• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସୂଚନା ପ୍ରଯୁକ୍ତି

ଓଡିଶା ବୈଜ୍ଞାନିକଙ୍କୁ ନାସା ଅନ୍ତର୍ଜାତୀୟ ପୁରସ୍କାର

November 7, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ନିଉୟର୍କ ନଭେମ୍ବର ୭ (ଓଡିଶା ଡଟ କମ) ଗାଡି ଦ୍ଵାରା ହେଉଥିବା ପ୍ରଦୂଷଣ କମାଇବା ଓ ଟାୟାର ଆୟୁଷ ବୃଦ୍ଧି ସମ୍ପର୍କିତ ଏକ ନୂଆ ବୈଷୟିକ କୌଶଳ ଉଦ୍ଭାବନ କରି ଓଡିଶାର ଚାରି ଜଣ ବୈଜ୍ଞାନିକ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ପୁରସ୍କୃତ ହୋଇଛନ୍ତି।

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲା ବୈଜ୍ଞାନିକ ସମିର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କ୍ଷମାନିଧି ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ଅଟୋ ମୋବାଇଲ ପ୍ରଡ଼କ୍ଟ ବିକଶିତ କରିଥିବା ‘ଟାଇଚି ଜୁନୋ ବା ଟିଜେ ‘କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି ।NASA Tech Brief Awards

ଏହି ପ୍ରତିଯୋଗିତା ରେ ବିଶ୍ୱର ଷାଠିଏ ଟି ଦେଶର ବୈଜ୍ଞାନିକ ମାନେ ଭାଗ ନେଇଥିବାବେଳେ ଆଠୋଟି ବୈଜ୍ଞାନିକଙ୍କ ଟିମ ପୁରସ୍କାର ଜିତିଥିବା ବେଳେ ୩୨ ଟି ଉଦ୍ଭାବନ ଏହି ଅବସରରେ ନାସା ପ୍ରକାଶିତ କରିଥିବା ସ୍ଵତନ୍ତ୍ର ମ୍ୟାଗାଜିନ ରେ ସ୍ଥାନ ପାଇଛି ।

ଓଡିଶା ବୈଜ୍ଞାନିକଙ୍କ ଏହି ପଙ୍କଚର ହେଉନଥିବା ଟାୟାର ପ୍ରକଳ୍ପ ସବୁଠାରୁ ଉଛ ପ୍ରଶଂସିତ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ରେ ପିଏଚଡି କରୁଥିବା ତଥା ପୁରସ୍କାର ଜିତିଥିବା ଟିମ ସଦସ୍ୟ ସମୀର ପଣ୍ଡା ଓଡିଶା ଡଟ କମକୁ କହିଛନ୍ତି।

ଗାଡି ଚଳାଇବା ସମୟରେ ଟାୟାର ଫାଟିଗଲେ ଡ୍ରାଇଭର ଏହାର ସଙ୍ଗେସଙ୍ଗେ କି ପ୍ରତିକାର କରିବ ତାହା ଭାବି ପାରିନଥାଏ । ଏହା ଦ୍ଵାରା ବେଳେ ବେଳେ ଧନ ଜୀବନ ହାନି ହୋଇଥାଏ।

ଟିଜେ ଦ୍ଵାରା ଉଦ୍ଭାବିତ ବୈଷୟିକ କୌଶଳ ଦ୍ଵାରା ଟାୟାର ଫାଟିବା ଅଥବା ପଙ୍କଚର ହେବା ନା କେବଳ କମାଇ ଦିଆ ଯାଇପାରିବ , ଗାଡି ଚକ ଓ ଅନ୍ୟ ଯନ୍ତ୍ରାଦିର ଆୟୁଷ ମଧ୍ୟ ବଢା ଯାଇପାରିବ । ଏହି ବୈଷୟିକ କୌଶଳର ପ୍ରୟୋଗ ଉଭୟ ଟ୍ୟୁବ ଥିବା ଓ ଟ୍ୟୁବ ନ ଥିବା ଟାୟାରରେ ପ୍ରୟୋଗ କରାଯାଇପାରିବ ।

ଏହି ବୈଷୟିକ ବିଦ୍ୟା ବ୍ୟବହାରରେ ଗାଡି ଦୁର୍ଘଟଣା ରୋକା ଯାଇପାରିବ ବୋଲି ସେ କହିଛନ୍ତି ।  ଏହି ପ୍ରକଳ୍ପ ଓ ପୁରସ୍କାର ସମ୍ପର୍କିତ ତଥ୍ୟ ପାଇଁ କ୍ଲିକ କରନ୍ତୁ 

ଓଡିଶା ଡଟ କମ

Filed Under: ଶିକ୍ଷା, ସୂଚନା ପ୍ରଯୁକ୍ତି Tagged With: ଓଡିଆ, ପୁରସ୍କାର, ବୈଷୟିକ କୌଶଳ, ଯୁକ୍ତରାଷ୍ଟ୍ର ଆମେରିକା

ସୂର୍ଯ୍ୟନନ୍ଦନକୁ ‘ବେଷ୍ଟ ହୋଷ୍ଟିଂ’ ପାର୍ଟନର ପୁରସ୍କାର

November 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର , ନଭେମ୍ବର ୬ (ଓଡିଶା ଡଟ କମ)  ଭୁବନେଶ୍ବର ସ୍ଥିତ ୱେବ ହୋଷ୍ଟିଂ ସେବା ପ୍ରଦାନକାରୀ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଏକ୍ଷେତ୍ରରେ ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ପୂର୍ବ ଭାରତରେ ନିଜର ଶ୍ରେଷ୍ଠ ପାର୍ଟନର ପୁରସ୍କାରରେ ସମ୍ମାନିତ କରିଥିବା ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ଶୁକ୍ରବାର କହିଛନ୍ତି ।

suryanandan-netବିଶ୍ଵ ୱେବ ହୋଷ୍ଟିଙ୍ଗ ଡେ ଉପଲକ୍ଷେ ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ତାଙ୍କ ସଂସ୍ଥାକୁ ପ୍ରଦାନ କରାଯାଇଥିବା ସାହୁ କହିଛନ୍ତି।

ଗୋଡାଡିର ହୋଷ୍ଟିଙ୍ଗ ବିଭାଗ ଉପାଧ୍ୟକ୍ଷ ଜେଫ କିଂ ଓ ଗୋଡାଡି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ର ପରିଚାଳନା ନିର୍ଦ୍ଦେଶକ ରାଜୀବ ସୋଧିଙ୍କ ଠାରୁ ଦେଶ ଓ ଦେଶ ବାହାରୁ ଆସିଥିବା ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ହୋଷ୍ଟିଙ୍ଗ ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିଙ୍କ ସମ୍ମୁଖରେ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଗତ ୧୬ ବର୍ଷ ହୋଷ୍ଟିଙ୍ଗ ସେବା ପ୍ରଦାନ କରିଆସିଥିବା ଆମ ସଂସ୍ଥା ପାଇଁ ଏହା ଏକ ମାଇଲ ଖୁଣ୍ଟ ବୋଲି ସାହୁ କହିବା ସହ ନିଜର ଗ୍ରାହକ, ଏବଂ ଗୋଡାଡି କର୍ତ୍ତୁପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

ସୁର୍ଯ୍ୟନନ୍ଦନ ଡଟ ନେଟ ଓଡିଶା ଓ ଓଡିଶା ବାହାରେ ପ୍ରାୟ ୮,୫୦୦ ଗ୍ରାହକଙ୍କୁ ଡୋମେନ୍ ରେଜଷ୍ଟ୍ରେସନ୍, ୱେବ ହୋଷ୍ଟିଂ ଓ ୱେବସାଇଟ ଡିଜାଇନିଂ ସେବା ଯୋଗାଇଆସୁଛି ।

ଓଡିଶା ଡଟ କମ

Filed Under: ସୂଚନା ପ୍ରଯୁକ୍ତି Tagged With: ଡୋମେନ ବୁକିଂ, ୱେବ ହୋଷ୍ଟିଂ, ସୁର୍ଯ୍ୟନନ୍ଦନ, ସୁର୍ଯ୍ୟନନ୍ଦନ ଡଟ ନେଟ, ସୂଚନା ପ୍ରଯୁକ୍ତି

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

October 26, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ବିଶ୍ୱ ଅର୍ଥନୀତିରେ (ଜଗତିକରଣରେ) ସାମିଲ ହୋଇଯିବାପରେ ଏବେ ଆମକୁ କେବଳ ଶିଳ୍ପ ବା କଳକାରଖାନା ନୁହେଁ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ସଙ୍ଗୀତ, ଚିତ୍ରକଳା ନାଚଗୀତ ସବୁ କ୍ଷେତ୍ରରେ ବିଶ୍ୱ ବଜାର ସହିତ ପାଦଦେଇ ଚାଲିବାକୁ ପଡ଼ୁଛି ଓ ଆଗକୁ ବିଶ୍ୱବଜାର ସହିତ ପ୍ରତିଯୋଗିତା ମଧ୍ୟ କରିବାକୁ ପଡ଼ିବ ।

ପ୍ରତିଯୋଗିତାରୁ ଓହରିଯିବା କିମ୍ବା ହାରିଯିବା ମାନେ କେବଳ ଖେଳ ପଡ଼ିଆରୁ ବାହାରିଯିବା ନୁହେଁ – ଏ ଦୁନିଆରୁ ହିଁ ବାହାରିଯିବା ସାର ହେବ !

jagdishଜଗତିକରଣର ପ୍ରଭାବକୁ ଦେଖନ୍ତୁ – ଆମର ନିପଟ ମଫସଲର ପାରମ୍ପରିକ ବାଜାଦଳରେ ବି ଏବେ ଚାଇନା କିମ୍ବା ଜାପାନ୍ ତିଆରି ବୈଦୁ୍ୟତିକ କେସିଓ, ଡି.ଜେ. ବାଜା, ଗାଁଗଣ୍ଡାର ଭୋଜିଭାତରେ ବି “ବିସ୍ଲେରୀ ମିନେରାଲ୍ ୱାଟର୍”, ଗାଁ ଗଣ୍ଡାରେ ବି ମୋବାଇଲ୍ ଫୋନ୍ ଦୋକାନ, ପଞ୍ଚାୟତ ମୁଖ୍ୟାଳୟ ପାଖରେ ଭେଳିକିଭେଳି ମଡେଲ୍ର ମୋଟର ସାଇକେଲ୍ର ସୋ ରୁମ୍, ଟେକ୍ସିଷ୍ଟାଣ୍ଡ୍, ଧାନ ବିଲରେ ଧାନ ରୋଉଥିବା ମହିଳା ହାତରେ କିମ୍ବା ଛେଳି ଚରାଳୀ ଝିଅଟି ହାତରେ ବି ମୋବାଇଲ୍ ଫୋନ୍ ।

ଧାନଖେତରେ ବା ବଣ ଜଙ୍ଗଲରେ ଝିଙ୍କାରୀ କିମ୍ବା ଚଢ଼େଇମାନଙ୍କ କଳରବ ବଦଳରେ ଏବେ ମୋବାଇଲ୍ ଫୋନ୍ରୁ କେତେ ରକମର ଗୀତ ଶୁଭୁଅଛି । ଧାନକୁ ଅମଳକରି ସଫାକରିବାପାଇଁ ଚାଷୀକୁ ଆଉ ଖଳା ତିଆରି କରିବାକୁ ପଡ଼ୁନି – ଗହୀର ଧାନବିଲ ଭିତରେ ମେସିନ୍ ରେ ଧାନ କାଟିବା, ମଡ଼ାଇବା, ସଫାକରି ବସ୍ତାରେ ପେକିଂ କରିବା – ସବୁକାମ ଘଣ୍ଟାଏ ଦି ଘଣ୍ଟାରେ ହୋଇଯାଉଛି ।

ଗାଈଗୁହାଳରେ ମେସିନ୍ ରେ କ୍ଷୀର ଦୁହାଁହୋଇ ପାଇପ ଯୋଗେ ସହରରେ ଥିବା ପ୍ରକି୍ରୟାକରଣ ପ୍ଲାଣ୍ଟ୍କୁ ଚାଲିଯାଉଛି । ସେଠାରେ ପେକିଂ ହୋଇ ଗ୍ରାହକକୁ କ୍ଷୀର ମିଳୁଛି । ଗାଈମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରତି ତିନିମାସରେ ସୁଦୂର କାନାଡ଼ାରୁ ପଶୁ ଡାକ୍ତର ଆସୁଛନ୍ତି । ବିନା ଡ୍ରାଇଭରରେ ଟ୍ରାକ୍ଟର ଘରୁ ଖେତକୁ ଯାଉଛି, ଚାଷ କରୁଛି – ଘରେ ବସି ଟ୍ରାକ୍ଟରକୁ ମୋବାଇଲ୍ ଫୋନ୍ ରେ ପରିଚାଳନା କରାଯାଉଛି ।

ମେସିନ୍ ରେ ଗୋଟିଏ ଘଣ୍ଟାରେ ଲକ୍ଷାଧିକ ରୋଟି ତିଆରି ହୋଇଯାଉଛି । ଏମିତି ଆଉ କିଛି କାମ ନାହିଁ ଯେଉଁଥିରେ ଆଧୁନିକ ବିଜ୍ଞାନ ଓ କଳ କୌଶଳର ଉପଯୋଗ ହେଉନାହିଁ । ଦିନକୁ ଦିନ ଯୁଗ ଖୁବ୍ କ୍ଷୀପ୍ର ଗତିରେ ବଦଳିଚାଲିଛି । ଏହି ପରିବର୍ତ୍ତନରେ ଆମେ ନିଜକୁ ଖାପ ଖୁଆଇ ଚଳିବା ଛଡ଼ା ଆଉ କିଛି ଉପାୟ ହିଁ ନାହିଁ ।

ଏଥିପାଇଁ ଭୟକଲେ ବି ଆଉ ଚଳିବ ନାହିଁ । ନୂଆନୂଆ ମୋବାଇଲ୍ ଆସିବା ବେଳକୁ ଲୋକେ ଭାବୁଥିଲେ ମୋବାଇଲ୍ ବ୍ୟବହାର କରିବାପାଇଁ ତଥା ଫଟୋଗ୍ରାଫି ଇତ୍ୟାଦି ପାଇଁ ତାଲିମ ନେବାକୁ ପଡ଼ିବ । ହେଲେ ଦେଖୁ ଦେଖୁ ସାକ୍ଷର ନିରକ୍ଷର ସମସ୍ତଙ୍କ ହାତରେ ମୋବାଇଲ୍ ପହଞ୍ଚିଗଲା ।

ନିୟମଗିରି ପାହାଡ଼ ଉପରକୁ ଏଯାଏଁ ବିଜୁଳି ସଂଯୋଗ ସିନା ହୋଇନାହିଁ, ସେଠିକାର ନିରକ୍ଷର ଡଙ୍ଗରିଆ କନ୍ଧ ଯୁବକ ଯୁବତୀଙ୍କ ହାତରେ ବି ଏବେ ମୋବାଇଲ୍ ଫୋନ୍ ଆଉ ସେଠାରୁ ହ୍ୱାଟ୍ସ ଆପ୍ ରେ କେତେ ରକମର ଫଟୋଚିତ୍ର ନିମିଷକ ଭିତରେ ଦେଶବିଦେଶକୁ ଚାଲିଯାଉଛି । ଆଜି ଯେଉଁସବୁ କଳ କୌଶଳ ଆମକୁ ଜଟିଳ ଲାଗୁଛି ଖୁବ ଶୀଘ୍ର ସେସବୁ ଆମକୁ ଖୁବ୍ ସହଜ ହୋଇଯିବ ।

ପାଣି ଭିତରକୁ ପଶି ଗୋଡ଼ ହାତ ଛାଟିଲେ ପାଣି ପହଁରା ଆପେ ଶିଖି ହୋଇଯିବ । ଯିଏ ଆଦୌ ଶିଖିବ ନାହିଁ କହିବ ତା କଥା ଅବଶ୍ୟ ଭିନ୍ନ । ତାକୁ ହୁଏତ ପାଣିରେ ବୁଡ଼ିଯାଇ ଇହଧାମ ତ୍ୟାଗ କରିବାକୁ ପଡ଼ିବ ।

ଆଜିର ଏହି ଆହ୍ୱାନକୁ ଆଖିରେ ରଖି କେନ୍ଦ୍ର ସରକାର ସ୍କିଲ୍ ଡେଭଲ୍ମେଣ୍ଟ କର୍ପୋରେସନ୍ (ଦକ୍ଷତା ବିକାଶ ନିଗମ) ଗଠନ କରି ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କ ଦକ୍ଷତା ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ଯେଉଁସବୁ ଦେଶରେ ଦକ୍ଷତା ସମ୍ପନ୍ନ ବା କୁଶଳୀ ଲୋକଶକ୍ତିର ସଂଖ୍ୟା ଅଧିକ ସେହି ସବୁ ଦେଶ ଅଧିକ ଉନ୍ନତ ହେବା ସ୍ୱାଭାବିକ ।

ଜାପାନ୍, ଜର୍ମାନୀ, ଆମେରିକା ଇତ୍ୟାଦି ଦେଶମାନଙ୍କରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ସତୁରି ଅଶୀ ଶତାଂଶରୁ ଅଧିକ ଥିବାବେଳକୁ ଆମଦେଶର ମୋଟ ଶ୍ରମିକ ସଂଖ୍ୟାରୁ ପାଞ୍ଚ ଶତାଂଶ ମଧ୍ୟ କୁଶଳୀ କିମ୍ବା ତାଲିମ ପ୍ରାପ୍ତ ନୁହଁନ୍ତି । ଆମ ଦେଶରେ ଆଜି ଯିଏ କରଣୀଟିଏ ଧରିଲା କାଲି ସେ ରାଜମିସ୍ତ୍ରି, ଯିଏ କରତ ବା ବାଟୁଳିଟିଏ କିଣିପାରିଲେ ସେ ହେଲା ମହାରଣା, ସ୍କୃ ପାନା ପେଞ୍ଚକସ୍ କିଛି ଯୋଗାଡ଼ କରିପାରିଲେ ସେ ହୋଇଯାଉଛି ମେକାନିକ୍, ଆଉ ଏମାନଙ୍କୁ ଭରସା ନକରିବାକୁ ବି କାହାରି ଅନ୍ୟ ଉପାୟ ନାହିଁ ।

ଏହାର କାରଣ ହେଲା ଆମ ଦେଶସାରା ଛତୁ ଫୁଟିଲାଭଳି ସ୍କୁଲ କଲେଜ ସିନା ଖୋଲିଯାଇଛି (ଅବଶ୍ୟ ବିନା ପାଠ ପଢ଼ାରେ ବି ଡିଗ୍ରୀଟିଏ ମିଳିଯାଉଛି – ତାହା ଭିନ୍ନ କଥା), କିନ୍ତୁ ଆମଦେଶର ବଡ଼ଭାଗ ଜନସାଧାରଣଙ୍କୁ ବା ଶ୍ରମିକ ଶ୍ରେଣୀର ଲୋକଙ୍କ ଦକ୍ଷତା ବିକାଶ ନିମନ୍ତେ ଏବେଯାଏଁ ଯଥେଷ୍ଟ ସୁବିଧା ସୁଯୋଗ ନାହିଁ ।

ଆଗରୁ ଦେଶର ଓ ଜନସାଧାରଣଙ୍କ ଆର୍ଥିକ ଅନଗ୍ରସରତା ନିମନ୍ତେ ମଧ୍ୟ ଦକ୍ଷତା ସମ୍ପନ୍ନ ବା କୁଶଳୀ କାରିଗରମାନଙ୍କର ଚାହିଦା ବେଶି ରହୁନଥିଲା । ଏବେ କିନ୍ତୁ ଦେଶର ଆର୍ଥିକ ପ୍ରଗତି ସାଙ୍ଗକୁ ଦେଶରେ କୁଶଳୀ କାରିଗରଙ୍କ ଚାହିଦା ଖୁବ୍ ଦ୍ରୁତଗତିରେ ବଢ଼ିବାକୁ ଲାଗିଛି ।

ନିକଟରେ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମଙ୍କ ତରଫରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଅନୁମାନ କରାଯାଉଛି ଯେ ୨୦୨୨ ମସିହା ସୁଦ୍ଧା ନିର୍ମାଣକ୍ଷେତ୍ର, ଖୁଚୁରା ବ୍ୟବସାୟ, ପରିବହନ, ରୂପଚର୍ଯ୍ୟା-ପ୍ରସାଧନ, ଫର୍ଣ୍ଣିଚର ଏବଂ କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୫୮ କୋଟି ହେବ ।

ଏ ଭିତରୁ କେବଳ କୃଷି କ୍ଷେତ୍ରରେ ଆବଶ୍ୟକ କୁଶଳୀ ଶ୍ରମିକଙ୍କ ସଂଖ୍ୟା ହେବ ପ୍ରାୟ ୨୨ କୋଟି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ ବର୍ଷରେ କୃଷି କ୍ଷେତ୍ରରେ ରୋଜଗାର ମିଳୁଥିବା ଲୋକଙ୍କ ସଂଖ୍ୟା ୨୪ କୋଟିଥିବାବେଳେ ୨୦୨୨ରେ ତାହା ୨୨କୋଟିକୁ ଖସିଯିବ । ଅନ୍ୟଅର୍ଥରେ ଆଗାମୀ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଆବଶ୍ୟକ ଲୋକଙ୍କ ସଂଖ୍ୟା କମ୍ ହେବାକୁ ଲାଗିବ ।

କୃଷି ବ୍ୟତୀତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଦକ୍ଷତା ସମ୍ପନ୍ନ ଲୋକଙ୍କ ନିଯୁକ୍ତି ଖୁବ୍ ଅଧିକ ହାରରେ ବଢ଼ିବ । ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଜରିଆରେ ରେଲବାଇ, କଳକାରଖାନା, ଅଟୋ ମୋବାଇଲ୍, ଉଡାଜାହାଜଠାରୁ ପ୍ରତିରକ୍ଷା ସାମଗ୍ରୀଯାଏଁ ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶରେ ଉତ୍ପାଦନ କରିବା ପାଇଁ ସରକାର ବିଦେଶୀ କମ୍ପାନୀମାନଙ୍କୁ ବ୍ୟଗ୍ରତାର ସହିତ ନିମନ୍ତ୍ରଣ କରୁଛନ୍ତି ।

ସରକାରଙ୍କ ଏହି ପ୍ରଚେଷ୍ଟା ସାମାନ୍ୟମାତ୍ରାରେ ସଫଳ ହେଲେମଧ୍ୟ ଦେଶରେ ‘ମାନୁଫେକ୍ଚରିଙ୍ଗ୍’ ଶିଳ୍ପରେ କୁଶଳୀ ଶ୍ରମିକଙ୍କ ଚାହିଦା ଖୁବ୍ ବଢ଼ିଯିବ । ଏହାରି ପ୍ରଭାବରେ ଏସବୁ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଜୁରି ଖୁବ୍ ବଢ଼ିଯିବ ଏବଂ କୃଷିକ୍ଷେତ୍ରରେ ମଧ୍ୟ ଯଥେଷ୍ଟ ମଜୁରି ନଦେଲେ ଶ୍ରମିକ ଅଭାବ ଆହୁରି ବଢ଼ିବ ।

କୃଷିକ୍ଷେତ୍ରରେ ବିଶ୍ୱବଜାର ସହିତ ପ୍ରତିଯୋଗିତାକ୍ଷମ ହେବା ନିମନ୍ତେ ଆମଦେଶର କୃଷିକ୍ଷେତ୍ରରେ ମଧ୍ୟ ଆଧୁନିକ କଳକୌଶଳର ଉପଯୋଗକରି ଅଧିକ ପୁଞ୍ଜି ଖଟାଇବାକୁ ହେବ । କୃଷିର ଆଧୁନିକିକରଣ କରିବାକୁ ଗଲେ କୃଷିକ୍ଷେତ୍ରରେ ନିୟୋଜିତ ସମସ୍ତଙ୍କୁ ଦକ୍ଷତା ସମ୍ପନ୍ନ ବା କୁଶଳୀ ହେବାକୁ ପଡ଼ିବ । ଅନ୍ୟଥା ପୁରୁଣାକାଳିଆ ଚାଷବାସ କରି ଚାଷବାସରେ କୌଣସି ଚାଷୀ ଉତ୍ତମ ଜୀବନଯାପନ କରିପାରିବା ସମ୍ଭବପର ହେବନାହିଁ ।

ପୁରୁଣା କାଳିଆ ଚାଷବାସ ପଦ୍ଧତିକୁ ଜାବୁଡ଼ି ଧରିଲେ ଚାଷବାସ ଭୁଷୁଡ଼ିପଡ଼ିବା ହିଁ ସାରହେବ । ଉନ୍ନତ କୃଷି ପ୍ରଣାଳୀ ଅବଲମ୍ବନ କଲେଯାଇ କୃଷିକ୍ଷେତ୍ରରେ ଶ୍ରମିକମାନଙ୍କୁ ଆକର୍ଷଣୀୟ ମଜୁରି ଦିଆଯାଇପାରିବ ଏବଂ ଚାଷୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ । ଆଗକୁ ଏପ୍ରକାର ଯେଉଁ ପରିବର୍ତ୍ତନ ସବୁ ଆସୁଛି ସେଥିପାଇଁ ଏବଠାରୁ ହିଁ ଗ୍ରାମୀଣ ଜନସାଧାରଣ ଓ ବିଶେଷକରି ଚାଷୀମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ଅନ୍ୟଥା “ଦାଦନ ଶ୍ରମିକମାନେ ଆନ୍ଧ୍ର ଇଟାଭାଟିରେ ନିର୍ଯ୍ୟାତିତ”ହେଉଥିବାର ଯେତେ ସମ୍ବାଦ ବାହାରୁଥିଲେ ବି ଓଡ଼ିଆ ଚାଷୀମୂଲିଆଙ୍କୁ ଦାଦନ ହୋଇ ନିର୍ଯ୍ୟାତିତ ହେବା କିମ୍ବା ଶ୍ରମିକ ଚାଲାଣ ସମସ୍ୟାରୁ ମୁକ୍ତିପାଇବା ସମ୍ଭବ ହେବନାହିଁ ।

ଯେଉଁ ସ୍ୱେଚ୍ଛାସେବୀ ସଙ୍ଗଠନ ଓ କୃଷକ ସଂଗଠନମାନେ ଦାଦନ ସମସ୍ୟା କିମ୍ବା ଚାଷୀମୂଲିଆଙ୍କ ସମସ୍ୟାକୁ ନେଇ ଚିନ୍ତିତ ବା କାମ କରୁଛନ୍ତି ସେମାନେ ମଧ୍ୟ ଚାଷୀମୂଲିଆଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ସେମାନେ କିପରି ଅଧିକ ରୋଜଗାରକ୍ଷମ ଓ ଅଧିକ ଉପାର୍ଜନକ୍ଷମ ହୋଇପାରିବେ ସେ ଦିଗରେ ସରକାରଙ୍କ ସହିତ ମିଶି କାର୍ଯ୍ୟକରିବା ଅଧିକ ସମୀଚୀନ ହେବ ।

ସବୁ କ୍ଷେତ୍ରରେ ସରକାରଙ୍କୁ ଆଶ୍ରାକରି କିମ୍ବା କେବଳ ସମାଲୋଚନାକରି କରି ବସିରହିଲେ ଦୁନିଆ ତା ବାଟରେ ଆଗକୁ ବଢ଼ିଚାଲିବ ଓ ଆମେ ପଛରେ ପଡ଼ିରହିଥିବା ହିଁ ସାରହେବ ।

ସଦସ୍ୟ, ରାଷ୍ଟ୍ରୀୟ କୃଷକ କମିସନ (୨୦୦୪-୦୭)
୩୮୧୬, ଘାଟିକିଆ, ଭୁବନେଶ୍ୱର – ୭୫୧୦୦୩

Filed Under: ସୂଚନା ପ୍ରଯୁକ୍ତି Tagged With: ଆଧୁନିକ ବିଜ୍ଞାନ, କଳ କୌଶଳ, ଜଗଦୀଶ ପ୍ରଧାନ, ବୈଷୟିକ ଜ୍ଞାନ, ମୋବାଇଲ୍ ଫୋନ୍, ସୂଚନା ପ୍ରଯୁକ୍ତି

ମତ୍ସ୍ୟ ବିଭାଗର ମୋବାଇଲ ମେସେଜିଂ ସେବାକୁ ପୁରସ୍କାର

September 26, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) ମତ୍ସ୍ୟଜୀବୀଙ୍କୁ ମୋବାଇଲ ଭଏସ ମେସେଜିଂ ଜରିଆରେ ସରକାରୀ ଯୋଜନା ଓ ବନ୍ୟା, ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପତ୍ତି ସମୟରେ ସେମାନେ ଯେପରି ସୁରକ୍ଷିତ ରହିବେ ଆଦି ସୂଚନା ଦେଇ ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ରାଜ୍ୟର ମତ୍ସ୍ୟ ବିଭାଗକୁ ଏହି ସେବା ପାଇଁ ନିକଟରେ ଏକ ସମ୍ମାନ ଜଣକ ପୁରସ୍କାର ମିଳିଛି ।

mobileଭୋପାଳଠାରେ ଅନୁଷ୍ଠିତ ଗ୍ରାମ୍ୟ ଉନ୍ନୟନ ସଂକ୍ରାନ୍ତୀୟ ଏକ ଜାତୀୟ କର୍ମଶାଳାରେ ଏହି ସେବା ପାଇଁ ବିଭାଗକୁ ଦିଆଯାଇଥିବା ପୁରସ୍କାର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ଠାରୁ ମତ୍ସ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦେବେନ୍ଦ୍ର ଭଞ୍ଜ ଏବଂ ବିଭାଗୀୟ ନୋଡାଲ ଅଧିକାରୀ ସତୀଶ ରଞ୍ଜନ ଦାସ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସଂସଦ ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କିତ ଗତ ବୁଧବାର ଆରମ୍ଭ ହୋଇଥିବା ଏହି ଦୁଇଦିନିଆ କର୍ମଶାଳାରେ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନ ସଂସ୍ଥାକୁ ପୁରସ୍କୃତ କରଯାଇଥିଲା । ଏହି ପୁରସ୍କାର ପାଇଁ ମନ୍ତ୍ରାଳୟ ତରଫରୁ ବିଭିନ୍ନ ରାଜ୍ୟରୁ ଆବେଦନ ଆହ୍ଵାନ କରାଯାଇଥିଲା ।

ମୋଟ ୫୨୮ ଆବେଦନ ମଧ୍ୟରୁ ପ୍ରାୟ ୩୧ ଟି ପ୍ରକଳ୍ପର ଚୟନ ହୋଇଥିଲା ଓ ଓଡିଶାର ମୋବାଇଲ ଭଏସ ମେସେଜିଂ ସେବା ର ନାମ ସେଥିରେ ସ୍ଥାନ ପାଇଥିଲା ।

ଦୁଇବର୍ଷ ତଳେ  ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ତଥା ବର୍ତ୍ତମାନ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ଆରମ୍ଭ ହେଇଥିବା ଏହି ସେବା ରାଜ୍ୟର ପ୍ରାୟ ଦୁଇଲକ୍ଷ ମତ୍ସ୍ୟଜୀବୀ ପାଉଛନ୍ତି ।

ପ୍ରତିଦିନ ପାଞ୍ଚଟି ଭଏସ ଏସଏମଏସ ବିଭାଗ ସେମାନଙ୍କୁ ପଠାଉଛି । ଏହି ଭଏସ ଏସଏମଏସ ରେ କାର୍ଯ୍ୟକାରୀ ହେଉଥିବା ବିଭାଗର ବିଭିନ୍ନ ଯୋଜନା, କେଉଁ ସ୍ଥାନରେ ଅଧିକ ସଂଖ୍ୟାରେ ମାଛ ରହିଛନ୍ତି ତଥା ପାଣିପାଗ ସମ୍ପର୍କିତ ବିପଦ ସୂଚନା ଆଦି ସ୍ଥାନ ପାଉଛି ।

ଏହି ସେବା ଯୋଗୁଁ ସମୁଦ୍ର ଓ ନଦୀ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ମତ୍ସ୍ୟଜୀବୀ ଉପକୃତ ହୋଇପାରୁଛନ୍ତି । ପାଣିପାଗ ନେଇ ଆଗୁଆ ସୂଚନା ମ୍ୟାସେଜ୍‌ ମାଧ୍ୟମରେ ମିଳିବା ଦ୍ଵାରା ସେମାନେ ସୁରକ୍ଷିତ ଭାବେ ଜୀବୀକା ନିର୍ବାହ କରିପାରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଏହି ସେବାର ପ୍ରଶଂସା କରି ଅନ୍ତର୍ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟରସ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟ ପୃଥିବୀର ପ୍ରସିଦ୍ଧ ଖବର କାଗଜ ନିଉୟର୍କ ଟାଇମସ ସମେତ ଦେଶ ବିଦେଶର ବହୁ ସଂବାଦ ପତ୍ର ଓ ଟିଭି ଚ୍ୟାନେଲରେ ପ୍ରକାଶିତ ଓ ପ୍ରସାରିତ ହୋଇଥିଲା ।

ଓଡିଶା ଡଟ କମ

Filed Under: ସୂଚନା ପ୍ରଯୁକ୍ତି Tagged With: ମୋବାଇଲ ମେସେଜିଙ୍ଗ ସେବା

ଅନଲାଇନ ଅର୍ଡର କରି ଘରେ ପାଆନ୍ତୁ ଓପୋଲଫେଡର ଚିକେନ, ଅଣ୍ଡା

August 3, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଅଗଷ୍ଟ ୩, (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ଖାଉଟି ଅନଲାଇନରେ ଅର୍ଡର ଦେଇ ଓପୋଲଫେଡର ଚିକେନ ଓ ଅଣ୍ଡା ଘରେ ବସି ପାଇପାରିବେ ।

opolfedକୁକ୍କୁଟ ଉତ୍ପାଦନପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା ଓଡିଶା ରାଜ୍ୟ କୁକ୍କୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ (ଓପୋଲଫେଡ୍) ଏହି ଅନ୍-ଲାଇନ୍ ବିକ୍ରିବଟା ବ୍ୟବସ୍ଥାର ସୋମବାର ଶୁଭାରମ୍ଭ କରିଛି ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହାକୁ ସଚିବାଳୟରେ ଉଦଘାଟନ କରିଥିଲେ ।

ରାଜ୍ୟରେ ପ୍ରଥମ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆର୍ଥିକ ସହାୟତାରେ “ଓପୋଲଫେଡ୍ ଚିକେନ୍ ଫ୍ରେସ୍” ନାମରେ ଏକ ଅତ୍ୟାଧୁନିକ କୁକୁଡା ମାଂସ ପ୍ରକ୍ରିୟାକରଣ ତଥା ବିକ୍ରିୟ କେନ୍ଦ୍ର ୨୪ମଇ ୨୦୧୫ ରେ ଓପୋଲଫେଡ ସହିଦନଗର, ଭୁବନେଶ୍ଵରଠାରେ ଖୋଲିଛି ।

ଏହିପରି ଆଉ ଦୁଇଟି “ଓପୋଲଫେଡ୍ ଚିକେନ୍ ଫ୍ରେସ୍” ବିକ୍ରୟ କେନ୍ଦ୍ର ଆଇଆରସି ଭିଲେଜ ଓ ଓୟୁଏଟି କ୍ୟାମ୍ପସରେ ଓପୋଲଫେଡ୍ ଦ୍ଵାରା ନିର୍ମାଣ କରାଯାଉଛି, ଯାହାକି ଏକ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ।

ଏହି ବିକ୍ରୟ କେନ୍ଦ୍ର ଗୁଡିକରୁ ଅନ୍-ଲଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ଖାଉଟିମାନେ ଅନ୍ୟୁନ୍ୟ ପାଞ୍ଚ ସହ ଟଙ୍କାର କୁକୁଡା ମାଂସ ଓ ଅଣ୍ଡା କିଣିବା ପାଇଁ ବରାଦ କଲେ, ସେମାନଙ୍କ ଘରେ ଏକ ଘଣ୍ଟା ଭିତରେ ଓପୋଲଫେଡ ପହଞ୍ଚାଇବ ବୋଲି ବିଭାଗର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଅନ୍-ଲଇନ୍ ବୁକିଂ ପାଇଁ ଉପଭୋକ୍ତା/ଖାଉଟି ମାନଙ୍କୁ (www.chickenfresh.in) ରେ କ୍ଲିକ୍ କରିବାକୁ ପଡିବ ।

ସେହିପରି ସବୁଠାରୁ ବହୁଳ ଭାବରେ ଆଦୃତ ସୋସିଆଲ ମିଡିଆ ଫେସ୍ ବୁକ୍ ରେ ଆରମ୍ଭ କରାଯାଇଥିବା ଓପୋଲଫେଡର ଏକ ସ୍ଵତନ୍ତ୍ର ବ୍ୟବସାୟିକ ପୃଷ୍ଠାର ମଧ୍ୟ ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

www.facebook.com/opolfed ରେ କ୍ଲିକ୍ କରି ଯେ କେହି ଏହି ପୃଷ୍ଠା ଦେଖି ପାରିବେ । ଏଥିରେ ପ୍ରତ୍ୟେକ ଦିନ ଅଣ୍ଡା ଓ କୁକୁଡା ମାଂସ ଉପରେ ଆଧାରିତ ବୈଷୟିକ ତଥ୍ୟ ଚିତ୍ର ସହ ପରିବେଷଣ କରାଯାଉଛି ।

ଓପୋଲଫେଡ୨୯ ମାର୍ଚ୍ଚ ୧୯୭୬ ରେ ସ୍ଥାପିତ ହୋଇଥିଲା ।

ପ୍ରାଥମିକ କୁକ୍କୁଟ ସମବାୟ ସମିତି ଗଠନ କରିବା, କୁକୁଡାଚାଷୀମାନଙ୍କୁ କୁକୁଡା ପାଳନ ଉପରେ ପ୍ରଶିକ୍ଷଣ ଦେବା, କୁକୁଡା ଚାଷ ମାଧ୍ୟମରେ ସେମାନଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବା, ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ଅଣ୍ଡା ଓ କୁକୁଡାକୁ ଉଚିତ୍ ମୂଲ୍ୟରେ କ୍ରୟ କରି ଖାଉଟିମାନଙ୍କୁ ଅଣ୍ଡା, କୁକୁଡା ମାଂସ ଆବଶ୍ୟକୀୟ ଗ୍ରେଡିଂ ଓ ପ୍ରକ୍ରିୟାକରଣ ପରେ ସୁଲଭମୂଲ୍ୟରେ ଓପୋଲଫେଡ୍ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇଦେବା, ନିଜସ୍ୱ ଦାନା ମିଶ୍ରଣ କେନ୍ଦ୍ରରେ ପ୍ରସ୍ତୁତ କରାଯାଉଥିବା ସୁଷମ କୁକୁଡା ଖାଦ୍ୟ କୁକୁଡା ଚାଷୀମାନଙ୍କୁ ଯୋଗାଇଦେବା ଇତ୍ୟାଦି ଓପୋଲଫେଡ୍ ର ମୁଖ୍ୟ ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ଅଟେ ।

ଓଡିଶା ଡଟ୍ କମ୍

Filed Under: ସୂଚନା ପ୍ରଯୁକ୍ତି

ନବ କଳେବର ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ମୋବାଇଲ ଆପ୍

June 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ଜୁନ ୧୦ (ଓଡିଶା ଡଟ୍ କମ୍): ଆସନ୍ତା ମାସ ହେବାକୁ ଥିବା ଶ୍ରୀଜୀଉଙ୍କ ନବକଳେବର ଓ ରଥ ଯାତ୍ରାରେ ପ୍ରବଳ ଜନସମାଗମକୁ ଆଖିରେ ରଖି ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନ ପାଇଁ ପୋଲିସ ଏକ ସ୍ଵତନ୍ତ୍ର ମୋବାଇଲ ଆପ୍ ପ୍ରସ୍ତୁତ କରୁଥିବା କହିଛି ।

ସ୍ମାର୍ଟ ଫୋନରେ ଏହି ଆପ୍ ଡାଉନଲୋଡ କରି ଜନ ସାଧାରଣ ସହର ତଥା ସହରକୁ ଯାଇଥିବା ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଓ ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଫୋନ ନମ୍ବର ସହ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ଏହି ଆପ୍ ଜରିଆରେ ପାର୍କିଂ ସ୍ଥଳ, ରୁଟ ଚାର୍ଟ ଏବଂ ଯାନବାହାନ ନିୟନ୍ତ୍ରଣ ସମ୍ପର୍କରେ ସମସ୍ତ ସୂଚନା ଉପଲବ୍ଧ କରାଯିବ ।

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ ବିଚାର କରାଯାଉଛି । ପୋଲିସ ଆଇଜି ସଂଜୀବ ପଣ୍ଡା ଦିନିକିଆ ପୁରୀ ଗସ୍ତ ରେ ଯାଇ ସେଠାରେ ପୋଲିସ କାର୍ଯ୍ୟଳୟରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମୀକ୍ଷା କରି ଏହା କହିଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା । ଚଳିତ ବର୍ଷ ୧୮ ଜୁଲାଇ ରେ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ୍ କମ୍

Filed Under: ସୂଚନା ପ୍ରଯୁକ୍ତି Tagged With: ନବ କଳେବର, ପୁରୀ, ମୋବାଇଲ ଆପ

୧ ଜୁନରୁ ଭୁବନେଶ୍ଵର ବିମାନବନ୍ଦରରେ ଇଣ୍ଟରନେଟ ସେବା

May 14, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୧୪ (ଓଡିଶା ଡଟ କମ) ଆସନ୍ତା ଜୁନ ଏକ ତାରିଖରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେୟଯୁକ୍ତ ଚବିଶ ଘଣ୍ଟା ୱାଇ ଫାଇ ଇଣ୍ଟରନେଟ ସେବା ଉପଲବଧ ହେବାର ସମ୍ଭାବନା ଥିବା, ବିମାନ ବନ୍ଦରର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ।

କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ବିମାନ ବନ୍ଦରରେ ଏ ସଂକ୍ରାନ୍ତୀୟ ଭିତ୍ତିଭୂମି ତିଆରି ହୋଇଥିବା, ସେ କହିଛନ୍ତି ।

ଏହି ସେବା ଆରମ୍ଭ ହେଲେ ଏକ କାଳୀନ ଆଠ ଶହ ଯାତ୍ରୀ ଓ  ଅନ୍ୟାନ୍ୟ ବ୍ୟକ୍ତି ଦଶ ଏମବିପିଏସ ସ୍ପୀଡରେ ଭାରତୀ ଏୟାରଟେଲର  ଦ୍ଵାରା ଯୋଗାଇ ଦିଆଯାଉଥିବା ଇଣ୍ଟରନେଟ ସେବା ଗ୍ରହଣ କରିବାରେ ସକ୍ଷମ ହେବେ ।

ପ୍ରଥମ ପନ୍ଦର ମିନିଟ ପାଇଁ ଏହି ସେବା ମାଗଣା ଉପଲବ୍ଧ ହେବ ତେବେ ଏହାଠାରୁ ବେଶି ସମୟ ବ୍ୟବହାର କଲେ ଗ୍ରାହକଙ୍କୁ ଦେୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Filed Under: ସୂଚନା ପ୍ରଯୁକ୍ତି Tagged With: ଇଣ୍ଟରନେଟ ସେବା, ଭୁବନେଶ୍ଵର ବିମାନବନ୍ଦର

ଓଡିଶା ସଂସ୍ଥାକୁ ଗୋଡାଡିର ଅଗ୍ରଣୀ ହୋଷ୍ଟିଂ ଚ୍ୟାନେଲ୍ ପାର୍ଟନର ମାନ୍ୟତା

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୫ (ଓଡିଶା ଡଟ କମ) କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋମେନ ବୁକିଂ, ୱେବ ହୋଷ୍ଟିଙ୍ଗ ଆଦି  ସୂଚନା ପ୍ରଯୁକ୍ତି ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ଭୁବନେଶ୍ବର ସ୍ଥିତ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଦେଶର ଅଗ୍ରଣୀ ୱେବ୍ ହୋଷ୍ଟିଂ ଚ୍ୟାନେଲ ପାର୍ଟନର ମାନ୍ୟତା ଦେଇଥିବା, ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ମଙ୍ଗଳବାର କହିଛନ୍ତି ।

SNlogoଗୋ ଡାଡି ସହଭାଗିତାରେ ପ୍ରଥମକରି ୨୦୧୩ ମସିହାରେ କାର୍ଯ୍ୟାରମ୍ଭ କରିଥିବା ସୁର୍ଯ୍ୟନନ୍ଦନ ରାଜ୍ୟରେ ଓ ରାଜ୍ୟ ବାହାରେ ପ୍ରାୟ ୮,୫୦୦ ଗ୍ରାହକଙ୍କୁ ଡୋମେନ୍ ରେଜଷ୍ଟ୍ରେସନ୍, ୱେବ ହୋଷ୍ଟିଂ ଓ ୱେବସାଇଟ ଡିଜାଇନିଂ ସେବା ଯୋଗାଇଆସୁଥିବା ସେ କହିଛନ୍ତି ।

ଗୋଡାଡି ସୁର୍ଯ୍ୟନନ୍ଦନକୁ ଅଗ୍ରଣୀ ଚ୍ୟାନେଲ ପାର୍ଟନରର ମାନ୍ୟତା ଦେଇଥିବାରୁ ଏଥର ଗ୍ରାହକ ମାନେ ସୁର୍ଯ୍ୟନନ୍ଦନ ଜରିଆରେ ଗୋ ଡାଡିର ସମସ୍ତ ସେବା ସିଧାସଳଖ ପାଇପାରିବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ଗୋଡାଡି ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ଉପସଭାପତି ରାଜୀବ୍ ସୋଧୀ କହିଛନ୍ତି, ଭାରତ ବଜାର ଆମ ପାଇଁ ଡୁ-ଇଟ-ଫର-ମି ବଜାର ଅଟେ ।

“ଆମର ଚ୍ୟାନେଲ୍ ପାର୍ଟନର ମାନେ ଆମର ଉତ୍ପାଦକୁ ସାଧାରଣ ବ୍ୟବସାୟୀଙ୍କୁ ପହଞ୍ଚାଇବାରେ ସହାୟକ ହେଉଛନ୍ତି । ଆମେ ଛୋଟ ବ୍ୟବସାୟକୁ ସଫଳ କରିବା ପାଇଁ ସେମାନଙ୍କ ସହିତ ମିଳିତ ହୋଇ କାର୍ଯ୍ୟ କରିବା ସହିତ ବିଭିନ୍ନ ଟୁଲ୍ ପ୍ରଦାନ କରୁଛୁ”, ସେ କହିଛନ୍ତି ।

ଓଡିଶା ଡଟ କମ

Filed Under: ସୂଚନା ପ୍ରଯୁକ୍ତି Tagged With: ଡୋମେନ ବୁକିଂ, ୱେବ ହୋଷ୍ଟିଂ, ସୁର୍ଯ୍ୟନନ୍ଦନ, ସୂଚନା ପ୍ରଯୁକ୍ତି

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା