟି ର ପୂର୍ବତନ ନିର୍ଦେଶକ ପ୍ରଫେସର ଏସ.ଏଲ ଜେନା ବିଦ୍ୟାଳୟଗୁଡ଼ିକ ଶିଶୁର ପସନ୍ଦ ଅନୁସାରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଆଲୋଚନାରେ ଭାଗ ନେଇ ପ୍ରଫେସର ବିଜୟ ବହିଦାର କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତି ବିନା ଶିଶୁ ଶ୍ରମିକ ବିଲୋପ ସମ୍ଭବ ନୁହେଁ । ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ସ୍ୱୟଂସମ୍ପୂର୍ଣ୍ଣ ବିଦ୍ୟାଳୟ ଶିକ୍ଷକ ସମସ୍ୟା ଦୂର ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ ।

କାର୍ଯ୍ୟକ୍ରମରେ କ୍ଲାପ୍ ର ଆଡ଼ଭୋକେଟ ବିକାଶ ଦାସ, ବି.ଜି.ଭି.ଏସ୍ ର ଉଷାରାଣୀ ବେହେରା, ଓପେପାର ଶ୍ରୀବତ୍ସ ପଟେଲ, ପିକକ୍ର ଅଧ୍ୟକ୍ଷା ଆଦରମଣୀ ବରାଳ ପ୍ରମୁଖ ଯୋଗଦେଇଥିଲେ ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟନିର୍ବହୀ ନିର୍ଦେଶିକା ଅନୁରାଧା ମହାନ୍ତି ସଙ୍ଗଠନ ପକ୍ଷରୁ ଶିଶୁ ଉଦ୍ଧାର, ଥଇଥାନ ଓ ଶିକ୍ଷାଦାନ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ।

ବାଙ୍ଗୁରିଗାଁର ପୁରସ୍କାରପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ଗୁଣାତ୍ମକ ଶିକ୍ଷା ଉପରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ସଙ୍ଗଠନ ପକ୍ଷରୁ ଜ୍ୟୋତି ମହାପାତ୍ର, ସୁନନ୍ଦା ବିଶ୍ୱାଳ ଏବଂ ଜ୍ୟୋତିଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: ପିକକ୍, ରଞ୍ଜନ ମହାନ୍ତି, ଶିଶୁ ଶ୍ରମିକ

‘ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତେ କାର୍ଯ୍ୟକରିବା ଉଚିତ’

June 7, 2015 by admin Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଜୁନ ୪ (ଓଡିଶା ଡଟ୍ କମ୍):ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ରହିଛି ବୋଲି ସମବାୟ ଓ ଅବକାରୀ ମନ୍ତ୍ରୀ ଡ଼ା ଦାମୋଦର ରାଉତ ରବିବାର ସ୍ଥାନୀୟ ଜୟଦେବଭବନ ଠାରେ ଅନୁଷ୍ଠିତ ହୋଇଥିବା ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ପଞ୍ଚଦଶତମ ବାର୍ଷିକୋତ୍ସବରେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି।

pragatishila lekhaka sammilani o sanmman ustab jayadev bhaban (3)ହୀନମନ୍ୟତା ଓ ପରଶ୍ରୀକାତରତା ଆମକୁ ଗ୍ରାସ କରିଛି । ଉପେନ୍ଦ୍ର ଭଞ୍ଜ ଓ ଗଙ୍ଗାଧର ମେହେରଙ୍କ କାଳଜୟୀ ସାହିତ୍ୟ ସୃଷ୍ଟି କରିଥିବା ଭାଷା ଆଜି ବିଲୟ ହେବାକୁ ଯାଉଛି । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୮୦ବର୍ଷ ବିତି ଯାଇଥିଲେ ହେଁ ଓଡ଼ିଆଜାତି ମାଗିଖିଆ ଜାତିରେ ପରିଣତ ହୋଇଛି । ଅତୀତକୁ ପସୋରି ବର୍ତ୍ତମାନର ସମୀକ୍ଷା ନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଅଗ୍ରସର ହେବା ଅନୁଚିତ୍ , ବୋଲି ସେ କହିଛନ୍ତି।

ମାତୃଭାଷାର ସମୃଦ୍ଧି ପାଇଁ ସବୁ ସ୍ତରରେ ଉଦ୍ୟମର ଅଭାବ ରହିଛି । ଏପରିକି ଶାସନରେ ଥିବା ଲୋକମାନେ ଓଡ଼ିଆ ଭାଷା ଜାଣନ୍ତି ନାହିଁ । ଓଡ଼ିଆ ଭାଷାର ଶ୍ରେଷ୍ଠ କୃତୀଗୁଡ଼ିକ ଅନୁବାଦ ହେବାରେ ଅବହେଳା କରାଯାଉଛି । ତେଣୁ ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ରହିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉତ ଉପରୋକ୍ତ ମତ ଦେଇଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ‘ସମୟ’ର ସଂପାଦକ ସାତକଡ଼ି ହୋତା ଉଦଘାଟକ ରୂପେ ଯୋଗଦେଇ କହିଲେ ଯେ, ସାହିତ୍ୟ ସମାଜର ଦର୍ପଣ ସଦୃଶ । ସାହିତ୍ୟକୁ ଆଗକୁ ନେବା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଏକାନ୍ତ ଅପରିହାର୍ଯ୍ୟ । ଶାରଳା ଦାସ, ଜଗନ୍ନାଥ ଦାସ ଓ ପଞ୍ଚସଖାମାନେ ଯେଉଁ ସାହିତ୍ୟ ସୃଷ୍ଟି କରିଥିଲେ, ତାକୁ ଆଜି ଓଡ଼ିଆମାନେ ଭୁଲିଯିବାକୁ ବସିଲେଣି ।

ସବୁ ମୂଳରେ ହେଉଛି ମାତୃଭାଷା । ମାତୃଭାଷାକୁ ଭୁଲିଗଲେ ଜାତିକୁ ଲୋକେ ଭୁଲଯିବେ ବୋଲି ସେ କହିଥିଲେ । ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ା ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ସାହିତ୍ୟିକ ଓ ଲୋକମାନେ ହେଉଛନ୍ତି ସମାଜର ପ୍ରକୃତି ପ୍ରତିନିଧି । ଭାଷା ହେଉଛି ସାହିତ୍ୟ ସଂସ୍କୃତିର ବାହାକ । ଲେଖକମାନେ ହିଁ ଗୋଟିଏ ଜାତିର ଆଶା ଆକାଂକ୍ଷା ଓ ସ୍ୱପ୍ନକୁ ଭାଷା ମାଧ୍ୟମରେ ପ୍ରକାଶ କରିଥାନ୍ତି ।

ଆଜି ଓଡ଼ିଶାରେ ଓଡ଼ିଆ ଭାଷାର ସର୍ବତ୍ର ବ୍ୟବହାର କମିଯିବା ହେତୁ ଓଡ଼ିଆ ଭାଷା ସଙ୍କଟର ସମ୍ମୁଖୀନ ହେଉଛି । ଦିନ ଥିଲା, ଓଡ଼ିଆ ଭାଷାକୁ ସଙ୍କଟରୁ ରକ୍ଷା କରିବା ପାଇଁ ଫକୀର ମୋହନ, ଗଙ୍ଗାଧର ମେହେର, ରାଧାନାଥ ରାୟ ଓ ଗୌରୀଶଙ୍କର ରାୟଙ୍କ ଭଳି ଲେଖକମାନେ ଭାଷା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଆଜି ଓଡ଼ିଆ ଭାଷା ସଙ୍କଟର ସମ୍ମୁଖୀନ । ଏହାକୁ ରକ୍ଷା କରିବା ପାଇଁ ଓଡ଼ିଶାରେ ପୁଣି ଭାଷା ଆନ୍ଦୋଳନ ଆରମ୍ଭ ହୋଇଛି ।

ଓଡ଼ିଆ ଭାଷାରେ ପ୍ରଶାସନ, କୋର୍ଟ କଚେରୀ, ଶିକ୍ଷା ଆଦି କ୍ଷେତ୍ରରେ ବ୍ୟାପକ ବ୍ୟବହାର କରିବା ଦାବି କରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଲକ୍ଷେ ପୋଷ୍ଟକାର୍ଡ଼ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି । କଥାରେ, ଲେଖିବାରେ ଓ ପ୍ରଚଳନରେ ଓଡ଼ିଆ ଭାଷା ବଦଳୁଛି । ମାତୃଭାଷା ଯେପର୍ଯ୍ୟନ୍ତ ଜୀବନର ଭାଷା ନ ହୋଇଛି, ସେହି ଭାଷା ବଞ୍ଚିପାରିବ ନାହିଁ ।

ତେଣୁ ସରକାରୀସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ଦାବୀରେ ଅସାନ୍ତା ବିଧାନସଭା ଅଧିବେଶନ କାଳରେ ପାଞ୍ଚ ହଜାର ସାହିତ୍ୟିକ, ଲେଖକ ଓ ସାମ୍ବାଦିକମାନଙ୍କୁ ନେଇ ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି
ବୋଲି ଶ୍ରୀ ପରିଡ଼ା କହିଥିଲେ ।

ରାଷ୍ଟ୍ରୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ନୂଆପଡ଼ା ଜିଲ୍ଲାର ବିଜେଡ଼ି ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ମହାସଂଘର ଉପସଭାପତି ଡଃ ବୈରାଗୀ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଂପାଦକ କଣ୍ଡୁରୀ ଚରଣ ଦାସ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ କବି କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ‘ବିଭୂଦତ୍ତ ସ୍ମୃତି ସମ୍ମାନ’, କବି ହାଡ଼ିବନ୍ଧୁ ମହାଖୁଡ଼ଙ୍କୁ ‘ଏକାଦଶୀ ପ୍ରସାଦ ବୋଇତାଇ ସ୍ମୃତି ସମ୍ମାନ’, କବି ରାମଲାଲ ପଣ୍ଡାଙ୍କୁ ‘ନରସିଂହ ନନ୍ଦ ସ୍ମୃତି ସମ୍ମାନ’, କବି ଅଧ୍ୟାପିକା ସୌଦାମିନୀ ବେହେରାଙ୍କୁ ‘କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକ ସ୍ମୃତି ସମ୍ମାନ’ ଓ ‘ଆପ୍ଟେକ୍’ର ପରିଚାଳନା ନିର୍ଦ୍ଦେଶକ ଶୁକଦେବ ପରିଡ଼ାଙ୍କୁ ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା ।

ଦୈନିକ ଊର୍ଦ୍ଧୁ ସମ୍ବାଦପତ୍ର ‘ଅଖ୍ବାରନାମା’ର ସାମ୍ବାଦିକ ଶେଖ୍ ରିୟାଜ୍ ମହମ୍ମଦଙ୍କୁ ‘ନାରଦ ସମ୍ମାନ’, ହୃଦୟକୃଷ୍ଣ ସାମନ୍ତରାୟଙ୍କୁ ‘ଗୋପବନ୍ଧୁ ସେବା ସମ୍ମାନ’, ଡଃ. ନୀଳାଦ୍ରି ବିହାରୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପରିବେଶବିତ ସମ୍ମାନ’, ସନ୍ତୋଷ କୁମାର ନାୟକଙ୍କୁ ‘ଯୁବ ପ୍ରତିଭା ସମ୍ମାନ’, ପ୍ରଭାକର ମହାପାତ୍ରଙ୍କୁ ‘ଜ୍ୟୋତିର୍ବିଦ୍ ପଠାଣି ସାମନ୍ତ ସମ୍ମାନ’, କବି ଜୟକୃଷ୍ଣ ସାହୁ, ଶମ୍ଭୁନାଥ ଦାଶ, ଦାମୋଦର ସେନାପତି, ସୁରେନ୍ଦ୍ର କୁମାର ଜେନା, ଦିଲୀପ କୁମାର ତ୍ରିପାଠୀ, ସନତ କୁମାର ଭୋଇ, ଶଙ୍କର୍ଷଣ ସ୍ୱାଇଁ, ଡଃ ଚିତ୍ତରଂଜନ ଭୋଇ ଓ କୁମାରୀ ସୃଜନା ସୌରଭା ପ୍ରମୁଖ ୨୦ଜଣଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ମୁଖ୍ୟଅତିଥି ମନ୍ତ୍ରୀ ଡା. ରାଉତ ସମ୍ବର୍ଦ୍ଧିତ କରିଥିଲେ ।

ଲେଖକ ମହାସଂଘ ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯିବା ସହିତ ଶରତ ଚନ୍ଦ୍ର ସାମନ୍ତଙ୍କ ‘ଅପଶ୍ରୁତି ମୁହୂର୍ତ୍ତ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ଲଳିତକଳା ପୀଠର ନୃତ୍ୟଗୁରୁ ମମତା ଶତପଥୀଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ଓ ଫୋକ୍ ଡ୍ୟାନ୍ସ ପରିବେଷଣ କରାଯାଇଥିବା ବେଳେ ଶ୍ରୀତମ୍ ଦାସଙ୍କ ଆଧୁନିକ ନୃତ୍ୟ ପରିବେଷଣ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା ।

କବି ପର୍ଶୁରାମ ଦ୍ୱିବେଦୀ ଓ ମନୋରଂଜନ ନନ୍ଦଙ୍କ ଆବାହକତ୍ୱରେ ଏହି କବିତା ପାଠୋତ୍ସବରେ ଚମକଚାନ୍ଦିନୀ ଦାଶ, ସୂର୍ଯ୍ୟ ମହାନ୍ତି, ମିନତୀ ମିଶ୍ର, ବାମଦେବ ସ୍ୱାଇଁ ଓ ଗୋଲକ ବିହାରୀ ନାୟକ ସଂଯୋଜନା କରିଥିଲେ । ଏଥିରେ ୫୨ଜଣ କବି ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

Filed Under: ସଭା ସମିତି Tagged With: ଓଡିଆ ଭାଷା, ଲେଖକ, ସାହିତ୍ୟ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 5
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା